Unknown

 

 

 

 

 

 

 

 

 

 

 

 

ମୋ ଛାତ୍ର-ଜୀବନ

ଡକ୍ଟର ପ୍ରାଣକୃଷ୍ଣ ପରିଜା

 

ପୁସ୍ତକ ସଂପର୍କରେ

 

ପୌରୁଷ ପ୍ରକାଶପାଇବା ପୂର୍ବରୁ କେତେକ ବିଶିଷ୍ଟ ବ୍ୟକ୍ତିଙ୍କର ଜୀବନୀ ଏଥିରେ ଧାରାବାହିକଭାବରେ ପ୍ରକାଶ କରାଯିବାର ପରିକଳ୍ପନା ଥିଲା । ଶିକ୍ଷାବିତ୍‍ ଓ ବୈଜ୍ଞାନିକ ଭାବରେ ଡଃ ପ୍ରାଣକୃଷ୍ଣ ପରିଜା ସର୍ବଭାରତୀୟ ସ୍ତରରେ ସମ୍ମାନିତ ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଥିଲେ । ସେ ଥିଲେ ଜଣେ ଶ୍ରେଷ୍ଠ ବୈଜ୍ଞାନିକ ଓ ଆଦର୍ଶ ଶିକ୍ଷକ । ସେ ଦୃଷ୍ଟିରୁ ତାଙ୍କର ଜୀବନୀ ପ୍ରକାଶ କରିବା ପୌରୁଷର ନୂତନ ପାଠକମାନଙ୍କ ପାଇଁ ଏକ ପ୍ରଧାନ ଆକର୍ଷଣ ହେବବୋଲି ମୁଁ ମନେ କଲି ଓ ଡଃ ପରିଜାଙ୍କୁ ତାଙ୍କର ଜୀବନୀ ଲେଖିବା ପାଇଁ ଅନୁରୋଧ କରିଥିଲି । ଛାତ୍ର ଜୀବନରୁ ରେଭେନ୍‍ସା କଲେଜର ପ୍ରିନ୍‍ସପାଲଭାବରେ ତାଙ୍କ ସହିତ ମୋର ପରିଚୟ ଥିଲା ଓ ପରେ ବନାରସ ହିନ୍ଦୁ ବିଶ୍ୱ-ବିଦ୍ୟାଳୟରେ ମୁଁ ଛାତ୍ରଥିବା ସମୟରେ ସେ ପ୍ରୋ-ଭାଇସ ଚାନ୍‌ସେଲ୍‌ ରୂପେ ସେଠାରେ ନିଯୁକ୍ତ ହୋଇଥିଲେ । ଏହି ପରିଚୟ ମୁଁ ଓଡ଼ିଶା ଫେରିଆସିବା ପରେ ଅଧିକ ଘନୀଭୂତ ହୋଇଥିଲା । ମୋ ପ୍ରତି ତାଙ୍କର ଏକ ବିଶେଷ ସ୍ନେହ ଓ ଶ୍ରଦ୍ଧା ମୁଁ ସବୁବେଳେ ଅନୁଭବ କରିଥିଲି । ତେଣୁ ତାଙ୍କର ଜୀବନୀ ଲେଖିବା ପ୍ରସ୍ତାବରେ ସେ ସଙ୍ଗେ ସଙ୍ଗେ ସମ୍ମତ ହୋଇଥିଲେ ଓ ଥରେ ଏହି କାର୍ଯ୍ୟ ଆରମ୍ଭ ହେବାମାତ୍ରେ ତାହା ଧାରାବାହିକ ଭାବରେ ଚାଲିଲା । ପୌରୁଷରେ ତାଙ୍କର ଆତ୍ମଜୀବନୀର ଆଦର ତାଙ୍କୁ ଜୀବନୀ ଲେଖାରେ ଅଧିକ ଉତ୍ସାହିତ କରିଥିଲା ।

 

ଏଠାରେ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଡଃ ପରିଜା ତାଙ୍କର ଜୀବନୀ ଇଂରାଜୀ ଭାଷାରେ ଲେଖୁଥିଲେ ଯଦିଓ ଓଡ଼ିଆ ଭାଷାରେ ତାଙ୍କର ଦକ୍ଷତା କମ୍‍ ନଥିଲା । ମୁଁ ତାହା ଓଡ଼ିଆରେ ଅନୁବାଦ କରୁଥିଲି ଏବଂ ପ୍ରତ୍ୟେକ ଅଂଶର ଅନୁବାଦ ତାଙ୍କର ଅନୁମୋଦନ ପରେ ‘ପୌରୁଷ’ରେ ପ୍ରକାଶିତ ହେଉଥିଲା । ତାଙ୍କର ଆତ୍ମଜୀବନୀର ଶିରୋନାମା ସେ ଦେଇଥିଲେ Autobiography of a Nobodyଯାହାର ଅନୁବାଦ ‘ଅକିଞ୍ଚନର ଜୀବନ-ସ୍ମୃତି’ ନାମରେ ପ୍ରକାଶ ପାଉଥିଲା । ଏହା ତାଙ୍କର ଛାତ୍ର ଜୀବନର ଶେଷ ଓ ରେଭେନ୍‍ସା କଲେଜରେ ଅଧ୍ୟାପକ ଜୀବନର ଆରମ୍ଭ ପର୍ଯ୍ୟନ୍ତ ଦିଆଯାଇଛି । ଅବଶିଷ୍ଟ ଜୀବନୀ ସେ ଲେଖି ପାରି ନ ଥିଲେ । ଡକ୍ଟର ପରିଜାଙ୍କର ମୃତ୍ୟୁପରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଶ୍ରୀ ପ୍ରତାପ ରୁଦ୍ର ପରିଜା ମୋତେ କହିଥିଲେ ଯେ ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନଟି ଲେଖିସାରିଛନ୍ତି । ବର୍ତ୍ତମାନ ଯେତିକି ଅନୁଦିତ ଓ ପୌରୁଷରେ ପ୍ରକାଶିତ ହୋଇଛି ସେଥିରେ ତତ୍କାଳୀନ ଛାତ୍ର ଜୀବନ ଓଡ଼ିଶା ଭାରତବର୍ଷ ଓ କେମ୍ବ୍ରିଜର ଚିତ୍ରର ଆଭାସ ମିଳେ । ବିଶେଷତଃ ଓଡ଼ିଶାର ଛାତ୍ର ସମାଜ ଓ ଶିକ୍ଷାବିତ୍‍ଙ୍କ ପାଇଁ ତାଙ୍କର ଜୀବନୀ ଅତ୍ୟନ୍ତ ଶିକ୍ଷଣୀୟ । ତାଙ୍କର ଆତ୍ମଜୀବନୀର ଏହି ଅଂଶଟି “ମୋ ଛାତ୍ର-ଜୀବନ” ନାମରେ ପ୍ରକାଶ ପାଉଛି । ଏହି ପୁସ୍ତକର ସମସ୍ତ ବିକ୍ରୟଲବ୍‍ଧ ଧନରେ ଏକ ଛାତ୍ରବୃତ୍ତି ପାଣ୍ଠି ସ୍ଥାପନ କରି ତାର ବିନିଯୋଗ କରାଯିବ ବୋଲି ସ୍ଥିର କରାଯାଇଛି ।

 

ଜାନକୀବଲ୍ଲଭ ପଟ୍ଟନାୟକ

☆☆☆

 

ସୂଚୀପତ୍ର

 

୧.

ବଂଶ-ପରମ୍ପରା

୨.

ବାଲ୍ୟଶିକ୍ଷା

୩.

କଲିଜିଏଟ୍‍ ସ୍କୁଲ ଓ ରେଭେନ୍‍ସା କଲେଜ

୪.

କପିଳାସ ରେଭେନ୍‍ସା କଲେଜ ଇଡେନ୍‍ ହିନ୍ଦୁହଷ୍ଟେଲ

୫.

କଲିକତାରେ କଲେଜ ଜୀବନ

୬.

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ

୭.

ପ୍ରଥମ ମହାଯୁଦ୍ଧ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ

୮.

କେମ୍ବ୍ରିଜରେ କ୍ଳବ୍‍ ଜୀବନ

୯.

କେମ୍ବ୍ରିଜର ବନ୍ଧୁଗୋଷ୍ଠୀ

୧୦.

ବୀରବଲ ସାହ୍ନି

୧୧.

କେମ୍ବ୍ରିଜରେ କେତେଜଣ ବିଶିଷ୍ଟ ଭାରତୀୟ

୧୨.

କେମ୍ବ୍ରିଜ ଓ ରେଭେନ୍‍ସା କଲେଜ

୧୩.

ରେଭେନ୍‍ସା କଲେଜରେ କେତେକ ନୂଆ ପରୀକ୍ଷା

☆☆☆

 

ବଂଶ-ପରମ୍ପରା

 

ଦୁଇଟି ମୌଳିକ ବସ୍ତୁ ମନୁଷ୍ୟର ବ୍ୟକ୍ତିତ୍ୱ ନିର୍ଦ୍ଧାରଣ କରେ—ମନୁଷ୍ୟର ବଂଶାନୁଗତ ଅନ୍ତର୍ନିହିତ ଶକ୍ତି ଏବଂ ବାସସ୍ଥାନର ପ୍ରଭାବ । ବଂଶାନୁଗତ ଅନ୍ତର୍ନିହିତ ଶକ୍ତି ପାରିପାର୍ଶ୍ୱିକ ଅବସ୍ଥା ମଧ୍ୟରେ ଯଦି ପାରିପାର୍ଶ୍ୱିକ ଅବସ୍ଥା ଭଲ ନଥାଏ ତାହାହେଲେ ମନୁଷ୍ୟର ବୁଦ୍ଧି ବା ଚତୁରତା ଅବାଞ୍ଛିତ ମାର୍ଗରେ ପରିଚାଳିତ ହୋଇଥାଏ ।

 

ଦୁଇଟି ବିଷୟ ବାସସ୍ଥଳର ନିୟାମକ । ଗୋଟିଏ ହେଉଛି ବଂଶ-ପରମ୍ପରା ଏବଂ ଅନ୍ୟଟି ହେଉଛି ତତ୍କାଳିକ ପାରିପାର୍ଶ୍ୱିକ ଅବସ୍ଥା । ଏହି ଦୃଷ୍ଟିରୁ ନିଜର ଜୀବନ କାହାଣୀରେ ବଂଶ-ପରମ୍ପରାର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଅଛି । ତେଣୁ ସଂକ୍ଷେପରେ ମୁଁ ସେହି ବଂଶ-ପରମ୍ପରାର ସାମାନ୍ୟ ପରିଚୟ ଦେଉଛି ।

 

ପୂର୍ବପୁରୁଷ ସାରଳାଦାସ

 

ମଧ୍ୟଯୁଗର ଓଡ଼ିଆ କବି ସାରଳାଦାସଙ୍କୁ ଆମର ପୂର୍ବପୁରୁଷ ବୋଲି ଦାବି କରାଯାଏ । ଆମ ବଂଶର ଆଦି ବାସଭୂମି କଟକ ଜିଲ୍ଲା ତେନ୍ତୁଳିପଦାରେ ଥିଲା । କିନ୍ତୁ କାଳକ୍ରମେ ଏହି ବଂଶରୁ କେହି କେହି ଜିଲ୍ଲାର ଅନ୍ୟ ଦୁଇଟି ସ୍ଥାନକୁ ଉଠିଯାଇଥିଲେ—ଗୋଟିଏ ଜଗତ୍‍ସିଂହପୁର ନିକଟବର୍ତ୍ତୀ ଖେରସା ଗ୍ରାମକୁ ଏବଂ ଅନ୍ୟଟି ବାଲିକୁଦା ନିକଟବର୍ତ୍ତୀ ଖମ୍ବକୂଳ ଗ୍ରାମକୁ । ଖେରସା ଗ୍ରାମକୁ ଯେଉଁମାନେ ଉଠିଯାଇଥିଲେ ସେମାନଙ୍କର ବଂଶଧର ହେଉଛନ୍ତି ସ୍ୱର୍ଗୀୟ ଗୋକୁଳାନନ୍ଦ ଚୌଧୁରୀ ଏବଂ ତାଙ୍କର ପୁତ୍ର ଗୋପବନ୍ଧୁ ଚୌଧୁରୀ ଓ ନବକୃଷ୍ଣ ଚୌଧୁରୀ । ଏହି ତିନୋଟି ସ୍ଥାନରେ ଆମ ଜାତିର ଅଧିକାଂଶ ପରିବାର ରହିଥିଲେ ମଧ୍ୟ ନିକଟବର୍ତ୍ତୀ ଗ୍ରାମମାନଙ୍କୁ ଏମାନେ ବିସ୍ତାର ଲାଭ କରିଥିଲେ । ବିଭିନ୍ନ ପର୍ବପର୍ବାଣିରେ ଏମାନେ ଏକାଠି ହେଉଥିଲେ । ଉଦାହରଣ ସ୍ୱରୂପ—ଲେଖନୀ ପୂଜା । ଏହି ଉତ୍ସବରେ ଲେଖନୀ ଓ ତାଳପତ୍ର ପୋଥି ପୂଜାରେ ବସେ । ଏହି ସମୟରେ ବଂଶର ଠାକୁର ଯେଉଁସ୍ଥାନରେ ଥାଆନ୍ତି ସେହି କେନ୍ଦ୍ରସ୍ଥାନକୁ ସମସ୍ତେ ଚାରିଆଡ଼ୁ ଆସି ଜମା ହୁଅନ୍ତି । ବଂଶଗତ ଏକତାର ଅନ୍ୟ ଏକ ଉଦାହରଣ ଦିଆଯାଇପାରେ—ଖମ୍ବକୂଳ ଶାଖାର ଅନ୍ତର୍ଭୁକ୍ତ ପରିବାରଗଣ ସନ୍ତାନସନ୍ତତିଙ୍କ ଜନ୍ମଦିନ ପାଳନ କରନ୍ତି ନାହିଁ । ବୋଧହୁଏ ଅତୀତରେ କେବେ କାହାରି ଜନ୍ମଦିନରେ କିଛି ଦୁର୍ଘଟଣା ଘଟିଥିଲା ।

 

ଖମ୍ବକୂଳର ଏକ ମାଇଲ ଦୂରରେ ଅଳକା ନଦୀର ଅପରପାର୍ଶ୍ୱରେ ବଡ଼ଗର ଗ୍ରାମକୁ ଆମର ପରିବାର ଉଠି ଆସିଥିଲେ । ଏହି ଗ୍ରାମକୁ ଲାଗି ଇଚ୍ଛାପୁର ଗ୍ରାମ । ଏହି ଦୁଇଗ୍ରାମର ଲୋକେ ଗ୍ରାମଯାତ୍ରା ଓ ପର୍ବମାନଙ୍କରେ ସାଧାରଣତଃ ଏକତ୍ର ହୁଅନ୍ତି ।

 

କାଳିନ୍ଦୀ ପରିଜା

 

ଆମର ପୂର୍ବତନ ବଂଶ ବହୁଶାଖା ଓ ଉପଶାଖାରେ ବିଭକ୍ତ ହୋଇ ବହୁ ଅଞ୍ଚଳକୁ ଉଠିଯାଇଥିଲେ । ବଂଶର ପରମ୍ପରା ଗୋଟିଏ ପୁରୁଷରୁ ଅନ୍ୟ ପୁରୁଷକୁ ଗଡ଼ି ଆସୁଥିଲା । ସାଙ୍ଗିଆ ପରିଜାରୁ ଦାସ ଚୌଧୁରୀ ଓ ମହାପାତ୍ର ହେଉଥିଲା । ନିଜ ନିଜର ବୃତ୍ତି ଓ ବୈଷ୍ଣବଧର୍ମର ପ୍ରଥା ଅନୁଯାୟୀ ଏହିପରି ସାଙ୍ଗିଆ ବଦଳୁଥିଲା କିନ୍ତୁ ବଂଶଗତ ଏକତା ସମସ୍ତେ ଉପଲବ୍‍ଧ କରୁଥିଲେ ଏବଂ ନିଜ ଜାତିର ଲୋକଙ୍କ ମଧ୍ୟରେ କୌଣସି ବିଶିଷ୍ଟ ଘଟଣା ଘଟିଲେ ସମସ୍ତେ ସେଥିରେ ଗର୍ବ ଅନୁଭବ କରୁଥିଲେ-। ଆମର ପିଲାଦିନେ ଆମେ ତେନ୍ତୁଳିପଦାର ଜଣେ କାଳିନ୍ଦୀ ପରିଜାଙ୍କ କଥା ଶୁଣିଛୁ । ଏହି ବ୍ୟକ୍ତି ଜଣେ ଜମିଦାର ଥିଲେ ଏବଂ ସେ ଅଞ୍ଚଳରେ ତାଙ୍କର ଖୁବ୍‍ ପ୍ରଭାବ ଥିଲା । ବ୍ରିଟିଶ୍‍ ରାଜତ୍ୱର ପ୍ରଥମ ଅବସ୍ଥାରେ ମରୁଡ଼ି ପଡ଼ିଲା । ଗ୍ରାମବାସୀମାନେ ଜମିରେ ପାଣି ମଡ଼ାଇବା ପାଇଁ ଗୁଡ଼ନଈରେ ଏକ ବନ୍ଧ ପକାଇଥିଲେ । କଟକରୁ ଏକ୍‍ଜିକ୍ୟୁଟିଭ୍‍ ଇଂଜିନିୟର୍‍ ବନ୍ଧ କାଟିବା ପାଇଁ ଆସିଲେ ମାତ୍ର କାଳିନ୍ଦୀ ପରିଜାଙ୍କ ନେତୃତ୍ୱରେ ଲୋକେ ତାଙ୍କୁ ନିସ୍ତୁକ ମାଡ଼ ଦେଲେ । କାଳିନ୍ଦୀ ପରିଜାଙ୍କୁ ଗିରଫ କରାଗଲା ଏବଂ ତାଙ୍କର ବିଚାର ହୋଇ ନ’ମାସ ଜେଲ୍‍ ହେଲା । ଜେଲ୍‍ ପରେ ସେ ଅସୁସ୍ଥ ହୋଇପଡ଼ିଲେ ଓ ତାର କିଛି କାଳପରେ ତାଙ୍କର ପରଲୋକ ହୋଇଗଲା । ଏହା ଏପରି ଏକ ଜଣାଶୁଣା ବିଷୟ ହୋଇଯାଇଥିଲା ଯେ ମୁଁ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଥମ ହୋଇଛି ବୋଲି ପ୍ରଚାର ହେବାରୁ (ପ୍ରକୃତରେ ମୁଁ କେବଳ ସଂସ୍କୃତରେ ପ୍ରଥମ ହୋଇଥିଲି) ଉତ୍କଳ ଗୌରବ ମଧୁସୂଦନ କଟକ “ବାର୍‍ ଲାଇବ୍ରେରୀ”କୁ ମୋତେ ଡକାଇ ପଠାଇ ପଚାରିଲେ “କାଳିନ୍ଦୀ ପରିଜାଙ୍କର ତୁମେ କ’ଣ ହୁଅ କି ? ତାଙ୍କର ଖରାପଗୁଣ ନା ଭଲଗୁଣ କେଉଁଟି ତୁମର ଅଛି-?” ମୁଁ କହିଲି “ମୁଁ ସେହି ଏକା ବଂଶର ଲୋକ ହେଲେ ମଧ୍ୟ ତାଙ୍କର କୌଣସି ନିକଟ ସମ୍ପର୍କୀୟ ନୁହେଁ-।”

 

ଅକାଞ୍ଚନର ଜୀବନ-ସ୍ମୃତି

 

ବଡ଼ଗର-ଇଚ୍ଛାପୁର ଗ୍ରାମରେ ଆମର ପରିବାର ଏକୁଟିଆ ରହୁଥିଲେ । ଏହି ପରିବାରକୁ ଏକ ସମ୍ଭ୍ରାନ୍ତ ମଧ୍ୟବିତ୍ତ ପରିବାର ଆଖ୍ୟା ଦିଆ ଯାଇପାରେ । ଏହାର ପରମ୍ପରା ଥିଲା ଶିକ୍ଷା ସାହସିକତା ଏବଂ ସରଳ ଜୀବନଯାପନ । ମୋର ପ୍ରପିତାମହ ହରେକୃଷ୍ଣ ପରିଜାଙ୍କର ଦୃଷ୍ଟାନ୍ତ ଦିଆଯାଇପାରେ । ହରେକୃଷ୍ଣ ପ୍ରଥମ ବନ୍ଦୋବସ୍ତବେଳେ କାର୍ଯ୍ୟ କରୁଥିଲେ । ବନ୍ଦୋବସ୍ତ ଅଫିସର୍‍ ଜଣେ ବଙ୍ଗାଳୀ ଥିଲେ ଏବଂ ସେ ତାଙ୍କର କାମରେ ଖୁବ୍‍ ଖୁସି ହୋଇ ତାଙ୍କ ନାମରେ ସ୍ଥାୟୀ ପ୍ରଜାରୂପେ ନଅ ଏକର ଜମି କରିନେବା ପାଇଁ କହିଲେ କିନ୍ତୁ ହରେକୃଷ୍ଣ ମନା କରିଦେଇ ତାଙ୍କର ସଙ୍ଗାତ ହରେକୃଷ୍ଣ ପରିଜାଙ୍କ ନାମ ଦେଇଥିଲେ ସେ କଲମ ଚାଷରେ ତାଙ୍କର ଜୀବିକା ନିର୍ବାହ କରିବାଟାକୁ ପସନ୍ଦ କରୁଥିଲେ । ଗଞ୍ଜାମଜିଲ୍ଲାର ମୋ ଜେଜେବେପା ଜଣେ ସ୍କୁଲ ଶିକ୍ଷକ ଥିଲେ । ତାଙ୍କର ସାହସକୁ ଚିନ୍ତା କରିବାର କଥା । ସେତେବେଳେ ରେଳରାସ୍ତା ନଥିଲା । କଟକ ଉପକୂଳବର୍ତ୍ତୀ ଏକ ଗ୍ରାମରୁ ଗଞ୍ଜାମ ଜିଲ୍ଲାରେ ଯାଇ ଚାକିରି କରିବା କିଛି କମ୍‌ କଥା ନୁହେଁ । ପରେ ସେ ତାଙ୍କର ସାବତ ଭାଇ ରଘୁନାଥ ପରିଜାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ରଘୁନାଥ ଶିକ୍ଷାଦାନ ଛାଡ଼ି ବେପାର କରି କିଛି ବେଶ୍‌ ଉପାର୍ଜ୍ଜନ କରିଥିଲେ ଏବଂ ଗ୍ରାମକୁ ଆସି କିଛି ଜମି ଓ ମକଦ୍ଦମି ଖରିଦ କରି ପରିବାରର ଆର୍ଥିକ ଅବସ୍ଥାରେ ବିଶେଷ ଉନ୍ନତି ଆଣିପାରିଥିଲେ । ମୋର ଜେଜେବାପାଙ୍କର ଅନ୍ୟ ଜଣେ ସାବତ ଭାଇ ଗୋକୁଳାନନ୍ଦ ପରିଜା ସେପରି କିଛି ପଢ଼ାପଢ଼ି କରି ନଥିଲେ: କିନ୍ତୁ ସେ ମୋଗଲସରାଇ ପର୍ଯ୍ୟନ୍ତ କ୍ଷେପି ଯାଇଥିଲେ । ସେତେବେଳେ ରେଳବାଇରେ ଚାକିରି କରିବା ତାଙ୍କର ଉଦ୍ଦେଶ୍ୟ ଥିଲା ।

 

ତାଙ୍କ ପରେ ଯେଉଁମାନେ ଆସିଲେ ସେମାନେ ମଧ୍ୟ ସେହିପରି ସାହସର ଥିଲେ । ମୋର ବାପାଙ୍କର କୌଣସି ଆଧୁନିକ ଶିକ୍ଷା ନଥିଲା । ସେ ମୟୂରଭଞ୍ଜ ଯାଇ ସେଠାରେ ଜଙ୍ଗଲବିଭାଗରେ ଜଣେ ଫରେଷ୍ଟ-ଗାର୍ଡ଼ରୂପେ କାର୍ଯ୍ୟ କରିଥିଲେ । ଏହି ସମୟକୁ ବାଲିକୁଦାରେ ନୂଆ ହୋଇ ମାଇନର ସ୍କୁଲ ହେଲା । ମୋର ବାପାଙ୍କର କେତେକ ସମ୍ପର୍କୀୟ ଭାଇ ଏହି ସ୍କୁଲରେ ନାମ ଲେଖାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମାଇନ୍‌ର ପାସ୍‌ କରି କଟକରେ ଥିବା ସର୍ଭେସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ ମୟୂରଭଞ୍ଜରେ ଓଭର୍‌ସିୟର୍‌ ରୂପେ ନିଯୁକ୍ତି ପାଇଥିଲେ । ଅବଶ୍ୟ ସେ ବେଶିଦିନ ବଞ୍ଚି ନଥିଲେ ।

 

ସେତେବେଳର ଗ୍ରାମ୍ୟଜୀବନ

 

ସେତେବେଳେ ଗ୍ରାମ୍ୟଜୀବନ କିପରି ଥିଲା ତାହାର ଏକ ସଂକ୍ଷିପ୍ତ ଆଭାସଦେବା ଉଚିତ ମନେ କରୁଛି । ତିନୋଟି ବନ୍ଦୋବସ୍ତ ମୌଜାକୁ ଘେନି ଆମର ଗ୍ରାମ । ବ୍ରାହ୍ମଣ ଓ ହାଡ଼ିଙ୍କୁ ଛାଡ଼ିଦେଲେ ସବୁ ଜାତିର ଲୋକ ଆମ ଗ୍ରାମରେ ଥିଲେ ଏବଂ ସମସ୍ତଙ୍କ ମଧ୍ୟରେ ଖୁବ୍‍ ବନ୍ଧୁତା ଥିଲା । ପ୍ରତ୍ୟେକ ଲୋକ ସେ ଯେଉଁ ଜାତିର ହେଉ ନା କାହିଁକି ତାକୁ ଭାଇ ବା ଦାଦି ନାମରେ ଅନ୍ୟମାନେ ଡାକୁଥିଲେ । ଅବଶ୍ୟ ଛୁଆଁଅଛୁଆଁ ଭେଦଭାବ ଥିଲା । ଏକା ପଙ୍ଗତରେ କେହି ବସୁ ନ ଥିଲେ । ଅପରାହ୍‍ଣରେ ଉଚ୍ଚ ଜାତି ବୋଲାଉଥିବା କରଣ ମହାନାୟକ ଓ ଖଣ୍ଡାୟତମାନେ ଅନ୍ୟଙ୍କର କଥା ଛାଡ଼ ଏପରି କି ତେଲିଙ୍କି ମଧ୍ୟ ଛୁଉଁ ନଥିଲେ । ଅବଶ୍ୟ ମୋର କୈଶୋର ଅବସ୍ଥାକୁ ଏ କୁସଂସାର ଆଉ ନ ଥିଲା ।

 

ରାହାସ ବିଶ୍ୱାଳ

 

ସାମାଜିକ ରୀତି-ନୀତିରେ ରକ୍ଷଣଶୀଳତା ସେତେବେଳେ ପ୍ରଧାନ ଥିଲେ ହେ ରକ୍ଷଣଶୀଳତା ବିରୁଦ୍ଧରେ ବିଦ୍ରୋହର ବହୁ ଦୃଷ୍ଟାନ୍ତ ସେତେବେଳେ ମଧ୍ୟ ମିଳୁଥିଲା । ବିଶ୍ୱାଳ ସାଙ୍ଗିଆବିଶିଷ୍ଟ ଗୋଟିଏ ଖଣ୍ଡାଏତ ପରିବାର ଆମ ଗ୍ରାମରେ ଥିଲେ । ପରିବାରର ମୁଖିଆ ଥିଲେ ରାହାସ ବିଶ୍ୱାଳ । ଏବପରି ସେ ସମୟରେ ମଧ୍ୟ ସବୁ ଜାତିର ଲୋକ ନଡ଼ିଆଗଛ ଲଗାଇବା ମନା ଥିଲା । କାରଣ ନଡ଼ିଆଗଛ ଲଗାଇଲେ କୁଆଡ଼େ ନିଜର ମୃତ୍ୟୁ ହୁଏ କିମ୍ବା ପରିବାରରେ କେହି ମରନ୍ତି । ଏ କୁସଂସ୍କାରର ମୂଳ ହେଲା କୌଣସି କୌଣସି ଜାତି ଅନ୍ୟମାନଙ୍କୁ ନଡ଼ିଆଗଛ ଲଗାଇବାକୁ ବାରଣ କରି ନିଜର ଏକଚାଟିଆ କାରବାର ସାବ୍ୟସ୍ତ କରିବାପାଇଁ ଏହି ଧାରଣା ସୃଷ୍ଟି କରିଥିଲେ । ବ୍ରାହ୍ମଣମାନେ ନଡ଼ିଆଗଛ ବଢ଼ାଉଥିଲେ । ଆମ ଗ୍ରାମରେ କେବଳ ଆମରି ପରିବାର ନଡ଼ିଆଗଛ ଲଗାଉଥିଲେ ।

 

ରାହାସ ବିଶ୍ୱାଳଙ୍କର ସାହସକୁ ଧନ୍ୟବାଦ ଦେବାର କଥା ଯେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଯାଇ ନଡ଼ିଆଗଛ ଲଗାଇଥିଲେ । ଅବଶ୍ୟ ନଡ଼ିଆଗଛରେ ଚଅଁର ପଡ଼ିଲାବେଳକୁ ତାଙ୍କର ସାନଭାଇ ମରିଗଲେ: କିନ୍ତୁ ଏହା ଏକ କାକତାଳୀୟ ନ୍ୟାୟ ବ୍ୟତୀତ ଅନ୍ୟ କିଛି ନାହେଁ । ଏବେ ତାଙ୍କର ବଂଶଧରମାନେ ସେ ଲଗାଇଥିବା ନଡ଼ିଆଗଛର ଫଳ ଭୋଗ କରୁଛନ୍ତି ।

 

ସେହିପରି ପାନବରଜ ନଲଗାଇବା ବିଷୟରେ ମଧ୍ୟ କୁସଂସ୍କାର ଥିଲା । ମୋର ଜଣେ ଦାଦା ଏହି କୁସଂସ୍କାର ବିରୁଦ୍ଧରେ ଯାଇ ନିଜର ଏକ ପାନବରଜ କରିଥିଲେ; କିନ୍ତୁ କିଛି ହେଲାନାହିଁ-। ବର୍ତ୍ତମାନ ବହୁ ଗ୍ରାମବାସୀ ପାନବରଜ କଲେଣି ଏବଂ ସେଥିରୁ ବେଶ୍‍ ଲାଭ ଉଠାଇଲେଣି-

 

ସେ କାଳରେ ଗ୍ରାମଦେବତୀଙ୍କ ବେଢ଼ାରେ ପୂର୍ଣ୍ଣମୀଦିନ କିମ୍ବା ସଂକ୍ରାନ୍ତି ଯିବାର ପ୍ରଥମ ଦିନ ସନ୍ଧ୍ୟାସମୟରେ ଲୋକେ ଏକାଠି ହେଉଥିଲେ । ଯିଏ ଯେଉଁ ଜାତିର ହୁଅନ୍ତୁ ନା କାହିଁକି ସମସ୍ତଙ୍କ ସାଙ୍ଗରେ ମିଶୁଥିଲେ ଏବଂ ଖାଇବାକୁ ଦେବାପାଇଁ ଭୋଗ ପ୍ରସ୍ତୁତ କରିବା ପାଳି ଜଣ-ଜଣଙ୍କ ଭାଗରେ ପଡ଼ୁଥିଲେ । ଏହି ବୈଠକରେ ପୁରାଣ ପଠିତ ହେଉଥିଲା ଏବଂ ଭଜନ ବୋଲା ଯାଉଥିଲା । ଜାତିଭେଦ ସତ୍ତ୍ୱେ ଗ୍ରାମ୍ୟ- ଜୀବନରେ ଏକ ସଂହତି ଦେଖାଯାଉଥିଲା । କୌଣସି ପରିବାରର କେହି ମରିଗଲେ ସେ ଯେଉଁ ଜାତିର ହେଉନା କାହିଁକି ମୁର୍ଦ୍ଦାର ଶ୍ମଶାନଭୂମିକୁ ଯିବା ପର୍ଯ୍ୟନ୍ତ କେହି ଖାଉ ନଥିଲେ ।

 

ବୈଷ୍ଣବ ହେଲେ ସବୁ ଗଲା

 

ସନ୍ନ୍ୟାସୀ ହୋଇଗଲେ ଜାତିଭେଦ ଆଉ ରହୁ ନଥିଲା । ଜଣେ ଧୋବା ସନ୍ନ୍ୟାସୀ ହେବାପରେ ଆମ ଗ୍ରାମକୁ ଆସି ଗ୍ରାମବାସୀଙ୍କୁ ତାଙ୍କର ଭକ୍ତି ଓ ଜ୍ଞାନରେ ଖୁବ୍‍ ପ୍ରଭାବିତ କରିପାରୁଥିଲେ । ଗ୍ରାମବାସୀମାନେ ତାଙ୍କପାଇଁ ଏକ ମଠ ତୋଳିଥିଲେ ଏବଂ ପ୍ରତିଦିନ ସନ୍ଧ୍ୟାରେ ଏହି ମଠ ଶାସ୍ତ୍ର-ପାଠର ଏକ କେନ୍ଦ୍ର ଥିଲା । ମୁଁ କେବେ କେବେ ଏହି ସାନ୍ଧ୍ୟ ବୈଠକରେ ଯୋଗ ଦେଇଛି । ସନ୍ନ୍ୟାସୀଙ୍କର କୌଣସି ଉତ୍ତରାଧିକାରୀ ଶିଷ୍ୟ ନ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ବହୁଦିନଧରି ଏହି ମଠ ଥିଲା । ପରେ ଅବଶ୍ୟ ଯତ୍ନର ଅଭାବରୁ ଏହା ଭାଙ୍ଗିପଡ଼ିଲା ।

 

ଏ ସବୁ ଦୃଷ୍ଟାନ୍ତ ଦେବାର ଉଦ୍ଦେଶ୍ୟ ହେଉଛି ଜାତିଭେଦସତ୍ତ୍ୱେ ଗ୍ରାମ୍ୟ-ଜୀବନ ସେତେବେଳେ କିପରି ସଂହତି ଓ ଐକ୍ୟ ଆଣିପାରିଥିଲା । ଲୋକେ କେବଳ ଶାତ୍ସାନୁମୋଦିତ ବୋଲି ଜାତିଭେଦ ପ୍ରଥାକୁ ମାନୁଥିଲେ । ସେତେବେଳେ ଅର୍ଥନୈତିକ ସଂଗ୍ରାମ ଏବରପରି ପ୍ରବଳ ନ ଥିଲା । ଏହି ପାରିପାର୍ଶ୍ୱିକ ପରିସ୍ଥିତି ମଧ୍ୟରେ ମୋର ବାଲ୍ୟକାଳ ଅତୀତ ହୋଇଥିଲା ।

 

ଏକାନ୍ମବର୍ତ୍ତୀ ପରିବାର

 

ବର୍ତ୍ତମାନ ଆମ ନିଜ ପରିବାର କଥା ଉଲ୍ଲେଖ କରୁଛି । ଆମର ଏକ ଏକାନ୍ମବର୍ତ୍ତୀ ପରିବାର ଥିଲା । ଏହି ପରିବାରକୁ ତିନୋଟି ଭାଗରେ ବିଭକ୍ତ କରାଯାଇପାରେ । ପ୍ରଥମ ଭାଗଟି ମୋର ଜେଜେବାପାଙ୍କର । ସେଥିରେ ଥିଲେ ଜେଜେ ମା’ ବାପା ବୋଉ ମୋର ଭଉଣୀ ଏବଂ ମୁଁ । ମୁଁ ଜନ୍ମ ନେବାପୂର୍ବରୁ ଜେଜେବାପା ଚାଲିଯାଇଥିଲେ । ଏହି ଏକାନ୍ମବର୍ତ୍ତୀ ପରିବାରରେ ଆମ ଅଂଶଟି ଆର୍ଥିକ ଅବସ୍ଥାଦୃଷ୍ଟିରୁ ବଡ଼ ଦୁର୍ବଳ ଥିଲା । ମୋର ବାପା ମୟୂରଭଞ୍ଜରେ ଚାକିରି କରି ଘରକୁ ବିଶେଷ କିଛି ଦେଇ ପାରୁ ନଥିଲେ; କିନ୍ତୁ ମୋର ଜେଜେ ମା ଓ ବୋଉଙ୍କର ପରିବାର ଭିତରେ ବେଶ୍‍ ପ୍ରତିପତ୍ତି ଥିଲା । ଏକ ସମୟରେ ପରିବାରର ସମସ୍ତଙ୍କ ଭିତରେ ଖାଦ୍ୟ ପଦାର୍ଥ ବିତରଣ ଯେପରି ସମାନ ଓ ଶୃଙ୍ଖଳିତଭାବରେ ହେବ ସେଥିପାଇଁ ମୋର ବୋଉଙ୍କୁ ରୋଷାଇଘର ଦାୟିତ୍ୱରେ ରଖାଯାଇଥିଲା ।

 

ତା’ପରେ ହେଉଛି ମୋର ଜେଜେବାପାଙ୍କର ସାବତଭାଇଙ୍କ ପରିବାର । ସେ ପ୍ରାୟ ନିରକ୍ଷର ଥିଲେ ଏବଂ ଚାଷବାସ ଦେଖୁଥିଲେ । ତାଙ୍କର ଚାରୋଟି ପୁଅଙ୍କ ମଧ୍ୟରୁ ଜଣେ ପୋଷ୍ୟପୁତ୍ର ଓ ତାଙ୍କର ଦୁଇଟି ଝିଅ ଥିଲେ; କିନ୍ତୁ ତାଙ୍କର ପୁଅମାନେ ବେଶ୍‍ ଚାଲାକ ଚତୁର ଥିଲେ-। ବଡ଼ପୁଅ ମୟୂରଭଞ୍ଜରେ ଓଭର୍‍ସିୟର ଥାଇ ଅଳ୍ପ ବୟସରେ ମରିଗଲେ । ତାଙ୍କର ପତ୍ନୀ ଓ ଗୋଟିଏ ପୁଅ ଥିଲା । ଦ୍ୱିତୀୟ ପୁତ୍ର ବନ୍ଦୋବସ୍ତରେ କାମ କରୁଥିଲା । ସେ ମଧ୍ୟ ମରିଗଲେ ଓ ତାଙ୍କର ବିଧବା ପତ୍ନୀ ରହିଲେ । ତୃତୀୟ ପୁତ୍ର ବହୁକାଳ ବଞ୍ଚିଥିଲେ ।

 

ଏକାନ୍ମବର୍ତ୍ତୀ ପରିବାରର ତୃତୀୟ ଅଂଶ ସବୁଠାରୁ ପ୍ରଭାବଶାଳୀ ଥିଲା । ଏହି ପରିବାରର ପିତା ଗଞ୍ଜାମ ଜିଲ୍ଲାରେ ବ୍ୟବସାୟ କରି ବେଶ୍‍ ଦୁଇପଇସା କରିଥିଲେ ଓ ଜମିବାଡ଼ି କିଣିଥିଲେ । ତାଙ୍କର ତିନୋଟି ପୁଅ ଓ ଗୋଟିଏ ଝିଅ । ବଡ଼ପୁଅକୁ ଛାଡ଼ିଦେଲେ ଅନ୍ୟମାନେ ସେପରି ଚତୁର ନ ଥିଲେ । ଏ ଥିଲେ ମୋର ଜେଜେବାପାଙ୍କର ଦ୍ୱିତୀୟ ସାବତ ଭାଇ ଏବଂ ସେ ସମୁଦାୟ ପରିବାରର ଅଭିଭାବକ । ଆମର ଗୋଟିଏ ଚୁଲି ଓ ସମ୍ପତ୍ତିବାଡ଼ି ଏକାଠି ଥିଲେ ମଧ୍ୟ ପ୍ରତ୍ୟେକଙ୍କର କିଛି କିଛି ସ୍ୱାଧୀନତା ଥିଲା । ଉଦାହରଣସ୍ୱରୂପ ଆମ ପରିବାର ଗୋଟିଏ ଗାଈ ରଖିଥିଲେ ଏବଂ ଦୁଧ ଘିଅରୁ ପଇସା ବଳାଇ ଦରକାର ପଡ଼ିଲେ ଖର୍ଚ୍ଚ କରୁଥିଲେ ।

 

ଆମର ଘର ଚାଳ ଘର—ସେଥିରେ ତିନୋଟି ସାହାଲା ଥିଲା । ଗୋଟିଏ ସାହାଲାରେ ଗୋରୁ ରହୁଥିଲେ ଏବଂ ବାକି ଦୁଇଟି ସାହାଲା ପରିବାରର ସମସ୍ତଙ୍କ ପାଇଁ ନିର୍ଦ୍ଦିଷ୍ଟ ଥିଲା । ତତ୍କାଳୀନ ପ୍ରଥା ଅନୁଯାୟୀ ଆମ ଭାଗରେ ପୂର୍ବ ସାହାଲା ପଡ଼ିଥିଲା ସବା ସାନଭାଇଙ୍କ ଭାଗରେ ପଶ୍ଚିମ ସାହାଲା ପଡ଼ିଥିଲା ଏବଂ ଏ ଦୁଇଟି ମଝିରେ ଥିବା ଘରେ ମଝିଆ ଭାଇଙ୍କ ପରିବାର ରହୁଥିଲେ । ପରିବାରରେ ପୁଅମାନଙ୍କ ବାହାଘର ହେବା ପରେ ଏ ନିୟମ ଠିକ୍‍ ପାଳିତ ହେଉଥିଲା ଯେତେବେଳେ ପରିବାର ଖୁବ୍‍ ବଢ଼ିଗଲା ଏବଂ ମଝିଆ ଭାଇଙ୍କର ଅଂଶଟି ତାଙ୍କର ଦୁଇ ପରିବାର ପୁଅଙ୍କ ମୃତ୍ୟୁ ପରେ ଦୁର୍ବଳ ହୋଇପଡ଼ିଲା ସେତେବେଳେ ସବା ସାନ ଭାଇ ନିଜର ଏକ ପୃଥକ୍‍ ଘର ତୋଳି ସେଠାକୁ ଚାଲିଗଲେ । ଅବଶ୍ୟ ମୋର ବାପାଘରକୁ ଆସିବାଯାଏ ଅର୍ଥାତ୍‍ ୧୯୦୧ ମସିହା ପର୍ଯ୍ୟନ୍ତ ଏ ପରିବାର ଏକାନ୍ମବର୍ତ୍ତୀ ପରିବାରଭାବରେ ରହିଥିଲା । ମୋ ବାପା ତାଙ୍କର ସାନ ଦାଦା ଓ ପୁଅମାନଙ୍କର ପ୍ରତିପତ୍ତିକୁ ବାଧା ଦେଇଥିଲେ । ଥରେ ଭାରି ଜୋରରେ କଜିଆ ଲାଗିଲା । ସେ ମୟୂରଭଞ୍ଜ ଚାଲିଗଲେ ଏବଂ ଏକାନ୍ମବର୍ତ୍ତୀ ପରିବାର-ବନ୍ଧନ ଦୁର୍ବଳ ହୋଇପଡ଼ିଲା । କଜିଆର କାରଣ ହେଉଛି ଯେ ବାପାଙ୍କର ସାନ ଦାଦା ନିଜ ନାଁରେ ଧାନ କରଜ ଦେଉଥିଲେ । ଅବଶ୍ୟ ତାଙ୍କର ଏହା କରିବାର ଯଥେଷ୍ଟ କାରଣ ଥିଲା । ସେ ପରିବାରର ଏକମାତ୍ର ବୟୋଜ୍ୟେଷ୍ଠ ବ୍ୟକ୍ତି ଥିଲେ ଓ ପଢ଼ାଶୁଣା ଜାଣିଥିଲେ । ମୋର ବାପା ମୟୂରଭଞ୍ଜ ଯାଇ ଆଉ ଫେରିଲେ ନାହିଁ । ବର୍ଷକ ପରେ ତାଙ୍କର କାଳ ହୋଇଗଲା । ସେ ମୟୂରଭଞ୍ଜ ଯିବାପୂର୍ବରୁ ମୁଁ ବାଲିକୁଦା ସ୍କୁଲକୁ ପଢ଼ିବାକୁ ଯିବାପାଇଁ ସେ ଜିଦ୍‍ ଧରିଥିଲେ ଏବଂ ମୋର ବୋଉ ୧୯୦୦ ମସିହାରେ ମୋତେ ବାଲିକୁଦା ସ୍କୁଲକୁ ପଠାଇଲେ । ବର୍ଷକ ପରେ ସେ ବି ମରିଗଲେ । ପରିବାରର ଅନ୍ୟ ଶାଖାମାନଙ୍କ ଉପରେ ମୋତେ ନିର୍ଭର କରିବାକୁ ପଡ଼ିଲା । ୧୯୦୫-୧୯୦୬ ମସିହାରେ ଏକାନ୍ମବର୍ତ୍ତୀ ପରିବାର ଭାଙ୍ଗିଗଲା । ସେତେବେଳକୁ ମୁଁ କଟକରେ ରେଭେନ୍‌ସା କଲିଜିଏଟ୍‍ ସ୍କୁଲରେ ପଢ଼ୁଥିଲି । ମୁଁ କନିଷ୍ଠ ଶାଖା ଶ୍ରୀ ରଘୁନାଥ ପରିଜାଙ୍କ ପରିବାରରେ ଯାଇ ରହିଲି; କାରଣ ତାଙ୍କର ବଡ଼ବୋହୂ ମୋ ମା’ଙ୍କ ମୃତ୍ୟୁପରେ ଏକାନ୍ମବର୍ତ୍ତୀ ପରିବାରରେ ଥିଲାବେଳେ ମୋର ହେପାଜତ କରୁଥିଲେ ।

☆☆☆

 

ବାଲ୍ୟଶିକ୍ଷା

(ସେକାଳର ଚାହାଳି ଓ ଚଟିଘର)

 

ମୋ ପିଲାଦିନେ ଆଧୁନିକ ବିଦ୍ୟାଳୟ କେତେକ ସ୍ଥାନରେ ଖୋଲିଥିଲେ ମଧ୍ୟ ସାଧାରଣତଃ ପାଠଶାଳା ବା ଚାହାଳିରେ ପୁରୁଣାକାଳିଆ ଢଙ୍ଗରେ ଶିକ୍ଷା ଦିଆଯାଉଥିଲା ଏବଂ ତାହା ହିଁ ଥିଲା ପ୍ରାଥମିକ ଶିକ୍ଷାର ମାଧ୍ୟମ । ମୁଁ ପୂର୍ବରୁ କହିଚି ଯେ ଆମ ଗ୍ରାମରୁ ଦୁଇ -ମାଇଲ ଦୂରରେ ବାଲିକୁଦାଠାରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା ଓ ମୋର ଦାଦା ସେଠରେ ପଢ଼ିଥିଲେ । କିନ୍ତୁ ମୁଁ ସେ ସ୍କୁଲକୁ ଯାଇ ନଥିଲି । ମୋର ବାଲ୍ୟଶିକ୍ଷା ମୁଁ ପାଠଶାଳାରେ ହିଁ ସମାପ୍ତ କରିଥିଲି ।

 

ଚାହାଳି

 

ମୋର ଗୋସେଇଁବାପାଙ୍କର ଭାଇ ରଘୁନାଥ ପରିଜାଙ୍କ କଥା କହୁଚି । ତାଙ୍କର ଜଣେ ସାନପୁଅ ସେପରି ଚତୁର ନଥିଲେ । ସେଥିପାଇଁ ସେ ଜଣେ ମାଟିବଂଶ ଅବଧାନଙ୍କୁ ଗ୍ରାମ୍ୟଶିକ୍ଷକ ରୂପେ ନିଯୁକ୍ତ କରି ଆମ ଘରେ ଗୋଟିଏ ପାଠଶାଳା ଖୋଲିଥିଲେ । ମୋର ଦାଦା ମୁଁ ଓ ଗ୍ରାମର ବହୁ ପିଲା ଏହି ପାଠଶାଳାରେ ଯୋଗ ଦେଇଥିଲୁ । ଆମର କୌଣସି ସିଲଟ୍‍ କଲମ ନଥିଲା । ବାରଣ୍ଡା ଉପରେ ମୁଣ୍ଡାଖଡ଼ିରେ ଲେଖି ଆମେ ଅକ୍ଷର ଶିକ୍ଷା କରୁଥିଲୁ । ଖଡ଼ିରେ ଗୋଟିଏ ଅକ୍ଷର ଲେଖି ତା’ ଉପରେ ଥରକୁଥର ଖଡ଼ି ବୁଲେଇବା ଫଳରେ ଅକ୍ଷର ଆପେ ମନେ ରହିଯାଉଥିଲା । ପ୍ରତ୍ୟେକ ଛାତ୍ର ଭାଗରେ ଗୋଟିଏ ବର୍ଗଗଜ ଜାଗା ପଡ଼ୁଥିଲା । ତାର ନାମ ପାହି । ଜଣେ ନିଜ ପାହି ଛାଡ଼ି ଅନ୍ୟ ପାହିରେ ପ୍ରବେଶ କରିବା ମନା । ଯେତେବେଳେ ଲେଖି ଲେଖି ଭୂଇଁରୁ ମାଟି ଉଠିଯାଉଥିଲା ସେତେବେଳେ ପିଲାମାନେ ପାଳିକରି ମାଟି ଗୋବରରେ ତାକୁ ଲିପି ଦେଉଥିଲେ ।

 

ସାଧାରଣ ଅକ୍ଷର ଶିକ୍ଷାପରେ ପିଲାମାନେ ଯୁକ୍ତାକ୍ଷର ଶିକ୍ଷା କରୁଥିଲେ । ଏହା ପରେ ପଣକିଆ ବା ଗୁଣନ ଶିକ୍ଷା । ଏହା ସାହାଯ୍ୟରେ ପଣ ଓ ଗଣ୍ଡା ଶିକ୍ଷା କରାଯାଉଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ସେ ସେତେବେଳେ ପଇସା ଅଧଲା ପାହୁଲା ସାଙ୍ଗକୁ କଉଡ଼ି ମୁଦ୍ରା ଆକାରରେ ଚଳୁଥିଲା । ପଣେ ବା ପଚିଶଟି କଉଡ଼ି ମିଶିଲେ ଅଣାଏ ହେଉଥିଲା । ଷୋଳ ଅଣାରେ ଗୋଟିଏ ଟଙ୍କା ଏଥିପାଇଁ ଏହାର ନାମ ଥିଲା ପଣକିଆ ।

 

ପଣକିଆ ଶିକ୍ଷା ପରେ ଗୁଣନ ଫେଡ଼ାଣ ଓ ଓଡ଼ାଙ୍କ ଶିକ୍ଷା ଦିଆଯାଉଥିଲା । ସକାଳେ ମାଟି-ଚଟାଣଉପରେ ମୁଣ୍ଡାଖଡ଼ିରେ ଲେଖି ପିଲାଏ ଏହା ଶିକ୍ଷା କରୁଥିଲେ । ଉପରବେଳା ଓଡ଼ିଆରେ ପଦ୍ୟ ମୁଖସ୍ଥ କରୁଥିଲେ ଓ ଟିକିଏ ଅଧିକ ପଢ଼ିଗଲେ ସଂସ୍କୃତ ଶ୍ଳୋକ ଘୋଷୁଥିଲେ । ପାଠୁଆ ପିଲାଏ ଏହା ଶିକ୍ଷା ଲେଖନ ସାହାଯ୍ୟରେ ତାଳପତ୍ରରେ ଲେଖୁଥିଲେ । ଲେଖନ ହେଉଚି ଏକ ପ୍ରକାର ଲୁହାର କଲମ ଏବଂ ଏହାର ମୁଣ୍ଡପାଖ ଏପରି ଦାଢ଼ୁଆ ଯେ ଏଥିରେ ତାଳପତ୍ରକୁ କଟାଯାଇ ଲେଖିବା ଆକାରକୁ ଅଣାଯାଇପରିବ । ଯେତେବେଳେ ଲେଖିବା ଦୋରସ୍ତ ହୋଇଯାଉଥିଲା ପିଲାମାନେ କାଗଜାତ୍‍ ଓ ହିସାବ ରଖିବା ଶିକ୍ଷା କରୁଥିଲେ । ପିଲାଙ୍କ ଭିତରେ ଯେଉଁମାନେ ଆଗୁଆ ଥିଲେ ସେମାନେ ଅମରକୋଷ ମୁଖସ୍ଥ କରୁଥିଲେ ।

 

ସଂଧ୍ୟାବେଳେ ଘଣ୍ଟାଏକାଳ ପଣକିଆ ଓଡ଼ିଆ ପଦ୍ୟ ସଂସ୍କୃତ ଶ୍ଳୋକ ଏପରିକି ଅମରକୋଷ ଆବୃତ୍ତି କରାଯାଉଥିଲା । ପିଲାମାନେ ଯାହା ମୁଖସ୍ଥ କରୁଥିଲେ ସେଥିରୁ ଖୁବ୍‍ କମ୍‍ ବୁଝୁଥିଲେ ମଧ୍ୟ ଏ ପ୍ରଣାଳୀରେ ସେମାନଙ୍କର ସ୍ମୃତିଶକ୍ତି ବଢ଼ୁଥିଲା ଏହା ନିଃସନ୍ଦେହରେ କୁହାଯାଇପାରେ । ଅଳ୍ପକାଳ ମଧ୍ୟରେ ମୁଁ ଏ ପ୍ରଣାଳୀରେ ଏତକ ପାଠ ଆୟତ୍ତ କରିଥିଲି । ଏବେ ମଧ୍ୟ ମୁଁ ଅମରକୋଷର କୌଣସି ନା କୌଣସି ଅଂଶ ଆବୃତ୍ତି କରିପାରିବି ।

 

ବିଦ୍ୟାରମ୍ଭ

 

ଆମ ଜାତିରେ ବିଦ୍ୟାରମ୍ଭ ନାମକ ଏକ ଉତ୍ସବ ପାଳନ କରାଯାଉଥିଲା । ଏହି ଦିନଠାରୁ ପିଲା ଶିକ୍ଷା ଆରମ୍ଭ କରିବାର କଥା । ନିଜ ପରିବାରର ନାୟକ ଏହି ଉତ୍ସବରେ ପୁରୋଧା କାର୍ଯ୍ୟ କରୁଥିଲେ । ଏହି ନାୟକମାନେ ଥିଲେ ମାଟିବଂଶ ବା କ୍ଷତିବଂଶ ଅବଧାନ କୁଳର । ଏମାନଙ୍କର ପୁରୁଷାନୁକ୍ରମିକ ବୃତ୍ତି ଥିଲା ଅବଧାନି କରିବା । ଏହି ଉତ୍ସବ ଦିନରେ ବିଦ୍ୟାରମ୍ଭ କରୁଥିବା ବାଳକ ନୂଆ ଲୁଗା ପିନ୍ଧୁଥିଲା । ସରସ୍ୱତୀଙ୍କୁ ଆବାହନ କରାଯାଉଥିଲା ଓ ୭ଟିରୁ ୨୧ଟି ପର୍ଯ୍ୟନ୍ତ ନଡ଼ିଆ ଭୋଗ ହେଉଥିଲା । ପରିବାରର ନାୟକ ବାଳକର ପ୍ରକୃତ ଶିକ୍ଷକ ହେବ ଏପରି କିଛି ନିୟମ ନଥିଲା । ମୋ କ୍ଷେତ୍ରରେ ଏ ଉତ୍ସବ ବିଳମ୍ବ ହୋଇଯାଇଥିଲା । ମୁଁ ପାଠଶାଳାରେ କିଛିଦିନ ଯୋଗଦେବାପରେ ମୋର ବିଦ୍ୟାରମ୍ଭ ହୋଇଥିଲା ।

 

ବେତମାଡ଼ରେ ଉପସ୍ଥାନ

 

ଏସବୁ ପାଠଶାଳାରେ ଯୋଗଦେବାର ପ୍ରଣାଳୀ ମଧ୍ୟ ବିଚିତ୍ର ପ୍ରକାର ଥିଲା । କୌଣସି ଉପସ୍ଥାନ ପଡ଼ୁ ନଥିଲା । କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଯୋଗଦେବା ପାଇଁ ଖୁବ୍‍ ଜୋର ଦିଆଯାଉଥିଲା । ଯେଉଁ ପିଲା ଠିକ୍‍ ସମୟରେ ଆସୁଥିଲା ଓ ପ୍ରଥମ ପାଠଶାଳାରେ ଆସି ପହଞ୍ଚୁଥିଲା ତା’ ହାତରେ ଆସ୍ତେ ଦୁଇ ପାହାର ଓ ତୃତୀୟ ବାଳକକୁ ଜୋର୍‍ ତିନି ପାହାର ଓ ଏହିପରି ବେତ ବସୁଥିଲା । ସବା ପଛରେ ଯେ ଆସୁଥିଲା । ସେ ସବୁଠାରୁ ବେଶୀ ଜୋର୍‌ରେ ମାଡ଼ ଖାଉଥିଲା । ଏହା ଫଳରେ ଶୀଘ୍ର ପାଠଶାଳାକୁ ଆସିବାପାଇଁ ପିଲାଙ୍କ ଭିତରେ ପ୍ରତିଯୋଗିତା ଲାଗୁଥିଲା ।

 

ବେତମାଡ଼ ଡରି ଶିକ୍ଷକ ପଳାଇଲେ

 

ଜଣଙ୍କ ପରେ ଜଣେ ହୋଇ ମୋର ଦୁଇ ତିନି ଜଣ ଶିକ୍ଷକ ଥିଲେ । ସେମାନଙ୍କ ମଧ୍ୟରୁ କେତେକ ଅତି ନିଷ୍ଠୁର ଥିଲେ ଏବଂ ସାମାନ୍ୟ ଭୁଲ ଓ ଦୁଷ୍ଟାମି ପାଇଁ କଠିନ ଦଣ୍ଡ ଦେଉଥିଲେ । ଜଣେ ଶିକ୍ଷକ ମୋତେ ଯେଉଁ ଦଣ୍ଡ ଦେଇଥିଲେ ଏଠାରେ ମୁଁ ତାର ଉଲ୍ଲେଖ କରିପାରେ । ମୁଁ କ’ଣ ଦୁଷ୍ଟାମି କରିଥିଲି । ଶିକ୍ଷକ କଦଳୀ ପଟୁକାରେ ମୋର ଗୋଡ଼ ବୁଢ଼ାଆଙ୍ଗୁଠି ଦୁଇଟିକୁ ବାନ୍ଧିଦେଇ ବେକରେ ଫାଶକୁ ଗଳାଇଦେଲେ । ଫାଶଦଉଡ଼ି ଛୋଟ ଥିବାଯୋଗୁଁ ଅତି କଷ୍ଟରେ ମୁଣ୍ଡ ନୁଆଁଇ ମୋତେ ବସିବାକୁ ପଡ଼ିଲା । ମୁଣ୍ଡ ଯାଇ ପ୍ରାୟ ଗୋଡ଼ରେ ଲାଗୁଥିଲା । ମୁଁ ମୁଣ୍ଡ ଏପାଖ ସେପାଖ କରି ପଟୁକାକୁ ଖସାଇବାପାଇଁ ଚେଷ୍ଟା କଲି । ହଠାତ୍‍ ଦଉଡ଼ିଟି ଛିଡ଼ିଯିବାରୁ ମୁଁ ଅପ୍ରତ୍ୟାଶିତ ଭାବରେ ମୁକ୍ତି ପାଇଗଲି । ଦେଖିଲି ପାଖରେ ବେତଟା ପଡ଼ିଚି । ବେତଟାକୁ ଧରିପକାଇ ଶିକ୍ଷକଙ୍କୁ ବାଡ଼େଇବାପାଇଁ ତାଙ୍କ ପଛେ ପଛେ ଦୌଡ଼ିଲି । ଶିକ୍ଷକଙ୍କୁ କାଛୁ କୁଣ୍ଡିଆ ହୋଇଥାଏ । ସେ ମୋତେ ଧରିବାକୁ ଚେଷ୍ଟା ନ କରି ଦୌଡ଼ି ପଳାଇବାକୁ ଲାଗିଲେ । ଏତିକିବେଳେ ମୋର ଜେଜେ (ଦାଦାଙ୍କର ଦାଦା) ରଘୁନାଥ ପରିଜା ଆସି ମୋତେ ଧରିପକାଇଲେ । ଏ ଦୃଶ୍ୟ ତାଙ୍କ ପକ୍ଷରେ ବେଶ୍‍ ଆମୋଦଦାୟକ ହୋଇଥିଲା; କିନ୍ତୁ ମୋର ବିଶୃଙ୍ଖଳା ପାଇଁ ସେ ମୋତେ ମାଡ଼ ନଦେଇ ଛାଡ଼ି ନଥିଲେ । ଉଲ୍ଲେଖଯୋଗ୍ୟ ବିଷୟ ହେଉଛି ପିଲାମାନଙ୍କୁ ନିର୍ବିଚାରରେ କଠୋର ଦଣ୍ଡ ଦେଲେ ସେମାନଙ୍କ ମନରେ ଏକ ପ୍ରତିରୋଧ ଶକ୍ତି ଜାତ ହୁଏ ଯାହାକି ମୋ କ୍ଷେତ୍ରରେ ଏପରି ବିଶୃଙ୍ଖଳା ଆକାରରେ ଦେଖାଦେଲା ।

 

ସେତେବେଳର ଏକ ପ୍ରଥା ଥିଲା ଯେ ବସନ୍ତପଞ୍ଚମୀପରେ ପିଲାମାନେ ଦଳ ଦଳ ହୋଇ ଧାନକ୍ଷେତକୁ ଯାଆନ୍ତି ଏବଂ ଚାଷୀ ଆଗରେ ସମବେତ ସ୍ୱରରେ ‘ବନ୍ଦଇ ହରି ଦେବ ମୁରାରି...’ ଗୀତ ଗାଇ ଶିକ୍ଷକଙ୍କ ପାଇଁ କିଛି ଧାନହଳା ମାଗନ୍ତି । ଚାଷୀମାନେ ପ୍ରାୟ ଗୋଟିଏ ଗୋଟିଏ ହଳା ଦିଅନ୍ତି ଏବଂ ପିଲାମାନେ ସେଗୁଡ଼ିକୁ ବୋଝ ବାନ୍ଧି ମୁଣ୍ଡାଇ ଶିକ୍ଷକପାଖକୁ ଆଣନ୍ତି । ଏହିପରି ଭାବରେ ସ୍କୁଲର ଛାତ୍ରସଂଖ୍ୟା ଅନୁଯାୟୀ ଶିକ୍ଷକ ଏକ ମହଣ ବା ତଦୂର୍ଦ୍ଧ ଧାନ ପାଇଥାନ୍ତି । ଆମର ପାଠଶାଳା ଏହାର ବ୍ୟତିକ୍ରମ ନଥିଲା । ଆମେ ଶିକ୍ଷକଙ୍କ ପାଇଁ ଏହିପରି ଧାନହଳା ସଂଗ୍ରହ କରୁଥିଲୁ ।

 

ମୋର ବାଲ୍ୟଶିକ୍ଷାର ଅନ୍ୟ ଏକ ଅଂଶ ଥିଲା ମହାଭାରତ ରାମାୟଣ ଓ ଅନ୍ୟାନ୍ୟ ପୁରାଣ ସବୁ ଶୁଣିବା । ପ୍ରତ୍ୟହ ସନ୍ଧ୍ୟାରେ କିଛି ନା କିଛି ପୁରାଣ ପାଠ ଥିଲା ଆମ ପରିବାରର ଏକ ପ୍ରଥା । ପାଠଶାଳାରେ ସନ୍ଧ୍ୟା-ଶିକ୍ଷା ଶେଷ କରି ମୁଁ ଏହି ଧର୍ମଗ୍ରନ୍ଥ ଶୁଣୁଥିଲି ଓ ରାମାୟଣ ମହାଭାରତ ପ୍ରଭୃତି ପୁରାଣ ବର୍ଣ୍ଣିତ ବିଷୟମାନଙ୍କରେ ମୋର ଧାରଣା ହୋଇଥିଲା । ଏହି ଜ୍ଞାନ ବାଳକ ମନକୁ କମ୍‍ ପ୍ରଭାବିତ କରେ ନାହିଁ ।

 

ଜମିଦାରୀ ଶିରସ୍ତା

 

ଏବେ ଯେପରି ହେଉଚି ସେ କାଳରେ ମଧ୍ୟ ଲୋକେ ମହାପ୍ରସାଦ (ପୁରୀ ଜଗନ୍ନାଥ ମନ୍ଦିରର ପ୍ରସାଦ) ଦେଇ ସଙ୍ଗାତ ବସୁଥିଲେ । ବିନା ଜାତି ବିଚାରରେ ଏକା ଗାଁର ଲୋକେ ଏହିପରି ପରସ୍ପର ମଧ୍ୟରେ ସଂପର୍କ ସ୍ଥାପନ କରୁଥିଲେ । ମହାନାୟକ (ବର୍ତ୍ତମାନ କରଣମାନଙ୍କ ସହିତ ମିଶିଗଲେଣି) ପରିବାରର ଏହିପରି ଜଣେ ମହିଳାଙ୍କ ସହିତ ମୋର ମା’ ସଙ୍ଗାତ ବସିଥିଲେ-। ଏହି ସଙ୍ଗାତଙ୍କର ସ୍ୱାମୀ ଉଦୟନାଥ ଜେନା (ବର୍ତ୍ତମାନ ସେମାନେ ସାମନ୍ତରାୟ ସାଙ୍ଗିଆ ଗ୍ରହଣ କଲେଣି) ମୋର ମଉସା ହୋଇଗଲେ । ସେ ଜଗତସିଂହପୁରର ଲାଲାବଂଶୀୟମାନଙ୍କ ଜମିଦାରରେ ଜଣେ ତହସିଲ୍‍ଦାର୍‍ ଥିଲେ ଓ ତାଙ୍କର କର୍ମକେନ୍ଦ୍ର ଥିଲା ଆମ ଗ୍ରାମରୁ ପାଞ୍ଚମାଇଲ ଦୂର କୋଳଦା ଗ୍ରାମରେ । ମୋର ପାଠଶାଳା ଶିକ୍ଷାପରେ ମୁଁ ମୋର ମଉସାଙ୍କର ଜଣେ ଶିକ୍ଷାନବିସ ଭାବରେ ଜମିଦାରୀ ରେକର୍ଡ-ପତ୍ର ରଖିବାପାଇଁ ତାଙ୍କ ସାଙ୍ଗରେ ଚାଲିଗଲି । ମୁଁ ଏହି ମଉସାଙ୍କ ସହିତ ରହି ରେକର୍ଡ-ପତ୍ର ରଖିବା କାର୍ଯ୍ୟ ଶିକ୍ଷା କଲି । ସେଠାରେ ମୁଁ ପ୍ରାୟ ବର୍ଷେକାଳ ରହିଥିଲି ଓ କାମ ଶିଖିବା ବ୍ୟତୀତ ଆମର ରୋଷେଇବାସରେ ମଧ୍ୟ ସାହାଯ୍ୟ କରୁଥିଲି । ଏହି ସମୟରେ ମୋର ବାପା ମୟୂରଭଞ୍ଜରୁ ଘରକୁ ଆସିଲେ ଓ ମୋର ମା’ଙ୍କ ସହିତ କଥାବାର୍ତ୍ତା କରି ସ୍ଥିର କଲେ ଯେ ମୁଁ ଏକ ଆଧୁନିକ ସ୍କୁଲରେ ପଢ଼ିବାକୁ ଯିବି । ଏହିପରି ଗୋଟିଏ ସ୍କୁଲ ବା ମାଇନର୍‍ ସ୍କୁଲ ଆମ ଗ୍ରାମଠାରୁ ଦୁଇମାଇଲ ଦୂର ବାଲିକୁଦାରେ ଥିବାଯୋଗୁଁ ମୋର ସେହିଠାରେ ପଢ଼ିବା ସ୍ଥିର ହେଲା ।

 

ବାଲିକୁଦାର ଅନ୍ତର୍ବତ୍ତୀ ବାଲିସାହିର ଜମିଦାର ଶ୍ରୀ ପରୀକ୍ଷିତ ଦାସ ଏହି ସ୍କୁଲ ସ୍ଥାପନ କରିଥିଲେ । ସେ ନିଜେ ଇଂରାଜୀ ଶିକ୍ଷା ଲାଭ କରି ନଥିଲେ । କିନ୍ତୁ ତାଙ୍କ ସମ୍ପର୍କରେ କିମ୍ବଦନ୍ତୀ ଶୁଣାଯାଏ ଯେ ସେ ଖୁବ୍‍ ଶିକ୍ଷାପ୍ରେମୀ କର୍ମଠ ଓ ଦୂରଦୃଷ୍ଟିସଂପନ୍ନ ବ୍ୟକ୍ତିଥିଲେ । ଆଧୁନିକ ଶିକ୍ଷାର ବିସ୍ତାରରେ ବାଲିକୁଦା ସ୍କୁଲର ଦାନ ଉଲ୍ଲେଖଯୋଗ୍ୟ । ବର୍ତ୍ତମାନ ଏହା ଏକ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପରିଣତ । ୧୯୦୧ ମସିହା ଅପ୍ରେଲ ମାସରେ ମୁଁ ଏହି ସ୍କୁଲରେ ନାମ ଲେଖାଇଲି-। ସେ ସମୟରେ ଶ୍ରୀ ରାଖାଲଚନ୍ଦ୍ର ସେନ ହେଡ୍‍ମାଷ୍ଟର ଥିଲେ । ଶ୍ରୀ ଧନେଶ୍ୱର ଦାସ (ଜାତିରେ ଗୋପାଳ) ସେକେଣ୍ଡ୍‍ ମାଷ୍ଟର ଶ୍ରୀ ନନ୍ଦକିଶୋର ସେନଗୁପ୍ତ ହେଡ୍‍ପଣ୍ଡିତ ଏବଂ ଶ୍ରୀ ଅଗଣି ନାୟକ (କ୍ଷତିବଂଶ ଅବଧାନ ଜାତିର) ସେକେଣ୍ଡ୍‍ ପଣ୍ଡିତ ଥିଲେ । ଇଂରାଜୀ ଅକ୍ଷର ଶିଖି ନ ଥିବା ଯୋଗୁଁ ଧନେଶ୍ୱର ବାବୁ ସବାତଳ ଶ୍ରେଣୀରେ ମୋର ନାମ ଲେଖାଇଲେ ଓ ମୋର ବୟସ ୧୦ ବର୍ଷ ବୋଲି ଲେଖିଲେ । ଏହିପରି ଦଶ ବର୍ଷ ବୟସରୁ ମୁଁ ଇଂରାଜୀ ଶିକ୍ଷା ଆରମ୍ଭ କଲି ।

 

ବାପା ଓ ମା’ଙ୍କର ମୃତ୍ୟୁ

 

ମୋର ବାପା ତାଙ୍କର ଭାଇମାନଙ୍କ ସହିତ କଜିଆ କରି ମୟୂରଭଞ୍ଜ ଚାଲିଗଲେ । ଆଉ ସେ ଫେରିଲେ ନାହିଁ । ବାରିପଦାରେ ତାଙ୍କର ଦେହାନ୍ତ ହୋଇଗଲା । ମୋର ପଢ଼ା ଅବଶ୍ୟ ବନ୍ଦ ହେଲା ନାହିଁ । ପ୍ରତିଦନ ସ୍କୁଲକୁ ଯିବା ଦୁଇମାଇଲ ଓ ଆସିବା ଦୁଇମାଇଲ ଏହିପରି ଚାରିମାଇଲ ଚାଲିବାକୁ ପଡ଼ୁଥିଲା । ଏହା କିଛି ଅସ୍ୱାଭାବିକ ନଥିଲା । ବହୁତ ପିଲା ଆମ ଗାଁ ପାଖରୁ ଏହିପରି ପ୍ରତିଦିନ ଯିବାଆସିବା କରୁଥିଲେ । ମୁଁ ଅପେକ୍ଷାକୃତ ଅଧିକ ପୋଖତ ଥିଲି । ଏହାଛଡ଼ା ମୋର ପାଠଶାଳା ଶିକ୍ଷା ଥିଲା ଓ ମୋର ସ୍ମରଣଶକ୍ତି ଭଲ ଥିଲା । ତେଣୁ ଏହି ପ୍ରାଥମିକସ୍ତର ମୋ ପାଇଁ କଷ୍ଟକର ନଥିଲା । ମୁଁ ଦୁଇ ତିନିଥର ଦୋହରା ଉତ୍ତୀର୍ଣ୍ଣ (Doubie promotion) ହେବା ଫଳରେ ୧୯୦୪ ସାଲରେ ମଧ୍ୟଇଂରାଜୀ ପାଠ୍ୟ ଶେଷ କରି ସେହି ବର୍ଷ କଟକରେ ମଧ୍ୟଇଂରାଜୀ ସ୍କୁଲ ପରୀକ୍ଷା ଦେଲି ଓ ବୃତ୍ତି ପାଇଲି ।

 

ମୋର ପଢ଼ା ସମୟ ମଧ୍ୟରେ ବାପା ମରିବାର ବର୍ଷକ ପରେ ମା’ ମରିଗଲେ । ସାପକାମୁଡ଼ାରେ ସେ ମଲେ କି ତାଙ୍କର ହୃଦ୍‍ଯନ୍ତ୍ରକ୍ରିୟା ବନ୍ଦ ହୋଇଗଲା । ତାହା ଜଣାଗଲା ନାହିଁ । ଦିନେ ଉପରବେଳା ସେ ପଡ଼ିଆକୁ ଝାଡ଼ାଫେରି ଯାଇଥିଲେ ଏବଂ ଫେରିଲାବେଳେ ଗାଈପାଇଁ ଘାସ ଧରି ଆସିଥିଲେ । ତା’ ପରେ ଢିଙ୍କିଶାଳକୁ ଗଲେ । ସେଠାରେ ଧାନକୁଟା ଦେଖୁଛନ୍ତି ଠିକ୍‍ ଏହି ସମୟରେ ତଳେ ହଠାତ୍‍ ପଡ଼ିଗଲେ ଓ ତାଙ୍କର ପ୍ରାଣବାୟୁ ଉଡ଼ିଗଲା । ତାଙ୍କର ମୃତ୍ୟୁପରେ ମୁଁ ମୋର ବାପାଙ୍କର ଦାଦାଙ୍କ ଘର ହେପାଜତରେ ରହିଲି ଓ ସେମାନେ ମୋର ସମସ୍ତ ଦାୟିତ୍ୱ ବହନ କରିଥିଲେ ।

 

ମୁଁ ଆଗରୁ କହିଚି ଯେ ମଧ୍ୟଇଂରାଜୀ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ମାସିକ ଚାରିଟଙ୍କା ବୃତ୍ତି ପାଇଲି । ଏହା ଫଳରେ ମୁଁ ଯେଉଁ ହାଇସ୍କୁଲରେ ଏଣ୍ଟ୍ରାନ୍‌ସ ପରୀକ୍ଷା ପାଇଁ ପଢ଼ିବି ସେଥିରେ ମଧ୍ୟ ଫ୍ରିସିପ୍‍ ମିଳିବାର ନିଶ୍ଚିତ ହୋଇଗଲା । ମୋର ଜେଜେ (ବାପାଙ୍କର ଦାଦା) ମୋତେ ପଢ଼ିବାକୁ କଟକ ପଠାଇଲେ ଓ ୧୯୦୪ ମସିହାରେ ମୁଁ ରେଭେନ୍‌ସା କଲିଜିଏଟ ସ୍କୁଲରେ ଯୋଗଦେଲି ।

 

ସେତେବେଳେ ବସ୍‍ ନ ଥିଲା । କଟକକୁ ଯିବାକୁ ହେଲେ ଚାଲିକରି କିମ୍ବା ବଳଦ ଗାଡ଼ିରେ ଯିବାକୁ ହେଉଥିଲା । ଧନୀଘର ପିଲାଏ ପାଲିଙ୍କି କିମ୍ବା ସବାରିରେ ବସି ଯାଉଥିଲେ । ମୋ ପକ୍ଷରେ ଚାଲିକରି ଯିବା ଥିଲା ପ୍ରଥମ ପନ୍ଥା । ତା’ ନହେଲେ କେହି ଯଦି ଧାନ ଶଗଡ଼ ନେଇ କଟକ ଯାଉଥିଲା ମୁଁ ତା ସାଙ୍ଗ ଧରି ଶଗଡ଼ରେ ବସି ଚାଲି ଯାଉଥିଲି । ସାଧାରଣଃ ମୁଁ ଅନ୍ୟ ଛାତ୍ରମାନଙ୍କ ସାଙ୍ଗରେ କିମ୍ବା କଚେରିରେ କାମଥିବା ଗାଁ ଲୋକଙ୍କ ସାଙ୍ଗରେ କଟକ ଚାଲିଯାଉଥିଲି-। ଆମ ଗାଁରୁ କଟକର ଦୂରତ୍ୱ ଥିଲା ୩୬ ମାଇଲ । ବେଳେବେଳେ ଦିନକ ଭିତରେ ଆମେ କଟକରେ ପହଞ୍ଚି ଯାଉଥିଲୁ । ସାଧାରଣତଃ ୧୯ ମାଇଲ କିମ୍ବା ୨୦ ମାଇଲ ଚାଲିଯାଇ ରାତିକପାଇଁ ବିଶ୍ରାମ ନେଉଥିଲୁ ଓ ତା’ ଆରଦିନ ପୁଣି ଚାଲୁଥିଲୁ । ପ୍ରଥମ ଦିନ ଆମେ କେତେ ବାଟ ଚାଲିଲୁ ତାହା ନିର୍ଭର କରୁଥିଲା ରାତ୍ରି ବିଶ୍ରାମଗାର ବା ଚଟିଘରମାନଙ୍କ ଉପରେ ।

 

ଚଟିଘରଗୁଡ଼ିକ ଚାଳ ଛପର ଘର ଥିଲା । ଜଣକ ପାଇଁ ରାତିଏ ରହିବାର ଭଡ଼ାଥିଲା ଛ ପଇସା (ଅଣାଏ) । ଚଟିଘରର ମାଲିକ ରୋଷେଇ କରିବାପାଇଁ ବିନା ପଇସାରେ ଗୋଟିଏ ଆଟିକା ଦେଉଥିଲା ଏବଂ ତା’ଠାରୁ କାଠ ଚାଉଳ ଡାଲି ପରିବା ଆଦି କିଣିବାକୁ ହେଉଥିଲା । ଆମ ସମୟରେ କଟକ ବାଲିକୁଦା ମଧ୍ୟରେ ଏହିପରି ଛ’ଟି ଚଟିଘର ପ୍ରାୟ ୫/୬ ମାଇଲ ବ୍ୟବଧାନରେ ଥିଲା ।

 

ଏହି ଚଟିଘରଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ଥିଲା ଓ ଖୁବ୍‍ ଯତ୍ନରେ ରଖାଯାଉଥିଲା । ସକାଳେ ଯାତ୍ରୀମାନେ ଚାଲିଯିବାପରେ ଘରଟିକୁ ମାଟି ଓ ଗୋବରରେ ଭଲଭାବରେ ଲିପି ଦିଆଯାଇ ପରବର୍ତ୍ତୀଦିନର ପଥିକମାନଙ୍କ ପାଇଁ ପ୍ରସ୍ତୁତକରି ରଖାଯାଉଥିଲା । ଏହି ସବୁ ଚଟିଘରମାନଙ୍କର ପରିଷ୍କାର ପରିଚ୍ଛନ୍ନତା ବୈଦେଶିକ ଭ୍ରମଣକାରୀମାନଙ୍କର ଦୃଷ୍ଟି ଓ ପ୍ରଶଂସା ଆକର୍ଷଣ କରିପାରିଥିଲା । ମୋର ମନେଅଛି ୧୯୨୧ ମସିହା ପରେ ଥରେ କଲିକତା ବିଶ୍ୱବିଦ୍ୟାଳୟର ଉଦ୍ଭିଦ-ବିଜ୍ଞାନ ଅଧ୍ୟାପକ ପ୍ରଫେସର ବ୍ରୁଲ (Bruhl)ଙ୍କ ସହିତ ମୋର ସାକ୍ଷାତ ହେଲା । ସେ ମୋତେ ଓଡ଼ିଶାର ଏହି ଚଟିଘରମାନଙ୍କର ପରିଷ୍କାର ପରିଚ୍ଛନ୍ନତା ସଂପର୍କରେ ପ୍ରଶଂସାକରି କହିଥିଲେ । ସେ ଜଣେ ଜର୍ମାନ୍‍ ଥିଲେ ଓ ଯୁବକ ଅବସ୍ଥାରେ ଯେତେବେଳେ ଶିବପୁର ଇଞ୍ଜିନିଅରିଂ କଲେଜର ଅଧ୍ୟାପକ ଥିଲେ ସେ ଓଡ଼ିଶା ଭ୍ରମଣରେ ଆସିଥିବାବେଳେ ଏହିପରି କେତେକ ଚଟିଘରେ ରହି ସେ ସଂପର୍କରେ ଏହି ଧାରଣା ପୋଷଣ କରିଥିଲେ ।

 

ବର୍ତ୍ତମାନ ଚଟିଘର ଯାଇ ତା’ ସ୍ଥାନରେ ଚା’ ଜଳଖିଆ ଦୋକାନମାନ ବସିଚି । କିନ୍ତୁ ସେ ପରିଷ୍କାର ପରିଚ୍ଛନ୍ନତା ଦେଖିବାକୁ ମିଳୁନାହିଁ । ଯେତେଦୂର ଜଣାଯାଏ; ଏ ପରମ୍ପରାଗତ ପରିଚ୍ଛନ୍ନତା ସହ କେତେଗୁଡ଼ିଏ ଜିନିଷର ସଂପର୍କ ଅଛି । ଯେତେବେଳେ ଏସବୁ ଜିନିଷ ଦେଖିବାକୁ ମିଳୁନାହିଁ ଯେତେବେଳେ ସେ ପରିଚ୍ଛନ୍ନତା ମଧ୍ୟ ଦେଖିବାକୁ ମିଳୁନାହିଁ । ଉଦାହରଣ ସ୍ୱରୂପ ପିତଳ ଗରା । ପୂର୍ବେ ଘରର ସ୍ତ୍ରୀଲୋକେ କିମ୍ବା ଚାକର ତାଙ୍କର ଗରାକୁ ମାଜି ସଫା ରଖୁଥିଲେ । ଯେତେବେଳେ ଗରା ଯାଇ ବାଲ୍‌ଟି ଆସିଗଲା ମଜାମଜି ଉଠିଗଲା ଓ ସାଧାରଣ ଭାବରେ ଆଉ ପରିବାର କଥାଟି ରହିଲା ନାହିଁ ।

 

ପଥିକମାନଙ୍କୁ ରହିବାର ସୁବିଧାଦେବା ବ୍ୟତୀତ ଏହିସବୁ ଚଟିଘରକୁ ଆଶ୍ରୟକରି ଭଣ୍ଡାରି ରହୁଥିଲେ ଯେଉଁମାନେ ଛ ପଇସା (ଅଣାଏ) ଦେଲେ ସେମାନଙ୍କୁ ଭଲରୂପେ ମୋଡ଼ି ଦେଉଥିଲେ ଓ ପରିଶ୍ରମର କ୍ଳାନ୍ତି ଦୂର ହୋଇଯାଉଥିଲା । ଦୂରପଥ ଯାଉଥିବା ପଥିକମାନଙ୍କ ପାଇଁ ପରିଶ୍ରମ ଦୂରକରିବା ବିଷୟରେ କେତେଗୁଡ଼ିଏ ଢଗ ଥିଲା । ସେଥିରୁ ଗୋଟିଏ ହେଉଛି

 

“କୋଶେ ଯା’ ପୋଷେ ଖା’ । ଧୁଅ ପା’ ଯେତେ ଇଚ୍ଛା ସେତେ ଯା ।”

 

ଆମଭଳି ବହୁତ ବାଟ ଚାଲିବା ଲୋକେ ଏହି ଉପଦେଶ ପାଳୁଥିଲୁ । ଏଠି ବାଟୋଇଙ୍କ ପାଇଁ ଉପଦେଶାତ୍ମକ ଆଉ ଗୋଟିଏ ଢଗ ଉଲ୍ଲେଖ କରାଯାଇପାରେ—

 

“ବାଡ଼ି ପଛକେ ଗବଡ଼ାଙ୍ଗ ହେଉ ତାକୁ ନ ଛାଡ଼ିବ କ୍ଷଣେ

ଶତ୍ରୁକୁ ଆଣ୍ଟିବ ପ୍ରାଣକୁ କଣ୍ଟିବ ସଙ୍ଗେ ହୋଇଥିବ ଜଣେ ।”

 

ଏବେ ଆଧୁନିକ ଯାତାୟତର ସୁବିଧା ଥିବା ଯୁଗରେ ଏସବୁ ଚଟିଘର ହୁଏତ ଅନ୍ତର୍ହିତ ହୋଇଗଲାଣି କିମ୍ବା ଏହାର ରୂପ ସଂପୂର୍ଣ୍ଣ ବଦଳିଗଲାଣି । ବର୍ତ୍ତମାନ ରାସ୍ତା କଡ଼ରେ ଆଉ ରାତ୍ରିଯାପନର ସୁବିଧା ନାହିଁ । କେବଳ ଯେଉଁଠି ବସ୍‍ ରହୁଚି ସେଠାରେ ଚା’ ଦୋକାନ କିମ୍ବା ଛୋଟ ଜଳଖିଆ ଦୋକାନ ଦେଖିବାକୁ ମିଳୁଛି ।

☆☆☆

 

କଲିଜିଏଟ୍‍ ସ୍କୁଲ ଓ ରେଭେନ୍‌ସା କଲେଜ

 

ମୁଁ କଟକ ଯାଇ ଶ୍ରୀ ଆନନ୍ଦଚନ୍ଦ୍ର ମହାନ୍ତି (ମୋହରିର)ଙ୍କ ବସାରେ ରହିଲି । ସେଠାରେ ମୋର ଭିଣୋଇ ମଧ୍ୟ ରହୁଥିଲେ । ପରେ ଗୋଟିଏ ଛୋଟ ମେସରେ ମୋର ଦୁଇଜଣ ସହାଧ୍ୟାୟୀ ଶ୍ରୀ ରଘୁନାଥ କାନୁନଗୋ ଓ ଶ୍ରୀ ଆର୍ତ୍ତବନ୍ଧୁ ମହାନ୍ତି ଏବଂ ଦୁଇଜଣ ସିଭିଲ୍‍ କୋଟ୍‍ ପିଅନ ଗୋପୀନାଥ ମହାନ୍ତି ଓ ଗଙ୍ଗାଧର ମହାପାତ୍ରଙ୍କ ସହିତ ଗୋଟିଏ ଛୋଟ ମେସ୍‌ରେ ରହିଲି । ପ୍ରଥମ ତିନିଜଣ ଆମ ଗାଁ ପାଖର ଲୋକ ଓ ଶେଷ ଜଣକ କଟକ ଜିଲ୍ଲା ଯାଜପୁର ସବ୍‍ଡିଭିଜନ୍‍ର ଲୋକେ ।

 

ସିଭିଲ୍‍ କୋର୍ଟ୍ ବା କଲେକ୍ଟରେଟ୍‍ର କିରାଣି ଶ୍ରୀ କପିଳେଶ୍ୱର ମହାନ୍ତିଙ୍କର ରହିବା ଘର ପାଖରେ ଥିବା ତାଙ୍କର ଗୋଟିଏ ଚାଳଘରେ ଆମେ ପ୍ରାୟ ବର୍ଷେ ରହିଲୁ । ପରେ କପିଳବାବୁଙ୍କ ଘର ଗୁଜୁରାଟର ପୂର୍ବତନ ରାଜ୍ୟପାଳ ଶ୍ରୀ ନିତ୍ୟାନନ୍ଦ କାନୁନଗୋଙ୍କ ପିତାଙ୍କର ବାସଗୃହ ହେଲା । ଗୋପୀନାଥବାବୁ ଓ ଗଙ୍ଗାଧରବାବୁ ରୋଷାଇ କରନ୍ତି ଏବଂ ଆମେ ପିଲାମାନେ ସେମାନଙ୍କୁ ସାହାଯ୍ୟ କରୁ । ବେଳେବେଳେ ଆମେ ମଧ୍ୟ ରୋଷାଇ କରୁ । ଗୋପୀନାଥ ବାବୁଙ୍କର ସାଙ୍ଗୋପାଙ୍ଗ ଓ ବନ୍ଧୁ ବାନ୍ଧବମାନେ ଏହି ଘରେ ଆସି ରହନ୍ତି । ଶେଷକୁ ଏଠାରେ ଏତେ ଲୋକ ହୋଇଗଲେ ଯେ ଘରମାଲିକ ସେ ଘର ଛାଡ଼ିବାପାଇଁ ଆମକୁ କହିଲେ । ତା’ ପରେ ଆମେ ଅନ୍ୟ ଗୋଟିଏ ସ୍ଥାନକୁ ଆସି ସେଠାରେ ପୁଣି ମେସ୍‍ ଆରମ୍ଭ କଲୁ । ରଘୁନାଥ କାନୁନଗୋ ସେତେବେଳକୁ ସର୍ଭେ ସ୍କୁଲ ପରୀକ୍ଷାରେ ପାସ୍‍ କରି ଚାକିରି ପାଇଗଲେଣି ।

 

ମାସକୁ ବୃତ୍ତି ଚାରିଟଙ୍କା ଦରମା ଛାଡ଼ି ଓ ଗାଁରୁ ଷୋଳ ସେର ଚାଉଳ ଆସୁଥିବା ଯୋଗୁଁ ମୁଁ ବେଶ୍‍ ଭଲରେ ଚଳିଯାଉଥିଲି ।

 

ନୂଆ ବସାରେ ଥିବାବେଳେ ଗୋପୀନାଥ ବାବୁଙ୍କର ଖୁବ୍‍ ଜୋର୍‍ ନାଳଝାଡ଼ା ହେଲା । ଆର୍ତ୍ତବନ୍ଧୁ ଏବଂ ମୁଁ ରାତିଦିନ ତାଙ୍କର ହେପାଜତ୍‍ କରିବା ଫଳରେ ସେ ଭଲ ହୋଇଗଲେ । କିନ୍ତୁ ମୋତେ ନାଳଝାଡ଼ା ହେଲା । ଆମର ହେଡ୍‍ମାଷ୍ଟର୍‍ ଶ୍ରୀ ବେଣୀମାଧବ ଦାସ ମୋତେ ଦେଖିବାକୁ ଆସି ହୋମିଓପାଥିକ୍‍ ଔଷଧ ଦେଇଥିଲେ ଓ ଘରକୁ ଚାଲିଯିବାପାଇଁ ମୋତେ ପରାମର୍ଶ ଦେଲେ । ମୋର ଦାଦା ଆସି ମୋତେ ଘରକୁ ନେଇଗଲେ । ଏହା ହେଉଛି ମୋର ସେକେଣ୍ଡ୍‍ କ୍ଲାସ (ବର୍ତ୍ତମାନ ତାହାକୁ ନବମ ବା ଦଶମ ଶ୍ରେଣୀ କୁହାଯାଉଛି) ବେଳର କଥା ।

 

ତୁମର ଭବିଷ୍ୟତ ଉଜ୍ଜ୍ୱଳ

 

ଏବେ ମୁଁ ଆମ ସ୍କୁଲ ସଂପର୍କରେ କିଛି କହିରଖେ । ଯେତେବେଳ ମୁଁ ରେଭେନ୍‌ସା କଲିଜିଏଟ୍‍ ସ୍କୁଲରେ ନାମ ଲେଖାଇଲି ସେତେବେଳେ ଶ୍ରୀ ମୋହିନୀମୋହନ ଚୌଧୁରୀ ଏମ୍‍.ଏ. ହେଡ୍‍ମାଷ୍ଟର ଏବଂ ଶ୍ରୀ ବିଶ୍ୱନାଥ ଶତପଥୀ ସଂସ୍କୃତ ଶିକ୍ଷକ ଥିଲେ । ଶ୍ରୀ ବିଶ୍ୱନାଥ ଶତପଥୀ ପୁରୁଣାକାଳିଆ ସଂସ୍କୃତ ପଣ୍ଡିତ ଥିଲେ । ମୋର ମନେ ଅଛି ନାମଲେଖା ପରେ ମୁଁ ଯେତେବେଳେ ତାଙ୍କ କ୍ଲାସକୁ ଗଲି କ୍ଲାସର ଅନ୍ୟ ପିଲାମାନଙ୍କଠାରୁ ମୋର ବୟସ ଅଧିକ ଥିଲା । ଡେଙ୍ଗା ହୋଇ ତନ୍ତବୁଣା ଖଦି ଖଣ୍ଡେ ପିନ୍ଧି ଓ ବେକରେ ଚାଦର ପକାଇ କୌଣସି ଜୋତା ବା ସାର୍ଟ ନ ପିନ୍ଧି ମୁଁ ଯେତେବେଳେ ତାଙ୍କ କ୍ଲାସକୁ ପଶିଗଲି ମୁଁ ଯେପରି ସେଠାରେ ଜଣେ ବ୍ୟତିକ୍ରମ ସେହି ଦୃଷ୍ଟିରେ ସବୁ ପିଲା ମୋ ଆଡ଼କୁ ଚାହିଁ ରହିଲେ । ପଣ୍ଡିତ୍‍ଜୀ ସେତେବେଳେ ଶତକ ବୋଲୁଥିଲେ । ତାହା ଛାଡ଼ି ସେ ମଧ୍ୟ ମୋ ଆଡ଼କୁ ଚାହିଁଲେ । ତା ପରେ ମୋ ନାମ ପଚାରି କହିଲେ “ଆସ ବସ । ମୋତେ ଜଣାଯାଉଛି ତୁମର ଭବିଷ୍ୟତ୍‍ ଖୁବ ଉଜ୍ଜ୍ୱଳ ହେବ” । ପଣ୍ଡିତ୍‍ଜୀ ଭାରି କଡ଼ା ଶିକ୍ଷକ ଥିଲେ-। ଯଦି କୌଣସି ଛାତ୍ର ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରୁଥିଲା ସେ ସାଧୁ ଓଡ଼ିଆ ଶବ୍ଦ ପ୍ରୟୋଗ କରି କୁସିତ ଭାବରେ ଗାଳି ଦେଉଥିଲେ । କୌଣସି ଶିଷ୍ଟାଚାର ଜ୍ଞାନ ଥିବା ଲୋକ ଏହାକୁ କଞ୍ଚା ଓଡ଼ିଆରେ ଅର୍ଥ କରିପାରିବ ନାହିଁ । ସେ ମଧ୍ୟ ଖୁବ୍‍ ରହସ୍ୟ-ପ୍ରାୟ ଥିଲେ । ଯଦି କୌଣସି ଛାତ୍ର ଭୁଲ୍‌ ସଂସ୍କୃତ ଉଚ୍ଚାରଣ କରୁଥିଲା ଓ ଅନ୍ୟ ସହାଧ୍ୟୟୀମାନେ ହସୁଥିଲେ ପଣ୍ଡିତ୍‍ଜୀ କହୁଥିଲେ ହସ ନାହିଁ । ସେ ଯେତେ ଭୁଲ୍ କହୁ ନା କାହିଁକି ସଂସ୍କୃତ ଉଚ୍ଚାରଣରେ ତା’ର ଅଭ୍ୟାସ ହୋଇଯିବ ଯେ-! ହେଡ୍‍ମାଷ୍ଟର ମୋହିନୀବାବୁ ଆଡ଼କୁ ଅଙ୍କ ପଢ଼ାଉଥିଲେ । ସେ ଅତି ଭଲଲୋକ ଥିଲେ ଓ ଛାତ୍ରମାନେ ତାଙ୍କୁ ଶ୍ରଦ୍ଧା କରୁଥିଲେ । ସେ ଆଜକୁ କୌଣସି ଅଙ୍କ କଷିବାକୁ ଦେଇ ଆମେ ତାହା କଷିବା ପୂର୍ବରୁ ବ୍ଲାକବୋର୍ଡରେ ତା’ର ଉତ୍ତର ଲେଖି ଦେଉଥିଲେ । ସେ ବେଶୀଦିନ ରହିଲେ ନାହିଁ-। ରେଭେନ୍‌ସା କଲେଜର ଅଧ୍ୟାପକ ଶ୍ରୀ ବେଣୀମାଧବ ଦାସ ଏମ୍‍. ଏ. ତାଙ୍କ ପରେ ହେଡ୍‍ମାଷ୍ଟର ହୋଇଆସିଲେ । ସେ ସମୟରେ ରେଭେନ୍‌ସା କଲିଜିଏଟ ସ୍କୁଲ ରେଭେନ୍‌ସା କଲେଜ ପ୍ରିନ୍‌ସିପାଲଙ୍କର ପରିଚାଳନାରେ ଥିଲା । ମୁଁ ସ୍କୁଲରେ ପଢ଼ିଲାବେଳେ ସେକାଳର ଜଣେ ଖ୍ୟାତନାମା ଗଣିତଜ୍ଞ ଓ ଅଙ୍କବହିର ଲେଖକ ଶ୍ରୀ ବିପିନବିହାରୀ ଗୁପ୍ତ ରେଭେନ୍‌ସା କଲେଜର ପ୍ରିନ୍‌ସିପାଲ ଥିଲେ ଓ ବେଳେବେଳେ କ୍ଲାସକୁ ଆସି ବୁଲିଯାଉଥିଲେ ।

 

ପ୍ରବନ୍ଧ ପ୍ରତିଯୋଗିତା

 

ବେଣୀମାଧବ ବାବୁ ସ୍କୁଲରେ ଶୃଙ୍ଖଳା ରକ୍ଷା କରିବା ଦିଗରେ କଡ଼ା ଲୋକ ଥିଲେ । ସେ ରାଜା ରାମମୋହନ ରାୟଙ୍କ ଚିନ୍ତାଧାରର ଲୋକ ଥିଲେ ଓ ନୈତିକତା ଉପରେ ଖୁବ୍‍ ଜୋର ଦେଉଥିଲେ । ସେ ଆମକୁ ଇଂରାଜୀ ପଢ଼ାଉଥିଲେ । ତାଙ୍କର ଶିକ୍ଷାପ୍ରଣାଳୀ କଲେଜ ଅଧ୍ୟାପନାଭଳି ଥିଲା—କିଛି ସମୟ ବକ୍ତୃତା ଓ ତା’ ପରେ ଆଲୋଚନା । ମୁଁ ପୂର୍ବରୁ କହିଛି ଯେ ମୋର ନାଳଝାଡ଼ା ହେଉଥିବାବେଳେ ସେ କିପରି ମୋ ନିକଟକୁ ଆସି ଖୁବ୍‍ ସହାନୁଭୂତି ପ୍ରକାଶ କରିଥିଲେ । ଯେତେବେଳେ ଜଣେ ଛାତ୍ରଭାବରେ ମୋର କିଛି ଶକ୍ତି ଓ ସମ୍ଭାବନାଥିବାର ସେ ଅନୁଭବ କଲେ ସେ ଆମର ଥାର୍ଡ୍ ପଣ୍ଡିତ ଶ୍ରୀ ମୃତ୍ୟୁଞ୍ଜୟ ରଥ ବାଣୀଭୂଷଣଙ୍କୁ ମୋର ଦେଖାଚାହା କରିବାକୁ ଦାୟିତ୍ୱ ଦେଲେ । ସ୍କୁଲରେ ପଢ଼ୁଥିବାବେଳେ କନିକା ରାଜାଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଏକ ପ୍ରବନ୍ଧ ପ୍ରତିଯୋଗିତାରେ ମୁଁ ଅଂଶଗ୍ରହଣ କରିଥିଲି । ସ୍କୁଲ ଇନସ୍‌ପେକ୍ଟରଙ୍କ ଜରିଆରେ କଟକ ଜିଲ୍ଲାବୋର୍ଡ ଏହି ପ୍ରତିଯୋଗିତା କରାଇଥିଲେ । ମୁଁ ୭୦ ଟଙ୍କାର ପୁରସ୍କାର ପାଇଲି । ସ୍କୁଲ ଇନସ୍‌ପେକ୍ଟର ଶ୍ରୀ ନାରାୟଣ ପ୍ରସାଦ ମହାନ୍ତିଙ୍କ ଘରକୁ ଯାଇ ମୁଁ ଏହି ପୁରସ୍କାର ଆଣିଥିଲି । ଶ୍ରୀ ମହାନ୍ତି ଜଣେ ପଣ୍ଡିତ ଲୋକ ଥିଲେ । କିନ୍ତୁ ତାଙ୍କର ଅଫିମ ଅଭ୍ୟାସ ଥିଲା । ମୋର ତାଙ୍କ ସହିତ ଦେଖାହେଲାବେଳେ ସେ ଟିକିଏ ଟିକିଏ ଘୁମାଉ ଥିଲେ । କିନ୍ତୁ ସେ ମୋତେ ସମସ୍ତ ପଚରାଉଚରାକରି ଖୁବ୍‍ ଉତ୍ସାହିତ କରିଥିଲେ । ପରେ ସେ ରେଭେନ୍‌ସା କଲିଜିଏଟ୍‍ ସ୍କୁଲର ହେଡ୍‍ମାଷ୍ଟର ହୋଇଥିଲେ ।

 

ଷ୍ଟିୱାର୍ଟ ସ୍କୁଲ

 

ଯେତେବେଳେ ମୁଁ ବର୍ତ୍ତମାନର ଦଶମ ଶ୍ରେଣୀ ବା ସେତେବେଳେ ସେକେଣ୍ଡ୍‍ କ୍ଲାସରେ ପଢ଼ୁଥିଲି ନେତାଜୀ ସୁଭାଷଚନ୍ଦ୍ର ବୋଷ୍‍ଙ୍କର ଠିକ୍‍ ଉପର ଦୁଇଭାଇ ଶ୍ରୀ ସୁଧୀରଚନ୍ଦ୍ର ବୋଷ ଓ ସୁନୀଲଚନ୍ଦ୍ର ବୋଷ ଆମ ଶ୍ରେଣୀରେ ଯୋଗଦେଲେ । ସେମାନେ କଟକର ସିଭିଲ୍‍ ସର୍ଜନ୍‍ ଡକ୍ଟର ଷ୍ଟିୱାର୍ଟଙ୍କ ଦ୍ୱାରା ସ୍ଥାନୀୟ ୟୁରୋପିଆନ ସ୍କୁଲ ଷ୍ଟିୱାର୍ଟ ସ୍କୁଲରେ ପଢ଼ୁଥିଲେ । ଏବେ ଯେପରି ସେତେବେଳେ ମଧ୍ୟ ସେହିପରି ଥିଲାବାଲା ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ୟୁରୋପିଆନ ସ୍କୁଲମାନଙ୍କରେ ପଢ଼ାଉଥିଲେ ଯେପରିକି ସହଜରେ ଏବଂ ଚଞ୍ଚଳ ସେମାନେ ଇଂରାଜି ଶିକ୍ଷା କରିପାରିବେ । କେତେକ କ୍ଷେତ୍ରରେ ୟୁରୋପିଆନ୍‍ ସ୍କୁଲରୁ ଆସି ସାଧାରଣ ସ୍କୁଲରେ ଏନ୍‍ଟ୍ରାନ୍‌ସ ପରୀକ୍ଷାପାଇଁ ସେମାନେ ନାମ ଲେଖାଉଥିଲେ; ଯେପରିକି ବୋଷ୍‍ ଭାଇମାନଙ୍କ କ୍ଷେତ୍ରରେ ହୋଇଥିଲା ।

 

ସେ ସମୟରେ ବିଦ୍ୟାଳୟରେ ପ୍ରବେଶ କରିବା ପରୀକ୍ଷାକୁ ପ୍ରବେଶିକା ପରୀକ୍ଷା ବା ଏନ୍‍ଟ୍ରାନ୍‍ସ ଏକ୍‍ଜାମିନେସନ କୁହାଯାଉଥିଲା । କଲିକତା ବିଶ୍ୱବିଦ୍ୟାଳୟ ଦ୍ୱାରା ୧୯୧୦ ମସିହାରେ ଏହାର ନାମ ପରିବର୍ତ୍ତିତ ହୋଇ ମାଟ୍ରିକୁଲେସନ୍‍ ପରୀକ୍ଷା ହେଲା ।

 

ଆମର ଗଣିତ ଶିକ୍ଷକ ଥିଲେ ଶ୍ରୀ ନିବାରଣଚନ୍ଦ୍ର ଦାସଗୁପ୍ତ ଓ ଇତିହାସ ଶିକ୍ଷକ ଶ୍ରୀ ନୀଳମଣି ସାଧୁଖାନ୍‍ । ନିବାରଣ ବାବୁ ଅତି ଆଗ୍ରହୀ ଶିକ୍ଷକ ଥିଲେ ଓ କ୍ଲାସରେ ପିଲାଏ ବୁଝିବା ପର୍ଯ୍ୟନ୍ତ ଛାଡ଼ୁ ନଥିଲେ । ସେ ପଢ଼ାଇଲାବେଳେ ବଙ୍ଗଳାରେ ବା ଯେତିକି ଅଳ୍ପ ଓଡ଼ିଆ ସେ ଜାଣିଥିଲେ ତାହା କହି ଓ ନାନାଭାବରେ ଅଭିନୟ କରି ପିଲାଙ୍କୁ ସବୁ ବୁଝାଇ ଦେଉଥିଲେ । ନୀଳମଣିବାବୁ ଧୀରସ୍ଥିର ବ୍ୟକ୍ତି ଓ ଭଲଶିକ୍ଷକ ଥିଲେ ଓ ଛାତ୍ରମାନେ ତାଙ୍କୁ ଭକ୍ତି କରୁଥିଲେ ।

 

ପାଣ୍ଡିତ୍ୟ ପ୍ରତି ଆଦର

 

ଶ୍ରୀ ସତ୍ୟବାଦୀ ନାୟକ ଆମର ଭୂଗୋଳ ଶିକ୍ଷକ ଥିଲେ । ତାଙ୍କ ଘର ଥିଲା ନିମାପଡ଼ାରେ ଓ ଦେବଦାସୀ ଯେଉଁ ଗୋଷ୍ଠୀରୁ ଆସନ୍ତି ସେ ସେହି ଗୋଷ୍ଠୀର ଲୋକ ଥିଲେ । କିନ୍ତୁ ସେ ଜଣେ ଭଲ ଶିକ୍ଷକ ଥିଲେ ଓ ଛାତ୍ରମାନେ ତାଙ୍କୁ ଭକ୍ତି କରୁଥିଲେ । ଶିକ୍ଷକ ଯେଉଁ ଗୋଷ୍ଠୀର ହୁଅନ୍ତୁ ନା କାହିଁକି ପାଣ୍ଡିତ୍ୟ ପ୍ରତି ସାଧାରଣରେ ଆଦର ଥିଲା । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ପୁରୁଷାନୁକ୍ରମିକଭାବରେ ଯେଉଁମାନେ ଶିକ୍ଷକତା କରନ୍ତି; ସେମାନେ ନିତିବଂଶ ନାୟକ ଗୋଷ୍ଠୀର ଲୋକ । ସେମାନଙ୍କ ହାତରୁ ଲୋକେ ପାଣି ଛୁଉଁ ନଥିଲେ । କିନ୍ତୁ ଶିକ୍ଷକ ଭାବରେ ସେମାନେ ଯଥେଷ୍ଟ ଶ୍ରଦ୍ଧା ଓ ଭକ୍ତିର ପାତ୍ର ଥିଲେ । ବାଲିକୁଦାରେ ଆମର ସେକେଣ୍ଡ ମାଷ୍ଟର ଜାତିରେ ଗଉଡ଼ ଥିଲେ । କିନ୍ତୁ ଅନ୍ୟ ଶିକ୍ଷକଙ୍କ ତୁଳନାରେ ତାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ଊଣା ନଥିଲା । ଯେତେବେଳେ ଚାକିରି-ବାକିରିପାଇଁ ଯଥେଷ୍ଟ ସୁବିଧା ସୁଯୋଗ ମିଳିଲା ନାହିଁ ସ୍ୱାର୍ଥପର ଲୋକେ ଜାତିଆଣ ଭେଦଭାବକୁ ବଢ଼ାଇଦେଲେ । ମୋର ମନେ ଅଛି ଏପରି କି ଶିକ୍ଷାବିଭାଗ ଅଧ୍ୟାପକରୂପେ ରେଭେନ୍‌ସା କଲେଜରେ ଜଣେ ବ୍ୟକ୍ତିଙ୍କ ନିଯୁକ୍ତିକୁ କେତେକ ଲୋକ ଆପତ୍ତି କରିଥିଲେ କାରଣ ଉଚ୍ଚବର୍ଣ୍ଣର ଛାତ୍ରମାନେ ନାନାଜାତିର ଶିକ୍ଷକଙ୍କ ପାଖରେ ପଢ଼ିବାପାଇଁ ଆପତ୍ତି ଉଠାଇଲେ । ଏହା ଏକ ଘୃଣ୍ୟ ମନୋବୃତ୍ତି; କିନ୍ତୁ ସ୍ୱାର୍ଥାନ୍ଧ ଲୋକେ ଏହିପରି ଅପକୌଶଳ ଅବଲମ୍ବନ କରିଥାନ୍ତି । ଏପରିକି କେତେକ ନେତୃସ୍ଥାନୀୟ ବ୍ୟକ୍ତି ତାଙ୍କ ବେଳରେ ଜାତିଗତ ପ୍ରାଧାନ୍ୟର ପ୍ରଚାର କରିଛନ୍ତି ।

 

ବର୍ତ୍ତମାନ ମୋର ସ୍କୁଲ ଜୀବନକୁ ଆସୁଛି । ଅସୁସ୍ଥତା ପରେ ମୁଁ ଗାଁରୁ ଫେରିଆସି ରେଭେନ୍‌ସା କଲେଜ ହଷ୍ଟେଲରେ ରହିବାର ସୁବିଧା ପାଇଲି । ଅବଶ୍ୟ ଏଥିରେ କଲେଜ ଛାତ୍ରମାନଙ୍କର ରହିବାର କଥା । କିନ୍ତୁ ସ୍ଥାନ ଖାଲି ରହୁଥିବାରୁ ସ୍କୁଲ ଛାତ୍ରମାନଙ୍କୁ ରହିବାର ଅନୁମତି ମିଳୁଥିଲା ଅବଶ୍ୟ ଏ ବ୍ୟବସ୍ଥା ଅଳ୍ପ କାଳପାଇଁ । ଆମର ସହକାରୀ ପ୍ରଧାନ ଶିକ୍ଷକ ଶ୍ରୀ ସୁରେଶଚନ୍ଦ୍ର ଗୁପ୍ତ ସୁପରିଟେଣ୍ଡେଣ୍ଟ ଥିଲେ । ସେ ଖୁବ୍‍ କଡ଼ା; କିନ୍ତୁ ସହାନୁଭୂତିଶୀଳ ଲୋକ ଥିଲେ-

 

ସନ୍‍ସାଇନ୍‍ ପଡ଼ିଆ

 

ମୁଁ କଲେଜ ହଷ୍ଟେଲରେ ଥିବାବେଳେ ସରକାର ପୁରୀଘାଟ ନିକଟରେ କଲେଜ ଓ ସ୍କୁଲର ଖେଳପଡ଼ିଆ ପାଇଁ ଜମି ଦଖଲ କଲେ । ବର୍ତ୍ତମାନ ଏହାକୁ ସନ୍‌ସାଇନ୍‍ ପଡ଼ିଆ କୁହାଯାଉଚି । ଏହି ଜମି ଉପରେ ଯାଜପୁରର ଜଣେ ଲୋକଙ୍କର ପାଚେରୀ ଘେରା ହୋଇଥିବା ଗୋଟିଏ ଘର ଥିଲା । ମୋର ଯେତିକି ମନେପଡ଼ୁଛି ଏହି ଘରଟିରେ ସ୍କୁଲର ହଷ୍ଟେଲ ହେଲା ଓ ସେଥିରେ ପନ୍ଦରଜଣ ଛାତ୍ର ରହିଲେ । ଆମର ଭୂଗୋଳ ଶିକ୍ଷକ ସତ୍ୟବାଦୀ ନାୟକ ଏହି ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ ହେଲେ । ରେଭେନ୍‌ସା କଲିଜିଏଟ୍‍ ସ୍କୁଲର ଅନ୍ୟତମ ଶିକ୍ଷକ ଶ୍ରୀ ଭଗବାନ ମହାପାତ୍ର ତାଙ୍କର ଦୁଇଭାଇ ଶ୍ରୀ ବାସୁଦେବ ମହାପାତ୍ର ଓ ଶ୍ରୀ ବାଞ୍ଛାନିଧି ମହାପାତ୍ରଙ୍କ ସହିତ ଏହି ହଷ୍ଟେଲରେ ଆସି ରହିଲେ । ପରେ ସେ ଡେପୁଟି ମାଜିଷ୍ଟ୍ରେଟ ହୋଇ ଚାଲିଗଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବ୍ରଜମୋହନ ପଣ୍ଡା ଗଙ୍ଗାଧର ଦୋରା (ଉଭୟ ସମ୍ବଲପୁର) ଆନନ୍ଦଚନ୍ଦ୍ର ରଥ ଓ ଦାମୋଦର ରଥ (ନୟାଗଡ଼) କରୁଣାକର ଦାସ (କେଉଁଝର) ଉଦୟନାଥ ଗଡ଼ନାୟକ (ଅନୁଗୁଳ) ଓ ଶ୍ରୀକୃଷ୍ଣ ଦାସଙ୍କ (ଜଗତସିଂହପୁର ନିକଟବର୍ତ୍ତୀ ପଲ୍ଲୀ ନାମକ ଏକ ଗ୍ରାମର) ନାମ ମୋର ମନେ ପଡ଼ୁଛି ।

 

ଆମେ ୧୯୦୯ ମସିହାରେ ପ୍ରବେଶିକା ପରୀକ୍ଷା ଦେଲୁ । ଏହା ହେଲା ଶେଷ ପ୍ରବେଶିକା ପରୀକ୍ଷା । ୧୯୧୧ରେ ଏହାର ମାଟ୍ରିକ୍ୟୁଲେସନ୍‍ ପରୀକ୍ଷା ହେଲା ଓ ସିଲାବସ୍‍ ମଧ୍ୟ ବଦଳିଗଲା । ତେଣୁ କେହି ହେଲେ ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ହୋଇପାରିଲେ ନାହିଁ । ସେମାନଙ୍କୁ ଏବଂ ଯେଉଁମାନେ ଆବଶ୍ୟକ ବୟସ ତୁଳନାରେ କମ୍‍ ବୟସ୍କ ସେମାନଙ୍କୁ ସୁଯୋଗ ଦେବା ପାଇଁ ସେହି ବର୍ଷ ଏକ ସପ୍ଲିମେଣ୍ଟାରୀ ପରୀକ୍ଷା ହେଲା । ସେତେବେଳେ ପ୍ରବେଶିକା ପରୀକ୍ଷା ପାଇଁ ସର୍ବନିମ୍ନ ବୟସ ଥିଲା ୧୬ ବର୍ଷ । ତେଣୁ ତାର କେତେକ ସହପାଠୀ ପରୀକ୍ଷା ଦେଇପାରିଲେ ନାହିଁ । ଏମାନଙ୍କ ମଧ୍ୟରେ ଥିଲେ ଶ୍ରୀ ଗିରିଜାଶଙ୍କର ରାୟ ଓ ଶ୍ରୀ ବିଭୂତିଭୂଷଣ ମୁଖାର୍ଜୀ ଯେଉଁମାନେ ପରେ ବିହାର ଓ ଓଡ଼ିଶାରେ କଲେଜ ଶିକ୍ଷକଭାବରେ ସୁନାମ ଅର୍ଜନ କରିଥିଲେ । ସେମାନେ ସ୍କୁଲ ବଦଳାଇ ବର୍ଷେ ବା ଦୁଇବର୍ଷ ପରେ ମାଟ୍ରିକ ପରୀକ୍ଷା ଦେଇଥିଲେ ।

 

୨୦ଟଙ୍କା ଛାତ୍ରବୃତ୍ତି

 

କଲିକତା ବିଶ୍ୱବିଦ୍ୟାଳୟରେ ମୁଁ ପ୍ରଥମ ସ୍ଥାନ ଅଧିକାର କରିଥିବା ଜନରବ ସମ୍ପର୍କରେ ପୂର୍ବରୁ ଉଲ୍ଲେଖ କରିଚି । ଏହା ଶୁଣିବା ପରେ ଉତ୍କଳଗୌରବ ମଧୁସୂଦନ ଦାସ ମୋତେ ଡକାଇ ପଠାଇଥିଲେ । ପ୍ରକୃତିରେ ମୁଁ ସଂସ୍କୃତରେ ପ୍ରଥମସ୍ଥାନ ଅଧିକାର କରି ଜୟନାରାୟଣ ପୁରସ୍କାର ଲାଭ କଲି । ମୋଟରେ ବିଶ୍ୱବିଦ୍ୟାଳୟରେ ମୋର ସ୍ଥାନ ଥିଲା ନବମ । ସେତେବେଳେ ପ୍ରଥମ ଦଶଜଣ କୃତୀଛାତ୍ରଙ୍କୁ ୨୦ଟଙ୍କା ବୃତ୍ତି ମିଳୁଥିଲା ଓ ମୁଁ ତାହା ପାଇଲି । ମୋର କେତେ ଜଣ ସହାଧ୍ୟାୟୀ କଲେଜରେ ପଢ଼ିବାପାଇଁ କଲିକତା ଗଲେ । ସେମାନଙ୍କ ମଧ୍ୟରେ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଭାଇ ସୁଧୀରଚନ୍ଦ୍ର ବୋଷ ଓ ସୁନୀଲ ଚନ୍ଦ୍ର ବୋଷ କଟକର ତତ୍କାଳୀନ ମୁନ୍‌ସଫ୍‌ଙ୍କ ପୁତ୍ର ପ୍ରମୋଦ କୁମାର ଦେଙ୍କ ନାମ ଉଲ୍ଲେଖଯୋଗ୍ୟ । ସୁନୀଲ ପରେ ଜଣେ ବିଖ୍ୟାତ ହୃଦ୍‌ରୋଗ ଚିକିତ୍ସକ ହେଲେ ଓ ସୁଧୀର ଏକ ଖଣିଜ ସଂସ୍ଥାରେ ଯୋଗଦେଲେ । ପ୍ରମୋଦ ଏଡିନ୍‌ବରାରୁ ଫେରି ଭାରତୀୟ କୃଷି ସର୍ଭିସରେ ଯୋଗଦେଇ କାନପୁର କୃଷି କଲେଜର ପ୍ରିନ୍‌ସିପାଲ ଭାବରେ ଅବସର ଗ୍ରହଣ କଲେ ।

 

ମୁଁ କଟକ ରେଭେନ୍‌ସା କଲେଜରେ ଆଇ.ଏସ୍‍ ସି. ପଢ଼ିଲି । ସେତେବେଳକୁ ଶ୍ରୀଯୁକ୍ତ ଆର୍‍. ସ’ ପ୍ରିନ୍‌ସିପାଲ ହୋଇ ଆସିଥାନ୍ତି । ସେ କେତେକ ଗଣିତ କ୍ଲାସ ନେଉଥିଲେ । ଅନ୍ୟ ଗଣିତ ଅଧ୍ୟାପକ ଥିଲେ ଶ୍ରୀ ବଙ୍କିମ ଦାସ ବାନାର୍ଜୀ । କୌଣସି ଛାତ୍ରଙ୍କ ସହିତ ତାଙ୍କର ଥରେ ଦେଖାହେଲେ ସବୁଦିନପାଇଁ ତାଙ୍କର ନାମ ମନେ ରଖି ପାରୁଥିଲେ । ସେ ଖୁବ୍‍ ଭଲ ଶିକ୍ଷକ ଥିଲେ-। ଆମର ଇଂରାଜୀ ଅଧ୍ୟାପକ ଥିଲେ ଶ୍ରୀ ଗୋପାଳଚନ୍ଦ୍ର ଗାଙ୍ଗୁଲି ଓ ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ ଥିଲେ ଶ୍ରୀ ରମେନ୍ଦ୍ର ନାଥ ଘୋଷ । ସେ ଅତି ଶାନ୍ତ-ଶିଷ୍ଟ ସାଧା-ସିଧା ଲୋକ ଥିଲେ ଓ ଶିକ୍ଷକ ଭାବରେ ତାଙ୍କର ସୁନାମ ଥିଲା । ଛାତ୍ରମାନଙ୍କ ଆଗ୍ରହ ଜାତ କରାଇବାର କୌଶଳ ତାଙ୍କୁ ଜଣାଥିଲା । ଥରେ ଜଣେ ଛାତ୍ର ପଛ ବେଞ୍ଚରେ ବସି ଘୁମାଉଥିଲେ । ରମେନ୍ଦ୍ରବାବୁ ଏହା ଦେଖିପାରି ଖୁବ୍ ବଡ଼ ପାଟିରେ କହିଲେ ‘ଯଦି ‘କ’ ପାଖରୁ ଶୋଇଥିବା  ପିଲାପର୍ଯ୍ୟନ୍ତ ଏକ ରେଖା ଟଣାଯାଏ...’ । ଅନ୍ୟ ପିଲାମାନେ ଠୋ ଠୋ ହୋଇ ହସିଉଠିଲେ ଓ ସୁପ୍ତ ଛାତ୍ରଙ୍କର ନିଦ ଭାଙ୍ଗିଗଲା । ବର୍ଷକ ମଧ୍ୟରେ ରମେନ୍ଦ୍ରବାବୁ ବଦଳି ହୋଇଗଲେ । ତାଙ୍କ ସ୍ଥାନରେ ଆସିଲେ ଶ୍ରୀ ସତୀଶଚନ୍ଦ୍ର ରାୟ ଜଣେ ଭଲ ବକ୍ତା ଓ ଶିକ୍ଷକ ।

 

ଯୋଗେଷଚନ୍ଦ୍ର ବିଦ୍ୟାନିଧି

 

ଉଦ୍ଭିଦ ବିଜ୍ଞାନରେ ଆମର ଅଧ୍ୟାପକ ଥିଲେ ରାୟବାହାଦୂର ଯୋଗେଶଚନ୍ଦ୍ର ରାୟ ବିଦ୍ୟାନିଧି । ନୂଆ ଇଣ୍ଟରମିଡିଏଟ୍‍ ପାଠ୍ୟକ୍ରମ ପ୍ରଚଳିତ ହେବାପୂର୍ବରୁ ଯୋଗେଶ ବାବୁ ପଦାର୍ଥ ବିଜ୍ଞାନ ରସାୟନ ଶାସ୍ତ୍ର ଉଦ୍ଭିଦ ବିଜ୍ଞାନ ଆଦି ବିଜ୍ଞାନର ସବୁ ବିଭାଗ ପଢ଼ାଉଥିଲେ । କିନ୍ତୁ ନୂଆ ପାଠ୍ୟକ୍ରମରେ ସେ କେବଳ ଉଦ୍ଭିଦ ବିଜ୍ଞାନ ପଢ଼ାଇଲେ । ତାଙ୍କର ଅଧ୍ୟାପନା ପ୍ରଣାଳୀ ସମ୍ପୂର୍ଣ୍ଣ ନୂତନ ଧରଣର ଥିଲା । ଉଦ୍ଭିଦ ବିଜ୍ଞାନ କ୍ଲାସ ଅନ୍ୟ ପାଠ୍ୟକ୍ରମ ତୁଳନାରେ ଛୋଟ ଥିଲା ତେଣୁ ତାଙ୍କର ପ୍ରଣାଳୀ ଖୁବ୍‍ ଫଳପ୍ରଦ ହେଉଥିଲା । ସେ ପ୍ରତ୍ୟେକ ଦୁଇଜଣ ଛାତ୍ରଙ୍କୁ ଖଣ୍ଡେ ଖଣ୍ଡେ ଛୋଟ କିଆରିରେ ମଞ୍ଜି ଲଗାଇବାପାଇଁ ଦେଇ ଦେଉଥିଲେ । ମଞ୍ଜିରୁ କିପରି “ଗଛ ହେଉଛି ଓ ଗଛ କିପରି ବଢ଼ିଚି ତାହା ଅନୁଧ୍ୟାନ କରିବାପାଇଁ ସେ ଛାତ୍ରମାନଙ୍କୁ କହୁଥିଲେ । କାହାରି କିଛି ସନ୍ଦେହ ବା ଅସୁବିଧା ଥିଲେ ସେ ନିଜେ କ୍ଷେତ୍ରକୁ ଆସି ବୁଝାଇ ଦେଉଥିଲେ । ଏହି ପ୍ରଣାଳୀ ଖୁବ୍‍ ଫଳପ୍ରଦ ଥିଲା । କିନ୍ତୁ ଏବେ ଗୋଟିଏ ଗୋଟିଏ ଶ୍ରେଣୀରେ ସେ ତୁଳନାରେ ବହୁସଂଖ୍ୟକ ଛାତ୍ରଙ୍କୁ ପଢ଼ାଇବାକୁ ହେଉଚି । ତେଣୁ ଏବେ ଏ ପ୍ରଣାଳୀ କାର୍ଯ୍ୟକାରୀ ହେବା ସନ୍ଦେହଜନକ । ଯୋଗେଶବାବୁଙ୍କର ବହୁ କ୍ଷେତ୍ରରେ ଅଧ୍ୟୟନ ଓ ଚର୍ଚ୍ଚାଥିଲା । ଚନ୍ଦ୍ରଶେଖର ସିଂହସାମନ୍ତଙ୍କୁ ଓ ତାଙ୍କର କୃତୀ ସିଦ୍ଧାନ୍ତ ଦର୍ପଣକୁ ଦେଶ ଆଗରେ ସେ ଯେ ପରିଚିତ କରାଇଥିଲେ ଏହା କାହାରିକୁ ଅବିଦିତ ନାହିଁ । ପରେ ଏଥିପାଇଁ ସାମନ୍ତଚନ୍ଦ୍ରଶେଖରଙ୍କୁ ତତ୍କାଳୀନ ସରକାରଙ୍କଠାରୁ ମହାମହୋପାଧ୍ୟାୟ ଉପାଧି ମିଳିଥିଲା ।

 

ଏହା ବ୍ୟତୀତ ଜ୍ଞାନ-ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଏହି ଆଗ୍ରହୀ ଅଧ୍ୟାପକଙ୍କର ଚର୍ଚ୍ଚା ଥିଲା-। କାଠଯୋଡ଼ି କୂଳରେ ଏକ ଉଇଣ୍ଡ୍‍ ମିଲର ମଡ଼େଲ ବସାଇ ସେ ପରୀକ୍ଷା କରୁଥିବା ଆମେ ଦେଖିଚୁ । ସେ ବଙ୍ଗଳାରେ ଏକ ଅଭିଧାନ ମଧ୍ୟ ସଙ୍କଳନ କରୁଥିଲେ । ଥରେ ଛୁଟି ପୂର୍ବରୁ ମୁଁ ତାଙ୍କୁ ଦେଖା କରିବାକୁ ଯାଇଥିଲି । ଓଡ଼ିଶାରେ କେତେ ପ୍ରକାର ପିଠାପଣା ହୁଏ ତାହା ତାଙ୍କୁ ଲେଖି କରି ଦେବାପାଇଁ ସେ ମୋତେ କହିଥିଲେ ଓ ମୁଁ ଦେଇଥିଲି । ମୋର ସ୍କୁଲ ସହାଧ୍ୟାୟୀ ଓ କଲେଜରେ ସମସାମୟିକ ଛାତ୍ର ଶ୍ରୀ ଉଦୟ ନାଥ ଗଡ଼ନାୟକଙ୍କ ନିମନ୍ତ୍ରଣକ୍ରମେ ମୁଁ ଢେଙ୍କାନାଳ କପିଳାସ ପାହାଡ଼ରେ ଏକ ଗ୍ରୀଷ୍ମବିକାଶ କଟାଇଥିଲି । କପିଳାସ ଯିବା ପୂର୍ବରୁ ଯୋଗେଶବାବୁଙ୍କ ସହିତ ସାକ୍ଷାତ୍‍ କଲି । କପିଳାସ ଭ୍ରମଣ ଅଭିଜ୍ଞତା ସମ୍ପର୍କରେ ଲେଖିକରି ଦେବାପାଇଁ ସେ ମୋତେ କହିଥିଲେ । ଫେରିବା ପରେ କପିଳାସ ଯାତ୍ରା କପିଳାସ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସେଠାରେ ଯେଉଁ ସବୁ ବୃକ୍ଷଲତା ଓ ପ୍ରାଣୀଙ୍କୁ ଦେଖିଲୁ ତା’ର ଏକ ବୃତ୍ତାନ୍ତ ମୁଁ ତାଙ୍କୁ ଲେଖିକରି ଦେଇଥିଲି ।

☆☆☆

 

କପିଳାସ ରେଭେନ୍‌ସା କଲେଜ ଇଡେନ୍‍ ହିନ୍ଦୁ ହଷ୍ଟେଲ

 

ଏଠାରେ କପିଳାସ ପଦ୍ଧତି ବିଷୟ ମୋର ଯାହା ମନେ ଅଛି ତାହା କହେ । ଢେଙ୍କାନାଳ ଜିଲ୍ଲାରେ କପିଳାସ ପାହାଡ଼ । ସେତେବେଳେ ଢେଙ୍କାନାଳ ଏକ ଗଡ଼ଜାତ ରାଜ୍ୟ ଥିଲା ଓ କଟକଠାରୁ ଢେଙ୍କାନାଳ ବାଟରେ କପିଳାସ ଯିବାକୁ ହେଲେ ୭୫ମାଇଲ ଦୂର ପଡ଼ୁଥିଲା । କପିଳାସ ପାହାଡ଼ ତଳେ ଦେଓଗାଁ ନାମରେ ଏକ ଗ୍ରାମ ଅବସ୍ଥିତ । ସେତେବେଳେ ଲୋକ ହୁଏତ ଚାଲି କରି କିମ୍ବା ବଳଦ ଗାଡ଼ିରେ ଦେଓଗାଁ ପର୍ଯ୍ୟନ୍ତ ଯାଉଥିଲେ । ସେଠାରେ ଏକ ମଣିଷଚଲା ରାସ୍ତାରେ ପାହାଡ଼ ଉପରକୁ ଯିବାକୁ ହେଉଥିଲା । ଦେଓଗାଁ ଓ ପାହାଡ଼ ଶିଖର ମଧ୍ୟରେ ଏକ ଶିବମନ୍ଦିର ଓ ପ୍ରାକୃତିକ ଝରଣା ଅଛି । ସେଠାରେ ରାଜ୍ୟର ଗୋଟିଏ ବଙ୍ଗଳା ଓ ଯାତ୍ରୀମାନେ ରହିବାପାଇଁ କେତେଗୁଡ଼ିଏ କୋଠରୀ ଅଛି । ଆମେ ଏହିପରି ଗୋଟିଏ କୋଠରୀରେ ରହିଲୁ । ଝରଣାର ପାଣିକୁ ଆବଦ୍ଧ କରିବାପାଇଁ ବଡ଼ ବଡ଼ ପଥର କୁଣ୍ଡମାନ ନିର୍ମିତ ହୋଇଥିଲା । ଏହି ସବୁ କୁଣ୍ଡ ଭରିଯିବା ପରେ ଉଦ୍‍ବୃତ୍ତ ଜଳ ଆହୁରି ଏକ ପକ୍‌କା ଚବକାରେ ପଡ଼ୁଥିଲା । ସେଠାରେ ଉପରୁ ପଡ଼ୁଥିବା ପାଣିରେ ଗାଧୋଇବାର ସୁବିଧା ଥିଲା ।

 

ଆହୁରି ଉପରକୁ ଗଲେ ଗୁମ୍ଫା ପଡ଼େ ଯାହାର ନାମ ହେଉଛି ସୀତା ଅନ୍ତୁଡ଼ିଶାଳ । ଜନଶ୍ରୁତି ଅଛି ଯେ ଏହି ଗୁମ୍ଫାଥିଲା ସୀତାଙ୍କର ପ୍ରସୂତି ଗୃହ । ଏଠାରେ ସେ ଲବ-କୁଶଙ୍କୁ ଜନ୍ମ ଦେଇଥିଲେ । ଯାତ୍ରୀଙ୍କୁ ଆକୃଷ୍ଟ କରିବାପାଇଁ ଏ ପ୍ରବାଦ କୌଣସି ପଣ୍ଡାଙ୍କର ମସ୍ତିକ-ପ୍ରସୂତି ହୋଇପାରେ । ପାହାଡ଼ ଉପରେ ହେଉଚି ସମତଳ ଏବଂ ଏହାକୁ ଦେବସଭା କୁହାଯାଏ । ଏଠାରେ କେତେକ ମନ୍ଦିର ଆକାରର ପଥର ଅଛି । ପାହାଡ଼ ଉପରୁ କଟକ ସହରର ସୌଧମାଳା ଦେଖାଯାଏ ।

 

ଶିବରାତ୍ରି ଦିନ ଏଠାରେ ଏକ ବଡ଼ ଧରଣର ଯାତ୍ରା ହୁଏ ଓ ଓଡ଼ିଶାର ଚାରିଆଡ଼ୁ ଲୋକ ଆସନ୍ତି । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ମୁଁ କଟକ ଆସିବା ପୂର୍ବରୁ ଆମ ଗ୍ରାମର ବହୁ ଲୋକ ସାଙ୍ଗ ହୋଇ କପିଳାସ ଯାଇଥିଲୁ । ଆମ ଗ୍ରାମରୁ କଟକ ୩୬ ମାଇଲ ଓ କଟକରୁ କପିଳାସ ୭୫ ମାଇଲ । କିନ୍ତୁ ଆମେ ଆଉ ଏକ ଜଙ୍ଗଲ ବାଟରେ ସିଧା ଯିବାଦ୍ୱାରା ଆମକୁ ୨୦ ମାଇଲ କମ୍‍ ପଡ଼ିଥିଲା । କପିଳାସରେ ପହଞ୍ଚିବାକୁ ଆମକୁ ତିନିଦିନ ଲାଗିଲା । ସେତେବେଳକୁ ଦର୍ଶକଙ୍କର ଭିଡ଼ ଜମିଯାଇଥିଲା ଓ ମନ୍ଦିର ଚୂଡ଼ାରେ ମହାଦୀପ କେତେବେଳେ ଜଳିବ ତାହା ଦେଖିବାପାଇଁ ସମସ୍ତଙ୍କୁ ଉଜାଗର ରହିବାକୁ ପଡ଼ିଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏ ମନ୍ଦିରର ପୂଜକମାନେ ବ୍ରାହ୍ମଣ ନଥିଲେ । ସେମାନେ ଦେଓଗାଁର ଲୋକ ଓ ସବୁଦିନ ଯିବା ଆସିବା କରୁଥିଲେ । ବୋଧହୁଏ ବର୍ତ୍ତମାନ ଏ ରାସ୍ତାରେ ଜିପ୍‍ ଓ କାର୍‍ ଗଲାଣି ।

 

ପାହାଡ଼ର ଜଳବାୟୁ ଅତ୍ୟନ୍ତ ମନୋରମ । କେବଳ ଜୁନ୍‍ମାସରେ କେତେକ ଦିନ ଛାଡ଼ିଦେଲେ ଗ୍ରୀଷ୍ମର ତାପ ସାଧାରଣତଃ ଏଠାରେ ଅନୁଭୂତ ହୁଏ ନାହିଁ । ଲୋକଙ୍କ ରହିବାର ସୁବ୍ୟବସ୍ଥା ହୋଇପାରିଲେ ଏହା ଏକ ସୁନ୍ଦର ଗ୍ରୀଷ୍ମନିବାସ ହୋଇପାରିବ । ପ୍ରଥମ ବର୍ଷାପରେ ଅବଶ୍ୟ ଏଠାରେ ତେଲୁଣି ପୋକ ଓ ବିଛାଙ୍କର ସଂଖ୍ୟା ବଢ଼ିଯାଏ । ତେଲୁଣି ପୋକଗୁଡ଼ିକ ୬ ଇଞ୍ଚ ବା ତା’ଠୁ ବେଶୀ ଲମ୍ବ ।

 

ବିଦ୍ୟାନିଧି

 

ପୂର୍ବରୁ କୁହାଯାଇଅଛି ଯେ ଆମ ଅଧ୍ୟାପକ ଯୋଗେଶଚନ୍ଦ୍ର ରାୟ ମୋତେ କହିଥିଲେ କପିଳାସ ବିଷୟରେ ଗୋଟିଏ ପ୍ରବନ୍ଧ ଲେଖିବାକୁ । ମୁଁ କପିଳାସ ସମ୍ପର୍କରେ ଯେଉଁ ପ୍ରବନ୍ଧ ଲେଖିଥିଲି ଯୋଗେଶ ବାବୁ ସେଥିରେ ଭାରି ଖୁସି ହୋଇଗଲେ ଓ ପିଲାମାନଙ୍କର ଏକ ସଭା ଡାକି ମୋତେ ସେଠାରେ ତାହା ପଢ଼ିବାକୁ କହିଥିଲେ । ଏଥିରୁ ଜଣାଯିବ ଯୋଗେଶବାବୁ କିପରି ଛାତ୍ରମାନଙ୍କୁ ଉତ୍ସାହିତ କରୁଥିଲେ । ସେ ନିଜେ ଏକ ବହୁମୁଖୀ ପ୍ରତିଭାସମ୍ପନ୍ନ ପଣ୍ତିତ ଥିଲେ ଏବଂ ଛାତ୍ରମାନଙ୍କ ଉନ୍ନତିପାଇଁ ଯନ୍ତ୍ରଶୀଳ ହେଉଥିଲେ । ତାଙ୍କର ପାଣ୍ଡିତ୍ୟକୁ ସମ୍ମାନ ଦେଖାଇବାର ନିଦର୍ଶନସ୍ୱରୂପ ମୁକ୍ତିମଣ୍ଡପ ତାଙ୍କୁ ବିଦ୍ୟାନିଧି ଉପାଧି ଦେଇଥିଲେ ।

 

ମୁଁ ଇଂଲଣ୍ଡରୁ ଫେରିବାପରେ ଯେତେବେଳେ ବଟାନି ବିଭାଗରେ ଯୋଗଦେଲି ଥରେ ତାଙ୍କୁ ପରୀକ୍ଷକ ଭାବରେ ତାଙ୍କ ପୁରୁଣା କଲେଜକୁ ନିମନ୍ତ୍ରଣ କରିଥିଲି । ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହେବାପରେ ତାଙ୍କୁ ଡକ୍ଟର ଅଫ୍‍ ସାଇନ୍‌ସ୍‌ ଉପାଧିରେ ଭୂଷିତ କରାଯାଇଥିଲା ।

 

ଶିକ୍ଷକତ୍ୱ ଓ ବ୍ୟକ୍ତିତ୍ୱ ଉଭୟଦୃଷ୍ଟିରୁ ସେ ଅସାଧାରଣ ଥିଲେ । ସେ ତାଙ୍କର ଛାତ୍ରମାନଙ୍କ ଅସୁବିଧା ପ୍ରତି ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେଉଥିଲେ ।

 

ଆମ କଲେଜରେ ପଢ଼ୁଥିବାବେଳେ ବିଖ୍ୟାତ ଦେଶପ୍ରେମୀ ଖୁଦିରାମ ବୋଷ କଟକ ଆସି ମ୍ୟୁନିସିପାଲ୍‌ଟି ପଡ଼ିଆରେ ଏକ ସାଧାରଣ ସଭାରେ ଭାଷଣ ଦେଇଥିଲେ । ମୁଁ ତାଙ୍କର ଭାଷଣ ଶୁଣିଥିଲି । ପରେ ପରେ ‘ଉତ୍କଳ ସାହିତ୍ୟ’ର ଖ୍ୟାତିନାମ ସମ୍ପାଦକ ଶ୍ରୀ ବିଶ୍ୱନାଥ କର ତାଙ୍କ ବାଲୁବଜାର ଘରକୁ ଶ୍ରୀ ବୋଷଙ୍କୁ ନିମନ୍ତ୍ରଣ କରିଥିଲେ ଓ ଆମେ କେତେକ ଛାତ୍ର ତାଙ୍କ ସହିତ ଆଲୋଚନା କରିବାପାଇଁ ଯାଇଥିଲୁ । ତାଙ୍କର ଭାଷଣ ଓ ଆଲୋଚନା ଆମ ଉପରେ ଗଭୀର ପ୍ରଭାବ ପକାଇଥିଲା ଓ ଆମର ଭବିଷ୍ୟତ ଜୀବନ ଗଠନରେ ସାହାଯ୍ୟ କରିଥିଲା ।

 

ଅନ୍ୟ ନେତାମାନଙ୍କ ମଧ୍ୟରେ ଶ୍ରୀ ବିପିନଚନ୍ଦ୍ର ପାଲ୍‍ କଟକ ଆସି ମ୍ୟୁନିସିପାଲିଟି ପଡ଼ିଆରେ ଏକ ଭାଷଣ ଦେଇଥିଲେ । ସେ କାଳରେ ମାଇକ୍ରୋଫୋନ୍‍ ଜଣାଶୁଣା ନଥିଲା । ଥିଲେ ମଧ୍ୟ ବିପିନଚନ୍ଦ୍ରଙ୍କର ତାହା ଦରକାର ପଡ଼ି ନ ଥାନ୍ତା । କାରଣ ସେ ଏପରି ବଡ଼ପାଟିରେ କହିପାରୁଥିଲେ ଯେ ପାଏ ବାଟରୁ ତାହା ଶୁଣାଯାଉଥିଲା ।

 

ଏକ ସମୟରେ ବିପିନଚନ୍ଦ୍ର ପାଲ ପ୍ୟାରିମୋହନ ଏକାଡେମୀର ହେଡ୍‍ମାଷ୍ଟର ଥିଲେ । ବହୁଦିନ ପରେ ଅନ୍ୟ ଏକ ସମ୍ପର୍କରେ ସେ ତାଙ୍କର ପୁରାତନ ସ୍କୁଲ ଦେଖିବାକୁ ଆସିଥିଲେ । ସେତେବେଳକୁ ମୁଁ ବିଲାତରୁ ଫେରି ଆସିଥାଏ । ସେ କଲିକତା ଫେରିଲାବେଳେ ଆମେ ଦୁଇଜଣ ଗୋଟିଏ ଡବାରେ ଥିଲୁ । ସେ କଲିକତା ଫେରିଲାବେଳେ ଆମେ ଦୁଇଜଣ ଗୋଟିଏ ଡବାରେ ଥିଲୁ । ସେ ତାଙ୍କର କେତେକ ଅଭିଜ୍ଞତା ମୋତେ କହିଥିଲେ । ସେଥିରୁ ଗୋଟିଏ କଥା ମୋର ମନେଅଛି । ଥରେ ଜଣେ ଇଂରେଜ ଭଦ୍ରବ୍ୟକ୍ତିଙ୍କ ସହିତ ସେ ଏକତ୍ର ଯାଉଥିବାବେଳେ ଭଦ୍ରବ୍ୟକ୍ତି ଜଣକ ସେ ଜେଲ୍‍ ଯାଇଛନ୍ତି କି ବୋଲି ପଚାରିଲେ । ପାଲ୍‍ ଉତ୍ତର ଦେଇଥିଲେ ହିଁ ସେ ଜେଲ୍‍ ଯାଇଛନ୍ତି—ଯେତେବେଳେ ଜେଲ୍‍ ଶ୍ୱଶୁରାଳୟ ପରି ହୋଇ ପ୍ରକୃତ ଜେଲ୍‍ଖାନା ଥିଲା ।

 

ସମସାମୟିକ ଛାତ୍ରବନ୍ଧୁ

 

ରେଭେନ୍‌ସା କଲେଜରେ ଥିବାବେଳେ ମୁଁ ପୁରୁଣା ଛାତ୍ରାବାସରେ ଥିଲି । ଓଡ଼ିଶାର ସବୁ ଅଞ୍ଚଳରୁ ଛାତ୍ର ଏଠାରେ ରହୁଥିଲେ । ସେତେବେଳେ ଯେଉଁମାନେ ଛାତ୍ରବାସରେ ଥିଲେ ସେମାନଙ୍କ ମଧ୍ୟରୁ କେତେକ ପରବର୍ତ୍ତୀ ଜୀବନରେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । କେତେକ ବିଖ୍ୟାତ ଲୋକଙ୍କର ନାମ ଏଠାରେ ଉଲ୍ଲେଖ କରାଯାଇପାରେ—ପଣ୍ଡିତ ନୀଳକଣ୍ଠ ଦାସ ପଣ୍ଡିତ ଗୋଦାବରୀଶ ମିଶ୍ର ଶ୍ରୀ କୃପାସିନ୍ଧୁ ମିଶ୍ର (ବିଖ୍ୟାତ ଲେଖକଗଣ) ଶ୍ରୀ ଗୋକୁଳାନନ୍ଦ ନାୟକ ଶ୍ରୀ ବାଙ୍କନିଧି ପଟ୍ଟନାୟକ (ଜଣାଶୁଣା ହେଡ୍‍ମାଷ୍ଟର) ଓ ଶ୍ରୀ ହେମଚନ୍ଦ୍ର ଚାନ୍ଦ । ମୟୂରଭଞ୍ଜରୁ ଜଣେ ଆଦିବାସୀ ଛାତ୍ର ଥିଲେ; ତାଙ୍କର ନାମ ଶ୍ରୀ ଚୈତନ୍ୟ ମାଝି । ମେସ ଚାକର ତାଙ୍କର ବାସନ ଧୋଇବାକୁ ଅନିଚ୍ଛୁକ ହେବାରୁ ସେ ତାଙ୍କ ରହିବା କୋଠରୀରେ ଖାଉଥିଲେ । ଏହା ୧୯୧୦-୧୯୧୧ ସାଲର କଥା । କିନ୍ତୁ ୧୯୨୧ ମସିହାରେ ମୁଁ ବିଲାତରୁ ଫେରିବାବେଳକୁ ମଧ୍ୟ ଏହି ଅବସ୍ଥା ଥିଲା । ଥରେ ଜଣେ ମୁସଲମାନ ବନ୍ଧୁ ମୋ ସହିତ ଆସି ଖାଇଲେ । ସେ ଯିବାପରେ ଚାକର (ଜାତିରେ ଭଣ୍ଡାରି) ବାସନ ଧୋଇବାପାଇଁ ମନାକଲା । ମୁଁ ଯେତେବେଳେ ନିଜେ ଧୋଇବାପାଇଁ ବାସନ ଗୋଟାଇଲି ଚାକର ଅନୁତାପ କରି କହିଲା ଯେ ଆପଣ ବାସନ ଧୋଇବାପାଇଁ ଯେତେବେଳେ ପ୍ରସ୍ତୁତ ଅଛନ୍ତି ମୋର ସେଥିରେ ଆଉ ଆପତ୍ତି କରିବାର କୌଣସି କାରଣ ନାହିଁ । ସେହି ଦିନଠାରୁ ଆମ ଘରେ ଆଉ ସେପରି ଆପତ୍ତି କେବେ ଉଠି ନାହିଁ ।

 

କଲେଜରେ ମୋର ସମସାମୟିକ ଛାତ୍ରଙ୍କ ମଧ୍ୟରେ କେତେକଙ୍କ ନାମ ଉଲ୍ଲେଖ କରାଯାଇପାରେ—ଅଧ୍ୟାପକ ନାରାୟଣ ମିଶ୍ର ମୋ’ଠାରୁ ବର୍ଷେ ଉପରେ ପଢ଼ୁଥିଲେ ଉତ୍ତର ପ୍ରଦେଶର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ୱନାଥ ଦାସ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ବଡ଼ଭାଇ ଶ୍ରୀ ସୁରେଶ ଚନ୍ଦ୍ର ବୋଷ ସ୍ୱାଧୀନତା ସଂଗ୍ରାମର ଜଣେ ବିଖ୍ୟାତ ଯୋଦ୍ଧା ଶ୍ରୀ ଶୈଳେନ୍ଦ୍ର ନାଥ ବୋଷ୍‍ ହିନ୍ଦ୍‍ ସେବକ ସମାଜର ସଭ୍ୟ ଓ ସୁପରିଚିତ ସମାଜସେବୀ ଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ । ଏମାନଙ୍କ ମଧ୍ୟରୁ ସର୍ବଶ୍ରୀ ସୁରେଶ ଚନ୍ଦ୍ର ବୋଷ ଶୈଳେନ୍ଦ୍ର ନାଥ ବୋଷ ଓ ଲକ୍ଷ୍ମୀନାରାୟଣ ସାହୁ ମୋର ସହପାଠୀ ଥିଲେ ।

 

ଉତ୍କଳ ସମ୍ମିଳନୀ

 

ବଙ୍ଗଭଙ୍ଗ ଓ ସ୍ୱଦେଶୀ ଆନ୍ଦୋଳନ ଯୋଗୁଁ ସେତେବେଳେ ରାଜନୈତିକ ବାତାବରଣ ଉତ୍ତେଜିତ ଥିଲା । କୋର୍ଟ୍‌ କଚେରୀର ଭାଷା  ଓଡ଼ିଆ ଉଠାଇ ଦେଇ ବଙ୍ଗଳା କରିବାପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ବ୍ୟର୍ଥ ହୋଇଯିବାରୁ ପୂର୍ବ ଆନ୍ଦୋଳନର ଉପଶମ ହୋଇଯାଇଥିଲା । ଆମେ ସେତେବେଳେ ଶୁଣିଛୁ ଯେ ବାଲେଶ୍ୱରରେ ରାଜା ବୈକୁଣ୍ଠନାଥ ଦେଙ୍କ ସମେତ ଓଡ଼ିଶାର ବହୁ ବିଶିଷ୍ଟ ବଙ୍ଗାଳୀ ଆଦିବାସୀ ଏହି ଉଦ୍ୟମର ତୀବ୍ର ବିରୋଧ କରିଥିଲେ ।

 

ଉତ୍କଳ ସମ୍ମିଳନୀ ଗଠନପାଇଁ ସେତେବେଳେ ଉଦ୍ୟମ ଆରମ୍ଭ ହେଲା । ସେଥିପାଇଁ ଉତ୍କଳ ଗୌରବ ମଧୂସୁଦନ ଦାସ ମ୍ୟୁନିସିପାଲିଟି ପଡ଼ିଆରେ ଏ ସମ୍ପର୍କରେ ଆଲୋଚନା ଏକ ସଭାରେ ଭାଷଣ ଦେଇଥିବା ମୋର ମନେଅଛି । ମଧୁବାବୁ ଓ ସୁରେନ୍ଦ୍ରନାଥ ବାନାର୍ଜୀଙ୍କର ଓଡ଼ିଶାର ସ୍ୱାର୍ଥ ଘେନି ସେତେବେଳେ ମତଭେଦ ଦେଖାଯାଇଥିଲା ଓ ମଧୁବାବୁ ଓଡ଼ିଶାର ସ୍ୱାର୍ଥରକ୍ଷାପାଇଁ ଏକ ସଙ୍ଗଠନର ଆବଶ୍ୟକତା ଅନୁଭବ କରୁଥିଲେ । ସେଥିରେ ସେ ସଫଳ ହୋଇ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା କରିଥିଲେ ।

 

୧୯୧୧ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ଚତୁର୍ଥସ୍ଥାନ ଅଧିକାର କରି ମୁଁ ଆଇ.ଏସ୍‍-ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲି । ପ୍ରଥମ ଶ୍ରେଣୀର ବୃତ୍ତି ମୋତେ ମିଳିଲା ନାହିଁ । କାରଣ ଆଇ ଏସ୍‍-ସି.ରେ ପ୍ରଥମ ତିନିଜଣ ଓ ଆଇ.ଏ.ର ପ୍ରଥମ ଚାରିଜଣ ଛାତ୍ରଙ୍କୁ ଏହି ବୃତ୍ତି ମିଳୁଥିଲା । ମୁଁ ମାସକୁ କେବଳ ୨୦ଟଙ୍କାର ବୃତ୍ତି ପାଇଲି । ଅଧିକ ପଢ଼ିବା ଏକ ପ୍ରଧାନ ସମସ୍ୟା ହେଲା । ରେଭେନ୍‍ସା କଲେଜରେ ବି.ଏସ୍‍-ସି ଶ୍ରେଣୀ ନଥିଲା । ବି.ଏସ୍‍-ସି ପଢ଼ିବାକୁ ହେଲେ କଲିକତା ଯିବାକୁ ପଡ଼ୁଥିଲା । ସେତେବେଳେ କେନ୍ଦୁଝରର ସରକାରୀ ଦେୱାନ ଶ୍ରୀ ବାସୁଦେବ କାନୁନଗୋ (ଶ୍ରୀ ନିତ୍ୟାନନ୍ଦ କାନୁନଗୋଙ୍କର ଦାଦା) ମୋତେ ସାହାଯ୍ୟ କରେ । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ କଲିଜିଏଟ ସ୍କୁଲରେ ନାମ ଲେଖାଇବା ପରେ ମୁଁ କଟକରେ ଥିବା ତାଙ୍କ ବାସଗୃହର ବାହାର ଘରେ ରହି ପଢ଼ୁଥିଲି । ସେତେବେଳୁ ସେ ମୋତେ ଜାଣିଥିଲେ । ଏବେ ସେ ମୋତେ ୨୦ ଟଙ୍କା ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଲେ । ଏହିପରି ମୋର ମାସକୁ ୪୦ ଟଙ୍କା ହେଲା ।

 

ପ୍ରେସିଡେନ୍‌ସି କଲେଜ

 

ମୁଁ କଲିକତା ଯାଇ ପ୍ରେସିଡେନ୍‌ସି କଲେଜରେ ନାମ ଲେଖାଇଲି ଓ ଇଡେନ ହିନ୍ଦୁ ହଷ୍ଟେଲରେ ରହିଲି । ପଢ଼ାପଢ଼ିର ଏହି ଆର୍ଥିକ ଦିଗ ସମ୍ପର୍କରେ ଆଉ ଏକ ଘଟଣା ଉଲ୍ଲେଖ କରିବି-। ସେ ସମୟରେ ମୋହିନୀମୋହନ ଧର ମୟୂରଭଞ୍ଜର ଦେୱାନ ଥିଲେ । ତାଙ୍କର ପୁଅ ଶ୍ରୀ ଧୀରେନ୍ଦ୍ର ମୋହନ ଧର ୧୯୧୨ ମସିହାରେ ମାଟ୍ରିକୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରେସିଡେନ୍‍ସି କଲେଜରେ ଯୋଗଦେଲେ । ମୋହିନୀ ବାବୁ ତାଙ୍କ ପୁଅ ରହୁଥିବା କୋଠରୀରେ ୮ ଜଣ ଭଲଛାତ୍ର ରହିବାପାଇଁ ଇଚ୍ଛା ପ୍ରକାଶ କଲେ । ମୁଁ ଏକ ନମ୍ବର ୱାର୍ଡରେ ରହୁଥିଲି । କାରଣ ସେଠାରେ କମ୍‍ ଭଡ଼ା ପଡ଼ୁଥିଲା । ମୁଁ ଚତୁର୍ଥ ନମ୍ବର ୱାର୍ଡକୁ ଯିବାପାଇଁ ଶ୍ରୀ ଧର ଇଚ୍ଛାପ୍ରକାଶ କରି କହିଲେ ଯେ ସେ ମୋତେ ଅଧିକ ଖର୍ଚ୍ଚ ତୁଲାଇବାପାଇଁ ମାସକୁ ଦଶଟଙ୍କା ସାହାଯ୍ୟ ଦେବେ-। ମୁଁ ଏଥିରେ ରାଜି ହୋଇ ଧୀରେନ୍ଦ୍ର ମୋହନ ଯେଉଁ କୋଠରୀରେ ରହୁଥିଲେ ସେଥିରେ ରହିଲି-

 

ମୁଁ ଏହି ଅଧିକ ଦଶଟଙ୍କା ସାହାଯ୍ୟ ପାଇବାପରେ ଶ୍ରୀ ବାସୁଦେବ କାନୁନଗୋଙ୍କୁ ଲେଖିଲି ସେ ତାଙ୍କ ସାହାଯ୍ୟ ଦଶଟଙ୍କାକୁ କମାଇ ଦିଅନ୍ତୁ । ମୋର ୪୦ ଟଙ୍କାରୁ ବେଶୀ ଟଙ୍କା ଦରକାର ପଡ଼ୁ ନଥିଲା । ମୁଁ ଜୋତା ପିନ୍ଧୁ ନଥିଲି । କେବଳ ଧୋତି କୁର୍ତ୍ତା । ଆଉ କୌଣସି ଆମୋଦ ପ୍ରମୋଦ ନ ଥିଲା । ସେତେବେଳେ ଦିନକୁ ଦୁଇଓଳି ଖାଇବାପାଇଁ ମାସିକ ମେସ ଖର୍ଚ୍ଚ ଥିଲା ସାତ ଟଙ୍କା ଆଠ ଅଣା । ତେଣୁ ୪୦ ଟଙ୍କାରେ ଜଣେ ଚଳିବାରେ କିଛି ଅସୁବିଧା ହେଉ ନଥିଲା । ସ୍ନାତକୋତ୍ତର ଶ୍ରେଣୀରେ ମୁଁ ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ହୋଇଗଲି । ତାହା ମୁଁ ପରେ ଉଲ୍ଲେଖ କରିବି ।

 

ବାସୁବାବୁଙ୍କ ଋଣ ଆର୍ଥିକ ଦିଗରୁ ମୁଁ ପରିଶୋଧ କରିଦେଇଥିଲି ତାଙ୍କ ପୁଅର ପଢ଼ିବାବେଳେ ସାହାଯ୍ୟ କରି । କିନ୍ତୁ ସେତେବେଳେ ମୋର ଅତି ଦରକାର ସମୟରେ ସେ ସାହାଯ୍ୟ କରିଥିବାରୁ ତାଙ୍କର ବଦାନ୍ୟତା ମୁଁ କେବେ ପରିଶୋଧ କରିପାରିବି ନାହିଁ ।

 

ଧର ପରିବାରଙ୍କ ସହିତ ମୋର ଭଲ ଭାବରେ ଜଣାଶୁଣା ହୋଇଗଲା । ଶ୍ରୀମତୀ ଧର ମାତୃତୁଲ୍ୟ ସ୍ନେହଶୀଳ ଥିଲେ । ମୁଁ ତାଙ୍କର ଭଦ୍ର ଓ ଦୟାଳୁ ସ୍ୱଭାବରେ ଏତେ ଅଭିଭୂତ ହୋଇପଡ଼ିଥିଲି ଯେ ମୋର ଗୋଟିଏ ଝିଅର ନାମ ତାଙ୍କ ନାମାନୁସାରେ ରଖିଥିଲି । ଧୀରେନ୍‍ ବାବୁ ବାରିଷ୍ଟର ଭାବରେ କଲିକତା ହାଇକୋର୍ଟରେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ତାଙ୍କର ଭାଇ ଶ୍ରୀ ସତ୍ୟେନ୍ଦ୍ର ମୋହନ ଧର ଭାରତୀୟ ସିଭିଲ୍‍ ସର୍ଭିସରେ ଯୋଗ ଦେଇ ଖୁବ୍‍ ସୁନାମ ଅର୍ଜନ କରିଥିଲେ ।

☆☆☆

 

କଲିକତା ଛାତ୍ର-ଜୀବନ

 

କଲିକତାରେ ମୋର ଛାତ୍ର-ଜୀବନ ସଂପର୍କରେ ଉଲ୍ଲେଖ କରୁଚି । ମୁଁ ପ୍ରେସିଡେନ୍‌ସି କଲେଜରେ ନାମ ଲେଖାଇ ହିନ୍ଦୁ ହଷ୍ଟେଲରେ ରହିବା ସମୟରେ ଓଡ଼ିଶାରୁ ପ୍ରାୟ ୧୦।୧୨ ଜଣ ଛାତ୍ର ସେଠାରେ ରହୁଥିଲେ । ସର୍ବଶ୍ରୀ ନଳିନୀକାନ୍ତ ଘୋଷ (ପରବର୍ତ୍ତୀ କାଳରେ ଶାସନ ବିଭାଗରେ ଯୋଗ ଦେଇଥିଲେ) ଗୋପବନ୍ଧୁ ଚୌଧୁରୀ (ବିଖ୍ୟାତ ନେତା) ନାରାୟଣ ମିଶ୍ର (ଅଧ୍ୟାପକ) ହରିହର ଦାସ (ବିଖ୍ୟାତ ଶିକ୍ଷକ ଓ ଲେଖକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ଭାଇ ଓ ପୁରୀର ଜଣେ ଆଡ଼ଭୋକେଟ୍‍) ପୁଣ୍ଡରୀକାକ୍ଷ ସେନ୍‍ (ଆଡ଼ଭୋକେଟ୍‍) ଗଜେନ୍ଦ୍ର ପ୍ରସାଦ ଦାସ (ପାଟଣା ହାଇକୋର୍ଟର ବିଖ୍ୟାତ ଆଡ଼ଭୋକେଟ୍‍) ଶ୍ୟାମଚନ୍ଦ୍ର ତ୍ରିପାଠୀ (ଓଡ଼ିଶାର ଶିକ୍ଷା ବିଭାଗର ଡିରେକ୍‌ଟର) ବ୍ରଜମୋହନ ପଣ୍ଡା (ସମ୍ବଲପୁରର ଜଣେ ଖ୍ୟାତନାମା ସାଧାରଣସେବୀ) ଦେବେନ୍ଦ୍ର ନାଥ ଗିର (ବାଲେଶ୍ୱରର ଆଡ଼ଭୋକେଟ୍‍) ଭିଙ୍ଗାରପୁରର ରାଧାଶ୍ୟାମ ଦାସ ଚୌଧୁରୀ ଓ ବାଲେଶ୍ୱରର ରମେଶଚନ୍ଦ୍ର ପ୍ରଧାନ । ପୁରୀର ଜଣାଶୁଣା ଘୋଷ ପରିବାରର ଜଣେ କେହି ଘୋଷ ସେତେବେଳେ ସେ ହଷ୍ଟେଲରେ ଥିଲେ । କିନ୍ତୁ ସେ ଓଡ଼ିଆ ଛାତ୍ରମାନଙ୍କଠାରୁ ଦୂରରେ ରହୁଥିଲେ । ନାରାୟଣ ମିଶ୍ର ଓ ଗୋପବନ୍ଧୁ ଚୌଧୁରୀ ଖୁବ୍‍ ଭଲ ଖେଳୱାଡ୍‍ ଥିଲେ ଓ ଖେଳାଳିମାନଙ୍କ ମଧ୍ୟରେ ବେଶ୍‍ ପ୍ରିୟ ହୋଇପାରିଥିଲେ । ବି.ଏସ୍‍-ସି ଶ୍ରେଣୀମାନଙ୍କରେ ଶ୍ରୀ ରାଧାଶ୍ୟାମ ଦାସ ଚୌଧୁରୀ ଓ ମୁଁ ସହପାଠୀ ଥିଲୁ । ଅନ୍ୟମାନେ ଆମ ଉପରେ କିମ୍ବା ତଳେ ପଢ଼ୁଥିଲେ ।

 

ଘରଠାରୁ ଦୂରରେ ରହିଥିବା ଯୋଗୁଁ ଆମେମାନେ ବାରମ୍ବାର ଏକତ୍ର ମିଳିତ ହେଉଥିଲୁ । ଆମେ ଓଡ଼ିଆରେ ଏକ ହସ୍ତଲେଖା ପତ୍ରିକା ପ୍ରକାଶ କରି ହଷ୍ଟେଲ କମନ୍‍ ରୁମରେ ତାହା ରଖି ଦେଉଥିଲୁ । ମୁଁ ଏ ପତ୍ରିକାର ଦାୟିତ୍ୱରେ ଥିଲି । ଏହାର ନାମ ଥିଲା “ଆଶାଲତା” । ମୋର ମନେଅଛି ଥରେ ଗୋଟିଏ ଘଟଣାରେ ବ୍ରହ୍ମପୁରର ଶଶିଭୂଷଣ ରଥ କଲିକତା ଆସି ଆମ ପାଖକୁ ଯାଇଥିଲେ ଓ ପତ୍ରିକା ବିଷୟ ଜାଣିଲେ । ସେଥିରେ ସେ ଏତେ ଉତ୍ସାହିତ ଅନୁଭବ କଲେ ଯେ ଏହି ପତ୍ରିକାର ନାମକରଣ ଅନୁସାରେ ସେ ତାଙ୍କର ବିଖ୍ୟାତ ପତ୍ରିକା “ଆଶା”ର ନାମକରଣ ରଖିଥିବା କଥା ମୋତେ ଥରେ କଥା ପ୍ରସଙ୍ଗରେ କହିଥିଲେ । ଆମର ଏ ପତ୍ରିକାଟି ବେଶୀଦିନ ବଞ୍ଚିପାରିଲା ନାହିଁ । ଯେତେବେଳେ ଏହା ବନ୍ଦ ହୋଇଗଲା ସେତେବେଳେ ଶ୍ରୀ ନାରାୟଣ ମିଶ୍ର ଏହାର ଦାୟିତ୍ୱରେ ଥିଲେ । ସେ ସେତେବେଳ ପର୍ଯ୍ୟନ୍ତ ବାହାରିଥିବା ହାତଲେଖା ପତ୍ରିକା ଯାକ କମନ୍‍ ରୁମ୍‍କୁ ଉପହାରସ୍ୱରୂପ ଦେଇଥିଲେ । ବୋଧହୁଏ ସେଗୁଡ଼ିକ ଯଥାସମୟରେ ଅନ୍ତର୍ହିତ ହୋଇଯାଇଥିବ ।

 

ଇଡେନ୍‍ ହିନ୍ଦୁ ହଷ୍ଟେଲ

 

ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ଇଡେନ ହିନ୍ଦୁ ହଷ୍ଟେଲ କେତୋଟି ୱାର୍ଡ୍‌ରେ ବିଭକ୍ତ ହୋଇଥିଲା । ପରୀକ୍ଷାର୍ଥୀମାନଙ୍କ ପାଇଁ ପ୍ରତ୍ୟେକ ୱାର୍ଡ୍‌ରେ କେତୋଟି ଜଣିକିଆ କୋଠରୀ ଥିଲା । ହଷ୍ଟେଲର ଅଧିକାଂଶ ଛାତ୍ର ବଙ୍ଗଳାର ଥିଲେ ମଧ୍ୟ ଓଡ଼ିଶା ବିହାର ଓ ଆସାମର ମଧ୍ୟ ବହୁ ଛାତ୍ର ଥିଲେ । ସରଭାନ୍‍ ମୁଥୁ ନାମକ ସିଂହଳର ଜଣେ ଛାତ୍ର ଯେ କି ମୋର ସହପାଠୀ ଥିଲେ ସେ ମଧ୍ୟ ଏ ହଷ୍ଟେଲରେ ରହୁଥିଲେ । କେବଳ ବିହାରୀମାନଙ୍କୁ ଛାଡ଼ିଦେଲେ ମେସରେ ସବୁଛାତ୍ର ଏକା ରୋଷେଇରେ ଖାଉଥିଲେ । ବିହାରୀମାନେ ନିରାମିଷଶୀ ହୋଇଥିବାରୁ ସେମାନେ ଅଲଗା ମେସ୍‍ କରିଥିଲେ । କିନ୍ତୁ ଅନ୍ୟମାନେ ଏକା ରୋଷେଇରେ ଖାଉଥିଲେ ମଧ୍ୟ ଖାଇବା ଘର ଅଲଗା ଅଲଗା ଥିଲା । ବ୍ରାହ୍ମଣ ବୈଶ୍ୟ ଶୂଦ୍ର ଓ ଅନ୍ୟମାନଙ୍କର ଭିନ୍ନ ଭିନ୍ନ ଖାଇବା ଘର ଥିଲା । ଆମ ସମୟରେ ବ୍ରାହ୍ମଣମାନଙ୍କ ଖାଇବା ପରକୁ ଅନ୍ୟମାନେ ପଶିବା କଷ୍ଟକର ଥିଲେ ମଧ୍ୟ ବାକି ସବୁ ଖାଇବା ଘରକୁ ଯେ ଇଚ୍ଛା ସେ ଯାଇ ପାରୁଥିଲେ । ଦିନକୁ ଦୁଇଓଳି ଖାଇବାପାଇଁ ମାସିକ ମେସ୍ ଖର୍ଚ୍ଚ ଥିଲା ୭ ଟଙ୍କା ୫୦ ପଇସା । ହଷ୍ଟେଲ ହତାଭିତରେ ଲାଇସେନସ୍‍ ପାଇଥିବା ଜଣେ ଦୋକାନୀଙ୍କର ମିଷ୍ଟାନ୍ନ ଦୋକାନ ଥିଲା । ମେସରେ ପ୍ରଧାନ ପୂଜାରୀ ନାରାୟଣ ଓ ମିଠେଇ ଦୋକାନୀ ବନମାଳୀଙ୍କୁ ଭୁଲିବାର ନୁହେଁ । ମିଲ୍‍ ଓ ଜଳଖିଆ ଖାଇବା ସମୟରେ ସବୁ ୱାର୍ଡରୁ ଓ ସବୁ ଖାଇବା ଘରୁ ସେମାନଙ୍କ ନାମ ଡକା ପଡ଼ୁଥିଲା ।

 

ହଷ୍ଟେଲ ସହବାସୀମାନଙ୍କ ମଧ୍ୟରୁ ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ପରବର୍ତ୍ତୀ କାଳରେ ସୁନାମ ଅର୍ଜନ କରିଥିଲେ ସେମାନେ ହେଲେ—ଏହ୍ଲାବାଦର ବିଖ୍ୟାତ ରସାୟନ ଶାସ୍ତ୍ରବିତ୍‍ ଅଧ୍ୟାପକ ନୀଳରତନ ଧର ପଦାର୍ଥ ବିଜ୍ଞାନରେ ବିଶେଷଜ୍ଞ ଅଧ୍ୟାପକ ମେଘନାଦ ସାହା ବାଙ୍ଗାଲୋର ଇନଷ୍ଟିଟ୍ୟୁଟ୍‍ ଓ ଖଡ଼ଗପୁର ଆଇ. ଆଇ. ଟି.ର ଅଧ୍ୟକ୍ଷ ରସାୟନ ଶାସ୍ତ୍ରବିତ୍‍ ଅଧ୍ୟାପକ ଜ୍ଞାନଚନ୍ଦ୍ର ଘୋଷ ଇଣ୍ଡିଆନ ଏଗ୍ରିକଲ୍‍ଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‍ର ଅଧ୍ୟକ୍ଷ ଅନ୍ୟତମ ରସାୟନ ଶାସ୍ତ୍ରବିତ୍‍ ଡକ୍ଟର ଜ୍ଞାନେନ୍ଦ୍ରନାଥ ମୁଖାର୍ଜୀ କଲିକତା ବିଶ୍ୱବିଦ୍ୟାଳୟର ଗଣିତ ଅଧ୍ୟାପକ ଡକ୍ଟର ନିଖିଳରଞ୍ଜନ ସେନ୍‍ ସ୍ୱାଧୀନତା ସଂଗ୍ରାମର ବିଖ୍ୟାତ ଯୋଦ୍ଧା ଶ୍ରୀ ଅନଙ୍ଗମୋହନ ଦାଶ ରାଜନୈତିକ ନେତା ଡକ୍ଟର ଏସ୍‍. ପି. ଘୋଷ ପାଟଣା କଲେଜରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଶ୍ରୀ କାମତା ପ୍ରସାଦ ଆସାମର ବିଖ୍ୟାତ ଐତିହାସିକ ଓ ଶିକ୍ଷାବିତ୍‍ ଡକ୍ଟର ସୂର୍ଯ୍ୟକୁମାର ଭୂୟାଁ ସିଲ୍‍ହଟର ଶିକ୍ଷାବିତ୍‍ ଶ୍ରୀ ଶଶିଭୂଷଣ ଚକ୍ରବର୍ତ୍ତୀ ଏବଂ ଭୂତତ୍ୱବିତ୍‍ ଡକ୍ଟର ବିରଜାଶଙ୍କର ଗୁପ୍ତ । ଓଡ଼ିଶାରୁ ଯେଉଁମାନଙ୍କ ନାମ ଉଲ୍ଲେଖ କରିଛି ସେମାନଙ୍କ ବ୍ୟତୀତ ଏହି କେତେକଙ୍କର ନାମ ମୋର ମନେପଡ଼ୁଛି । ବାରିପଦା ହାଇସ୍କୁଲରୁ ଏନ୍‍ଟ୍ରାନ୍‌ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଶ୍ରୀ ରବୀନ୍ଦ୍ର ନାଥ ବାନାର୍ଜୀଙ୍କର ନାମ ଉଲ୍ଲେଖଯୋଗ୍ୟ । ସେ ଇଡେନ୍‍ ହିନ୍ଦୁ ହଷ୍ଟେଲକୁ ତାଙ୍କର ବନ୍ଧୁମାନଙ୍କ ସନ୍ଧାନ ନେବାକୁ ବାରମ୍ବାର ଯାଇଥିଲେ । ପରବର୍ତ୍ତୀକାଳରେ ସେ ଆଇ. ସି. ଏସ୍‍. ହୋଇ ଜଣେ ବିଖ୍ୟାତ ଶାସକ ଓ ୟୁନିଅନ ପବ୍ଲିକ୍‍ ସର୍ଭିସ୍‍ କମିଶନ୍‍ର ଚେୟାରମ୍ୟାନ୍‍ ହୋଇଥିଲେ-। ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍‌ଟର ରାଜେନ୍ଦ୍ର ପ୍ରସାଦ ଇଡେନ୍‍ ହିନ୍ଦୁ ହଷ୍ଟେଲରେ ଛାତ୍ରଭାବରେ ରହୁଥିଲେ । କିନ୍ତୁ ହଷ୍ଟେଲର ବାର୍ଷିକ ମିଳନ ଦିବସରେ ଜଣେ ପୁରାତନ ଛାତ୍ର ଭାବରେ ସେ ବରାବର ଯୋଗ ଦେଉଥିଲେ ।

 

ସରସ୍ୱତୀ ପୂଜା ପ୍ରତି ଅଶ୍ରଦ୍ଧା

 

ହଷ୍ଟେଲରେ ଜୀବନ ଅତ୍ୟନ୍ତ ବନ୍ଧୁତାପୂର୍ଣ୍ଣ ଓ ସହଯୋଗମୂଳକ ଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓଡ଼ିଶା ଓ ଆସାମ ଅପେକ୍ଷା ବଙ୍ଗଳା ବହୁତ ଆଗରେ ଥିଲା । ସେ ଦୃଷ୍ଟିରୁ ବଙ୍ଗାଳୀମାନଙ୍କ ମଧ୍ୟରେ ଟିକିଏ ହାମବଡ଼ା ଭାବ ପ୍ରକାଶ ପାଇବା ସ୍ୱାଭାବିକ ଥିଲା । କିନ୍ତୁ ହଷ୍ଟେଲରେ ତାହା ନ ଥିଲା । ବର୍ଷରେ ଦୁଇଟି ଦିନ ହଷ୍ଟେଲର ସବୁଛାତ୍ର ଏକାଠି ହେଉଥିଲେ । ତାହା ହେଉଛି ବାର୍ଷିକ ଦିବସ ଓ ସରସ୍ୱତୀ ପୂଜା । ବାର୍ଷିକ ଦିବସରେ ନାଟକ ଅଭିନୟ ହେଉଥିଲା ଓ ବାହାରୁ ପ୍ରତିଷ୍ଠାନବାନ୍‍ ଲୋକେ ଆସି ଭାଷଣ ଦେଉଥିଲେ । ଏଠାରେ ମୁଁ କହିରଖେ ଯେ ଇଡେନ୍‍ ହିନ୍ଦୁ ହଷ୍ଟେଲରୁ ମୁଁ ସରସ୍ୱତୀ ପୂଜା ପାଳନ କରିବା ଛାଡ଼ିଦେଲି । ତାର କାରଣ ହେଉଛି କବି ରାଧାନାଥ ଗାଇଥିଲେ ଯେ ଦେବୀ ସରସ୍ୱତୀ ଓଡ଼ିଶାବାସୀଙ୍କ ପ୍ରତି ନିର୍ଦ୍ଦୟ ଥିଲେ—

 

ଦେବୀ ବୀଣାପାଣି କେଉଁ ପାପ ଫଳେ

କରୁଣା ତୋହର ଊଣା ଏ ଉତ୍କଳେ ।

 

ମୋର ଯୁକ୍ତି ହେଉଚି ଯୁଗ ଯୁଗ ଧରି ସରସ୍ୱତୀଙ୍କୁ ପୂଜା କରି କବିଙ୍କ ଭାଷାରେ ଯଦି ଏଇଆ ହେଲା ଆମର ଅବସ୍ଥା ତା’ହେଲେ ଏ ପୂଜା କରି କି ଲାଭ ? ପରେ ଯେତେବେଳେ ମୁଁ ଜାଣିଲି ଯେ ସାହିତ୍ୟ ଦର୍ପଣକାର ବିଶ୍ୱନାଥ କବିରାଜ ଓ ଗୀତ ଗୋବିନ୍ଦର କବି ଜୟଦେବ ସଂସ୍କୃତ ସାହିତ୍ୟକୁ ଅମୂଲ୍ୟ ଦାନ କରି ଯାଇଛନ୍ତି । ମୁଁ ଅନୁଭବ କଲି ପ୍ରକୃତରେ ସରସ୍ୱତୀଙ୍କର କରୁଣା ଉତ୍କଳ ପ୍ରତି ଊଣା ନୁହେଁ । କିନ୍ତୁ ମୁଁ ଯେଉଁ ସିଦ୍ଧାନ୍ତ ଗ୍ରହଣ କରିଥିଲି ସେଥିରେ ଆମର ପରିବର୍ତ୍ତନ ହେଲା ନାହଁ ।

 

ଓଡ଼ିଆଙ୍କ କର୍ତ୍ତବ୍ୟନିଷ୍ଠା

 

ମୁଁ ଆଗରୁ କହିଚି ହଷ୍ଟେଲର ବାତାବରଣ ବନ୍ଧୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ହଷ୍ଟେଲ ବାହାରେ ହାମ୍‌ବଡ଼ା ମନୋଭାବ ପ୍ରକାଶ ପାଉଥିଲା । ସେ ସମୟରେ ‘ନାୟକ’ ନାମରେ ଏକ ବଙ୍ଗଳା ଦୈନିକ ଥିଲା । ଏହି ପତ୍ରିକାରେ ଥରେ ଏକ ଗଳ୍ପ ପ୍ରକାଶ ପାଇଥିଲା । ଗଳ୍ପରେ ବର୍ଷା କଚାଡ଼ୁଛି ନାତି ଅଜାକୁ ପଚାରୁଛି ‘ଅଜା’ ସ୍ୱର୍ଗରେ କ’ଣ କେହି ଓଡ଼ିଆ ନାହାନ୍ତି ? ଅଜା ଏ ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ କ’ଣ ବୋଲି ଜାଣିବାକୁ ଇଚ୍ଛା କରିବାରୁ ନାତି କହୁଚି “ସ୍ୱର୍ଗର ପାଇପଯାକ କଣା ହୋଇଯାଇଥିବାରୁ ଏପରି ବର୍ଷା ହେଉଚି । ଓଡ଼ିଆ ଥିଲେ ସେମାନେ ମରାମତି କରି ସାରିଥାଆନ୍ତେ-।” ଏହି ଗଳ୍ପ ଓଡ଼ିଆମାନଙ୍କର ନିନ୍ଦା ବା ପ୍ରଶଂସା ଯେ କୌଣସି ଦୃଷ୍ଟିରୁ ଗ୍ରହଣ କରାଯାଇପାରେ । କଲିକତାରେ ଅଧିକାଂଶ ପାଣିବାଲା ଥିଲେ ଓଡ଼ିଆ । ଅନ୍ୟ ଏକ ଘଟଣାରେ “ନାୟକ” ଉତ୍କଳଗୌରବ ମଧୁସୂଦନଙ୍କୁ ‘ମଧୁଉଡ଼େ’ ନାମ ଦେଇଥିଲେ ।

 

ଯାହାହେଉ କାରିଗର ଭାବରେ ଓଡ଼ିଆମାନେ ଶିଳ୍ପ କୌଶଳ ଦେଖାଇ ଭାରତରେ ସର୍ବତ୍ର ସୁପରିଚିତ ହୋଇଥିଲେ । ମୁଁ ଆଗ୍ରା ମଥୁରା ଓ ଭାରତର ଅନ୍ୟ ବହୁସ୍ଥାନରେ ଓଡ଼ିଆ କାରିଗରମାନଙ୍କୁ ଦେଖିଚି । ନିଷ୍ଠାପର ଭାବରେ କାମ କରି ଓଡ଼ିଆମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରୁଥିଲେ । ଏପରିକି ଜଣେ ସାମାନ୍ୟ ଓଡ଼ିଆ ଚାକର କିପରି ତାର ନିଷ୍ଠା ଫଳରେ ତା’ର ଜନ୍ମଭୂମିର ସମ୍ମାନ ବଢ଼ାଇଥିଲା ସେ ସଂପର୍କରେ ଏକ କାହାଣୀ ମୁଁ ଏଠାରେ ଉଲ୍ଲେଖ କରିପାରେ । ମୁଁ କାମ୍ବ୍ରିଜରେ ଥିବାବେଳେ ଦିନେ ସେଠାରେ ଏକ ପ୍ରଧାନ ରାସ୍ତାରେ ବୁଲି ବାହାରିଚି ଜଣେ ବୟସ୍କ ଇଂରେଜ ଭଦ୍ରଲୋକ ମୋତେ ଅଟକାଇ ପଚାରିଲେ “ଆପଣ କେଉଁଠୁ ଆସିଛନ୍ତି ?” ମୁଁ କହିଲି “ଓଡ଼ିଶାରୁ ।” ସେ ଭାରି ଖୁସିହୋଇ ମୋର କରମର୍ଦ୍ଦନ କରି କହିଲେ “ମୁଁ ଆଜି କେଡ଼େ ଆନନ୍ଦିତ ଯେ ମୋର ପୁରାତନ ବେହେରା ସପନିର ଦେଶରୁ ଜଣେ ଯୁବକ ସଙ୍ଗେ ଦେଖା ହେଲା । ସପନି ମୋର ବିଶ୍ୱସ୍ତ ବେହେରା ଥିଲା ଏବଂ ମୋର ପିଲାଙ୍କୁ ବଡ଼ ହେପାଜତ କରୁଥିଲା । ତାଙ୍କ ଘରେ ଚା ଖାଇବାପାଇଁ ସେ ମୋତେ ନିମନ୍ତ୍ରଣ କଲେ । ମୁଁ ଜାଣିଲି ସେ ଜଣେ ଅବସରପ୍ରାପ୍ତ ଆଇ. ସି. ଏସ୍‍. ଅଫିସର । ଏବେ କାମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଅଛନ୍ତି । ମୁଁ ତାଙ୍କର ନାମ ଓ ସପନିର ଗାଁ ନାଁ ମଧ୍ୟ ଭୁଲିଯାଇଚି । କିନ୍ତୁ ଏହି ଘଟଣାର ଶିକ୍ଷାହେଉଛି ଲୋକ ଯେ କୌଣସି କାର୍ଯ୍ୟରେ ଥାଉନା କାହିଁକି କର୍ତ୍ତବ୍ୟନିଷ୍ଠା ଦ୍ୱାରା ସେ ତା’ର ମାତୃଭୂମିର ସୁନାମ ବଢ଼ାଇପାରେ ।

☆☆☆

 

Unknown

କଲିକତାରେ କଲେଜ ଜୀବନ

 

ବର୍ତ୍ତମାନ ପୁଣି କଲିକତା କଥା କହିବି । ଇଡେନ୍‍ ହିନ୍ଦୁ ହଷ୍ଟେଲରେ କେବଳ ଯେ ବହୁସଂଖ୍ୟକ ଓଡ଼ିଆ ଛାତ୍ର ରହୁଥିଲେ ତାହା ନୁହେଁ ୯ ନମ୍ବର ପଞ୍ଚାନନ ଘୋଷ ଲେନରେ ମଧ୍ୟ ଓଡ଼ିଶାର ବହୁ ସ୍ନାତକୋତ୍ତର ଛାତ୍ର ରହୁଥିଲେ । ସେଠାରେ ରହୁଥିବା କେତେକ ବିଖ୍ୟାତ ଲୋକଙ୍କର ନାମ ମୋର ମନେପଡ଼ୁଛି । ସେମାନଙ୍କ ମଧ୍ୟରୁ କବି ପଦ୍ମଚରଣ ପଟ୍ଟନାୟକ ପଣ୍ଡିତ ଗୋଦାବରୀଶ ମିଶ୍ର ପଣ୍ଡିତ ନୀଳକଣ୍ଠ ଦାସ ଓ ଅଧ୍ୟାପକ କୃତ୍ତିବାସ ସାମନ୍ତରାୟଙ୍କର ନାମ ଉଲ୍ଲେଖଯୋଗ୍ୟ ।

 

ଅଙ୍କ-ଶାସ୍ତ୍ର ଅଧ୍ୟୟନ

 

ବର୍ତ୍ତମାନ ଆମ କଲେଜ ବିଷୟରେ କିଛି କହିବା ଆବଶ୍ୟକ ବୋଲି ମନେକରୁଛି । ମୁଁ ମୋର ବି. ଏସ୍‍ସି. ପାଠ୍ୟକ୍ରମରେ ପଦାର୍ଥବିଜ୍ଞାନ ରସାୟନଶାସ୍ତ୍ର ଓ ଅଙ୍କଶାସ୍ତ୍ର ନେଇଥିଲି । ମୋର ଉଦ୍ଭିଦବିଜ୍ଞାନ ନେବାପାଇଁ ଖୁବ୍‍ ଇଚ୍ଛା ଥିଲେ ମଧ୍ୟ ସେ କାଳରେ କଲିକତା ବିଶ୍ୱବିଦ୍ୟାଳୟରେ କିମ୍ବା ପ୍ରେସିଡେନ୍‌ସି କଲେଜରେ ଉଦ୍ଭିଦବିଜ୍ଞାନ ଶ୍ରେଣୀ ନ ଥିଲା । ଯଦି କେହି ଉଦ୍ଭିଦବିଜ୍ଞାନ ଅଧ୍ୟୟନ କରିବାକୁ ଚାହୁଁଥିଲା ତା’ହେଲେ ବଙ୍ଗବାସୀ କଲେଜରେ ଥିବା ଏହି ଶ୍ରେଣୀମାନଙ୍କରେ ଯୋଗଦେବା ଦରକାର ପଡ଼ୁଥିଲା । ଆର୍ଥିକ କାରଣରୁ ମୋ ପକ୍ଷରେ ଏହା ସମ୍ଭବପର ନଥିଲା । ଚାକିରିବାକିର ସୁବିଧା ଦୃଷ୍ଟିରୁ ମୁଁ ଅଙ୍କଶାସ୍ତ୍ରକୁ ବାଛିନେଇ ସେଥିରେ ଅନର୍ସ ନେଲି । ସେ ସମୟରେ ପଦାର୍ଥ-ବିଜ୍ଞାନ ଓ ପ୍ରାଣୀ-ବିଜ୍ଞାନ ଏତେ ବିସ୍ତାରିତ ଭାବରେ ପଢ଼ାଯାଉ ନ ଥିଲା । ଜଣଙ୍କର ଅଙ୍କଶାସ୍ତ୍ରରେ ଜ୍ଞାନ ଥିଲେ ସେ ଅନ୍ତତଃ ଜଣେ ସ୍କୁଲ ଶିକ୍ଷକ ହୋଇପାରୁଥିଲା । ଅନର୍ସ ଶ୍ରେଣୀରେ ମୋ ସାଙ୍ଗରେ ଯେଉଁମାନେ ପଢ଼ୁଥିଲେ ସେମାନଙ୍କ ମଧ୍ୟରୁ କେତେକ ହେଲେ—ଅଧ୍ୟାପକ ଶ୍ରୀ ସତ୍ୟେନ୍ଦ୍ର ନାଥ ଘୋଷ ଏବଂ ବିଖ୍ୟାତ ପଦାର୍ଥ-ବିଜ୍ଞାନବିତ୍‍ ଡକ୍ଟର ମେଘନାଦ ସାହା କଲିକତା ବିଶ୍ୱବିଦ୍ୟାଳୟର ଅଙ୍କଶାସ୍ତ୍ର ଅଧ୍ୟାପକ ନିଖିଳରଞ୍ଜନ ସେନ୍‍ ବିହାରର ୱାଜହତ୍‍ ହୁସେନ୍‍ ଯେ କି ଆଇ. ସି. ଏସ୍‍. ହୋଇ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ହୋଇଥିଲେ । ଆମର ଅଧ୍ୟାପକଗଣ ହେଉଛନ୍ତି ଡକ୍ଟର କଲ୍ଲିସ୍‍ ଡକ୍ଟର ଡି. ଏନ୍‍. ମଲ୍ଲିକ ଶ୍ରୀ ବଙ୍କିମ ଦାସ ବାନାର୍ଜୀ ଏବଂ ଶ୍ରୀ ଏଚ୍‍. ସି. ସେନ୍‍ଗୁପ୍ତ ।

 

ବାଇଜୀ ଓ ସୁଧାଂଶୁବଦନ

 

ଡକ୍ଟର କଲ୍ଲିସ୍‍ ଜଣେ ଗମ୍ଭୀର ଓ ନିଷ୍ଠାପର ଶିକ୍ଷକ ଥିଲେ ଯେ କି ନିଜ ବିଷୟରୁ ବାହାରକୁ ଯାଉ ନ ଥିଲେ । କିନ୍ତୁ ଡକ୍ଟର ଡି.ଏନ୍‍. ମଲ୍ଲିକ ଅନ୍ୟଧରଣର ଥିଲେ । ତାଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଆବରଣ ତଳେ ଏକ ରସିକତାପୂର୍ଣ୍ଣ ମନୋଭାବ ଲୁକ୍କାୟିତ ଥିଲା । ଆମର ଜଣେ ସହପାଠୀର ନାମ ଥିଲା ସୁଧାଂଶୁବଦନ । କିନ୍ତୁ ତା’ର ଚେହେରା ନାମର ଯଥାର୍ଥତା ପ୍ରତିପାଦନ କରୁ ନଥିଲ । ଦିନେ ଉପସ୍ଥାନ ଗ୍ରହଣ ସମୟରେ ଡକ୍‍ଟର୍‍ ମଲ୍ଲିକ ତା’ର ନାମକୁ ଡାକିଦେଇ ସଙ୍ଗେ ସଙ୍ଗେ ମନ୍ତବ୍ୟ କଲେ ବାପା ମା’ମାନେ ତାଙ୍କ ପିଲାମାନଙ୍କ ବିଷୟରେ ଖୁବ୍‍ ଅତିରଞ୍ଜିତ ମନୋଭାବ ପୋଷଣ କରନ୍ତି । ବେଳେ ବେଳେ ବ୍ଲାକ୍‍ ବୋର୍ଡରେ ଇଂରେଜୀରେ “By G” ଲେଖିଲାବେଳେ ସେ ଏପରି ଉଚ୍ଚାରଣ କରନ୍ତି ଯେ ତାହା “ବାଇଜୀ” ବୋଲି ଶୁଣାଯାଏ । ଆମର ସବୁ ଶିକ୍ଷକଙ୍କୁ ଆମେ ଯଥେଷ୍ଟ ଶ୍ରଦ୍ଧା କରୁଥିଲୁ ଓ ସମ୍ମାନ ଦେଉଥିଲୁ । ଅଧ୍ୟାପକ ସେନ୍‍ଗୁପ୍ତଙ୍କର ଡାକନାମ ଥିଲା ‘ଓମେଗା’ । କାରଣ ଏହି ଶବ୍ଦଟିକୁ ସେ ଏକ ବିଚିତ୍ର ଭଙ୍ଗୀରେ ଉଚ୍ଚାରଣ କରୁଥିଲେ । ପାଶ୍‍ ପାଠ୍ୟରେ ମୋର ପଦାର୍ଥବିଜ୍ଞାନ ଓ ରସାୟନଶାସ୍ତ୍ର ଥିଲା । ପଦାର୍ଥବିଜ୍ଞାନରେ ଆମର ଶିକ୍ଷକମାନେ ଥିଲେ ଅଧ୍ୟାପକ ପକ୍‍ ଅଧ୍ୟାପକ ହେରିସନ୍‍ ଏବଂ ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ । ଏ ସମସ୍ତଙ୍କ ମଧ୍ୟରେ ଆଚାର୍ଯ୍ୟ ଜଗଦୀଶଙ୍କର ପ୍ରଭାବ ଛାତ୍ରମାନଙ୍କ ଉପରେ ସବୁଠାରୁ ବେଶି ପଡ଼ୁଥିଲା । ସେ ଘଣ୍ଟା କଣ୍ଟାପରି ନିୟମିତ ଥିଲେ । ଡିମନ୍‌ଷ୍ଟ୍ରେଟର ଉପସ୍ଥାନ ପକାଉଥିଲେ । ଆଚାର୍ଯ୍ୟ ଜଗଦୀଶ ଲେକ୍‍ଚର ଥିଏଟରରେ ସିଧା ପ୍ରବେଶ କରି ଭାଷଣ ଆରମ୍ଭ କରୁଥିଲେ ଏବଂ ଠିକ୍‍ ସମୟରେ ଭାଷଣ ଶେଷ କରି ଯାଉଥିଲେ । ଡିମନଷ୍ଟ୍ରେଟର ପୂର୍ବରୁ ଡିମନଷ୍ଟ୍ରେସନ୍‍ ପାଇଁ ସମସ୍ତ ସଂପରକ୍ଷଣ ସଂସ୍ଥା ପ୍ରସ୍ତୁତକରି ରଖୁଥିଲେ ।

 

ଆଚାର୍ଯ୍ୟ ଜଗଦୀଶ ଓ ପ୍ରଫୁଲ୍ଲଚନ୍ଦ୍ର

 

ରସାୟନଶାସ୍ତ୍ରରେ ଆମର ଅଧ୍ୟାପକ ଥିଲେ ଡକ୍ଟର ପି.ସି.ରାୟ (ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର) ଅଧ୍ୟାପକ ଚନ୍ଦ୍ରଭୂଷଣ ଭାଦୁଡ଼ି ଓ ଅଧ୍ୟାପକ ଜ୍ୟୋତିଭୂଷଣ ଭାଦୁଡ଼ି । ଏଇମାନେ ମିଶି ବେଙ୍ଗଲ କେମିକାଲ୍‍ କାରଖାନାର ସ୍ଥାପନ ଓ ଉନ୍ନତି ସାଧନା କରିଥିଲେ । ସେମାନେ ଆଦର୍ଶ ସ୍ଥାନୀୟ ଶିକ୍ଷକ ଥିଲେ । ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ରଙ୍କଠାରୁ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଥିଲେ ଭିନ୍ନ ଧରଣର ଶିକ୍ଷକ । ଆଚାର୍ଯ୍ୟ ଜଗଦୀଶ ତାଙ୍କ ବକ୍ତବ୍ୟ ବିଷୟରୁ ଟିକିଏ ହେଲେ ଏପାଖ ସେପାଖ ହେଉ ନଥିଲେ । କିନ୍ତୁ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ଛାତ୍ରମାନଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣର ବିକାଶପାଇଁ ଭାରତୀୟ ସଂସ୍କୃତିରୁ ବହୁ ବୌଦ୍ଧିକ ଓ ସାମାଜିକ ବିଷୟବସ୍ତୁର ଅବତାରଣା କରୁଥିଲେ । ମୋର ଗୋଟିଏ ଘଟଣା ମନେପଡ଼ୁଛି । ମଧ୍ୟଯୁଗୀୟ ଭାରତବର୍ଷରେ ତର୍କ ଉପରେ କିପରି ଅନାବଶ୍ୟକ ଗୁରୁତ୍ୱ ଦିଆଯାଇ ବିଜ୍ଞାନର କ୍ଷତି ସାଧନ କରାଯାଉଥିଲା ତାର ଏକ ସୁନ୍ଦର ଉଦାହରଣ ସେ ଦେଉଥିଲେ । ସେ କହୁଥିଲେ ଏହିପରି ଯୁକ୍ତି କରି ଆମର ସମୟ ଓ ଶକ୍ତିର ଅପଚୟ ଘଟେ । ଯଥା—

 

“ତାଲ୍‍ ପଡ଼ିୟା ଢିପ୍‍ କରେ ନା ଢିପ୍‍ କରିୟା ତାଲ୍‍ ପଡ଼େ” ଅର୍ଥାତ୍‍ ତାଳ ପଡ଼ିଲେ ଢୋ କରି ଶବ୍ଦ ହୁଏ ନା ଢୋ କରି ଶବ୍ଦ ହେଲେ ତାଳ ପଡ଼େ । ଏହି ସବୁ ଛୋଟ ଛୋଟ ଉଦାହରଣ ଦ୍ୱାରା ତାଙ୍କର ବକ୍ତୃତାମାନ ଭାରି ସରସ ହେଉଥିଲା ।

 

ବିଭିନ୍ନ ରସାୟନିକ ଦ୍ରବ୍ୟର ଉତ୍ପାଦନ ବିଷୟରେ ଚନ୍ଦ୍ରଭୂଷଣ ବାବୁ ଖୁବ୍‍ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଉଥିଲେ । ବେଙ୍ଗଲ୍‍ କେମିକାଲ୍‍ ସଂସ୍ପର୍ଶରେ ଆସି ସେ ଗଭୀର ଜ୍ଞାନ ଓ ଅଭିଜ୍ଞତା ଆହରଣ କରିପାରିଥିଲେ । ଏହିପରି ବାତାବରଣରେ ଆମେ ଆମର ବି.ଏସ୍‍ସି. ପାଠ୍ୟକ୍ରମ ଶେଷକରି ୧୯୧୩ ମସିହାରେ ପରୀକ୍ଷା ଦେଲୁ ।

 

ବିହାର ଓ ଓଡ଼ିଶା

 

ଏହି କାଳର ଏକ ବିଶିଷ୍ଟ ରାଜନୈତିକ ଘଟଣା ହେଉଛି ବଙ୍ଗ ଭଙ୍ଗ ସିଦ୍ଧାନ୍ତ ରଦ୍ଦ ହେବା ଏବଂ ବିହାର ଓଡ଼ିଶା ଓ ଆସାମ ପ୍ରଦେଶର ସୃଷ୍ଟି ହେବା । ମୋର ମନେ ଅଛି ସୁରେନ୍ଦ୍ରନାଥ ବାନାର୍ଜୀ କଲେଜ ସ୍କୋୟାଚ୍‌ରେ ଏକ ଭାଷଣ ଦେଇଥିଲେ । ତାଙ୍କ ଭାଷଣ ଆରମ୍ଭରେ ଗୁରୁ ଗମ୍ଭୀର ସ୍ୱରରେ ସେ ଯେଉଁ ପ୍ରଥମ ବାକ୍ୟଟି କହିଥିଲେ ତାହା ହେଉଛି “ବଙ୍ଗ ଭଙ୍ଗ ରଦ୍ଦ ହୋଇଛି-।” ଡେନ୍‍ ହିନ୍ଦୁହଷ୍ଟେଲ ସମେତ ଚାରିଆଡ଼େ ଆନନ୍ଦ ଉଲ୍ଲାସ ଖେଳିଗଲା । କାରଣ ବଙ୍ଗଦେଶ ପକ୍ଷରେ ଏହା ଥିଲା ଏକ ପ୍ରଧାନ ରାଜନୈତିକ ଘଟଣା । କିନ୍ତୁ ସେତେବେଳେ କେହି ଧାରଣା କରି ନଥିଲେ ଯେ ଯେଉଁ ଦେଶ-ବିଭାଗର ମଞ୍ଜି ପୋତା ହେଲା ତାହା ପରବର୍ତ୍ତୀକାଳରେ ଭାରତବର୍ଷକୁ ବିଖଣ୍ଡିତ କରିବ । ବିହାରୀ ଓ ଓଡ଼ିଆମାନଙ୍କ ପାଇଁ ବିହାର ଓ ଓଡ଼ିଶା ପ୍ରଦେଶର ସୃଷ୍ଟି ତାତ୍ପର୍ଯ୍ୟପୂର୍ଣ୍ଣ-। ଆମର କେତେ ଜଣ ବଙ୍ଗାଳୀ ସହପାଠୀ ଆମପ୍ରତି ସହାନୁଭୂତିଶୀଳ ବୋଲି ଦେଖାଇହେଲେ-। ଜଣେ ବନ୍ଧୁଙ୍କର ମନ୍ତବ୍ୟ ମୋର ମନେଅଛି—“ଓଡ଼ିଶା କି ଦୋଷ କରିଥିଲା ଯେ ତାକୁ ଏପରି ଦଣ୍ଡିତ କରାଗଲା ।” ଯାହାହେଉ ଆମେ ଏହି ନୂଆ ପ୍ରଦେଶ ସୃଷ୍ଟିରେ ଆଶାବାନ୍‍ ହୋଇଥିଲୁ-

 

ୱାଇ.ଏମ୍‍.ସି.ଏ. ହଲରେ ସାଧାରଣ ସଭା ଓ ବକ୍ତୃତାମାନଙ୍କରେ ଯୋଗଦେବା ମୋର ଏକ ଅଭ୍ୟାସ ଥିଲା । ଆଉ ମଧ୍ୟ କଲେଜ ସ୍ୱୋୟାରରେ ସଭା ହେଲେ ଯାଉଥିଲି । ଥରେ ଗୋପାଳକୃଷ୍ଣ ଗୋଖଲେଙ୍କ ଭାଷଣ ଶୁଣିବା ପାଇଁ ମୁଁ କଲେଜ ସ୍କୋୟାର୍‍କୁ ଯାଇଥିଲି । ସୁରେନ୍ଦ୍ରନାଥ ବାନାର୍ଜୀଙ୍କଠାରୁ ତାଙ୍କର ବକ୍ତୃତା ଭିନ୍ନ ଧରଣର ଥିଲା । ସେ ଧୀର ସ୍ୱରରେ କହୁଥିଲେ ଏବଂ ସମସ୍ତ କଥା ଯୁକ୍ତିଦ୍ୱାରା ପ୍ରତିପାଦିତ କରିବାପାଇଁ ଚେଷ୍ଟା କରୁଥିଲେ । ସୁରେନ୍ଦ୍ରନାଥ ନିଜର ଗୁରୁଗମ୍ଭୀର ସ୍ୱରରେ ଶ୍ରୋତାବର୍ଗଙ୍କୁ ଯନ୍ତ୍ରବତ୍‍ ସ୍ତମ୍ଭିତ କରି ରଖୁଥିଲେ ।

 

୧୯୧୩ ମସିହାରେ ମୁଁ ବି. ଏସ୍‍ସି. ଅନର୍ସ ପରୀକ୍ଷା ଦେଇ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲି ଏବଂ ସେହିବର୍ଷ ଏମ୍‍. ଏସ୍‍ସି. ଶ୍ରେଣୀରେ ଯୋଗ ଦେଲି । ସେ କାଳରେ କଟକରେ ଓଡ଼ିଆ ପିପୁରସ୍‍ ଆସୋସିଏସନ୍‍ ନାମରେ ଏକ ସଂସ୍ଥା ଥିଲା । ସାହିତ୍ୟିକ ଓ ଆଇନଜୀବୀ ରାୟବାହାଦୂର ଭିକାରୀଚରଣ ପଟ୍ଟନାୟକ ଏହାର ସେକ୍ରେଟାରୀ ଥିଲେ । ଏହି ଆସୋସିଏସନ୍‍ ଜରିଆରେ ସ୍ନାତକୋତ୍ତର ବୃତ୍ତି ପାଇଁ ମୁଁ ବିହାର ଓ ଓଡ଼ିଶା ସରକାରଙ୍କୁ ଦରଖାସ୍ତ କଲି ଏବଂ ମାସିକ ୨୦ଟଙ୍କାର ବୃତ୍ତି ଲାଭ କଲି ।

 

ମାନମନ୍ଦିରରେ ସହକାରୀ

 

ପ୍ରେସିଡେନ୍‌ସି କଲେଜର ଗୋଟିଏ ମାନମନ୍ଦିର ଥିଲା । ଅର୍ଥଶାସ୍ତ୍ର ଅଧ୍ୟାପକ ଏହି ମାନମନ୍ଦିରର ଦାୟିତ୍ୱରେ ଥିଲେ । ମାନମନ୍ଦିରରେ ପୂରା ସମୟ ପାଇଁ ଜଣେ କର୍ମଚାରୀ ନିଯୁକ୍ତ ହୋଇଥାନ୍ତି ଏବଂ ଉପାଧ୍ୟୁତ୍ତର ଅଙ୍କଶାସ୍ତ୍ର ଶ୍ରେଣୀରୁ ଦୁଇଜଣ ଛାତ୍ର ସହକାରୀରୂପେ ବଛା ଯାଉଥିଲେ । ମୁଁ ଯେତେବେଳେ ଉପାଧ୍ୟୁତ୍ତର ଶ୍ରେଣୀରେ ଯୋଗଦେଲି ସେତେବେଳେ ଜଣେ ଛାତ୍ର ସହକାରୀ ଦରକାର ହୋଇଥିଲେ । ଓ ଆମର ଅଧ୍ୟାପକ ଡକ୍ଟର କଲ୍ଲିସ୍‍ଙ୍କ ପାଖକୁ ଯାଇ ଏଥିପାଇଁ ଆବେଦନ କଲି ଏବଂ ସେ ମୋତେ ବାଛିନେଲେ । ଏଥିପାଇଁ ମାସିକ ଭତ୍ତା ମିଳେ ୨୦ ଟଙ୍କା । କାମ କରିବାର ସମୟ ହେଉଛି ସନ୍ଧ୍ୟା ୭ଟାରୁ ୯ଟା ଏବଂ ସପ୍ତାହରେ ରବିବାରକୁ ଛାଡ଼ିଦେଲେ ଛ’ଦିନ । ଛାତ୍ର ଏବଂ ସାଧାରଣ ଲୋକେ ଏହି ମାନମନ୍ଦିରକୁ ନକ୍ଷତ୍ର ଓ ଅନ୍ୟାନ୍ୟ ଜ୍ୟୋତିଷମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବାପାଇଁ ଆସନ୍ତି । ଛାତ୍ର ସହକାରୀମାନଙ୍କର କର୍ତ୍ତବ୍ୟ ହେଉଛି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନଙ୍କୁ ଦେଖାଇବାରେ ସାହାଯ୍ୟ କରିବା ଏବଂ ରଖାଯାଇଥିବା ଅନ୍ୟାନ୍ୟ ଯନ୍ତ୍ରମାନଙ୍କ ସମ୍ପର୍କରେ ବୁଝାଇବା । ଶ୍ରୀ ବିଭୁତି ଭୂଷଣ ଦତ୍ତ ମୋର ଅନ୍ୟତମ ସହକାରୀ ଥିଲେ ଏବଂ ସେ ଅଙ୍କଶାସ୍ତ୍ରରେ ଏମ୍‍. ଏସ୍‍ସି. ଶେଷବର୍ଷରେ ଅଧ୍ୟୟନ କରୁଥିଲେ । ତାଙ୍କ ଘର ଚିଟାଗଙ୍ଗରେ ଓ ତାଙ୍କର ବଡ଼ଭାଇ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ଥିଲେ । ତାଙ୍କର ଜଣେ ସାନ ଭାଇ ଆଇ. ସି. ଏସ୍‍. ହୋଇଥିଲେ ଏବଂ ପରେ କୌଣସି ୟୁରୋପୀୟ ଦେଶରେ ଭାରତର ରାଷ୍ଟ୍ରଦୂତରୂପେ ନିଯୁକ୍ତି ପାଇଥିଲେ । ବିଭୂତିବାବୁ ଜଣେ ସରଳ ବନ୍ଧୁଭାବାପନ୍ନ ଲୋକ ଥିଲେ । ଆମେ ଦୁଇଜଣ ଖୁବ୍‍ ବନ୍ଧୁ ହୋଇଗଲୁ । ସେ ଏମ. ଏସ୍‍ସି. ପାଶ୍‍ କରି କଲିକତା ବିଶ୍ୱବିଦ୍ୟାଳୟରେ ଅଙ୍କଶାସ୍ତ୍ରରେ ଜଣେ ଅଧ୍ୟାପକ ରୂପେ ନିଯୁକ୍ତ ହେଲେ । ପରେ ମୁଁ କେମ୍ବ୍ରିଜରେ ଥିଲାବେଳେ ଶୁଣିଲି ଯେ ସେ ସନ୍ନ୍ୟାସୀ ହୋଇଯାଇଥିଲେ ଏବଂ ପୁଷ୍କର ହ୍ରଦ (ଆଜମୀର ନିକଟବର୍ତ୍ତୀ) ନିକଟରେ ତୀର୍ଥବାସ କରୁଥିଲେ । ୧୯୨୧ ମସିହାରେ ମୁଁ ଯେତେବେଳେ ଭାରତକୁ ଫେରିଆସି କୌଣସି ଏକ କାର୍ଯ୍ୟରେ ଲକ୍ଷ୍ନୌ ଯାଇଥିଲି ଅପ୍ରତ୍ୟାଶିତ ଭାବରେ ସେଠାରେ ବିଭୁତିବାବୁଙ୍କ ସହିତ ମୋର ଦେଖାହେଲା । ତାଙ୍କର ଜଣେ ଅନୁରକ୍ତ ଛାତ୍ର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଶ୍ରୀ ତ୍ରିପାଠୀଙ୍କ ନିମନ୍ତ୍ରଣ କ୍ରମେ ସେ ଲକ୍ଷ୍ନୌ ଆସିଥିଲେ । ଜଣେ ପୁରାତନ ବନ୍ଧୁଙ୍କ ସହିତ ଏତେଦିନ ପରେ ସାକ୍ଷାତ ହେବାର ଆନନ୍ଦ କୁହାଯାଇପାରିବ ନାହିଁ । ପ୍ରେସିଡେନ୍‌ସି କଲେଜର ପୁରୁଣା ଦିନଗୁଡ଼ିକ ସମ୍ପର୍କରେ ଆମେ ବହୁତ ସମୟ କଥାବାର୍ତ୍ତା ହେଲୁ ଏବଂ ମୁଁ ତାଙ୍କୁ ଆର୍ଥିକ ଦିଗରୁ ବା ଅନ୍ୟ କୌଣସି ଦିଗରୁ କିପରି ସାହାଯ୍ୟ କରିପାରେ ବୋଲି ପଚାରିଲି । ସେ ଜଣେ ସଚ୍ଚା ସନ୍ନ୍ୟାସୀ ଥିଲେ । ତେଣୁ କୌଣସି ସାହାଯ୍ୟ ଗ୍ରହଣ କରିବା ପାଇଁ ସେ ମନା କରିଦେଲେ । ତାଙ୍କ ସହିତ ଆଉ ମୋର ସାକ୍ଷାତ ହୋଇନାହିଁ । ସେ ଅଛନ୍ତି କି ମଲେଣି ମୁଁ କହିପାରିବି ନାହିଁ ।

 

ବର୍ତ୍ତମାନ ପାର୍ଥିବ ବିଷୟର ଆଲୋଚନା କରୁଛି । ସରକାରୀ ବୃତ୍ତି ଏବଂ ପ୍ରେସିଡେନ୍‌ସି କଲେଜ ମାନମନ୍ଦିରର ସହକାରୀ ଭାବରେ ମୋର ଭତ୍ତାମିଶି ମାସକୁ ୪୦ଟଙ୍କା ହେଉଥିଲା । ତେଣୁ ଶ୍ରୀ କାନୁନଗୋ ଓ ଶ୍ରୀ ଧରଙ୍କଠାରୁ ମୁଁ ଯେଉଁ ସାହାଯ୍ୟ ନେଉଥିଲି ତାହା ଆଉ ନେଲି ନାହିଁ-

 

ଗିରିଙ୍କ ଏଣ୍ଡି ଚାଦର

 

ଇଡେନ୍‍ ହିନ୍ଦୁ ହଷ୍ଟେଲରେ ରମେଶଚନ୍ଦ୍ର ପ୍ରଧାନ ନାମରେ ଓଡ଼ିଶାରୁ ନୂଆ ହୋଇ ଆସି ଜଣେ ଛାତ୍ର ରହୁଥିଲେ । ଅଙ୍କ ବିଷୟରେ ତାଙ୍କର ସାହାଯ୍ୟ ଦରକାର ହେଲା । ମାସିକ ୨୦ ଟଙ୍କାରେ ମୁଁ ସେ ଦାୟିତ୍ୱ ଗ୍ରହଣକଲି । ଏହିପରି ଭାବରେ ତିନୋଟି ସୂତ୍ରରୁ ମାସକୁ ୬୦ ଟଙ୍କା ପାଇ ମୁଁ ବେଶ୍‍ ଭଲଭାବରେ ରହିଲି ଏବଂ ସ୍କୁଲରେ ପଢ଼ୁଥିବା ମୋର ଜଣେ ଅଭାବଗ୍ରସ୍ତ ଦାଦିପୁଅ ଭାଇଙ୍କୁ କିଛି ସାହାଯ୍ୟ କରିପାରିଲି । ହିନ୍ଦୁ ହଷ୍ଟେଲର ଆଉ ଏକ ଘଟଣା ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ । ମୁଁ ପୂର୍ବରୁ କହିଛି ଯେ ବାଲେଶ୍ୱର ଦେବେନ୍ଦ୍ରନାଥ ଗିରି ନାମରେ ଆମର ଜଣେ ସମସାମୟିକ ଛାତ୍ର ଥିଲେ । ସେ ଦେଖିଲେ ମୋର କୌଣସି ପଶମ ରେଶମ ବା ଏଣ୍ଡିର ଗରମ ଚାଦର ନ ଥିଲା । ମୋଟା ସୂତା ଚାଦରରେ ଚଳିଯାଉଥିଲା ଏବଂ କିଛି ଗରମଲୁଗା ଦରକାର ହେଉ ନଥିଲା । ଦିନେ କଲେଜରୁ ଫେରିବାବେଳେ ଦେବେନ୍ଦ୍ରବାବୁ ଚିଠି ସହ ଖଣ୍ଡେ ଏଣ୍ଡି ଚାଦର ମୋ ଖଟଉପରେ ରଖି ଦେଇଯାଇଛନ୍ତି । ମୁଁ ଚାଦରଟି ନେଇ ତାଙ୍କ ପାଖକୁ ଗଲି ଏବଂ ଫେରାଇ ନେବାପାଇଁ କହିଲି । କିନ୍ତୁ ସେ ଏତେ ଜିଦ୍‍ କଲେ ସେ ବାଧ୍ୟ ହୋଇ ଧନ୍ୟବାଦ ସହ ତାହା ଗ୍ରହଣ କଲି । ପୂର୍ବରୁ କୁହାଯାଇଛି ଦେବେନ୍ଦ୍ରବାବୁ ଜଣେ ଆଇନଜୀବୀ ହୋଇଥିଲେ ଏବଂ ଭାରତୀୟ ଭେଷଜ ଉଦ୍ଭିଦମାନଙ୍କ ସମ୍ପର୍କରେ ଖୁବ୍‍ ଆଗ୍ରହୀ ଥିଲେ ।

 

ଏମ. ଏସ୍‍ସି. ପଢ଼ୁଥିବାବେଳେ ଗୋପବାବୁ (ଗୋପବନ୍ଧୁ ଚୌଧୁରୀ)ଙ୍କ ସହିତ ମୋର ବନ୍ଧୁତା ଜନ୍ମିଥିଲା । ସେ ଅଙ୍କଶାସ୍ତ୍ର ପଢ଼ୁଥିଲେ ଓ ମୋ’ଠାରୁ ବର୍ଷେ ଉପରେ ଥିଲେ । ବେଳେବେଳେ ମୁଁ ତାଙ୍କଠାରୁ ବହିପତ୍ର ମାଗି ଆଣୁଥିଲି ଏବଂ ପାଠ୍ୟବିଷୟରେ ତାଙ୍କ ସାହାଯ୍ୟ ନେଉଥିଲି । ସେହିପରି ହରିହର ବାବୁ (ହରିହର ଦାସ) ଏବଂ ମୁଁ ଏକତ୍ର ଅଙ୍କଶାସ୍ତ୍ର ଅଧ୍ୟୟନ କରୁଥିଲୁ । ସେ ମଧ୍ୟ ମୋ’ଠାରୁ ବର୍ଷେ ଉପରଶ୍ରେଣୀରେ ଥିଲେ ।

 

ବିଲାତରେ ପଢ଼ିବା ପାଇଁ ବୃତ୍ତି

 

ଏହି ସମୟରେ ବିହାରୀ ଓ ଓଡ଼ିଆ ଛାତ୍ରଙ୍କ ମଧ୍ୟରୁ ଜଣେ କାହାରି ନାମ ଡେପୁଟି ମାଜିଷ୍ଟ୍ରେଟ୍‍ ଚାକିରି ପାଇଁ ସୁପାରିଶ କରିବାକୁ ବିହାର ଓ ଓଡ଼ିଶା ସରକାର କଲିକତା ବିଶ୍ୱବିଦ୍ୟାଳୟକୁ ଅନୁରୋଧ କଲେ । ସାର୍‍ ଆଶୁତୋଷ ମୁଖାର୍ଜୀ । ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ଥିଲେ । ସାର୍‍ ଆଶୁତୋଷଙ୍କୁ ଦେଖା କରିବା ପାଇଁ ମୋତେ କେତେକ ପରାମର୍ଶ ଦେଲେ । ଦିନେ ମୋର ଜଣେ ବନ୍ଧୁ ଶ୍ରୀ ବାଙ୍କନିଧି ପଟ୍ଟନାୟକଙ୍କ ସହିତ ମୁଁ ତାଙ୍କ ପାଖକୁ ଗଲି । ସେତେବେଳେ ସାର୍‍ ଆଶୁତୋଷ ତେଲ ମାଲିସ୍‍ ହେଉଥିଲେ ଏବଂ ବହୁ ଲୋକ ତାଙ୍କୁ ଦେଖାକରିବା ପାଇଁ ଅପେକ୍ଷା କରିଥିଲେ । ଏତିକିବେଳେ ସେ କୁଆଡ଼େ ଦେଖା କରିବାକୁ ଚାହୁଁଥିବା ଲୋକମାନଙ୍କୁ ସାକ୍ଷାତ୍‍ କରନ୍ତି । ମୁଁ ଯାହା ଶୁଣିଥିଲି ତାହା ସତ ବୋଲି ଆଖିରେ ଦେଖିଲି । ସେ ଆମକୁ ଡାକିଲେ । ମୁଁ କାହିଁକି ଆସିଛି ବୋଲି କହିବାକୁ ସେ କହିଲେ ଯୋଗ୍ୟତା ଅନୁସାରେ ତାଙ୍କୁ ବିଚାର କରିବାକୁ ପଡ଼ିବ କିନ୍ତୁ ମୋ ବିଷୟରେ କ’ଣ କରାଯାଇପାରେ ସେ ଦେଖିବେ । ପଦାର୍ଥବିଜ୍ଞାନରେ ପ୍ରଥମ ଶ୍ରେଣୀ ଅନର୍ସ ପାଇଥିବା ଶ୍ରୀ କାମ୍‍ତା ପ୍ରସାଦଙ୍କ ନାମ ବିଶ୍ୱବିଦ୍ୟାଳୟ ସୁପାରିଶ କଲା । ସେ ଅଳ୍ପକାଳ ପାଇଁ ଡେପୁଟି ମାଜିଷ୍ଟ୍ରେଟ୍‌ ରହିଥିଲେ । କାରଣ ପରେ ବିହାର ଓ ଓଡ଼ିଶାର ଜଣେ ସ୍କଲର୍‍ଭାବେ ତାଙ୍କୁ ଇଂଲଣ୍ଡ ଯିବାପାଇଁ ମନୋନୀତ କରାଯାଇଥିଲା । ଏହି ସମୟରେ ବିହାର ଓ ଓଡ଼ିଶା ପ୍ରଦେଶ ସରକାର ଇଂଲଣ୍ଡକୁ କେତେଜଣ ଛାତ୍ରଙ୍କୁ ଉଚ୍ଚଶିକ୍ଷା ଲାଭପାଇଁ ପଠାଇବାକୁ ସ୍ଥିର କଲେ । ୧୯୧୪ ମସିହାରେ ସେମାନେ ତିନିଜଣ ଛାତ୍ରଙ୍କୁ ପଠାଇବାକୁ ନିଷ୍ପତ୍ତି କରିଥିଲେ । ସେଥିରୁ ଜଣେ ଓଡ଼ିଶାରୁ ଓ ଦୁଇଜଣ ବିହାରରୁ । ମୁଁ ପ୍ରେସିଡେନ୍‌ସି କଲେଜ ପ୍ରିନ୍‌ସିପାଲ ମିଷ୍ଟର ଏଚ୍‍. ଆର. ଜେମ୍‌ସ୍‌ଙ୍କ ଜରିଆରେ ଦରଖାସ୍ତ କଲି । ସେ ମୋର ଦରଖାସ୍ତକୁ ସୁପାରିଶ କରିଥିଲେ । ମୁଁ ଓଡ଼ିଶାରୁ ଏବଂ ଅବ୍‌ଦୁସ ସମଦ୍‍ ଖାଁ ଓ ଏସ୍‍. ଆର୍‍. ୟୁ. ଜମାନ୍‍ ବିହାରରୁ ବଛାଗଲେ । ୧୯୧୫ ସାଲରେ ଓଡ଼ିଶାରୁ ଏସ୍‍. ସି. ତ୍ରିପାଠୀ ଏବଂ ବିହାରରୁ କାମ୍‍ତା ପ୍ରସାଦ ଓ ଏ. ସି. ବାନାର୍ଜୀ ବଛାଗଲେ ।

 

ମୋର ଜାହାଜ ଟିକଟ କିଣା ହୋଇଗଲା । ଜୀବନ ଧାରଣ ପ୍ରଣାଳୀରେ ପରିବର୍ତ୍ତନ ପାଇଁ ମୋତେ ପ୍ରସ୍ତୁତ ହେବାକୁ ହେଲା । ନୂଆ ପୋଷାକ ଓ ଅନ୍ୟାନ୍ୟ ବ୍ୟାବହାରିକ ଜିନିଷ କିଣିବାରେ ବନ୍ଧୁମାନେ ସାହାଯ୍ୟ କଲେ । ଏଥିସହିତ ମୋର ପ୍ରଥମ ଜୋତା ହଳକ ବି ଥିଲା । ଯେତେବେଳେ ସବୁ ଠିକ୍‍ଠାକ୍‍ ହୋଇଗଲା ୧୯୧୪ ମସିହା ଅଗଷ୍ଟ ୧୦ ତାରିଖରେ ମୁଁ ବମ୍ବେ ଅଭିମୁଖେ କଲିକତା ଛାଡ଼ିଲି ଓ ୧୪ ତାରିଖ ସକାଳେ ସେଠାରୁ ଜାହାଜ ଧରିଲି । ଏହିପରି ଭାବରେ ମୋର ଶିକ୍ଷାଜୀବନର ଦ୍ୱିତୀୟ ଅଧ୍ୟାୟ ଶେଷ ହେଲା । ପ୍ରଥମ ଅଧ୍ୟାୟ ଶେଷ ହୋଇଥିଲା ୧୯୦୧ ମସିହାରେ ଯେତେବେଳେ ମୁଁ ତହସିଲଦାର୍‍ ଅଫିସରେ ନକଲ ନବିସ୍‍ କାମଛାଡ଼ି ବାଲିକୁଦା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଯୋଗ ଦେଇଥିଲି ।

 

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ

 

ମୁଁ ଏଠାରେ ଉଲ୍ଲେଖ କରିପାରେ ଯେ କେମ୍ବ୍ରିଜ ଉଦ୍ଦେଶ୍ୟରେ କଲିକତା ଛାଡ଼ିବାପୂର୍ବରୁ ମୋର ଆତ୍ମୀୟ ସ୍ୱଜନମାନଙ୍କଠାରୁ ବିଦାୟ ନେବାପାଇଁ ମୁଁ ଆମ ଗାଁ ଘରଠିକି ଯାଇଥିଲି । ସେମାନେ ସେଠାରେ କେତେକ ଧାର୍ମିକ ଉତ୍ସବର ଆୟୋଜନ କରିଥିଲେ । ତାହା ମଧ୍ୟରେ ଥିଲା ଝଙ୍କଡ଼ରେ ଥିବା ଶାରଳା ଠାକୁରାଣୀଙ୍କ ମନ୍ଦିରକୁ ଯିବା । ଆମ ପରିବାରରେ ଏପରିକି ଆମ ଗୋଷ୍ଠୀରେ ବୋଲି ମଧ୍ୟ କୁହାଯାଇପାରେ  ପାଠପଢ଼ା  ହେଉ କିମ୍ୱା ଯେ କୌଣସି ଶୁଭକାର୍ଯ୍ୟ ହେଉ ସେଥିରେ ଶାରଳା ଠାକୁରାଣୀଙ୍କ ପାଖକୁ ଯାଇ କଳାଶାଢ଼ି ଦେବା ଏକ ପ୍ରଥାରୂପେ ରହି ଆସିଥିଲା । ମୋ କ୍ଷେତ୍ରରେ ମଧ୍ୟ ତାହା ହିଁ ହେଲା ।

 

ପ୍ରଥମ ମହାଯୁଦ୍ଧ

 

କଲିକତାଠାରୁ ରେଲଯାତ୍ରା କରିବା ଆରମ୍ଭରେ ବହୁ ବନ୍ଧୁ ମୋତେ ବିଦାୟ ଦେବାପାଇଁ ଷ୍ଟେସନକୁ ଆସିଥିଲେ । କେତେ ତାରିଖରେ ମୁଁ କଲିକତା ଛାଡ଼ିଲି ମୋର ଠିକ୍‍ ମନେ ପଡ଼ୁନାହିଁ । ବୋଧହୁଏ ୧୯୧୪ ମସିହା ଅକ୍ଟୋବର ୧୦ ତାରିଖ ହେବ । ଏହା ପୂର୍ବରୁ ଆମର ବିଲାତ ଯାତ୍ରାର ଦିନ ଠିକ୍‍ କରାଯାଇଥିଲା । କିନ୍ତୁ ଜୁଲାଇ ୨୮ ତାରିଖରେ ଅଷ୍ଟ୍ରିଆ ସର୍ବିଆ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାରୁ ଏବଂ ୧୯୧୪ ମସିହା ଅଗଷ୍ଟ ୪ ତାରିଖରେ ଇଂଲଣ୍ଡ ଜର୍ମାନୀ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବାରୁ ଯାତ୍ରା ଦିନ ସ୍ଥଗିତ ରଖିବାକୁ ପଡ଼ିଥିଲା ।

 

ଓଡ଼ିଶାର ଅନ୍ୟ ଜଣେ ଛାତ୍ର ଶ୍ରୀ ସଚ୍ଚିଦାନନ୍ଦ ରାୟ ପାରଳାଖେମଣ୍ଡି ମହାରାଜଙ୍କ ବୃତ୍ତି ପାଇ ବିଲାତ ଯାଉଥିଲେ । ସେ ମଧ୍ୟ ମୋ ସହିତ ଥିଲେ । ତାଙ୍କର ଅକ୍‌ସ୍‌ଫୋଡ ବିଶ୍ୱବିଦ୍ୟାଳୟରେ ପଢ଼ିବାର ହେଲା । ସେଠାରେ ସେ ଇତିହାସ ଅଧ୍ୟୟନ କଲେ ଏବଂ ଫେରିବା ପରେ ପାରଳାଖେମଣ୍ଡି ମହାରାଜ କଲେଜର ପ୍ରିନ୍‌ସିପାଲ ଭାବରେ କେତେକ ବର୍ଷ କାର୍ଯ୍ୟ କଲେ । ପାରଳାଖେମଣ୍ଡି ଓଡ଼ିଶାରେ ମିଶିବାପରେ ସେ ରେଭେନ୍‌ସା କଲିଜିଏଟ୍‍ ସ୍କୁଲ ସମୂହର ଇନ୍‌ସପେ୍‍କଟର୍‍ ରେଭେନ୍‌ସା କଲେଜର ପ୍ରିନ୍‌ସିପାଲ୍‍ ଏବଂ ଶେଷରେ ଡି. ପି. ଆଇ. ହୋଇଥିଲେ-

 

ଆଚାଯ୍ୟ ଓ ମିଶ୍ରିତ ଶୈଳୀ

 

ସେହି ଗାଡ଼ିରେ ଯାତ୍ରା କରୁଥିଲେ ଭାରତ ସରକାରଙ୍କର ଜଣେ ବୃତ୍ତିଧାରୀ ଛାତ୍ର ଶ୍ରୀ ପ୍ରସନ୍ନ କୁମାର ଆଚାର୍ଯ୍ୟ । ସେ ପ୍ରାଚ୍ୟ ବିଦ୍ୟା ଅଧ୍ୟୟନ କରିବାପାଇଁ ଯାଉଥିଲେ । ବଙ୍ଗଳାର ବିଖ୍ୟାତ ସ୍ୱାଧୀନତା ସଂଗ୍ରାମର ଯୋଦ୍ଧା ଏବଂ ସୁବିଦିତ ହୋମିଓପାଥିକ୍‍ ଡାକ୍ତର ପ୍ରାଣକୃଷ୍ଣ ଆଚାର୍ଯ୍ୟଙ୍କର ସେ ପୁତୁରା । ଶ୍ରୀ ଆଚାର୍ଯ୍ୟ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ପ୍ରାଚ୍ୟବିଦ୍ୟା ବିଶେଷତଃ ସଂସ୍କୃତର ଅଧ୍ୟୟନ ପାଇଁ ଯାଉଥିଲେ । ଗାଡ଼ିରେ ଆମ ଉଭୟଙ୍କର ସାକ୍ଷାତ୍‍ ହେଲା ଏବଂ ବମ୍ବେରେ ଆମେ ଏକାଠି ରହିଲୁ । ଶ୍ରୀ ଆଚାର୍ଯ୍ୟ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ ଏବଂ ମୁଁ କେମ୍ବ୍ରିଜ ଗଲି । କିନ୍ତୁ ଛୁଟି ସମୟରେ ଆମେ ପରସ୍ପରକୁ ସାକ୍ଷାତ୍‍ କରୁଥିଲୁ । ଲଣ୍ଡନରେ ପଢ଼ା ଶେଷକରି ସେ ଲାଇଡେନ୍‍ ଯାଇଥିଲେ ଓ ସେଠାରୁ ଡକ୍‌ଟରେଟ୍‍ ପାଇଲେ । ଭାରତକୁ ଫେରିବା ପରେ ସେ ଆଇ. ଇ. ଏସ୍‍.ରେ ଯୋଗଦେଇ ଏହ୍ଲାବାଦ ମ୍ୟୁଅର୍‍ କଲେଜର ସଂସ୍କୃତ ଅଧ୍ୟାପକ ହୋଇଥିଲେ । ପରେ ଏହି କଲେଜ ଏହ୍ଲାବାଦ ବିଶ୍ୱବିଦ୍ୟାଳୟର ଅନ୍ତର୍ଭୁକ୍ତ ହେଲା । ଭାରତକୁ ଫେରିବାପରେ ଆମର ସେହିପରି ବନ୍ଧୁତା ରହିଥିଲା ଓ ବେଳେବେଳେ ଆମେ ପରସ୍ପରକୁ ସାକ୍ଷାତ୍‍ କରୁଥିଲୁ । ସଂସ୍କୃତରେ ଜଣେ ବିଦ୍ୱାନ ଭାବରେ ସେ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ ବିଦ୍ୟାପ୍ରତି ଅନୁରକ୍ତ ଥିଲେ । ସେ ଏହ୍ଲାବାଦଠାରେ ନିଜର ଗୋଟିଏ ଘର ତିଆରି କରିଥିଲେ । ସେହି ଘରଟି ବିଭିନ୍ନ ଶୈଳୀର ମିଶ୍ରଣ ବୋଲି କୁହାଯାଇପାରେ । ତାହାର ଗୋଟିଏ ଭାଗ ସାଞ୍ଚିସ୍ତୁପ ଶୈଳୀରେ ଅନ୍ୟ ଗୋଟିଏ ଭାଗ ଅନ୍ୟ ଗୋଟିଏ ଶୈଳୀରେ ଏବଂ ଆଉ ଗୋଟିଏ ଭାଗ ଆହୁରି ଏକ ଶୈଳୀରେ ନିର୍ମିତ ହୋଇଥିଲା । ସେ ତାଙ୍କର ବନ୍ଧୁମାନଙ୍କୁ ଏବଂ ସାକ୍ଷାତ୍‍ କରିବାକୁ ଯାଉଥିବା ବ୍ୟକ୍ତିଙ୍କୁ ଗର୍ବର ସହିତ ଏହା ଦେଖାଉଥିଲେ । ସତ କହିବାକୁ ଗଲେ ମୁଁ ଏପରି ମିଶ୍ରିତ ଶୈଳୀରେ ପ୍ରଭାବିତ ହୋଇପାରି ନଥିଲି । ତାଙ୍କର ବହି “Glories of India” ପ୍ରାଚୀନ ଭାରତୀୟ ସଂସ୍କୃତି କଳା ସାହିତ୍ୟ ଓ ଦର୍ଶନ ସଂପର୍କରେ ଲିଖିତ ।

 

ଜାହାଜ ଯାତ୍ରା

 

ବର୍ତ୍ତମାନ ଆମର ଜାହାଜ ଯାତ୍ରା ସଂପର୍କରେ ଉଲ୍ଲେଖ କରୁଛି । ୧୯୧୪ ମସିହା ଅଗଷ୍ଟ ୧୪ ତାରିଖ ଦିନ ଏସ୍‍. ଏସ୍‍. ମାଲୱା ନାମକ ୨୦ ହଜାର ଟନ୍‍ ବିଶିଷ୍ଟ ଜାହାଜରେ ଆମେ ଚଢ଼ିଲୁ-। ବିହାର ସରକାରଙ୍କ ଅନ୍ୟତମ ବୃତ୍ତିପ୍ରାପ୍ତ ଛାତ୍ର ଏସ୍‍. ଆର. ୟୁ. ଜମାନ ଆମ ସହିତ ଜାହାଜ ଚଢ଼ିଲେ । ଆମ ସଙ୍ଗରେ ଅନ୍ୟ ଯେଉଁମାନେ ଭାରତୀୟ ଥିଲେ ସେମାନଙ୍କ ମଧ୍ୟରୁ ଦୁଇଜଣ ଶିଖ ଛାତ୍ରଙ୍କର ନାମ ମୋର ମନେପଡ଼ୁଛି—ଏ. ଏସ୍‍. ଗରେୱାଲ ଓ ଜେ. ଏସ୍‍. ଗରେୱାଲ-। ଦୁଇଜଣଯାକ ଦୁଇ ଭାଇ । ସେମାନେ ଆଗରୁ ବିଲାତ ଯାଇ ପଢ଼ୁଥିଲେ ଏବଂ ଛୁଟିରେ ଘରକୁ ଆସି ବିଲାତକୁ ଫେରି ଯାଉଥିଲେ । ଆମର ଜାହାଜ ଏଡେନ୍‍ ପୋର୍ଟ ସୟଦ୍‍ ମାଲ୍‌ଟ ମାସେଲିସ୍‍ ଓ ଜିବ୍ରାଲଟରଠାରେ ରହିଲା । ସାମାନ୍ୟ ବୋଇତ ଚଢ଼ା ଅସୁସ୍ଥତା ବ୍ୟତୀତ ସମଗ୍ର ଯାତ୍ରାରେ ମୋର ବିଶେଷ କିଛି ହୋଇ ନାହିଁ । ପ୍ରତ୍ୟେକ ବନ୍ଦରରେ ଆମେ ଜାହାଜରୁ ଓହ୍ଲାଇ ସହର ଭିତରକୁ ଯାଉଥିଲୁ । ସବୁଠାରେ ଭାରତୀୟ ବ୍ୟବସାୟୀ ଥିଲେ । ଏପରି କି ଜିବ୍ରାଲ୍‌ରରେ ମଧ୍ୟ ଆମେ ଭାରତୀୟ ବ୍ୟବସାୟୀମାନଙ୍କୁ ଦେଖିଲୁ । ଆମର ଲଣ୍ଡନରେ ପହଞ୍ଚିବାର କଥା । କିନ୍ତୁ ଜାହାଜକୁ ସତର୍କ କରି ଦିଆଯାଇଥିଲା ଯେ ଇଂଲିଶ ପ୍ରଣାଳୀ ଭିତରେ ମାଇନ୍‍ ଖଞ୍ଜାଯାଇଛି; ଅର୍ଥାତ୍‍ ବୋମାମାନ ରଖାଯାଇଛି । ତେଣୁ ଜାହାଜ ଲଣ୍ଡନ ନ ଯାଇ ପ୍ଲାଇମାଉଥ୍‍ ଅଭିମୁଖେ ଗଲା-

 

ବମ୍ବେରୁ ପ୍ଲାଇମାଉଥ୍‍ ଲାଗିଲା କୋଡ଼ିଏ ଦିନ । ସେଠାରୁ ଆମେ ଗାଡ଼ିରେ ଲଣ୍ଡନ ଗଲୁ । ଇଂଲଣ୍ଡରେ ଗାଡ଼ିରେ ମାତ୍ର ଦୁଇଟି ଶ୍ରେଣୀ-ପ୍ରଥମ ଶ୍ରେଣୀ ଓ ତୃତୀୟ ଶ୍ରେଣୀ । ଅଧିକାଂଶ ଯାତ୍ରୀ ତୃତୀୟ ଶ୍ରେଣୀରେ ଯାଆନ୍ତି । କେବଳ ଲଣ୍ଡନଠାରୁ ଡୋଭର୍‍ ଯାଉଥିବା ଏକ୍‍ସପ୍ରେସ ଗାଡ଼ିରେ ତିନୋଟି ଶ୍ରେଣୀରେ ଥିଲା । ଜାହାଜ କମ୍ପାନୀ ଆମର ଟିକଟ କରିଥିଲେ । ଭାରତରୁ ଆସି ଏଠାରେ ସେପ୍‌ଟେମ୍ବର ମାସ ମଧ୍ୟ ଆମ ପକ୍ଷରେ ଅତିଶୟ ଥଣ୍ଡା ଜଣାଗଲା । ଯାତ୍ରା ସମୟରେ ସେପରି ବିଶେଷ କିଛି ସ୍ମରଣୀୟ ଘଟଣା ମୋର ମନେ ପଡ଼ୁନାହିଁ । କେବଳ ଯୁଦ୍ଧ ଘୋଷଣା ଯୋଗୁଁ ଯାହା ଏକ ଉତ୍ତେଜନାପୂର୍ଣ୍ଣ ବାତାବରଣ ଥିଲା । ଲଣ୍ଡନରେ ପହଞ୍ଚିବା ପରେ ଇଣ୍ଡିଆ ଅଫିସ୍‌ର ଜଣେ ଭଦ୍ରବ୍ୟକ୍ତି ମୋ ସହିତ ସାକ୍ଷାତ କରେ ଏବଂ ଯେଉଁ ହଷ୍ଟେଲରେ ନୂଆହୋଇ ଆସିଥିବା ଭାରତୀୟ ଛାତ୍ରମାନେ ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଯୋଗ ଦେବାପୂର୍ବରୁ ରହନ୍ତି ସେଠାରେ ମତେ ନେଇ ରଖାଇଲେ । ଫିଲ୍‌ଡ୍‌ ନାମକ ଜଣେ ବ୍ୟକ୍ତି ଏହି ଦାୟିତ୍ୱରେ ଥିଲେ-। ଗରେୱାଲ ଭ୍ରାତାଦ୍ୱୟ ଆମଠାରୁ ବିଦାୟ ନେଇ ଚାଲିଗଲେ । କାରଣ ସେମାନେ ବିଲାତରେ ନୂଆ ନ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଏ. ଏସ୍‍. ଗରେୱାଲ ଡାକ୍ତରୀ ପଢ଼ିଥିଲେ ଏବଂ ଅନ୍ୟ ଜଣକ ଜେ. ଏସ. ଗରେୱାଲ ପଶୁଚିକିତ୍ସା ବିଜ୍ଞାନ ପଢ଼ି ଉତ୍ତରଭାରତ କୌଣସି ଏକ ପ୍ରଦେଶରେ ଭେଟେରିନେରୀ ବିଭାଗରେ ଯୋଗ ଦେଇଥିଲେ । ଶେଷରେ ସେ ବିହାର-ଓଡ଼ିଶା ଭେଟେରିନେରୀ ସର୍ଭିସର ଡିରେକ୍ଟର ହୋଇଥିଲେ ।

 

ଅଳ୍ପଦିନପାଇଁ ଭାରତୀୟ ଛାତ୍ରମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ହଷ୍ଟେଲରେ ଆମକୁ ରଖାଗଲା । ସେଠାରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରସାୟନଶାସ୍ତ୍ର ଅଧ୍ୟୟନ କରୁଥିବା ଶ୍ରୀ ସୁରେଶ ଚନ୍ଦ୍ର ସେନ୍‍ଙ୍କ ସହିତ ମୋର ସାକ୍ଷାତ୍‍ ହେଲା । ଭାରତକୁ ଫେରିବା ପରେ ଦାର୍ଜିଲିଂଠାରେ ସେ ସରକାରୀ ସିଙ୍କୋନା ବଗିଚାରେ ରସାୟନ୍‍ବିଦ୍‍ ଭାବରେ ଯୋଗଦେଲେ । ପରେ କଲିକତାଠାରେ ଥିବା ଡାକ୍ତର ମହଲାନବିଶଙ୍କ ପରିସଂଖ୍ୟାନ ସଂସ୍ଥାର ଶାସନ ମୁଖ୍ୟଭାବରେ ସେ ଯୋଗଦେଇଥିଲେ ।

 

ସଚ୍ଚିଦାନନ୍ଦ ରାୟ ଅକ୍‌ସଫୋର୍ଡ ଗଲେ ଏବଂ ମୁଁ ଓ ଏସ. ଆର. ୟୁ. ଜମାନ ୧୯୧୪ ସେପ୍‌ଟେମ୍ବର ୧୪ ତାରିଖ ଦିନ କେମ୍ବ୍ରିଜ ଯାତ୍ରା କଲୁ । ଜମାନ ଟ୍ରିନିଟି କଲେଜରେ ଯୋଗଦେଲେ ଏବଂ ମୁଁ କ୍ରାଇଷ୍ଟ’ସ୍‍ କଲେଜରେ ଯୋଗ ଦେଲି । କ୍ରାଇଷ୍ଟ’ସ୍‍ କଲେଜର ଛାତ୍ର ସଂଖ୍ୟା ଦୁଇଶହ । ଟ୍ରିନିଟି ଓ ସେଣ୍ଟଜନ୍‌ସ୍‌ ତୁଳନାରେ ଏହା କ୍ଷୁଦ୍ର ହେଲେ ମଧ୍ୟ ଏକ ଐତିହାସିକ ଅନୁଷ୍ଠାନ । ଏଥିରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କ ମଧ୍ୟରେ ସାର୍‍ ଫିଲିପ୍‍ ସିଡ୍‍ନିଙ୍କ ନାମ ଉଲ୍ଲେଖଯୋଗ୍ୟ । ମାନବପ୍ରେମୀ ଏହି ବିଖ୍ୟାତ ସୈନିକ ନିଜେ ତୃଷାର୍ତ୍ତ ଥାଇ ମଧ୍ୟ ଆଉ ଜଣେ ତୃଷାର୍ତ୍ତ ସୈନିକଙ୍କୁ ପାଣି ଗିଲାସେ ଦେଇ କହିଥିଲେ “ମୋ ଅପେକ୍ଷା ତାଙ୍କର ଏହା ବେଶି ଦରକାର ।” କବି ମିଲଟନ୍‍ ଓ ଚାର୍ଲସ ଡାରୱାନ୍‍ ମଧ୍ୟ କ୍ରାଇଷ୍ଟ’ସ୍‍ କଲେଜର ଛାତ୍ର ଥିଲେ । ଏଠାରେ ମିଲଟନ୍‍ ଗୋଟିଏ ତୁତକୋଳି ଗଛର ଚାରାରୋପଣ କରିଥିଲେ । ଏବେ ସେ ଗଛଟି ଅଛି ଏବଂ ଭ୍ରମଣକାରୀମାନଙ୍କର ଦର୍ଶନୀୟ ବସ୍ତୁ ହୋଇ ରହିଛି । କଲେଜର ଖାଇବା ଘର କାନ୍ଥରେ ଏହି ସବୁ ବିଖ୍ୟାତ ଲୋକଙ୍କର ଛବି ଟଙ୍ଗାଯାଇଛି । ଥରେ ଅକ୍‌ସଫୋର୍ଡ କଲେଜର ଜଣେ ଫେଲୋ ଜଣେ କ୍ରାଇଷ୍ଟ’ସ୍‍ କଲେଜର ଫେଲୋ ସହିତ ଖାଉଥିବାବେଳର ଏକ କାହାଣୀ ଅଛି । ସେ ଏହିସବୁ ବଡ଼ ଲୋକଙ୍କର ଛବି ଦେଖି ବିଶ୍ୱାସ କରିପାରିଲେ ନାହିଁ ଯେ ସେମାନେ କ୍ରାଇଷ୍ଟ’ସ୍‍ କଲେଜର ଛାତ୍ର । ତେଣୁ ସେ ମାଷ୍ଟର (କଲେଜର ମୁଖ୍ୟ)ଙ୍କୁ ଏହି ମନ୍ତବ୍ୟ ପ୍ରକାଶ କଲେ “ଆମେ ଅକ୍‌ସଫୋର୍ଡ କେବଳ ସେଠାରେ ପଢ଼ୁଥିବା ଲୋକଙ୍କର ଚିତ୍ର ରଖୁ ।” ମାଷ୍ଟର ଉତ୍ତର ଦେଲେ “ଆମେ ମଧ୍ୟ ସେୟା କରୁ ।” ସେଥିରେ ଫେଲୋ ବଡ଼ ଅପ୍ରସ୍ତୁତ ହୋଇଗଲେ ।

 

ଭାରତୀୟମାନଙ୍କ ଦୃଷ୍ଟିରୁ କ୍ରାଇଷ୍ଟ’ସ୍‍ କଲେଜ ଏକ ଐତିହାସିକ ଅନୁଷ୍ଠାନ । କାରଣ କେମ୍ବ୍ରିଜର ଏହି କଲେଜ ପ୍ରଥମେ ଭାରତୀୟ ଛାତ୍ରମାନଙ୍କୁ ସେଠାରେ ନାମ ଲେଖାଇବାପାଇଁ ଅନୁମତି ଦେଇଥିଲା । ତା’ପରେ ସେଣ୍ଟଜନ୍‌ସ୍‌ କଲେଜରେ ଭାରତୀୟ ଛାତ୍ରମାନଙ୍କୁ ପଢ଼ିବାପାଇଁ ଅନୁମତି ମିଳିଲା । କ୍ରାଇଷ୍ଟ’ସ୍‍ କଲେଜ ଭାରତୀୟମାନଙ୍କୁ ଅନୁମତି ଦେବା ପୂର୍ବରୁ ସେମାନେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଭର୍ତ୍ତି ହୋଇ ପାରୁ ନଥିଲେ । ଏପରିକି ମୋ ସମୟରେ ସେଲ୍‌ଉଇନ କଲେଜ ଭାରତୀୟମାନଙ୍କୁ ଗ୍ରହଣ କରୁ ନଥିଲା । କାରଣ ସ୍ୱରୂପ ଦର୍ଶାଯାଉଥିଲା ଯେ ଏହା ଏକ ଖ୍ରୀଷ୍ଟାନ ଧର୍ମ ସମ୍ପର୍କୀୟ କଲେଜ । କ୍ରାଇଷ୍ଟ’ସ୍‍ କଲେଜ ଭାରତୀୟମାନଙ୍କୁ ପ୍ରଥମେ ଅନୁମତି ଦେଇଥିବାଯୋଗୁଁ ବହୁ ବିଶିଷ୍ଟ ଭାରତୀୟ ଏହି କଲେଜର ଛାତ୍ର ଥିଲେ । ଏଠାରେ ତତ୍କାଳୀନ ହାଇକୋର୍ଟ ଜଜ୍‍ ହୋଇଥିବା ଜଷ୍ଟିସ୍‍ ମହମ୍ମଦ ଆନନ୍ଦ ମୋହନ ବୋଷ ଏବଂ ସାର୍‍ ଜଗଦୀଶ ଚନ୍ଦ୍ର ବୋଷ ସାର୍‍ କେ. ରାମନି ମେନନ୍‍ (ମାଡ୍ରାସ୍‍ ପ୍ରେସିଡେନ୍‌ସି କଲେଜର ପ୍ରାଣୀତତ୍ତ୍ୱ ଅଧ୍ୟାପକ ଓ ପରେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର କୁଳପତି)ଙ୍କ ନାମ ଉଲ୍ଲେଖ କରାଯାଇପାରେ ।

 

ଏଠାରେ କେମ୍ବ୍ରିଜ କଲେଜର ସଂଗଠନ ସମ୍ପର୍କରେ ପାଠକମାନଙ୍କୁ କିଛି ଧାରଣା ଦେବା ଆବଶ୍ୟକ ମନେକରୁଛି । କଲେଜର ଅଧ୍ୟକ୍ଷଙ୍କୁ ସାଧାରଣତଃ ମାଷ୍ଟର କୁହାଯାଏ । ବେଳେ ବେଳେ ତାଙ୍କୁ ପ୍ରେସିଡେଣ୍ଟ ପ୍ରୋଭୋଷ୍ଟ ନାମରେ ମଧ୍ୟ ଡକା ଯାଇଥାଏ । ତାପରେ ଫେଲୋଜ୍‍ । ଏମାନଙ୍କର ସଂଖ୍ୟା ସବୁ କଲେଜରେ ସମାନ ନୁହେଁ । ମୋ ସମୟରେ ଖ୍ରୀଷ୍ଟ କଲେଜର ୧୪ ଜଣ ଫେଲୋ ଥିଲେ । ମାଷ୍ଟର ଫେଲୋମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଅଧିକାଂଶ ଫେଲୋ ନିର୍ବାଚିତ ବ୍ୟକ୍ତି । ଯଦି କୌଣସି ଶୂନ୍ୟସ୍ଥାନ ଥାଏ ତାହାହେଲେ ମାଷ୍ଟର ଓ ଅବଶିଷ୍ଟ ଫେଲୋମାନେ ଜଣେ ନୂଆ ଫେଲୋଙ୍କୁ ନିର୍ବାଚିତ କରନ୍ତି । ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟର ସବୁ ଅଧ୍ୟାପକ କୌଣସି ନା କୌଣସି କଲେଜର ଫେଲୋ ହେବା ଆବଶ୍ୟକ । ତେଣୁ ପ୍ରତ୍ୟେକ କଲେଜରେ ଅଧ୍ୟାପକ ଫେଲୋମାନଙ୍କୁ ଦେଖିବାକୁ ମିଳେ । ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ କଲେଜ ପାଇଁ ଅଧ୍ୟାପକ ଫେଲୋଙ୍କ ସଂଖ୍ୟା ନିରୂପଣ କରି ଦେଇଥାଏ । ଯଦି ନିରୂପଣ ସମୟରେ କୌଣସି କଲେଜରେ ଏଥିପାଇଁ ଶୂନ୍ୟସ୍ଥାନ ନ ଥାଏ ତାହାହେଲେ ଜଣେ ଅଧ୍ୟାପକଙ୍କୁ ଫେଲୋରୂପେ ନ ନେଇପାରୁଥିବା ଯୋଗୁଁ ସେହି କଲେଜକୁ କିଛି ବାର୍ଷିକ ଅର୍ଥ ଦେବାକୁ ପଡ଼େ । ଫେଲୋମାନଙ୍କର ଡାକ ନାମ ଡନ୍‍ । ଏମାନଙ୍କ ମଧ୍ୟରୁ ଜଣେ ଡିନ୍‍ ନିର୍ବାଚିତ ହୁଅନ୍ତି ଏବଂ ସେ କଲେଜର ଶୃଙ୍ଖଳା ରକ୍ଷାପାଇଁ ଦାୟୀ ରହନ୍ତି । ଯଦି କିଛି ଗୁରୁତର ବିଶୃଙ୍ଖଳା ଘଟିଲା ଡିନ୍‍ ଜଣେ ଛାତ୍ରଙ୍କୁ କଲେଜରୁ ଓ ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ କରି ଦେଇପାରନ୍ତି ।

 

ମୋ’ ସମୟରେ ମାଷ୍ଟର ଫେଲୋ ଏବଂ ଅଧ୍ୟାପକମାନଙ୍କର କାର୍ଯ୍ୟକାଳ ସାରାଜୀବନ ପାଇଁ ଥିଲା । ସୁତରାଂ ଯେତେବେଳେ ଥଟ୍ଟାରେ କୁହାଯାଉଥିଲା “ମୃତ୍ୟୁ ଇସ୍ତଫାଦାନ କିମ୍ବା ହତ୍ୟାଦ୍ୱାରା ହିଁ କେବଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇପାରେ ।” କିନ୍ତୁ ଏବେ ଏକ ବୟସଗତ ସୀମା ନିର୍ଦ୍ଧାରଣ କରାଯାଇଛି । ତାହା ହେଉଛି ୭୦ ବର୍ଷ ।

 

ପ୍ରତ୍ୟେକ କଲେଜର ଛାତ୍ର ସଂଖ୍ୟା ସୀମିତ । କ୍ରାଇଷ୍ଟ’ସ୍‍ କଲେଜର ଛାତ୍ର ସଂଖ୍ୟା ଥିଲା ଦୁଇଶହ । ଜଣେ ଛାତ୍ରକୁ କଲେଜରେ ଗୋଟିଏ ରୁମ୍‍ ନେଇ କିମ୍ବା କଲେଜ ଛାତ୍ର ରହିବାପାଇଁ ଲାଇସେନ୍‌ସ୍‌ପ୍ରାପ୍ତ ବସାଘରେ ରହିବାକୁ ପଡ଼ୁଥିଲା । କଲେଜରେ ସବୁ ଛାତ୍ରଙ୍କର ରହିବାପାଇଁ ଘର ନ ଥିବା ଯୋଗୁଁ କେତେକ ଛାତ୍ରଙ୍କୁ ଲାଇସେନ୍‌ସ୍ ପ୍ରାପ୍ତ ବସାଘରେ ରହିବାକୁ ପଡ଼ୁଥିଲା । ଅବଶ୍ୟ କ୍ରମାନ୍ୱୟରେ ବର୍ଷକ ପାଇଁ ପ୍ରତ୍ୟେକ ଛାତ୍ରକୁ କଲେଜରେ ଗୋଟିଏ ରୁମ୍‍ ମିଳୁଥିଲା । ଉପର ଶ୍ରେଣୀରେ ପଢ଼ିଥିବା ଛାତ୍ରମାନେ ଘର ଛାଡ଼ିଦେଉଥିବା ଓ ତଳେ ପଢ଼ିଥିବା ଛାତ୍ରମାନେ ସେଠାରେ ଆସି ରହୁଥିଲେ । କଲେଜରେ ଗୋଟିଏ ରୁମ୍‍ ବାସ୍ତବରେ ତିନୋଟି ରୁମ୍‍ର ସମାବେଶ ଥିଲା—ଗୋଟିଏ ଶୋଇବା ଘର ଗୋଟିଏ ବୈଠକଖାନା ଏବଂ ଗୋଟିଏ ବୈଠକଖାନା ପାଉଥିଲା । ଛାତ୍ରଙ୍କ ସଂଖ୍ୟା ବଢ଼ିଯିବା ପରେ ଏ ବ୍ୟବସ୍ଥାର ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ପ୍ରତ୍ୟେକ ଛାତ୍ର କେବଳ ଗୋଟିଏ ଘର ପାଉଛନ୍ତି । କେବଳ କ୍ରାଇଷ୍ଟ’ସ୍‍ କଲେଜର ଛାତ୍ର ସଂଖ୍ୟା ହେଉଛି ପାଞ୍ଚଶହ-

 

ଜଣେ ଛାତ୍ର କଲେଜରେ ରହୁ ବା ଲାଇସେନ୍‌ସ୍‌ପ୍ରାପ୍ତ ବସାଘରେ ରହୁ କଲେଜ ହଲରେ ତାକୁ ନିଶ୍ଚୟ ଖାଇବାକୁ ହେବ । ସେ କେବଳ ସପ୍ତାହରେ ଥରେ ଖାଇବାବେଳେ ଅନୁପସ୍ଥିତ ରହିପାରେ । ଯଦି ସେ ବେଶି ଅନୁପସ୍ଥିତ ରହେ ତାହାହେଲେ ତାକୁ ଖାଇବା ଚାର୍ଜଟା ଦେବାକୁ ପଡ଼େ । ଯଦି ଏପରି ଅନୁପସ୍ଥିତ ହେବାଟା ତାର ଅଭ୍ୟାସଗତ ହୋଇଗଲା ତାହାହେଲେ ତାକୁ ଡିନ୍‍ଙ୍କ ପାଖରେ କୈଫିୟତ୍‌ ଦେବାକୁ ପଡ଼ିବ । ଭୋଜନଶାଳାରେ “ଫ୍ରେସ୍‍ମେନ୍‍” (ପ୍ରଥମ ବାର୍ଷିକ ଛାତ୍ରମାନଙ୍କୁ Freshors କୁହାଯାଏ) କେନ୍ଦ୍ରସ୍ଥଳରେ ବସନ୍ତି । ଦ୍ୱିତୀୟ ବାର୍ଷିକ ଛାତ୍ରମାନେ ଘରଭିତରେ ପଶିଲେ କେନ୍ଦ୍ରର ବାମକୁ ଥିବା ଟେବୁଲ ପାଖରେ ବସନ୍ତି ଏବଂ ତୃତୀୟ ବାର୍ଷିକ ଛାତ୍ରମାନେ ଡାହାଣକୁ ବସନ୍ତି । ଭୋଜନଶାଳାରେ ଶେଷରେ ଗୋଟିଏ ଉନ୍ନତ ମଞ୍ଚ ଉପରେ ମାଷ୍ଟର ଓ ଫେଲୋମାନେ ବସନ୍ତି । କୌଣସି ବିଶିଷ୍ଟ ବ୍ୟକ୍ତି ଖାଇବାକୁ ନିମନ୍ତ୍ରିତ ହୋଇ ଆସିଲେ ସେ ଫେଲୋମାନଙ୍କ ସହିତ ବସି ଭୋଜନ କରନ୍ତି । ମୋ ସମୟରେ ଦକ୍ଷିଣ ଆଫ୍ରିକାର ଜେନେରାଲ୍‍ ସ୍ମଟସ୍‍ ଏହିପରି ନିମନ୍ତ୍ରିତ ହୋଇ ଆସିଥିଲେ ଏବଂ କଲେଜର ସେ ପୁରାତନ ଛାତ୍ରଥିବା ଯୋଗୁଁ ଛାତ୍ରମାନଙ୍କ ପକ୍ଷରୁ ବିପୁଳ ଆନନ୍ଦ ଧ୍ୱନିରେ ତାଙ୍କୁ ସ୍ୱାଗତ କରାଯାଇଥିଲା ।

 

ସ୍ନାତକୋତ୍ତର ଛାତ୍ରମାନେ କଲେଜ ଉପର ମହଲରେ ଥିବା ବାଲକୋନିରେ ଖାଉଥିଲେ-। କଲେଜ ଘରେ ରହୁଥିବା ଛାତ୍ରମାନେ ସେମାନଙ୍କର ପ୍ରାତଃଭୋଜନ ଓ ମଧ୍ୟାହ୍ନଭୋଜନ ନିଜ ରୁମ୍‌ରେ କରିବାରେ କୌଣସି ଆପତ୍ତି ନଥିଲା । ଧନୀ ଛାତ୍ରମାନେ କଲେଜ ପାକଶାଳାରୁ ସେମାନଙ୍କର ପ୍ରାତଃଭୋଜନ ଓ ମଧ୍ୟାହ୍ନଭୋଜନ ଅର୍ଡର ଦେଇ ମଗାଇ ପାରୁଥିଲେ । ଅନ୍ୟମାନେ ନିଜେ ନିଜେ ପରିଜ୍‍ ବା ଖିରାରନ୍ଧା ଏବଂ ଅଣ୍ଡା ସିଝାଇ ଖାଇବା ବ୍ୟବସ୍ଥା କରୁଥିଲେ । ଏ କାର୍ଯ୍ୟର ବେଳେ ବେଳେ ଜିପ୍‍ (gyp) ମାନେ ତାଙ୍କୁ ସାହାଯ୍ୟ କରୁଥିଲେ । ଗୋଟିଏ ସିଡ଼ି (ଷ୍ଟେୟର୍‍କେସ୍‍) ୪ଟି ବା ୫ଟି ରୁମ୍‍ପାଇଁ ଥାଏ । ଏପରି ଦୁଇଟି ସିଡ଼ିରେ ଥିବା ରୁମ୍‍ମାନଙ୍କର ବୁଝା ଶୁଣା କରିବା ଚାକରର ନାମ ହେଉଛି ଜିପ୍‍ । ପାଞ୍ଚଜଣ ଛାତ୍ର ସେଠାରେ ରହନ୍ତି । ଏହି ଚାକରକୁ ତା’ର ସ୍ତ୍ରୀ ମଧ୍ୟ ସାହାଯ୍ୟ କରେ । ମୁଁ ଯେତେବେଳେ କଲେଜରେ ରହିଲି ମୋ ସିଡ଼ିର ନମ୍ବର ଥିଲା ‘ଏମ୍‍’-। ମୁଁ ସବା ଉପର ରୁମରେ ରହୁଥିଲି । ମୋର ଜିପ୍‍ର ନାମ ଥିଲା ବେନେଟ୍‍ । ଆମ ଦୁହିଁଙ୍କ ଭିତରେ ଭଲ ପଡ଼ୁଥିଲା ଏବଂ ସେ ଥରେ ତା’ ଘରକୁ ମତେ ଚାହା ଖାଇବାପାଇଁ ଡାକିଥିଲା ।

 

ଜଣେ ଛାତ୍ର କଲେଜରେ ରହୁ ବା ଲାଇସେନ୍‌ସ ପ୍ରାପ୍ତ ବସାଘରେ ରହୁ ଦଶଟା ପୂର୍ବରୁ ତାକୁ ନିଜ ରୁମ୍‍କୁ ଫେରିଆସିବାକୁ ହେବ । ଯଦି ଡେରି ହେଲା ତାହାହେଲେ ଜୋରିମାନା ଦେବାକୁ ପଡ଼ିବ । ଦଶଟାଠାରୁ ଏଗାରଟା ଭିତରେ ଆସିଲେ ତିନି ପେନ୍‌ସ୍‌ ଦଶଟାରୁ ବାରଟା ଭିତରେ ଆସିଲେ ଚାରି ପେନ୍‌ସ୍‌ ଦେବାକୁ ପଡ଼ୁଥିଲା । ବାରଟା ପରେ ଆସିଲେ ତାହାକୁ ଏକ ଗୁରୁତର ଅପରାଧ ବୋଲି ବିଚାର କରାଯାଉଥିଲା । ବାରମ୍ବାର ଏପରି ଆସିଲେ କଲେଜରୁ ବହିଷ୍କୃତ କରାଯାଉଥିଲା । ସପ୍ତାହରେ କେତେକ ଦିନ ଅବଶ୍ୟ ଛାତ୍ରମାନଙ୍କର ଡେରିରେ ଫେରିବାରେ ଆପତ୍ତି ନ ଥିଲା । ମୋର ଜଣେ ସମକାଳୀନ ଛାତ୍ରଙ୍କ କଥା ମନେପଡ଼ୁଛି । ମୈମନ ସିଂର ଅନ୍‍ୱାରୁଲ ଆଜିମ୍‍; ତାଙ୍କର କେବେହେଲେ ଡେରି ହୋଇ ନଥିଲା । ଡିନ୍‍ ତାଙ୍କୁ ଡକାଇ ପଠାଇ ପଚାରିଲେ ତୁମର କ’ଣ କେହି ବନ୍ଧୁ ନାହାନ୍ତି ନା ତୁମେ କାହା ସହିତ ମିଶାମିଶି କର ନାହିଁ ? କାହିଁ ତମର ତ ଦିନେ ହେଲେ ସନ୍ଧ୍ୟାବେଳେ ଡେରି ହେଉନାହିଁ !

 

କଲେଜ ଗେଟ୍‍ ଓ ଲାଇସେନ୍‌ସ୍‌ ପ୍ରାପ୍ତ ବସାଘରର ଦ୍ୱାର ସବୁ ଠିକ୍‍ ଦଶଟାବେଳେ ପଡ଼ି ଯାଉଥିଲା । ପୋର୍ଟର ବା ଦ୍ୱାରରକ୍ଷକ ଡେରିରେ ଫେରୁଥିବା ସବୁ ଛାତ୍ରଙ୍କ ନାମ ଲେଖି ରଖୁଥିଲା । ବସାଗୃହର ମାଲିକାଣୀ ଡେରିରେ ଫେରୁଥିବା ସମସ୍ତଙ୍କର ନାମ କଲେଜକୁ ରିପୋର୍ଟ କରୁଥିଲା । ତା’ ନହେଲେ ତା’ର ଲାଇସେନ୍‌ସ୍‌ କଟିଯାଆନ୍ତା । ପୋର୍ଟରମାନେ ଖୁବ୍‍ ଭଲପୋଷାକ ପିନ୍ଧୁଥିଲେ-। ରବିବାର ଦିନ ସକାଳୁଆ ସେମାନେ କୋଟ ଓ ଉଚ୍ଚା ଟୋପି ପିନ୍ଧୁଥିଲେ । ପ୍ରକୃତରେ ସେମାନେ ଡନ୍‍ମାନଙ୍କଠାରୁ ଭଲ ପୋଷାକ ପିନ୍ଧନ୍ତି । ନୂଆ ଛାତ୍ରମାନଙ୍କର କ’ଣ କରିବା ଉଚିତ ନୁହେଁ ସେ ସଂପର୍କରେ ଏକ ପୁସ୍ତିକା ପ୍ରକାଶିତ ହୁଏ । ସାଧାରଣତଃ ନୂଆ ହୋଇ ଯୋଗ ଦେଉଥିବା ଛାତ୍ରମାନେ କେତେକ ସାଧାରଣ ଭୁଲ୍ କରନ୍ତି । ତାହାର ସଂଶୋଧନ ପାଇଁ ଏହି ପୁସ୍ତିକା ଉଦ୍ଦିଷ୍ଟ-। ସେଥିରେ ଗୋଟିଏ ବିଷୟ ହେଲା “ପୋର୍ଟରକୁ ଦେଖି ଡନ୍‍ ବୋଲି ଭୁଲ୍ ବୁଝିବା ନାହିଁ ଡନ୍‍ ଅପେକ୍ଷା ପୋର୍ଟର ଭଲ ପୋଷାକ ପିନ୍ଧେ ।”

 

ଯାହାହେଉ ପୋର୍ଟର ଓ ବସାଘରମାନଙ୍କର ମାଲିକାଣୀଙ୍କ ସମେତ ସମସ୍ତେ ଖୁବ୍‍ କଠୋରଭାବରେ ନିୟମ ମାନି ଚଳନ୍ତି । ଭାରତୀୟମାନେ ଏଇଟା ବିଶେଷ ଭାବେ ଲକ୍ଷ୍ୟ କରନ୍ତି କାରଣ ସ୍ୱଭାବତଃ ସେମାନେ ହୁଗୁଳା କାରବାରରେ ଅଭ୍ୟସ୍ତ ।

 

ଟ୍ୟୁଟର୍‍ ପ୍ରଥା ଓ ନାଳନ୍ଦୀୟ ବ୍ୟବସ୍ଥା

 

ଶିକ୍ଷା କ୍ଷେତ୍ରରେ ଛାତ୍ରମାନଙ୍କର ତତ୍ତ୍ୱାବଧାନ କରିବାର ଦାୟିତ୍ୱ ଥାଏ ଟ୍ୟୁଟର୍‍ମାନଙ୍କ ଉପରେ । ପ୍ରତ୍ୟେକ ଛାତ୍ରଙ୍କୁ ଜଣେ ଟ୍ୟୁଟର୍‍ଙ୍କ ତତ୍ତ୍ୱାବଧାନରେ ରହିବାକୁ ପଡ଼େ । ଟ୍ୟୁଟର୍‌ ଉଭୟ ତଳ ଓ ଉପର ଶ୍ରେଣୀର ଛାତ୍ରଙ୍କୁ ଦେଖା ଚାହାଁ କରନ୍ତି । ସପ୍ତାହରେ ଥରେ ପ୍ରତ୍ୟେକ ଛାତ୍ରଙ୍କୁ ସାକ୍ଷାତ୍‍ କରି ସେ ତାଙ୍କର ସୁବିଧା ଅସୁବିଧା କଥା ପଚାରି ବୁଝନ୍ତି । ଛାତ୍ରଙ୍କ ରହିବାପାଇଁ କଲେଜରେ ବା ବାସଗୃହରେ ସେ ବନ୍ଦୋବସ୍ତ କରୁଥିଲେ ଏବଂ କେମ୍ବ୍ରିଜ୍‍ ଛାଡ଼ିବାପାଇଁ ଅନୁମତି ପତ୍ର ଦେଉଥିଲେ । ଏହି ଅନୁମତି ପତ୍ରକୁ ଏକଜିଆଟ୍‍ (Exeat) କୁହାଯାଉଥିଲା । ଏହାର ଲାଟିନ ଅର୍ଥ ହେଉଛି—ସେ ବାହାରକୁ ଯାଉ । ବିନା ଅନୁମତି ପତ୍ରରେ କେମ୍ବ୍ରିଜ ଛାଡ଼ି ଯିବା ବିଶୃଙ୍ଖଳା ବୋଲି ମନେ କରାଯାଉଥିଲା । ଯଦି କୌଣସି ଛାତ୍ର ତାଙ୍କ ପାଠ୍ୟ ବିଷୟରେ କିଛି ସାହାଯ୍ୟ ପାଇବା ଆବଶ୍ୟକ ବୋଲି ଟ୍ୟୁଟର୍‍ଙ୍କର ମନେ ହେଉଥିଲ ତାହାହେଲେ ସେ ଜଣେ ତତ୍ତ୍ୱାବଧାରକ ନିଯୁକ୍ତ କରୁଥିଲେ । ସପ୍ତାହରେ ଥରେ କିମ୍ବା ଦୁଇ ଥର ତତ୍ତ୍ୱାବଧାରକ ମଧ୍ୟ ଛାତ୍ରଙ୍କ କୋଠରୀକୁ ଆସନ୍ତି ।

 

ବିଖ୍ୟାତ ପ୍ରାଣୀତତ୍ତ୍ୱବିଦ୍‌ ଡକ୍ଟର ଏଫ୍‌. ଏଚ୍‍. ଏ. ମାର୍ଶାଲ୍‍ ମୋର ଟ୍ୟୁଟର୍‍ ଥିଲେ ଏବଂ ଉଦ୍ଭିଦ ବିଜ୍ଞାନରେ ମୋର ତତ୍ତ୍ୱାବଧାରକ ଥିଲେ ଅଧ୍ୟାପକ ଏଫ. ଟି. ବ୍ରୁକ୍‌ସ୍‌ ଏଫ୍‍ ଆର. ଏସ୍‍. । ବେଳେବେଳେ ଟ୍ୟୁଟରମାନେ ତାଙ୍କ ମାର୍ଫତ୍‌ରେ ଥିବା ଛାତ୍ରମାନଙ୍କୁ ଚା’ପାନ ବା ମଧ୍ୟାହ୍ନଭୋଜନପାଇଁ ନିମନ୍ତ୍ରଣ କରନ୍ତି । ମୋ ଟ୍ୟୁଟର୍‍ଙ୍କ ସହିତ ମଧ୍ୟାହ୍ନଭୋଜନ କରିବାର ଏକ କାହାଣୀ ଏଠାରେ ଉଲ୍ଲେଖ ନ କରି ମୁଁ ରହି ପାରୁନାହିଁ । ଡକ୍ଟର ମାର୍ଶାଲ ଜଣେ ଅବିବାହିତ ବ୍ୟକ୍ତି ଥିଲେ ଏବଂ କଲେଜରେ ଥିବା ତାଙ୍କ ବାସଗୃହକୁ ମୋତେ ମଧ୍ୟାହ୍ନଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ଖାଇବା ପୂର୍ବରୁ ମୋତେ ସେ ସାମ୍ପେନ (ଈଷତ୍‍ ହଳଦିଆ ରଙ୍ଗର ମଦ୍ୟ) ଯାଚିବାବେଳେ ମୁଁ ମନା କରି କହିଲି “ମୁଁ ମଦ ଖାଏ ନାହିଁ ।” ଖାଇବା ପରେ ସେ ମୋତେ ସିଗାରେଟ ଯାଚିଲେ । ମୁଁ କହିଲି “ମୁଁ ଧୂମ୍ରପାନ କରେ ନାହଁ ।” ସେ ଥଟ୍ଟାରେ କହିଲେ “ତାହା ହେଲେ ତୁମେ ଜଣେ ନିଷ୍ପାପ ପଶୁ ।”

 

ରେଭେନ୍‍ସା କଲେଜ ଓ ଟ୍ୟୁଟର ପ୍ରଥା

 

ଏପରି ଟ୍ୟୁଟରମାନଙ୍କ ବ୍ୟବସ୍ଥା ବାସ୍ତବିକ ଏକ ଭଲ ସଂସ୍ଥା; କାରଣ ଏତଦ୍ଦ୍ୱାରା ଶିକ୍ଷକ ଓ ଛାତ୍ରମାନେ ପରସ୍ପର ନିକଟ ସଂପର୍କରେ ଆସିପାରୁଥିଲେ । ଆମ କଲେଜରେ ଯେଭଳି ସବୁ ଟ୍ୟୁଟୋରିଆଲ୍‍ ଶ୍ରେଣୀର ବ୍ୟବସ୍ଥା ଅଛି ଏହା ତା’ଠାରୁ ଭିନ୍ନ । ମୁଁ ଯେତେବେଳେ ରେଭେନ୍‌ସା କଲେଜରେ ଥିଲି ଡକ୍ଟର ବାବା କର୍ତ୍ତାରସିଂ ଯେ କି କେମ୍ବ୍ରିଜରେ ଥିଲେ ସେ ଓ ମୁଁ କେମ୍ବ୍ରିଜ୍‍ର ଟ୍ୟୁଟୋରିଆଲ୍‍ ପ୍ରଣାଳୀ ଚଳାଇବାପାଇଁ ଚେଷ୍ଟାକଲୁ । ଆଗେ ଛାତ୍ରମାନଙ୍କୁ ଏକ ସମବିଭାଜନ ପ୍ରଣାଳୀରେ (Vertical dividing line) କେତେଗୁଡ଼ିଏ ଗୋଷ୍ଠୀରେ ବିଭକ୍ତ କଲୁ । ସେଥିରେ ତଳ ଓ ଉପର ଶ୍ରେଣୀର ଛାତ୍ର ଏକାଠି ରହିଲେ ଏବଂ ପ୍ରତ୍ୟେକ ଗୋଷ୍ଠୀକୁ ଜଣେ ଜଣେ ଅଧ୍ୟାପକଙ୍କ ଦାୟିତ୍ୱରେ ରଖାଗଲା । ଏହି ଅଧ୍ୟାପକ ଛାତ୍ରଙ୍କୁ ସପ୍ତାହରେ ଥରେ ସାକ୍ଷାତ କରି ଓ ତାଙ୍କର ସୁବିଧା ଅସୁବିଧା ବୁଝିବା ଦାୟିତ୍ୱରେ ରହିଲେ । ଏପରିକି ଛାତ୍ରମାନେ ରହୁଥିବା ବସାଘରକୁ ଯାଇ ସେମାନଙ୍କ ହାଲ୍‍ଚାଲ୍‍ ବୁଝିବାପାଇଁ ଅଧ୍ୟାପକମାନଙ୍କୁ ଅନୁରୋଧ କରାଗଲା । ଏହି ପ୍ରଣାଳୀ ଅଧ୍ୟାପକମାନଙ୍କର ଆଗ୍ରହ ଥିବା ପର୍ଯ୍ୟନ୍ତ ଭଲଭାବରେ ଚାଲିଲା । ବର୍ତ୍ତମାନ ଏହା କିପରି ଚାଲିଛି କହିପାରିବି ନାହିଁ ।

 

କେମ୍ବ୍ରିଜର ବିଭିନ୍ନ କଲେଜ ଛାତ୍ରମାନଙ୍କୁ ଯୋଗ୍ୟତା ବୃତ୍ତି ଦେଉଥିଲେ । ଏହି ବୃତ୍ତିକୁ ସ୍କଲର୍‌ସିପ୍‍ ଓ ର୍ବ୍ରୁ-ରସିପ୍‍ (Bursaiship) କୁହାଯାଏ । ସାଧାରଣତଃ ପ୍ରଥମଶ୍ରେଣୀର ଛାତ୍ରମାନେ ସ୍କଲର୍‍ସିପ୍‍ ପାଉଥିଲେ । ସ୍କଲର୍‌ର କର୍ତ୍ତବ୍ୟ ମଧ୍ୟରେ ଗୋଟିଏ ଥିଲା—କଲେଜ ହଲରେ ରାତ୍ରିଭୋଜନର ଆରମ୍ଭରେ ଲାଟିନ୍‍ ଭାଷାରେ ପ୍ରାର୍ଥନା ପାଠକରିବା । ସ୍କୁଲର ଭାବରେ ବଛା ହେବାପରେ ଛାତ୍ରକୁ ଲାଟିନରେ ଶପଥ ପାଠ କରିବାକୁ ହେଉଥିଲା । ମୁଁ ଯେତେବେଳେ ଜଣେ ସ୍କଲର୍‍ ଭାବରେ ନିର୍ବାଚିତ ହେଲି ଡିନ୍‍ଙ୍କ ପାଖରେ ଲାଟିନରେ ମୋତେ ଶପଥପାଠ କରିବାକୁ ହୋଇଥିଲା ଯଦିଓ ମୋର ଲାଟିନ୍‍ ଜ୍ଞାନ ଆଦୌ ନଥିଲା । ଲାଟିନ୍‍ ଶବ୍ଦଗୁଡ଼ିକ ଭଲଭାବରେ ଉଚ୍ଚାରଣ କରିବା ପାଇଁ ମୋତେ ବାରମ୍ବାର ଆବୃତ୍ତି କରିବାକୁ ହୋଇଥିଲା । ମୁଁ ଭାରତ ସରକାରଙ୍କଠାରୁ ବୃତ୍ତି ପାଉଥିବାଯୋଗୁଁ ମୋର ସ୍କଲର୍‍ ପଦବୀ ଅବୈତନିକ ଥିଲା ।

 

ଅଧିକାଂଶ ଛାତ୍ର ବିଶ୍ୱବିଦ୍ୟାଳୟରେ ନିଜ ନିଜ ଶ୍ରେଣୀରେ ଯୋଗ ଦେଉଥିଲେ । ବେଳେବେଳେ କୌଣସି ବିଷୟରେ ଫେଲୋମାନଙ୍କ ମଧ୍ୟରେ ବିଶେଷଜ୍ଞ ଥିଲେ କଲେଜରେ ବିଶେଷ କ୍ଲାସ ହେଉଥିଲା । ଆମ କଲେଜରେ ଅଙ୍କଶାସ୍ତ୍ର ଓ ପ୍ରାଚ୍ୟଭାଷାରେ ଅଧ୍ୟାପକମାନେ ଥିଲେ । ଆମର ସିନିଅର୍‍ ଟ୍ୟୁଟର୍‍ ଜଣେ ଭାଷାବିତ୍‍ ଥିଲେ ଏବଂ ସେ ହିବ୍ରୁ ଭାଷା ଓ ସିରୀୟ ଭାଷା ଜାଣିଥିଲେ ।

 

ଶିପଲେ ଓ ସୈତାନ

 

ଟ୍ୟୁଟର୍‌ମାନେ ତ ବେଳେବେଳେ ନିମନ୍ତ୍ରଣ କରୁଥିଲେ ମାଷ୍ଟର ଓ ଡିନ୍‍ ମଧ୍ୟ ପୃଥକ୍‍ ପୃଥକ୍‍ଭାବରେ ସପ୍ତାହର ଶେଷଦିନରେ ଛାତ୍ରମାନଙ୍କୁ ନିମନ୍ତ୍ରଣ କରୁଥିଲେ । ସେଦିନ ସନ୍ଧ୍ୟାରେ ଯେ କୌଣସି ସମୟରେ ଛାତ୍ରମାନେ ସେମାନଙ୍କ ଘରକୁ ଯାଇ ଚା କଫି କିମ୍ବା ଜଳଖିଆ ଖାଇବାର ନିମନ୍ତ୍ରଣ ରହିଥିଲା ।

 

ମୋ’ ସମୟରେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‍ ସାର୍‍ ଆର୍ଥର୍‍ ଶିପ୍‍ଲେ ଏଫ.ଆର୍‍. ଏସ୍‍. ଆମ କଲେଜର ମାଷ୍ଟର ଥିଲେ । ମାଷ୍ଟରମାନେ ସିନିଅରିଟି ଅନୁଯାୟୀ କୁଳପତି ହେବାର କଥା ଥିବାରୁ ସାର୍‍ ଆର୍ଥର୍‍ ଥରକ ପାଇଁ କୁଳପତି ହୋଇଥିଲେ । ସେ ଭାରି ମୋଟାଲୋକ ଥିବାଯୋଗୁଁ ଆସ୍ତେ ଚାଲୁଥିଲେ । ଥରେ ମୁଁ ଗେଟ୍‍ ପାଖରେ ଠିଆହୋଇଛି ପଦାର୍ଥ ବିଜ୍ଞାନରେ ଆମର ଶିକ୍ଷକ ଡକ୍ଟର ଜି. ଏଫ. ସି ସର୍ତ୍ତ ଏଫ. ଆର୍‍. ଏସ୍‍. ସେ ବାଟରେ ଯାଉଥିଲେ । ମୋତେ ଦେଖି ମୋ ସହିତ କଥାବାର୍ତ୍ତା କରିବାପାଇଁ ସେ ରହିଗଲେ । ଆମେ କଥାବାର୍ତ୍ତା କରୁଥିବାବେଳେ ମାଷ୍ଟର ତାଙ୍କର ବସାଘରକୁ କଲେଜର ପ୍ରଥମ ଅଙ୍ଗନ (First Court) ଦେଇ ଯାଉଥିଲେ । ଡକ୍ଟର ସର୍ଲ ତାଙ୍କୁ ଦେଖି ମନ୍ତବ୍ୟ କଲେ ତୁମର ମାଷ୍ଟର ଭାବନ୍ତି ଯେ ସେ ବିଶ୍ୱବିଦ୍ୟାଳୟକୁ ଚଳାଉଛନ୍ତି । କିନ୍ତୁ ସେ ଯେପରି ଚାଲିଛନ୍ତି ବିଶ୍ୱବିଦ୍ୟାଳୟ ଠିକ୍‍ ସେହିପରି ଚାଲିଛି । (Your master thinks her running the Univerisity but the Univerisity run no more alone runs) ସେ ଯାହାହେଉ ଆମର ମାଷ୍ଟର ଜଣେ କୌତୁକିଆ ଲୋକ ଥିଲେ । ଅତୀତର କଥା କହିଗଲାବେଳେ ତାଙ୍କ ବିରୁଦ୍ଧରେ ଯାଉଥିବା କେତେକ କଥା ସେ ବେଳେବେଳେ କହିଦିଅନ୍ତି । ତାଙ୍କର ଯୌବନ ସମୟରେ ସେ ଅଧ୍ୟାପକ ଥିବାବେଳେ ପ୍ରାଣତତ୍ତ୍ୱ ବିଭାଗର ମୁଖ୍ୟ ଅଧ୍ୟାପକଙ୍କ ସହ ଦେଖା କରିବାପାଇଁ ଜଣେ ଭଦ୍ର ମହିଳା ଥିଲେ । ଯେତେବେଳେ ସହକାରୀ ପରୀକ୍ଷାଗାରରେ ଅଧ୍ୟାପକଙ୍କୁ ଏହି କଥା କହିଲେ ମୁଖ୍ୟ ଅଧ୍ୟାପକ ଅତି ବିରକ୍ତ ସ୍ୱରରେ ସହକାରୀଙ୍କୁ ଉତ୍ତର ଦେଲେ ଯେ ତାଙ୍କୁ ଶିପଲେ ପାଖରେ ପହଞ୍ଚାଇ ଦିଅ । ସହକାରୀ ଡକ୍ଟର ଶିପଲେଙ୍କ ପାଖରେ ମହିଳାଙ୍କୁ ପହଞ୍ଚାଇଦେଲେ ।

 

ଜେମେଜିଲ୍‍

 

ଡକ୍ଟର ସର୍ଲଙ୍କ ନାମ ପୂର୍ବରୁ ଉଲ୍ଲେଖ କରିବାଯୋଗୁଁ ତାଙ୍କ ସଂପର୍କରେ କେତେକ କଥା କହି ରଖେ । ଭାରତୀୟ ଛାତ୍ରଙ୍କ ପ୍ରତି ତାଙ୍କର ଅତ୍ୟନ୍ତ ଶ୍ରଦ୍ଧା ଥିଲା ଓ ଚା’ ଖାଇବାକୁ ତାଙ୍କର ଛାତ୍ରମାନଙ୍କୁ ସେ ନିମନ୍ତ୍ରଣ କରୁଥିଲେ । ଥରେ ଦି’ଥର ମୁଁ ଏପରି ନିମନ୍ତ୍ରିତ ହୋଇ ତାଙ୍କ ଘରକୁ ଯାଇଛି । ସେ ଜଣେ ଖୁବ୍‍ ଭଲ ଶିକ୍ଷକ ଥିଲେ । ଛାତ୍ରମାନଙ୍କ ପଢ଼ାପଢ଼ି ପ୍ରତି ସେ ଖୁବ୍‍ ଯତ୍ନ ନେଉଥିଲେ ଏବଂ ସେମାନଙ୍କ ନା’ ମନେରଖିବା ପାଇଁ ଚେଷ୍ଟା କରୁଥିଲେ । ଜୟରତ୍ନମ୍‍ ନାମକ ମୋର ଜଣେ ସହାଧ୍ୟାୟ ସିଂହଳର ଛାତ୍ର ଡକ୍ଟର ସର୍ଲଙ୍କ ପ୍ରାକ୍‍ଙ୍କ ପାଖକୁ ସେ ଯାଉଥିଲେ । ଦିନେ ଡକ୍ଟର ସର୍ଲ ଜୟରତ୍ନମ୍‍ଙ୍କୁ ତାଙ୍କର ନାମ ପଚାରିଲେ । କିନ୍ତୁ ଜୟରତ୍ନମ୍‍ ଯେପରି ଭାବରେ ନିଜ ନାମ ଉଚ୍ଚାରଣ କଲେ ଡକ୍ଟର ସର୍ଲ ତାହା ଧରିପାରିଲେ ନାହିଁ । ତା’ ପରେ ଡକ୍ଟର ସର୍ଲ ଜୟରତ୍ନମ୍‍ଙ୍କ ନାମ କହିବା ପାଇଁ ମୋତେ ପଚାରିବାରୁ ମୁଁ ତାହା ଉଚ୍ଚାରଣ କଲି ଏବଂ ସେ ତାହା ଧରିପାରିଲେ । ତା’ ପରେ ସେ କହିଲେ ତୁମେ କହିବାରୁ ତାହା ଜଣାଗଲା କିନ୍ତୁ ସେ କହିବାବେଳେ ତାହା କେମେଜିଲ୍‍ (Pzemezyl) ବୋଲି ଶୁଣାଯାଉଥିଲା । କେମେଜିଲ୍‍ ପୋଲାଣ୍ଡରେ ଥିବା ଏକ ସ୍ଥାନର ନାମ । ସେତେବେଳେ ସେଠାରେ ଯୁଦ୍ଧ ଲାଗିଥିଲା ଓ ତାଙ୍କର କାଗଜରେ ସେ ନାଆଟା ଖୁବ୍‍ ପରିଚିତ ହୋଇଯାଇଥିଲା ।

 

କଲେଜରେ ରହିବା ସଂପର୍କୀୟ ନିୟମାବଳୀ ଖୁବ୍‍ କଠୋରଭାବରେ ଅନୁସରଣ କରାଯାଉଥିଲା । ଶିକ୍ଷାବର୍ଷ ତିନି ଭାଗରେ ବିଭକ୍ତ କରାଯାଇଥିଲା ଯଥା-ମାଇକେଲ୍‍ ମାସ ଲେଣ୍ଟ୍‍ ଓ ଇଷ୍ଟର । ମାଇକେଲ୍‍ ମାସ ଅକ୍ଟୋବର ମାସର ଦ୍ୱିତୀୟ ମଙ୍ଗଳାବାର ଦିନ ଆରମ୍ଭ ହୁଏ । ତା’ ପରେ ଲେଣ୍ଟ୍‍ ଓ ତା’ ପରେ ଇଷ୍ଟର୍‌ । ପ୍ରତ୍ୟେକ ଛାତ୍ର ଡିଗ୍ରୀ ପାଇବାର ଯୋଗ୍ୟ ବୋଲି ବିବେଚିତ ହେବାକୁ ହେଲେ ଏହିପରି ନ’ଟି ଟର୍ମ କଲେଜରେ କିମ୍ବା ଲାଇସେନ୍‌ସ୍‌ ପ୍ରାପ୍ତ ବସାଘରେ ହେବାକୁ ପଡ଼ୁଥିଲା । ତିନୋଟି ଟର୍ମରୁ ବେଶି କାହାକୁ ରିହାତି ମିଳୁ ନଥିଲା । ଭାରତୀୟ ଛାତ୍ର କ୍ଷେତ୍ରରେ ଏ ରିହାତି ପାଇବାକୁ ହେଲେ ଛାତ୍ରଙ୍କର କଲେଜ ଶିକ୍ଷାର କୌଣସି ସ୍ତରରେ ଗୋଟିଏ ପ୍ରାଚୀନ ଭାଷା ପାଠ୍ୟ ବିଷୟ ଥିବା ଆବଶ୍ୟକ । ମୋତେ ଏ ରିହାତି ମିଳିଥିଲା କାରଣ କଲିକତା ବିଶ୍ୱବିଦ୍ୟାଳୟରୁ ମୁଁ ବି. ଏସ୍‍ସି. ପାସ କରିଥିଲି ଏବଂ ଏଣ୍ଟ୍ରାନ୍‌ସ ପରୀକ୍ଷାରେ ମୋର ସଂସ୍କୃତ ଥିଲା ।

 

୬୦ ଦିନ ରହିବାକୁ ହେବ

 

ନିୟମ ପାଳନ କରିବାକୁ ହେଲେ ପ୍ରତ୍ୟେକ ଟର୍ମରେ ଜଣେ ଛାତ୍ରଙ୍କୁ ୬୦ଦିନ କେମ୍ବ୍ରିଜରେ ରହିବାକୁ ହେଉଥିଲା । ଏଥିରୁ କମ୍‍ ଦେଲେ କାହାରିକୁ କ୍ଷମା ଦିଆଯାଉ ନଥିଲା । ମୋର ମନେଅଛି କଲେଜରେ ମୋର ଜଣେ ସମକାଳୀନ ଛାତ୍ର ଆସାମର ଇନାମୁଲ୍‍ ମଜିଦ୍‍ ଛୁଟିରେ ଥରେ ବୋର୍ଣ୍ଣମାଉଥ୍‍ ଚାଲିଯାଇଥିଲେ । ଡିନ୍‍ ଦେଖିଲେ ତାଙ୍କର ଟର୍ମ ପୂରଣ କରିପାରିବା ପରେ ଗୋଟିଏ ଦିନ କମ୍‍ ପଡ଼ୁଛି । ତାଙ୍କ ପାଖକୁ ସଙ୍ଗେ ସଙ୍ଗେ ତାର କରାଗଲା ଏବଂ ତାର ପାଇ କଲେଜରେ ତାଙ୍କୁ ଗୋଟିଏ ରାତି ଆସି ଶୋଇବାକୁ ହେଲା । ଅର୍ଥାତ୍‍ ରାତି ବାରଟା ପୂର୍ବରୁ କଲେଜରେ ସେ ଅଛନ୍ତି ବୋଲି ଜଣାଯିବା ଦରକାର । ବାରଟା ପରେ ଚାଲିଗଲେ କ୍ଷତି ନାହିଁ । ସେ ଯଦି ଆସି ପହଞ୍ଚି ନଥାନ୍ତେ ଗୋଟିଏ ଟର୍ମ ତାଙ୍କୁ କ୍ଷତି ସହିବାକୁ ହୋଇଥାଆନ୍ତା ଓ ଡିଗ୍ରୀ ପାଇବାପାଇଁ ଯୋଗ୍ୟତା ଅର୍ଜନ ନିମନ୍ତେ ତାଙ୍କୁ ଆହୁରି ଦି ମାସ କେମ୍ବ୍ରିଜରେ ରହିବାକୁ ହୋଇଥାଆନ୍ତା । ମିଷ୍ଟର ମଜିଦ୍‍ ଇଣ୍ଡିଆନ୍‍ ସିଭିଲ୍‍ ସର୍ଭିସରେ ଯୋଗ ଦେଇଥିଲେ । ପରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଶାସକଭାବରେ ନିଯୁକ୍ତ ହୋଇଥିଲେ ଏବଂ ଇଜିପ୍‌ଟରେ ଭାରତୀୟ ହାଇକମିସନ୍‍ର ଥିଲେ । ସେ କ୍ରାଇଷ୍ଟ’ସ୍‍ କଲେଜକୁ ଆସିଥିଲେ କାରଣ ତାଙ୍କର ପିତା କ୍ରାଇଷ୍ଟ’ସ୍‍ କଲେଜର ଜଣେ ପୁରାତନ ଛାତ୍ର ଥିଲେ । କଲେଜ ସବୁ ପୁରାତନ ଛାତ୍ରଙ୍କର ପୁଅମାନଙ୍କୁ ଅଧିକ ସୁବିଧା ଦେଉଥିଲେ । ଯେତେବେଳେ ମୋର ଜ୍ୟେଷ୍ଠ ପୁତ୍ର ପ୍ରତାପରୁଦ୍ର ଫ୍ରାନ୍‌ସ୍‌ ଯାଇଥିଲା ଏବଂ ସେ କେମ୍ବ୍ରିଜରେ ପଢ଼ୁ ବୋଲି ମୁଁ ଇଚ୍ଛା ପ୍ରକାଶ କଲି ମୋର ପୁରୁଣା କଲେଜରେ ସ୍ଥାନ ପାଇବା ଭାରି ସହଜ ଥିଲା । ସେ ଗଲା ନାହିଁ । ତାହା ଅବଶ୍ୟ ଏକ ଭିନ୍ନ କଥା ।

 

ନାଳନ୍ଦୀୟ ବିଶ୍ୱବିଦ୍ୟାଳୟ

 

ଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟର ସଂଗଠନ ବ୍ୟବସ୍ଥାର ଏକ ସଂକ୍ଷିପ୍ତ ବିବରଣୀ ଦେବା ସମୀଚୀନ ହେବ । ଏହା ଜଣାଶୁଣା କଥା ଯେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏକ ଶିକ୍ଷାଦାନକାରୀ ବା ଆବାସୀ (ନାଳନ୍ଦୀୟ Residential) ବିଶ୍ୱବିଦ୍ୟାଳୟ । ସମସ୍ତ ପ୍ରକାର ଶୃଙ୍ଖଳା ବ୍ୟବସ୍ଥା ଏଥିରେ କରାଯାଇଥାଏ । ପ୍ରତ୍ୟେକ ବିଭାଗରେ ଜଣେ ପ୍ରଧାନ ଅଧ୍ୟାପକ (Professor) ଥା’ନ୍ତି-। ଏକ ବା ତତୋଽଧିକ ରିଡର୍‍ ଏବଂ ଆବଶ୍ୟକ ସଂଖ୍ୟକ ଅଧ୍ୟାପକ (Lecturers) ଥା’ନ୍ତି-। କଲେଜ ଟ୍ୟୁଟର୍‍ମାନଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ଛାତ୍ର ଅଧ୍ୟାପକ ସଂପର୍କୀୟ ବକ୍ତୃତାମାନଙ୍କରେ ଯୋଗ ଦିଅନ୍ତି । ଭାରତରେ ଯେପରି ଉପସ୍ଥାନ ନିଆଯାଏ ସେଠାରେ ତାହା ହୁଏ ନାହିଁ । ପାଠ୍ୟବର୍ଷର ଆରମ୍ଭରେ ବକ୍ତୃତା ଗୃହରେ ଛାତ୍ରମାନଙ୍କର ଦସ୍ତଖତ୍‍ ପାଇଁ ଖଣ୍ଡିଏ କାଗଜ ପଠାଯାଏ ଆଉ ଉପସ୍ଥାନ ନିଆଯାଏ ନାହିଁ । ଟ୍ୟୁଟରମାନେ ଫିସ୍‍ ପାଇଁ ଦାୟୀ ହୁଅନ୍ତି । ଶତକଡ଼ା ହାରାହାରି ଉପସ୍ଥାନ ଗ୍ରହଣ କରାଯାଏ ନାହିଁ । ପ୍ରତ୍ୟେକ ଟର୍ମରେ କଲେଜରେ କେତେଦିନ ରହିବାକୁ ହେବ ତାହା ନିର୍ଦ୍ଦିଷ୍ଟ କରାଯାଇଥିବାଯୋଗୁଁ ଉପସ୍ଥାନ ହିସାବ ଦରକାର ପଡ଼େ ନାହିଁ । ପ୍ରତ୍ୟେକ ଛାତ୍ରଙ୍କୁ ସପ୍ତାହରେ ଥରେ ଥରେ ଟ୍ୟୁଟର୍‍ଙ୍କୁ ଦେଖା କରିବାକୁ ପଡ଼େ ଏବଂ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ କେଉଁ ସବୁ ବକ୍ତୃତାରେ ଛାତ୍ର ଉପସ୍ଥିତ ଅଛନ୍ତି ତାହା ବୁଝାଇବାକୁ ପଡ଼େ-

 

କେତେକ କଲେଜ ଆନ୍ତର୍କଲେଜ ବକ୍ତୃତାବଳୀର ବ୍ୟବସ୍ଥା କରିଥାଆନ୍ତି ଏବଂ ପ୍ରାକ୍‌ଟିକାଲ୍‍ କାର୍ଯ୍ୟପାଇଁ ସେମାନଙ୍କ ନିଜ ନିଜର ପରୀକ୍ଷାଗାରର ବ୍ୟବସ୍ଥା କରିଥାଆନ୍ତି । ଅନ୍ୟ କଲେଜର ଛାତ୍ରମାନେ ଏସବୁ ପରୀକ୍ଷାଗାରରେ କାର୍ଯ୍ୟ କରିବାରେ ବାଧା ନଥାଏ । ଅବଶ୍ୟ ବିଶ୍ୱବିଦ୍ୟାଳୟ ପରୀକ୍ଷାଗାରମାନଙ୍କରେ କାର୍ଯ୍ୟ କରିବା ସଙ୍ଗେ ସଙ୍ଗେ ଏଥିରେ କାର୍ଯ୍ୟ କରିବାକୁ ହେଲେ ଟ୍ୟୁଟର୍‌ମାନଙ୍କ ପରାମର୍ଶ ନେବା ଦରକାର ହୁଏ ।

 

କଲେଜ ଓ ଶ୍ରେଣୀର ବାହାରେ ଶୃଙ୍ଖଳା ରକ୍ଷା ସମ୍ପର୍କରେ ବିଶ୍ୱବିଦ୍ୟାଳୟର ବ୍ୟବସ୍ଥା ହେଲା କେତେଜଣ ଫେଲୋଙ୍କୁ ପ୍ରକ୍ଟର୍‍ରୂପେ ନିଯୁକ୍ତି ଦେବା । ପ୍ରକ୍ଟର୍‌ମାନଙ୍କର କର୍ତ୍ତବ୍ୟ ହେଉଛି ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ମଧ୍ୟରେ ବିଶେଷ ଭାବରେ ସନ୍ଧ୍ୟାସମୟରେ ଶୃଙ୍ଖଳା ରକ୍ଷା କରିବା । ସନ୍ଧ୍ୟାପରେ (ସାଧାରଣତଃ ସନ୍ଧ୍ୟା ୬ଘଣ୍ଟା ପରେ) ବିଶ୍ୱବିଦ୍ୟାଳୟରେ ରହୁଥିବା ପ୍ରତ୍ୟେକ ଗ୍ରାଜୁଏଟ୍‍ କିମ୍ବା ଅଣ୍ଡର୍‍ଗ୍ରାଜୁଏଟ୍‍ କଲେଜ ବାହାରକୁ କିମ୍ବା ବସା ବାହାରକୁ ଯିବାକୁ ହେଲେ ନିଜ ନିଜର ଗାଉନ୍‍ (Gown) ପିନ୍ଧିଯିବାକୁ ହେଉଥିଲା । ଅଣ୍ଡର୍‍ଗ୍ରାଜୁଏଟ୍‍ମାନେ ସେମାନଙ୍କ କଲେଜପାଇଁ ନିର୍ଦ୍ଦିଷ୍ଟ ପୋଷାକ ପିନ୍ଧୁଥିଲେ ଏବଂ ଗ୍ରାଜୁଏଟ୍‍ମାନେ ବି. ଏ. ଗାଉନ୍‍ ପରିଧାନ କରୁଥିଲେ ।

 

ବୁଲ୍‍ଡଗ୍‍

 

ପ୍ରକ୍ଟର୍‌ମାନେ ବାହାରକୁ ଗଲାବେଳେ ଦୁଇଜଣ ବ୍ୟାୟାମଦକ୍ଷ ସବଳ ଅନୁଚରଙ୍କ ସହିତ ଯାଉଥିଲେ । ଏହି ଅନୁଚରଙ୍କୁ “ବୁଲ୍‍ଡଗ୍‍” ନାମ ଦିଆଯାଇଥିଲା । ପ୍ରକ୍ଟର୍‍ ଜଣେ ଛାତ୍ରଙ୍କୁ ତାଙ୍କର ନାମ ଓ କଲେଜର ନାମ ପଚାରୁଥିଲେ । ଯଦି ସେ ଜଣେ ଅଣ୍ଡର୍‍ଗ୍ରାଜୁଏଟ୍‍ ହୋଇ ବିନା ଗାଉନରେ ଯାଉଥିବା ସେ ଦେଖୁଥିଲେ ସଙ୍ଗେ ସଙ୍ଗେ ଜରିମାନା କରି ଦେଉଥିଲେ । ମୋ ସମୟରେ ଅଣ୍ଡର୍‍ଗ୍ରାଜୁଏଟ୍‍ମାନେ ଛ’ ସିଲିଂ ଛ’ ପେନ୍‌ସ୍‌ କରି ଜରିମାନା ଦେଉଥିଲେ । ଗ୍ରାଜୁଏଟ୍‍ମାନେ ତେର ସିଲିଂ ଚାରି ପେନ୍‌ସ୍‌ ଜରିମାନା ଦେଉଥିଲେ । କଲେଜ ହତା ଭିତରେ ପ୍ରକ୍ଟର୍‍ଙ୍କ କ୍ଷମତା ଖଟୁ ନଥିଲା । ତେଣୁ ବେଳେବେଳେ ଅପରାଧୀମାନେ କଲେଜ ଗେଟ୍‍ ଭିତରକୁ ଦୌଡ଼ି ପଳାଉଥିଲେ । ଏ କ୍ଷେତ୍ରରେ “ବୁଲ୍‍ ଡଗ୍‍”ମାନଙ୍କୁ ଲଗାଇ ଦିଆଯାଉଥିଲା ସେମାନେ ଏପରି ଛାତ୍ରଙ୍କୁ ଧରିଆଣି ପ୍ରକ୍ଟର୍‌ଙ୍କ ପାଖରେ ପହଞ୍ଚାଉଥିଲେ । ଯଦି ଛାତ୍ରମାନେ କଲେଜ ଗେଟ୍‍ ଭିତରେ ପଶିଯିବାରେ ସଫଳ ହେଉଥିଲେ ତାହାହେଲେ ଆଉ ‘ବୁଲ୍‍ଡଗ୍‍’ମାନେ ଭିତରକୁ ଯାଇପାରୁ ନଥିଲେ । ଥରେ ପରୀକ୍ଷାଗାରରେ ମୋ’ର ବିଳମ୍ବ ହୋଇଗଲା ଏବଂ ମୋ ବସାଘରକୁ ମୁଁ ଡେରିରେ ଫେରୁଥିଲି । ଦୁର୍ଭାଗ୍ୟର ବିଷୟ ମୁଁ ବିନା-ଗାଉନରେ ଆସୁଥିବାର ଦେଖି ପ୍ରକ୍ଟର ମୋତେ ଧରି ପକାଇଲେ । ମୁଁ ତାଙ୍କୁ ବୁଝାଇବାପାଇଁ ଚେଷ୍ଟା ଭଳି ଯେ ମୁଁ ଦିନବେଳେ ପରୀକ୍ଷାଗାରକୁ ଯାଇଥିଲି । ତେଣୁ ମୋତେ ଗାଉନ୍‍ ପିନ୍ଧିବାକୁ ସମୟ ନଥିଲା । କିନ୍ତୁ ଏସବୁ କୈଫିୟତ୍‍ର କୌଣସି ମୂଲ୍ୟ ରହିଲା ନାହିଁ । ସେମାନେ ନାମ ଓ କଲେଜ ନାମ ଲେଖିନେଲେ । ତା’ ପରଦିନ ସକାଳୁ ଜଣେ “ବୁଲ୍‍ଡଗ୍‍” ମୋ ବସା ଘରେ ୧୩ ସିଲିଂ ୪ ପେନ୍‍ସ୍‍ର ବିଲ୍‍ ଘେନି ଉପସ୍ଥିତ । ପଇସା ନେଇ ଫେରିଗଲା । ଏମ୍‍. ଏ. ହୋଇଗଲେ ଏସବୁ କଟକଣା ନାହିଁ । ଯଦି ଜଣେ ଅଣ୍ଡର୍‍ଗ୍ରାଜୁଏଟ୍‍ (ସ୍ନାତକପୂର୍ବ ଛାତ୍ର) ଗାଉନ୍‍ ପିନ୍ଧୁଥିବାବେଳେ ଧୂମ୍ରପାନ କରୁଥିବାର ପ୍ରକ୍ଟର୍‍ ଦେଖନ୍ତି ତାହାହେଲେ ତାକୁ ଜରିମାନା ହୁଏ ଏବଂ ଗାଉନ୍‍ ପିନ୍ଧି ଯଦି କୌଣସି ଛାତ୍ର କୌଣସି ଯୁବତୀ ସଙ୍ଗରେ ଯାଉଥିବା; ବେଳେ ପ୍ରକ୍ଟର୍‌ଙ୍କର ଅଧିକାର ଅଛି ଯେ ସେ ଛାତ୍ରକୁ ଉକ୍ତ ଯୁବତୀଙ୍କୁ ଚିହ୍ନା-ପରିଚୟ କରାଇବାର ଦାବି କରିପାରନ୍ତି । ଯଦି ପ୍ରକ୍ଟର୍‍ ଏଥିରେ ସନ୍ତୁଷ୍ଟ ନ ହୁଅନ୍ତି ତେବେ ଛାତ୍ରକୁ ଜରିମାନା କରିପାରନ୍ତି । ମୁଁ କେମ୍ବ୍ରିଜରେ ସାତବର୍ଷ ଥିବାକାଳରେ ପ୍ରକ୍ଟର୍‍ ପ୍ରଥା ବିଷୟରେ କାହାଠାରୁ କୌଣସି ଆପତ୍ତି ବା ଅଭିଯୋଗ ହେବା ଶୁଣିନାହିଁ ।

 

ଭାରତବର୍ଷରେ ଯେତେବେଳେ ନାଳନ୍ଦୀୟ (Residentiai) ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହେଲା ଯଥା—ବନାରସ ଏଲାହାବାଦ ଲକ୍ଷ୍ନୌ ଓ ଢାକା ସେତେବେଳେ ପ୍ରକ୍ଟର୍‍ ପ୍ରଥା ସ୍ଥାପନ କରାଗଲା । କିନ୍ତୁ ଏ ପ୍ରଥା କେମ୍ବ୍ରିଜପରି କାର୍ଯ୍ୟକାରୀ ହେଲା ନାହିଁ । ଏବେ ଖବରକାଗଜରେ ବାହାରିଥିଲା ଯେ କୌଣସି ନାଳନ୍ଦୀୟ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ପ୍ରକ୍ଟର୍‍ଙ୍କୁ ଘେରାଉ କଲେ । କାରଣ ପ୍ରକ୍ଟର୍‍ଙ୍କର କୌଣସି ଆଦେଶକୁ ସେମାନେ ପସନ୍ଦ କରି ନଥିଲେ । ପ୍ରକ୍ଟର୍‌ ପ୍ରଥାର ରେଭେନ୍‌ସା କଲେଜ ଟ୍ୟୁଟର୍‍ ପ୍ରଥାର ଅବସ୍ଥା ଘଟିଲା । ଆମଦେଶକୁ ଆଚାରୀ (custom-bound) କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ କୌଣସି ନୂତନ ପଦ୍ଧତି ପୁନଃ ଚେଷ୍ଟା ନ କଲେ ସଫଳ ହେବାର ସମ୍ଭାବନା କମ୍‍ ।

☆☆☆

 

ପ୍ରଥମ ମହାଯୁଦ୍ଧ ଓ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ

 

ମୁଁ ଯେଉଁ ବିଶ୍ୱବିଦ୍ୟାଳୟର ‘ଉପରକୁ ଉଠିଲି’ ଏଇ ହେଉଚି ତାର ସଂକ୍ଷିପ୍ତ ପରିଚୟ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ନିଜ ପାଇଁ ଏକ ସମ୍ମାନିତ ସ୍ଥାନ ଦାବି କରି ଆସୁଥିଲା । ଯେଉଁମାନେ ସେଠାକୁ ପଢ଼ିବାକୁ ଯା’ନ୍ତି; ସେମାନେ ‘ଉପରକୁ ଉଠୁଛନ୍ତି’(go up) ବୋଲି କୁହାଯାଏ । ଯଦି କେହି ସେଠାରୁ ବହିଷ୍କୃତ ହୁଅନ୍ତି ତା’ହେଲେ ‘ତାଙ୍କୁ ତଳକୁ ପଠାଇ ଦିଆଗଲା’ (sent down) ବୋଲି କୁହାଯାଏ । ମନକୁ ମନ ଯଦି କେହି ଚାଲିଯା’ନ୍ତି ତା’ହେଲେ ବି ସେ ତଳକୁ ଚାଲିଗଲେ (go down) ବୋଲି କୁହାଯାଉଥିଲା । ଯେପରିକି କୌଣସି ଏକ ଉଚ୍ଚସ୍ଥାନରୁ ସେ ତଳକୁ ଖସିଗଲେ ।

 

ପ୍ରଥମ ମହାଯୁଦ୍ଧ

 

କେମ୍ବ୍ରିଜରେ ମୁଁ ସାତବର୍ଷ ପାଖାପାଖି ରହିଲି । ଏହି ସମୟ ମଧ୍ୟରେ ବହୁ ଘଟଣା ଘଟିଯାଇଛି ଓ ବହୁ ଲୋକଙ୍କ ସଂପର୍କରେ ମୁଁ ଆସିଛି । ଏଠାରେ ସେ ବିଷୟରେ କିଛି ଉଲ୍ଲେଖ କରିବା ମୁଁ ଉଚିତ ମନେକରୁଛି । ମୁଁ ପୂର୍ବରୁ କହିଛି ଯେ ୧୯୧୪ ମସିହାରେ ମୋର କେମ୍ବ୍ରିଜରେ ପହଞ୍ଚିବାବେଳକୁ ପ୍ରଥମ ମହାଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ପ୍ରଥମ ଅବସ୍ଥାରେ କଲେଜରେ ସ୍ଥାନ ଭର୍ତ୍ତି ହୋଇଯାଇଥିଲା । କିନ୍ତୁ ପରେ ସୈନ୍ୟବାହିନୀରେ ଯୋଗଦେବାପାଇଁ ଯେତେବେଳେ ଯୁବକମାନଙ୍କୁ ନିବେଦନ କରାଗଲା ସେତେବେଳେ ବହୁ ଯୁବକ କଲେଜ ଛାଡ଼ି ଚାଲିଗଲେ । ଶେଷରେ ବାଧ୍ୟତାମୂଳକ ସାମରିକ ନିଯୁକ୍ତି ବ୍ୟବସ୍ଥା (compulsory military service) ପ୍ରବର୍ତ୍ତନ କରାଗଲା । ତା’ ଫଳରେ ଏକ ବର୍ଷ ଓ ତା’ଠାରୁ ଊର୍ଦ୍ଧ୍ୱ ବୟସର ଯୁବକମାନେ ବିଶ୍ୱବିଦ୍ୟାଳୟ ଛାଡ଼ି ସୈନ୍ୟବାହିନୀରେ ଯୋଗଦେଲେ । କେବଳ ଡାକ୍ତରୀ ରିପୋର୍ଟରେ ଯେଉଁମାନେ ଅକ୍ଷମ ଜଣାଗଲେ ଓ କ୍ୱେକର୍‍ ମାନଙ୍କ (quake) ପରି ଯେଉଁମାନେ ନୀତି ବା ବିବେକର ତାଡ଼ନାରେ ଏହି ବ୍ୟବସ୍ଥାର ବିରୋଧ କରୁଥିଲେ ସେହିମାନେ ରହିଗଲେ । ଛାତ୍ରମାନଙ୍କର ଏକ ଜନଗଣନା (census) କରାଯାଇଥିଲା । ଯଦି ସୈନ୍ୟବାହିନୀରେ ଭର୍ତ୍ତି କରିବା ଦାୟିତ୍ୱରେ ଥିବା ଅଫିସର୍‍ ଦେଖୁଥିଲେ କେହି ବ୍ରିଟିଶ୍‍ ଛାତ୍ର ସୈନ୍ୟବାହିନୀରେ ନାମ ଲେଖାଇ ନାହିଁ ତା’ହେଲେ ସେ ତାକୁ ଡକାଇ ପଠାଉଥିଲେ । ମୋର ଏକ ଘଟଣା ମନେପଡ଼ୁଛି । ଆଫ୍ରିକାର ଜଣେ ନିଗ୍ରୋ ଛାତ୍ରର ନାମ ଥିଲା ଉଇଲ୍‌ସନ୍‌–ଏକ ଖ୍ରୀଷ୍ଟାନ ନାମ । ଅଫିସର୍‍ ତାକୁ ଡକାଇ ପଠାଇଲେ । ସେ ଯେତେବେଳେ ଅଫିସର୍‍ଙ୍କ ଆଗରେ ଉପସ୍ଥିତ ହେଲା ଅଫିସର୍‍ କହି ଉଠିଲେ “ଓହୋ ତୁମେ ଜଣେ ଆଫ୍ରିକାନ୍‍ ।” ଛାତ୍ରଜଣକ ରସିକତା କରି କହିଲା “ମୁଁ କଣ ସେପରି ଦେଖା ଯାଉଛି କି ?”

 

ଦୁଧ ଓ କଫି ସମାନ

 

ଶ୍ୱେତାଙ୍ଗ ଛାତ୍ରମାନଙ୍କର ସଂଖ୍ୟା କମିଯିବାରୁ ଭାରତ ପଶ୍ଚିମଭାରତ ଦ୍ୱୀପପୁଞ୍ଜ ଚୀନ ଓ ମଧ୍ୟପ୍ରାଚ୍ୟର ଛାତ୍ରମାନେ ବେଶି ଆଖିରେ ପଡ଼ିଲେ । କେମ୍ବ୍ରିଜପତ୍ରିକା (ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ହୁଏ ନାହିଁ)ରେ ଜଣେ କେହି ବିଶ୍ୱବିଦ୍ୟାଳୟ ଜନସଂଖ୍ୟା ସଂପର୍କରେ ଏକ କବିତା ଲେଖିଥିଲେ—ସମାନ ପରିମାଣରେ ଦୁଧ ମିଶିଲେ କଫିର ରଙ୍ଗ ଯାହାହୁଏ(as cafe an lait) ସେହି । ରଙ୍ଗ ମୋର ମନେ ପଡ଼ୁଛି ଭାରତୀୟ ଛାତ୍ରମାନଙ୍କର ପରାମର୍ଶଦାତା ସେଣ୍ଟ୍‍ଜନ୍‌ସ୍‌ କଲେଜର ମିଷ୍ଟର ବେନିଅନ୍‌ସ୍‌ଙ୍କ ଦୃଷ୍ଟିକୁ ଆମେ ଏହା ଆଣିବାରୁ ସେ ତାହା ଗୋଟିଏ ହାସ୍ୟରସର କବିତା ବୋଲି କହି ହସିଦେଲେ । ଥରେ ଭାରତୀୟ ଛାତ୍ରମାନଙ୍କ ମଧ୍ୟରୁ ଶ୍ରୀ ଜେ. ବି. ସେଠ (ପରେ ଆଇ. ଇ. ଏସ୍‍. ହୋଇଥିଲେ) ଭିଦେ (ପରେ ଆଇ. ସି. ଏସ୍‍.) କାମତାପ୍ରସାଦ (ପରେ ଆଇ. ଇ. ଏସ୍‍) ଓ ମୁଁ ମିଷ୍ଟର ବେନିଅନ୍‌ସ୍‌ଙ୍କ ପାଖକୁ ଯାଇ ଯେ କୌଣସି କାର୍ଯ୍ୟରେ ସୈନ୍ୟବାହିନୀରେ ଆମକୁ ନିଯୁକ୍ତ କରିବାପାଇଁ ଅନୁରୋଧ କଲୁ । କିନ୍ତୁ ମିଷ୍ଟର ବେନିଅନ୍‌ସ୍‌ ଆମକୁ ନିରୁତ୍ସାହିତ କରିଥିଲେ ଓ ଯେଉଁ ଉଦ୍ଦେଶ୍ୟରେ ଆମେମାନେ କେମ୍ବ୍ରିଜ ଆସିଛୁ ସେହି ଉଦ୍ଦେଶ୍ୟ ବା ଅଧ୍ୟୟନରେ ମନୋନିବେଶ କରିବାପାଇଁ ଆମକୁ ପରାମର୍ଶ ଦେଇଥିଲେ ।

 

ଡକ୍ଟର ଆର. ପି. ପାରାଞ୍ଜପେ କହୁଥିଲେ କେମ୍ବ୍ରିଜ କିମ୍ବା ଅକ୍‌ସ୍‌ଫୋର୍ଡ ଗଲେ ଭାରତବର୍ଷର ପରିଚୟ ମିଳେ । କିନ୍ତୁ ଏହାକୁ ଆହୁରି ସ୍ପଷ୍ଟଭାବରେ କହିଲେ ଠିକ୍‍ ହେବ ଯେ କେମ୍ବ୍ରିଜକୁ ଗଲେ ଜଣେ ପୃଥିବୀକୁ ଜାଣିପାରିବ । ମୁଁ ଯେତେବେଳେ କ୍ରାଇଷ୍ଟ’ସ୍‍ କଲେଜରେ ଯୋଗଦେଲି ଯେତେବେଳେ ବ୍ରିଟିଶ୍‍ ଛାତ୍ରଙ୍କ ଛଡ଼ା ଭାରତ (ପାକିସ୍ତାନ ସମେତ) ସିଂହଳ ବ୍ରହ୍ମଦେଶ ଚୀନ କୋରିଆ ସିଙ୍ଗାପୁର ଅଷ୍ଟ୍ରେଲିଆ ଓ ଆଫ୍ରିକାରୁ ଛାତ୍ରମାନେ ଆସିଥିଲେ । ବିଶ୍ୱବିଦ୍ୟାଳୟର ଚାରିଆଡ଼କୁ ଚାହିଁଲେ ପୃଥିବୀର ସବୁ ଦେଶର ପ୍ରତିନିଧିଙ୍କୁ ସେଠାରେ ଦେଖିବାକୁ ମିଳୁଥିଲା ।

 

ଶିକ୍ଷକଙ୍କ କର୍ତ୍ତବ୍ୟଜ୍ଞାନ

 

ଯୁଦ୍ଧ ଯେତିକି ଘନେଇଲା ବିଶ୍ୱବିଦ୍ୟାଳୟରେ ସେତିକି ସେତିକି ବ୍ରିଟିଶ୍‍ ଛାତ୍ରଙ୍କ ସଂଖ୍ୟା କମିବାକୁ ଲାଗିଲା । ଅଧ୍ୟାପକମାନଙ୍କ ମଧ୍ୟରେ ଯେଉଁମାନେ ଯୁବକ ଥିଲେ ସେମାନେ ମଧ୍ୟ ସୈନ୍ୟବାହିନୀରେ ଯୋଗଦେଲେ । ଏପରିକି ସୈନ୍ୟବାହିନୀରେ ଯୋଗଦେବାର ବୟସ ଯେଉଁମାନଙ୍କର ଚାଲିଯାଇଥିଲା ସେମାନେ ସୈନ୍ୟବାହିନୀପାଇଁ ଶିକ୍ଷାର୍ଥୀମାନଙ୍କୁ ଡ୍ରିଲ୍‍ କରାଇବା କିମ୍ବା ବିମାନ ଆକ୍ରମଣ ବେଳେ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ଆଦି କାର୍ଯ୍ୟରେ ନିଜ ନିଜକୁ ନିୟୋଜିତ କରୁଥିଲେ । ଆମର ଉଦ୍ଭିଦବିଜ୍ଞାନ ଅଧ୍ୟାପକ ସାର୍‍ ଆର୍ଥର୍‍ ସିୱାଡ୍‍ ବୁଢ଼ା ହୋଇ ଯାଇଥିଲେ । ତଥାପି ତାଲିମବାହିନୀର ସେ ଜଣେ ଅଫିସର୍‍ ଭାବରେ କାର୍ଯ୍ୟ କରୁଥିଲେ । ଶିକ୍ଷକ ଗୋଷ୍ଠୀର କର୍ତ୍ତବ୍ୟଜ୍ଞାନ ଏପରି ଥିଲା ଯେ ଏସବୁ କାର୍ଯ୍ୟରେ ଲାଗିଥିଲେ ମଧ୍ୟ ଅଧ୍ୟାପନାରେ ସେମାନେ କେବେ ହେଳା କରୁ ନଥିଲେ । ସାମରିକ ପୋଷାକ ପିନ୍ଧି ସେମାନେ କଲେଜକୁ ଆସି ପାଠ୍ୟ ବିଷୟରେ ବକ୍ତୃତା ଦେଉଥିଲେ କିମ୍ବା ପ୍ରାକ୍‌ଟିକାଲ୍‍ ଶ୍ରେଣୀମାନ ନେଉଥିଲେ ।

 

ସହରର ଗଳି ଓ ରାସ୍ତାମାନଙ୍କରେ ପୋଷାକରେ ଥିବା ସୈନ୍ୟ ଓ ଅଫିସର୍‍ମାନଙ୍କୁ ଦେଖିବା ଏକ ସାଧାରଣ ଦୃଶ୍ୟ ଥିଲା । ଏକ ସମୟରେ ସୈନ୍ୟମାନଙ୍କୁ କଲେଜମାନଙ୍କରେ ଆଣି ରଖାଗଲା । ବିମାନ ଆକ୍ରମଣର ପ୍ରତିଷେଧକ ରୂପେ ରାସ୍ତାର ବତି ସବୁ ଲିଭାଇ ଦିଆଯାଇଥିଲା ଓ ଲୋକେ ତାଙ୍କର ଝରକାକୁ ଆବୃତ କରି ରଖୁଥିଲେ ଯେପରିକି ବାହାରକୁ କୌଣସି ଆଲୁଅ ଦେଖାଯିବ ନାହିଁ । କେହି ଏ ବ୍ୟବସ୍ଥା ନ ମାନିଲେ କଠୋର ଦଣ୍ଡବିଧାନ କରାଯାଉଥିଲା । ଆମ କଲେଜର କେତେକ ଛାତ୍ରଙ୍କୁ ସେମାନଙ୍କର ଅସାବଧାନତା ପାଇଁ ଜରିମାନା ଦେବାକୁ ପଡ଼ିଥିଲା । ଏହି ସବୁ ବ୍ୟବସ୍ଥା କାର୍ଯ୍ୟକାରୀ କରିବାପାଇଁ ଯଥେଷ୍ଟ ସଂଖ୍ୟାରେ ପୋଲିସ ନଥିବାରୁ ଏ. ଆର. ପି. ଲୋକେ ଓ ସ୍ୱେଚ୍ଛାସେବକମାନଙ୍କୁ ରଖାଗଲା । ଏହା କିପରି କଠୋର ଭାବରେ କାର୍ଯ୍ୟକାରୀ ହେବ ତାହା ଦେଖିବା ହେଲା ସେମାନଙ୍କର କାମ ।

 

ଯୁଦ୍ଧର ପ୍ରଥମ ଅବସ୍ଥାରେ ଖାଦ୍ୟପେୟର ବିଶେଷ କଟକଣା ନଥିଲା । କିନ୍ତୁ ଇଂଲିଶ ପ୍ରଣାଳୀ ଏବଂ ଅନ୍ୟସବୁ ସାମୁଦ୍ରିକ ଉପକୂଳରେ ମାଇନ୍‍ (ପାଣିତଳେ ରଖାଯାଉଥିବା ବିସ୍ଫୋରକ ବୋମା) ଖଞ୍ଜାଯିବା ଫଳରେ ଖୁବ୍‍ କଡ଼ାକଡ଼ି ବ୍ୟବସ୍ଥା ପ୍ରଚଳନ କରାଗଲା । ଉଦାହରଣସ୍ୱରୂପ ଆମକୁ ସପ୍ତାହକୁ ଚାରି ଆଉନ୍‌ସ୍‌ ବା ଦି’ଛଟାଙ୍କି ଚିନି ମିଳୁଥିଲା । ବହୁ ଲୋକ ଚାହାରେ ସାକାରିନ୍‍ ଖାଇଲେ ଏବଂ ମୋ ଭଳି କେତେକ ଲୋକ ଚା ସହିତ ଚିନି ଖାଇବା ବିଲକୁଲ୍‍ ଛାଡ଼ିଦେଲେ ।

 

ଖାଦ୍ୟ ଯୋଗାଣରେ ସାହାଯ୍ୟ କରିବାପାଇଁ ବହୁ ନାଗରିକ ପାର୍କମାନଙ୍କରେ କିମ୍ବା ଖୋଲା ମଇଦାନରେ ଜମି ଆବାଦ କରି ଆଳୁ ପନିପରିବା ଓ ଏପରିକି ଗହମ ଚାଷ କଲେ । ମ୍ୟୁନିସିପାଲିଟି ଏହି ଉଦ୍ଦେଶ୍ୟରେ ଲୋକଙ୍କୁ ଜମି ଦେଉଥିଲେ । କେମ୍ବ୍ରିଜ ଓ ଅକ୍‌ସ୍‌ଫୋର୍ଡ ଉପରେ ବୋମାମାଡ଼ ହେଉ ନଥିଲା । ଆମେ ଶୁଣିଲୁ ବିଶ୍ୱବିଦ୍ୟାଳୟମାନଙ୍କ ଉପରେ ବୋମା ନ ପକାଇବାପାଇଁ ଜର୍ମାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଥରେ ଏକ ଛୁଟିରେ ମୁଁ ଲଣ୍ଡନର ଷ୍ଟେଥାମ୍‍ଠାରେ ରହୁଥିଲି । ଦିନେ ରାତିରେ ଆମେ ବିସ୍ଫୋରକ ଶବ୍ଦ ଶୁଣିଲୁ । ଏକ ନିକଟବର୍ତ୍ତୀ ରେଳବାଇ ଷ୍ଟେସନରେ ବୋମା ପଡ଼ିଛି ବୋଲି ଆମେ ଶୁଣିଲୁ । ପରଦିନ ସକାଳେ ସେଠାକୁ ଦେଖିବାକୁ ଗଲୁ । କୋଠାଘରମାନଙ୍କର ଯାହା କ୍ଷତି ହୋଇଛି ତାହା ଦେଖାଯାଉଥିଲା । କିନ୍ତୁ ସବୁ ଭଙ୍ଗା ଇଟା ପଥର ଅଳିଆ ଇତ୍ୟାଦି ରାତାରାତି ପରିଷ୍କାର ହୋଇଯାଇଥିଲା ଯେପରିକି ଲୋକଙ୍କର ନୈତିକତା ଅବିଚଳିତ ରହେ । ଜେପେଲିନ୍‍ ଲଣ୍ଡନ ସହର ଉପର ଦେଇ ଉଡ଼ିବା ଏକ ସାଧାରଣ କଥା ହୋଇଯାଇଥିଲା । ବିମାନ ଆକ୍ରମଣରୁ ରକ୍ଷାପାଇବାପାଇଁ ବହୁସଂଖ୍ୟକ ଆଶ୍ରୟସ୍ଥଳ ନିର୍ମିତ ହୋଇଥିଲା ଓ ମାଟିତଳେ ଥିବା ରେଳଷ୍ଟେସନମାନ ମଧ୍ୟ ଏହି ଉଦ୍ଦେଶରେ ବ୍ୟବହୃତ ହୋଇଥିଲା-

 

ଲଏଡ୍‍ ଜର୍ଜ

 

ଯୁଦ୍ଧର ପ୍ରଥମ ଅବସ୍ଥାରେ ଆସ୍‌କ୍ୟୁଇଥ୍‌ ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ଜର୍ମାନୀମାନେ ଯେତେବେଳେ ଦ୍ରୁତ ଅଗ୍ରଗତି କରିଚାଲିଲେ ଜାହାଜ ସବୁ ଧ୍ୱଂସ କରିବାର ଲାଗିଲେ ଓ ବ୍ରିଟିଶ ଦ୍ୱୀପପୁଞ୍ଜ ଅବରୁଦ୍ଧ ଅବସ୍ଥାରେ ରହ ଜିନିଷପତ୍ର ସବୁ ବାହାରୁ ଆସିବା ବହୁ ପରିମାଣରେ ବନ୍ଦ ହୋଇଗଲା ଲୋକେ ଆସ୍‍କ୍ୟୁଇଥ୍‌ ‘ଧୈର୍ଯ୍ୟ ଧର ଅପେକ୍ଷା କର’ ନୀତିକୁ ପସନ୍ଦ କରିପାରିଲେ ନାହିଁ । ୧୯୧୬ ମସିହାରେ ଲଏଡ୍‍ ଜଜ୍‍ର ପ୍ରଧାନମନ୍ତ୍ରୀ ହେଲେ । ସେ ଆସ୍‍କ୍ୟୁଇଥ୍‍ଙ୍କ ଅପେକ୍ଷା ଅଧିକ ତତ୍ପର ଓ ଦକ୍ଷ ବ୍ୟକ୍ତି ଥିଲେ ଶେଷରେ ଆମେରିକା ମିତ୍ର ପକ୍ଷରେ ଯୋଗଦେଲା ଓ ଜର୍ମାନ୍‍ମାନେ ପରାଜିତ ହେଲେ । ୧୯୧୬ ମସିହାରେ ସନ୍ଧି ଘୋଷିତ ହେଲା ।

 

ନିଃସନ୍ଦେହ ଭାବରେ ଲୋକେ ଯୁଦ୍ଧକାଳରେ ଅତିଶୟ ଦୁଃଖ-କଷ୍ଟ ମଧ୍ୟରେ ଗତି କରୁଥିଲେ । ସନ୍ଧି ଘୋଷଣା ସାରା ଦେଶରେ ଏକ ଆନନ୍ଦ ଉଚ୍ଛ୍ୱାସ ଖେଳାଇ ଦେଲା । କେମ୍ବ୍ରିଜ ଏଥିରୁ ଅଲଗା ନଥିଲା । ଲୋକେ ରାସ୍ତାରେ ଜମାହୋଇ ପାଟି ତୁଣ୍ଡ କରୁଥା’ନ୍ତି । ଆନନ୍ଦ ଉତ୍ସବରେ ମାତିଥା’ନ୍ତି । ପୁଣି ବତିଖୁଣ୍ଟମାନଙ୍କରେ ଆଲୁଅ ଜଳିଲା । ରାତିସାରା ଆନନ୍ଦ ଉତ୍ସବ ମଧ୍ୟରେ କେତେ ଗର୍ହିତ କାର୍ଯ୍ୟରେ ମଧ୍ୟ ଲୋକେ ମାତିଲେ । ଦୀର୍ଘ ଚାରିବର୍ଷଧରି କଠୋର ନିୟନ୍ତ୍ରଣ ମଧ୍ୟରେ ରହିବାପରେ ହଠାତ୍‍ ଏ ନିୟନ୍ତ୍ରଣ ଉଠିଗଲେ ସେମାନେ କିପରି ଅନୁଭବ କରିଥିବେ ତାହା ସହଜରେ ଅନୁମାନ କରାଯାଇପାରେ ।

 

ଭାରତୀୟ ଛାତ୍ରମାନେ ବିଶେଷ ଖୁସି ହୋଇ ନଥିଲେ ବୋଲି ଏଠାରେ ଉଲ୍ଲେଖ କରାଯାଇପାରେ । କାରଣ ବିଦେଶୀ ଶାସନ ବିରୁଦ୍ଧରେ ଏକ ବିଦ୍ରୋହ ଭାବ ଛଡ଼ା ଇଂଲଣ୍ଡ ସେମାନଙ୍କର ଅଭିଜ୍ଞତା ସେମାନଙ୍କପ୍ରତି ପାତରଅନ୍ତର ବ୍ୟବହାର ଭାରତୀୟ ଛାତ୍ରମାନଙ୍କ ମନରେ ଏକ ବ୍ରିଟିଶ ବିରୋଧୀ ମନୋଭାବ ସୃଷ୍ଟି କରିଥିଲା । ହୁଏତ ଜର୍ମାନ୍‍ ମାନଙ୍କର ବିଜୟ ଭାରତପାଇଁ ଏକ ନୂଆ ଧରଣର ଉପନିବେଶବାଦ ସୃଷ୍ଟି କରିଥା’ନ୍ତି । କିନ୍ତୁ ବ୍ରିଟିଶ୍‍ ବିରୋଧୀ ମନୋଭାବ ସନ୍ଧି ଦିବସ ଦିନ ଭାରତୀୟ ଛାତ୍ରମାନଙ୍କୁ ବିଶେଷ ଆନନ୍ଦିତ କରିନଥିଲା ।

 

ଶୋକାବହ ଘଟଣା

 

ଯୁଦ୍ଧକାଳୀନ ବିଭିନ୍ନ ଅବସ୍ଥା ବିଷୟ ଆଲୋଚନା ଶେଷ କରିବା ପୂର୍ବରୁ ଏକ ଶୋକାବହ ଘଟଣା ମୁଁ ଉଲ୍ଲେଖ ନ କରି ରହିପାରୁ ନାହିଁ । ଏହା ସହିତ ଜଣେ ଓଡ଼ିଆ ଛାତ୍ର ସଂପୃକ୍ତ । ଆମେ ସମସ୍ତେ ଏଥିରେ ଅତିଶୟ ବିଷ୍ଣର୍ଣ୍ଣ ହୋଇପଡ଼ିଲୁ । ସ୍ୱର୍ଗୀୟ ରାୟବାହାଦୂର ଚିନ୍ତାମଣି ଆଚାର୍ଯ୍ୟଙ୍କର ଜଣେ ଭିଣୋଇ ଶ୍ରୀ ହେମଚନ୍ଦ୍ର ଶତପଥୀ ବାର-ଆଟ୍‍ଲ ଶେଷକରି ଘରକୁ ଫେରୁଥିଲେ । ସେ ଯେଉଁ ଷ୍ଟିମରରେ ଆସୁଥିଲେ ଇଂଲିଶ ପ୍ରଣାଳୀରେ ଜର୍ମାନ୍‍ମାନଙ୍କ ଟର୍ପେଡୋ ଆକ୍ରମଣରେ ତାହା ବୁଡ଼ିଗଲା । ହେମଚନ୍ଦ୍ରଙ୍କ ମୃତଦେହ ପ୍ଲାଇମାଉଥ୍‍କୁ ଅଣାଗଲା । ଶ୍ରୀ ଭୁବନା ନନ୍ଦ ଦାସ ବ୍ରିଷ୍ଟକ୍‍ଠାରେ ସେତେବେଳେ ଜଣେ ଇଞ୍ଜିନିଅର୍‍ ଭାବରେ କାର୍ଯ୍ୟ କରୁଥିଲେ । ସେ ଯାଇ ଏହି ମୃତ ଦେହକୁ ଚିହ୍ନଟ କଲେ ଓ ତା’ପରେ ତାହା ଲଣ୍ଡନ ଅଣାଗଲା । ସଚ୍ଚିଦାନନ୍ଦ ରାୟ ଅକ୍‌ସ୍‌ଫୋର୍ଡରୁ ଓ ମୁଁ କେମ୍ବ୍ରିଜରୁ ଆସି ଶବଦାହ କାର୍ଯ୍ୟରେ ଯୋଗଦେଲୁ । ଶତପଥୀଙ୍କର କେତେଜଣ ଭାରତୀୟ ଓ ଇଂରେଜ ବନ୍ଧୁ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ବୈଦ୍ୟୁତିକ ଦାହଯନ୍ତ୍ର (Electrical Crematorium)ରେ ତାଙ୍କର ଶବଦାହ କରାଯାଇଥିଲା । ମୋର ବନ୍ଧୁ ଶ୍ରୀ ପି.କେ. ଆଚାର୍ଯ୍ୟ ଯାହାଙ୍କ ସଂପର୍କରେ ମୁଁ ପୂର୍ବରୁ ଉଲ୍ଲେଖ କରିଛି ସେ ପବିତ୍ର ବେଦମନ୍ତ୍ର ପାଠ କରିଥିଲେ ଏବଂ ଶବାଧାର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଶ୍ରୀ ଭୁବନାନନ୍ଦ ଦାସ ଶ୍ରୀ ଏସ୍‍. ସି. ରାୟ ଓ ମୁଁ ସେହି ଦିନଟି ଲଣ୍ଡନରେ କଟାଇ ତା’ ପରଦିନ ନିଜ ନିଜ କର୍ମକେନ୍ଦ୍ରକୁ ଫେରି ଯାଇଥିଲୁ । ଶ୍ରୀ ଭୁବନାନନ୍ଦ ଦାସ ବ୍ରିଷ୍ଟଲ୍‍ଠାରେ ତାଙ୍କ ସହିତ ଗୋଟିଏ ଛୁଟି କଟାଇବା ପାଇଁ ଆମକୁ ନିମନ୍ତ୍ରଣ କରିଥିଲେ ଓ ପରେ ଆମେ ତାହା ରକ୍ଷା କରିଥିଲୁ ।

☆☆☆

 

କେମ୍ବ୍ରିଜରେ କ୍ଲବ୍‍ ଜୀବନ

 

ଏବେ ମୋର କେମ୍ବ୍ରିଜ ରହଣି ବିଷୟକୁ ପୁଣି ଫେରିଆସୁଛି । ପୂର୍ବରୁ ଉଲ୍ଲେଖ କରିଛି ଯେ ମୁଁ ୧୯୧୪ ଅକ୍ଟୋବର ମାସରେ କ୍ରାଇଷ୍ଟ’ସ୍‍ କଲେଜରେ ଯୋଗ ଦେଲି । ଅନ୍ୟ ଭାରତୀୟ ଛାତ୍ର ଜଣକ ହେଉଛନ୍ତି ଆସାମର ଇନାମୁଲ୍‍ ମଜିଦ୍‍ । ତାଙ୍କ କଥା ପୂର୍ବରୁ ଉଲ୍ଲେଖ କରାଯାଇଛି । ମୁଁ ଏ କଥା ଲେଖିବାକୁ ଭୁଲି ଯାଇଥିଲି ଯେ ମାଟ୍ରିକୁଲେସନ୍‍ ଉତ୍ସବ ପରେ ବିଧିବଦ୍ଧ ଭାବରେ ବିଶ୍ୱବିଦ୍ୟାଳୟ ଛାତ୍ରଜୀବନ ଆରମ୍ଭ ହୁଏ । ପ୍ରତ୍ୟେକ କଲେଜରେ ଗୋଟିଏ ଦିନ ନିର୍ଦ୍ଦିଷ୍ଟ ଥାଏ ଯେଉଁଦିନ କି ନୂଆ ହୋଇ ଯୋଗ ଦେଇଥିବା ସେହି କଲେଜର ଛାତ୍ରମାନେ ଟୋପି ଓ ଗାଉନ୍‍ ପିନ୍ଧି ସିନେଟ୍‍ ଗୃହକୁ ଯା’ନ୍ତି । ସେଠାରେ କୁଳପତି ଏହି ଉତ୍ସବପାଇଁ ଉର୍ଦ୍ଦିଷ୍ଟ ଏକ ଚୌକିରେ ବସିଥା’ନ୍ତି ଓ ତାଙ୍କ ଆଗରେ ଛାତ୍ରମାନଙ୍କୁ ଜଣେ ଫେଲୋ ଉପସ୍ଥାପିତ କରନ୍ତି । ଏହି ଫେଲୋଙ୍କୁ ପ୍ରିଲେକ୍‌ଟର କୁହାଯାଏ । ସେ ତାଙ୍କର ଡାହାଣ ହାତ ବଢ଼ାଇ ଦିଅନ୍ତି ଓ ପାଞ୍ଚଜଣ ଛାତ୍ର ତାଙ୍କର ଗୋଟିଏ ଗୋଟିଏ ଆଙ୍ଗୁଠିକୁ ଧରନ୍ତି । ତାପରେ ସେ ଲାଟିନ୍‌ରେ କେତୋଟି ମନ୍ତ୍ର ଉଚ୍ଚାରଣ କରି କୁଳପତିଙ୍କ ଆଗରେ ସେମାନଙ୍କୁ ଉପସ୍ଥାପିତ କରନ୍ତି । ଛାତ୍ରମାନେ ଗୋଟିଏ ଆଣ୍ଠୁମାଡ଼ି ଆଣ୍ଠେଇ କୁଳପତିଙ୍କ ଦୁଇ ହାତ ଭିତରେ ସେମାନଙ୍କ ହାତ ରଖନ୍ତି ଓ କୁଳପତି ଲାଟିନ୍‌ରେ କେତେକ ମନ୍ତ୍ର ଉଚ୍ଚାରଣ କରି ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଛାତ୍ରଭାବରେ ଗ୍ରହଣ କରନ୍ତି । ଏହିପରି ପାଞ୍ଚଜଣ ବା ଶେଷରେ ଯଦି କମ୍‍ ରହିଗଲେ ସେମାନଙ୍କ ପାଇଁ ଏହି ଉତ୍ସବ ଚାଲେ । ଯେତେବେଳ ଏହା ଶେଷହୁଏ ଛାତ୍ରମାନେ ସେମାନଙ୍କର ନାମ ରେଜିଷ୍ଟ୍ରାରୀଙ୍କ ଦ୍ୱାରା ରଖାଯାଇଥିବା ରେଜିଷ୍ଟ୍ରାରରେ ଦସ୍ତଖତ କରନ୍ତି । ଆମ ବିଶ୍ୱବିଦ୍ୟାଳୟମାନଙ୍କରେ ବା ଇଂଲଣ୍ଡର ଅନ୍ୟ ସବୁ ବିଶ୍ୱବିଦ୍ୟାଳୟରେ ଯାହାଙ୍କୁ ରେଜିଷ୍ଟ୍ରାର ବୋଲି କୁହାଯାଏ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ରେଜିଷ୍ଟ୍ରାରୀ ନାମରେ ଅଭିହିତ ।

 

ଏହିପରି ନୂଆ ହୋଇ ପ୍ରବେଶ କରିଥିବା ଛାତ୍ର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ତାଙ୍କର ଜୀବନ ଆରମ୍ଭ କରନ୍ତି । ତାଙ୍କର ଲେକ୍‍ଚର୍‍ ଓ ଟ୍ୟୁଟରିଆଲ୍‍ ଶ୍ରେଣୀରେ ସହାୟତା ସମ୍ପର୍କରେ ପୂର୍ବରୁ ଆଲୋଚନା କରାଯାଇଛି । କେମ୍ବ୍ରିଜ ପରି ଏକ ସୁସନ୍ନଦ୍ଧ(compact) ବିଶ୍ୱବିଦ୍ୟାଳୟରେ ଛାତ୍ର କେବଳ କ୍ଲାସ ଲେକ୍‍ଚରରୁ ଶିକ୍ଷାଲାଭ କରିନ୍ତି ନାହିଁ । ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ବିଶେଷଜ୍ଞମାନେ ଯେଉଁସବୁ ବକ୍ତୃତା ଦିଅନ୍ତି ସେଥିରେ କୌଣସି ଅନୁରକ୍ତି ଛାତ୍ରର ଯୋଗଦେବାରେ ବାଧା ନ ଥାଏ । ପଦାର୍ଥବିଜ୍ଞାନ ରସାୟନ ବିଜ୍ଞାନ ଉଦ୍ଭିଦବିଜ୍ଞାନ ମୋର ଅଧୀତ ବିଷୟ ଥିଲେ ମଧ୍ୟ ମୁଁ ଇଂରାଜୀ ସାହିତ୍ୟ ଭୂତତ୍ତ୍ୱ ନୃତତ୍ତ୍ୱ ଓ ଦର୍ଶନଶାସ୍ତ୍ର ତଥା ଅନ୍ୟାନ୍ୟ ବିଷୟମାନଙ୍କରେ ଦିଆଯାଉଥିବା ବକ୍ତୃତାରେ ଯୋଗ ଦେଉଥିଲି ।

 

କ୍ଲବ୍‍ ଜୀବନ

 

ଏସବୁ ବକ୍ତୃତା ବ୍ୟତୀତ ବହୁ ସୋସାଇଟି ଓ କ୍ଲବ୍‍ମାନ ଥାଏ ଯେଉଁଠିକି ଅନୁରକ୍ତ ଛାତ୍ରମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ଭାଷଣ ଶୁଣନ୍ତି । ବିଶ୍ୱବିଦ୍ୟାଳୟ ୟୁନିଅନ୍‌(ଯାହାର କି ସଭ୍ୟ ହେବା ବାଧ୍ୟତାମୂଳକ ନୁହେଁ ) ପକ୍ଷରୁ ମଧ୍ୟ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଏ । ଯେଉଁମାନେ ସଭ୍ୟ ନୁହନ୍ତି ସେମାନେ ଅନ୍ୟ ସଭ୍ୟଙ୍କର ଅତିଥି ଭାବରେ ଯୋଗ ଦେଇପାରନ୍ତି । ଭାରତୀୟ ଛାତ୍ରମାନଙ୍କର ‘ମଜଲିସ୍‌’ ଥିଲା । ଏହି ସୋସାଇଟି ସପ୍ତାହରେ ଥରେ ବସେ ଓ ଏହାପକ୍ଷରୁ ବିଭିନ୍ନ ବିଷୟରେ ଆଲୋଚନା ଏବଂ ଭାରତୀୟ ଓ ବିଦେଶୀୟ ବିଭିନ୍ନ ଅତିଥିଙ୍କର ବକ୍ତୃତାଦାନର ବ୍ୟବସ୍ଥା କରାଯାଇଥାଏ । ଏହି ବିଷୟରେ ପରେ ମୁଁ ଉଲ୍ଲେଖ କରିବ । ଆହୁରି ଗୋଟିଏ କ୍ଲବ୍‌ ଥିଲା ତାର ନାମ ‘ ହେରେଟିକ୍‌ସ୍‌’ । ଏହାର ସଂଗଠକ ମିଷ୍ଟରଓ ଗଡ଼େନ୍‌ କେମ୍ବ୍ରିଜ ମାଗାନିଜ୍‌ର ସମ୍ପାଦକ ମଧ୍ୟ ଥିଲେ । ଏହି କ୍ଲବ୍‌ ସପ୍ତାହରେ ଥରେ ଆସୁଥିଲେ । ଲର୍ଡ଼ ରସେଲ୍‌ ଅନ୍ୟାନ୍ୟ ଖ୍ୟାତନାମା ପଣ୍ତିତମାନେ କ୍ଲବ୍‌କୁ ଆସି ଭାଷଣ ଦେଉଥିଲେ । କ୍ଲବ୍‌ର ନାମକରଣ ଦୃଷ୍ଟିରୁ ସଭ୍ୟମାନେ କୌଣସି ନିଦ୍ଦିଷ୍ଟ ଧର୍ମମତାବଲମ୍ବୀ ନଥିଲେ । ସେମାନେ ଯାହା ଯୁକ୍ତିସମ୍ମତ ତାହାକୁ ହିଁ ଗ୍ରହଣ କରୁଥିଲେ । ମୁଁ ଏହି କ୍ଲବ୍‌କୁ ବରାବର ଯାଉଥିଲି ।

 

ଚରମପନ୍ଥୀ ତିଳକ

 

ପୂର୍ବରୁ କୁହାଯାଇଥିବା ଭାରତୀୟ ‘ମଜଲିସ୍‌’—ତର୍କସଭା ଓ ସାଂସ୍କୃତିକ ଅନୁଷ୍ଠାନ ଉଦ୍ଦେଶ୍ୟରେ ଗଢ଼ା ହୋଇଥିଲା । ସମସ୍ତେ ନହେଲେ ମଧ୍ୟ ପ୍ରାୟ ସବୁ ଭାରତୀୟ ଛାତ୍ର ଏହାର ସଭ୍ୟ ଥିଲେ । ମୋର ଯେତେ ଦୂର ମନେପଡ଼ୁଛି ସଂହଳ ଛାତ୍ରମାନେ ମଧ୍ୟ ଏହାର ସଭ୍ୟ ଥିଲେ । ମୋର ଯେତେ ଦୂର ମନେପଡ଼ୁଛି ସିଂହଳ ଛାତ୍ରମାନେ ମଧ୍ୟ ଏହାର ସଭ୍ୟ ଥିଲେ । ସଭ୍ୟମାନେ ବର୍ଷକପାଇଁ ଜଣକୁ ସଭାପତିରୂପେ ବାଛୁଥିଲେ । ଜଣେ ସମ୍ପାଦକ ମଧ୍ୟ ରହୁଥିଲେ । ମୁଁ ବର୍ଷେ ସଭାପତିରୂପେ ନିର୍ବାଚିତ ହୋଇଥିଲି । ବହୁ ବିଶିଷ୍ଟ ଭାରତୀୟ କେମ୍ବ୍ରିଜ ପରିଦର୍ଶନରେ ଯାଇ ‘ମଜିଲିସ୍‍’ରେ ଭାଷଣ ଦେଉଥିଲେ । ମିଷ୍ଟର ଜିନ୍ନା ମିଷ୍ଟର ସି. ୱାଇ. ଚିନ୍ତାମଣି ଶ୍ରୀମତୀ ନାଇଡ଼ୁ ଲୋକମାନ୍ୟ ବାଳଗଙ୍ଗାଧର ତିଳକ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ର ରାୟ ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର ବୋଷ ଓ ଅନ୍ୟ ବହୁ ବିଶିଷ୍ଟ ଭାରତୀୟ ‘ମଜଲିସ୍‍’ ପକ୍ଷରୁ ଆୟୋଜିତ ସଭାରେ ଭାଷଣ ଦେଇଛନ୍ତି । ମୁଁ ସଭାପତି ଥିବାବେଳେ ଲୋକମାନ୍ୟ ତିଳକ ଓ ‘କେଶରୀ’ର ସଂପାଦକ ଶ୍ରୀ କେଲ୍‍କାର୍‍ କେମ୍ବ୍ରିଜ ପରିଦର୍ଶନରେ ଆସିଥିଲେ । ମୁଁ ଯେଉଁ ବସାଘରେ ରହୁଥିଲି ତାହା ଖାଲିକରି ତାଙ୍କ ରହିବାପାଇଁ ମୁଁ ବ୍ୟବସ୍ଥା କରିଥିଲି । ଲୋକମାନ୍ୟ ‘ମଜଲିସ୍‍’ରେ ଭାଷଣ ଦେବାବେଳେ ବହୁ ଇଂରେଜ ଛାତ୍ର ସଭାରେ ଯୋଗ ଦେଇଥିଲେ । ସେ ବ୍ରିଟିଶ ରାଜ୍ୟଗୋଷ୍ଠୀରେ ଭାରତର ସ୍ୱରାଜ୍ୟ ସଂପର୍କରେ କହୁଥିଲେ । ଭାଷଣ ଶେଷ ହେବାପରେ ଜଣେ ଇଂରେଜ ଛାତ୍ର ମନ୍ତବ୍ୟ ଦେଲେ “ଏ ଯଦି ତୁମର ଚରମପନ୍ଥୀ ତା’ହେଲେ ମୁଁ ନରମପନ୍ଥୀମାନଙ୍କୁ ଶୁଣିବାକୁ ଚାହେଁ ନାହିଁ ।”

 

ଯେତେବେଳେ ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର କେମ୍ବ୍ରିଜ ପରିଦର୍ଶନରେ ଆସିଲେ ସେ ତାଙ୍କର ପ୍ରାଣୀ-ପଦାର୍ଥ ବିଦ୍ୟା(Biophysics) ସଂପର୍କୀୟ ଗବେଷଣା ବିଷୟରେ ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ପରୀକ୍ଷାଗାରରେ ଭାଷଣ ଦେଇଥିଲେ । ତାଙ୍କ ଭାଷଣ ଶୁଣିବାପାଇଁ ଖୁବ୍‍ ଗହଳି ହୋଇଥିଲା । ମୁଁ ସେତେବେଳେ ଡକ୍ଟର ଏଫ୍‍. ଏଫ୍‍. ବ୍ଳାକ୍‍ମାନଙ୍କ ନିର୍ଦ୍ଦେଶରେ ଜଣେ ଗବେଷକ ଛାତ୍ରରୂପେ କାର୍ଯ୍ୟ କରୁଥିଲି । ବକ୍ତୃତା ଶେଷହେବାର  ଦିନକ ପରେ ଡକ୍ଟର ବ୍ଳାକ୍‍ମାନ୍ ‘ଜଗଦୀଶଚନ୍ଦ୍ର’ ଅର୍ଥ କ’ଣ ବୋଲି ମୋତେ ପଚାରିଲେ । ମୁଁ ବୁଝାଇ କହିଲି ଜଗତର  ଈଶ୍ୱରଙ୍କର ଚନ୍ଦ୍ର । ଡକ୍ଟର ବ୍ଳାକ୍‍ମାନ କହି ଉଠିଲେ “ବେଶ୍‍ ଗୋଟାଏ ନାଁ ତ ।” ବିଶିଷ୍ଟ ଭାରତୀୟମାନଙ୍କର କେମ୍ବ୍ରିଜ ପରିଦର୍ଶନ ସମୟର ଗୋଟିଏ ଦିଓଟା ଘଟଣା ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ । ଯେତେବେଳେ ଶ୍ରୀମତୀ ନାଇଡ଼ୁ ଆସିଥିଲେ ତାଙ୍କୁ ସମ୍ବର୍ଦ୍ଧନା କରିବାପାଇଁ ଏକ ଚା’ ଭୋଜିର ବ୍ୟବସ୍ଥା କରାଯାଇଥିଲା ତାଙ୍କ ସହିତ ମୋତେ ପରିଚିତ କରାଇଦେବା ପାଇଁ ମୁଁ ଜଣେ ବନ୍ଧୁଙ୍କୁ ଅନୁରୋଧ କଲି । ଯେତେବେଳେ ମୋର ବନ୍ଧୁ ତାଙ୍କ ସହିତ ମୋତେ ପରିଚିତ କରାଇଲେ ସେ କହି ଉଠିଲେ “କ’ଣ ହେଲା ତୁମେ ମୋତେ ଭୁଲିଗଲଣି କି ?” ବାସ୍ତବିକ ତାଙ୍କ ସହିତ ପୂର୍ବରୁ ମୋର କେବେ ଦେଖାସାକ୍ଷାତ୍‍ ହୋଇ ନଥିଲା । ସେ ବୋଧହୁଏ ମୋ’ ସଂପର୍କରେ ପୂର୍ବରୁ ଶୁଣିଥିବେ ଓ ତାଙ୍କ ସହିତ ମୁଁ ପରିଚିତ ବୋଲି ଭାବି ନେଇଥିବେ । ସେ ଯେତେବେଳେ ଏ ମନ୍ତବ୍ୟ ଦେଲେ ମୁଁ ନୀରବ ରହିଲି ଓ ମୋର ସ୍ମୃତି ବିଭ୍ରମ ବୋଲି ମାନିଲି ।

 

ସାର୍‍ ସି. ଭି. ରମଣଙ୍କର କେମ୍ବ୍ରିଜ ପରିଦର୍ଶନ ବେଳେ ଆହୁରି ଏକ ଘଟଣା ଘଟିଥିଲା । ଏକ ଚା’ ଭୋଜିରେ ମାନ୍ଦ୍ରାଜରୁ ଆସିଥିବା ଆମର ଜଣେ ବନ୍ଧୁ ଇଂଲଣ୍ଡରେ ମାଂସହାରକୁ ଖୁବ୍‍ ଜୋରରେ ତାରିଫ କରୁଥିଲେ । କିଛି ସମୟ ଶୁଣିବାପରେ ସାର୍‍ ସି. ଭି. ରମଣ ତାଙ୍କର ରୋକ୍‍-ଠୋକ୍‍ ଢଙ୍ଗରେ କହିଲେ “ୱାରନ୍‍ ତୁମେ ତୁଚ୍ଛାଟାରେ ପାଟି କରୁଛ । ମୁଁ ଜଣେ ଶାକାହାରୀ । କିନ୍ତୁ ମୋର କେବେହେଲେ କୌଣସି ରୋଗ ହୋଇନାହିଁ ।” ଏତିକିରେ ଆମର ବନ୍ଧୁ ନୀରବ ହୋଇଗଲେ ।

 

ଅନ୍ୟ ଜଣେ ବିଶିଷ୍ଟ ବ୍ୟକ୍ତି ଯେ କେମ୍ବ୍ରିଜ ପରିଦର୍ଶନରେ ଯାଇ ଭାରତୀୟ ‘ମଜଲିସ୍‍’ ପକ୍ଷରୁ ଲାୟନସ୍‌ ହୋଟେଲରେ ଆୟୋଜିତ ଏକ ଭୋଜି ସଭାରେ ଭାଷଣଦେଇ ପ୍ରଶଂସିତ ହୋଇଥିଲେ ସେ ଥିଲେ ହିନ୍ଦ୍‍ ସେବକ ସମାଜର ଜଣେ ବିଶିଷ୍ଟ ସଭ୍ୟ ।

 

ସମସାମୟିକ ଭାରତୀୟ

 

ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ଇନାମୁଲ୍‍ମଜିଦ୍‍ ଏକମାତ୍ର ଭାରତୀୟ ଯେ କି ୧୯୧୪ ମସିହରେ କ୍ରାଇଷ୍ଟ’ସ୍‍ କଲେଜରେ ଯୋଗ ଦେଇଥିଲେ । ତାଙ୍କର ବାପା କ୍ରାଇଷ୍ଟ’ସ୍‍ କଲେଜରେ ପଢ଼ୁଥିଲେ । ଇନାମୁଲ୍‍ମଜିଦ୍‍ କ୍ରାଇଷ୍ଟ’ସ୍‍ କଲେଜକୁ ଆସିବା ଆଗରୁ କେମ୍ବ୍ରିଜରେ ପର୍ସ ନାମକ ସ୍କୁଲରେ ପଢ଼ୁଥିଲେ । ଆହୁରି ଅନେକ ଭାରତୀୟ ଥିଲେ ଯେ କି ମୋ’ଉପର ଶ୍ରେଣୀରେ ଥିଲେ । ସେମାନେ ହେଲେ ପଞ୍ଜାବର ମହମ୍ମଦ ଆଫଜଲ୍‍ ହୁସେନ ମାନ୍ଦ୍ରାଜର ଆର୍‍. କୃଷ୍ଣମେନନ୍‍ । ଆଫଜଲ ହୁସେନ୍‍ ମିଆଁ ଫଜଲି ହୁସେନ୍‍ ଓ ସାନଭାଇ । ଫଜିଲି ହୁସେନ୍‍ ଜଣେ ବିଶିଷ୍ଟ ରାଜନୀତିଜ୍ଞରୂପେ ଅବିଭକ୍ତ ପଞ୍ଜାବର ମନ୍ତ୍ରୀଥିଲେ ଓ ପରେ ପାକିସ୍ତାନର ଜଣେ ବିଶିଷ୍ଟ ନେତା ହୋଇଥିଲେ । ଆଫଜଲ୍‍ ହୁସେନ୍‍ ତାଙ୍କର ଦ୍ୱିତୀୟଭାଗ ଟ୍ରାଇପସ୍‍ ପାଇଁ ପ୍ରାଣୀତତ୍ତ୍ୱକୁ ଏକ ବିଷୟରୂପେ ଗ୍ରହଣ କରିଥିଲେ ଓ ବିଶ୍ୱବିଦ୍ୟାଳୟରେ ଜଣେ ଗବେଷକ ଛାତ୍ର ହୋଇଥିଲେ । ଭାରତକୁ ଫେରିଆସିବା ପରେ ସେ ଭାରତୀୟ ଏଗ୍ରିକଲ୍‍ଚରାଲ୍‍ ସର୍ଭିସ୍‍ (ବର୍ତ୍ତମାନ ବିଲୁପ୍ତ ହୋଇପଡ଼ିଥିବା ଆଇ. ଏ. ଏସ୍‍. )ରେ ଯୋଗଦେଇ ବିହାରର ପୁସା ଅନୁଷ୍ଠାନରେ କାର୍ଯ୍ୟ କଲେ । ପାକିସ୍ତାନ ହେବାପରେ ସେ ସେଠାରେ ରହିବା ପାଇଁ ପସନ୍ଦ କଲେ ଓ ଲାହୋରର ପଞ୍ଜାବ ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ । ପରେ ପାକିସ୍ତାନ ପବ୍ଲିକ ସର୍ଭିସ୍‍ କମିସନ୍‍ର ସେ ଚେୟାରମାନ୍‍ ହେଲେ । ଆମେ ଦୁହେଁ ବଡ଼ବନ୍ଧୁ ଥିଲୁ ଓ ଏବେ ମଝିରେ ମଝିରେ ଆମ ମଧ୍ୟରେ ପତ୍ରାଳାପ ହୁଏ । ମୋ’ପରି ହୁସେନ୍‍ ଟ୍ରାଇପସ୍‍ ପ୍ରଥମ ଭାଗରେ ଦ୍ୱିତୀୟଶ୍ରେଣୀ ଓ ଦ୍ୱିତୀୟ ଭାଗରେ ପ୍ରଥମଶ୍ରେଣୀ ପାଇଥିଲେ । ଆମେ ଦୁହେଁ ଟିକିଏ ବେଶି ବୟସରେ କେମ୍ବ୍ରିଜରେ ଯୋଗ ଦେଇଥିଲୁ । କେବଳ ଆମ କଥା ନୁହେଁ; ଯେଉଁମାନେ ଅପେକ୍ଷାକୃତ ବେଶି ବୟସରେ କେମ୍ବ୍ରିଜରେ ଯୋଗ ଦେଉଥିଲେ ସେମାନେ ଟ୍ରାଇପସ୍‍ ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଭାଗରେ ଭଲ କରୁଥିଲେ-। ଏହାର କାରଣ ବୁଝାଇବା କଷ୍ଟକର । ବିଭିନ୍ନ ବିଷୟରେ ଆଲୋଚନା କରି ନିଜର ମତାମତ ଦେବାର ଦକ୍ଷତା ସାଧାରଣତଃ ଅଧିକ ବୟସର ଯୁବକମାନଙ୍କର ଥାଏ । ବିଶେଷତଃ ପ୍ରକୃତି ବିଜ୍ଞାନ ବିଷୟମାନଙ୍କରେ ଏହା ସହଜ ହୋଇଥାଏ । କେମ୍ବ୍ରିଜ ପରୀକ୍ଷା ପ୍ରଣାଳୀ ବର୍ଗୀକରଣ ବା ଗ୍ରାଦାନ (grading) ଉପରେ ପ୍ରତିଷ୍ଠିତ ନମ୍ବର ଦେବାଉପରେ ନୁହେଁ । ଜଣେ ବହୁସଂଖ୍ୟକ ପ୍ରଶ୍ନର ଉତ୍ତରଦେଇ ‘ଗ’ ବର୍ଗ ଲାଭ କରିପାରନ୍ତି । ମୁଁ ଜଣେ ଭାରତୀୟ ଛାତ୍ରଙ୍କ କଥା ଜାଣେ-। ସେ ପ୍ରଥମ ଶ୍ରେଣୀ ପାଇଥିଲେ କାରଣ ତାଙ୍କର ପ୍ରବନ୍ଧଟି ଖୁବ୍‍ ଭଲ ହୋଇଥିଲା ।

 

ଭାରତକୁ ଫେରିଆସିବା ପରେ ମୁଁ ଆଫଜଲ୍‍ ହୁସେନ୍‍ଙ୍କୁ ଭାରତୀୟ ବିଜ୍ଞାନ କଂଗ୍ରେସ ସଭାମାନଙ୍କରେ ଭେଟିଛି । ସେ ଥରେ ଭାରତୀୟ ବିଜ୍ଞାନ କଂଗ୍ରେସର କଲିକତା ଅଧିବେଶନରେ ସାଧାରଣ ସଭାପତି ହୋଇଥିଲେ । ପାକିସ୍ତାନକୁ ଫେରିଯିବା ପରେ ମଧ୍ୟ୧୯୫୮ ମସିହାରେ କାନାଡ଼ାର ଟରେଣ୍ଟୋଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ବିଶ୍ୱବିଦ୍ୟାଳୟ ସମ୍ମିଳନୀରେ ତାଙ୍କ ସହିତ ମୋର ଦେଖା ହୋଇଥିଲା । ସେଠାରେ କ୍ରାଇଷ୍ଟ’ସ୍‍ କଲେଜର ମାଷ୍ଟର ଡକ୍ଟର ବି. ଡବ୍‌ଲ୍ୟୁ.ଡାଉନିସ୍‍ଙ୍କ ସହିତ ମଧ୍ୟ ଆମର ସାକ୍ଷାତ୍‍ ହେଲା । ଏଠାରେ ମୁଁ ଉଲ୍ଲେଖ କରିପାରେ ଯେ ଡକ୍ଟର ଡାଉନିସ୍‍ ଆମଠାରୁ ଅଳ୍ପ କେତେ ବର୍ଷ ସିନିଅର୍‍ ଥିଲେ ଓ ଜଣେ ଭାଷାତତ୍ତ୍ୱବିତ୍‍ ଥିଲେ । ଫ୍ରାନସ୍‍କୁ ଯିବାପାଇଁ ମୋର ଇଚ୍ଛା ଥିବାରୁ ମୁଁ ଡକ୍ଟର ଡାଉନିସ୍‍ଙ୍କଠାରୁ ଫରାସୀ ଭାଷା ଶିକ୍ଷା କରୁଥିଲି । ଟରେଣ୍ଟୋରେ ତାଙ୍କୁ ଭେଟିବା ବଡ଼ ଆନନ୍ଦଦାୟକ ହୋଇଥିଲା ।

☆☆☆

 

କେମ୍ବ୍ରିଜର ବନ୍ଧୁଗୋଷ୍ଠୀ

 

ଏଠାରେ ଉଲ୍ଲେଖ କରିବା ଅସଂଗତ ହେବ ନାହିଁ ଯେ ଟରେଣ୍ଟୋରେ ଥିବାବେଳେ ଭାରତୀୟ ଛାତ୍ରମାନେ କେତେଜଣ ଭାରତୀୟ କୁଳପତିଙ୍କୁ ଏକ ଉତ୍ସବକୁ ନିମନ୍ତ୍ରଣ କରିଥିଲେ । କଥାଭାଷା ପ୍ରସଙ୍ଗରେ ସେମାନେ କହିଲେ ଆମେରିକାରେ କାମ କରିବାର ଏତେ ସୁବିଧା ଅଛି ଏବଂ ଏପରି ଭଲପଇସା ମିଳୁଛି ଯେ ସେମାନେ ଭାରତକୁ ଫେରି ଯିବାକୁ ଇଚ୍ଛୁକ ନୁହନ୍ତି । ମୁଁ କହିଲି ଭାରତ ଉଚ୍ଚସ୍ତରର ଗବେଷଣାପାଇଁ ଏଭଳି ସୁବିଧା ବା ବେତନ ଦେଇପାରିବ ନାହିଁ ଯାହା କି ଆମେରିକା ଦେଉଛି । ତାହା ଆମେ ବୁଝଛୁ; କିନ୍ତୁ ଭାରତୀୟ ଛାତ୍ରମାନଙ୍କର ସେମାନଙ୍କ ମାତୃଭୂମି ପ୍ରତି କର୍ତ୍ତବ୍ୟ ଅଛି । ସେମାନେ ଭାରତକୁ ଫେରିଯାଇ ଦେଶର ପ୍ରଗତିରେ ସାହାଯ୍ୟ କରିବା ବାଞ୍ଛନୀୟ । ସେମାନେ ଏ କଥା ମଧ୍ୟ ବୁଝିବା ଉଚିତ ଯେ କ୍ରୟଶକ୍ତିର ବିଚାରରେ ଗୋଟିଏ ଡଲାର୍‍ ଗୋଟିଏ ଟଙ୍କା ସହିତ ସମାନ (ସେତେବେଳେ ଜିନିଷପତ୍ର ଦରଦାମର ତୁଳନାତ୍ମକ ବିଚାରରେ ମୁଁ ଏହା କହିଥିଲି । ବର୍ତ୍ତମାନ ଅବସ୍ଥା ବଦଳି ଗଲାଣି) ।

 

କ୍ରାଇଷ୍ଟସ୍‍ କଲେଜ

 

ବର୍ତ୍ତମାନ ମୁଁ ପୁଣି କେମ୍ବ୍ରିଜବେଳକୁ ଫେରିଯାଉଛି । କେମ୍ବ୍ରିଜରେ ଥିବାବେଳେ ମୋର ସମସାମୟିକ ବ୍ୟକ୍ତିମାନଙ୍କ ସଂପର୍କରେ ଉଲ୍ଲେଖ କରିବାବେଳେ କ୍ରାଇଷ୍ଟ’ସ୍‍ କଲେଜରେ ଥିବା ମୋର ବନ୍ଧୁମାନଙ୍କ ସଂପର୍କରେ ପ୍ରଥମରୁ କହିରଖେ । ପରେ ଅନ୍ୟ କଲେଜରେ ପଢ଼ୁଥିବା ବନ୍ଧୁମାନଙ୍କ ସଂପର୍କରେ କହିବି । ମୁଁ ଆସାମରୁ ଯାଇଥିବା ଇନାମୁଲ୍‍ ମଜିଦ୍‍ଙ୍କ କଥାପୂର୍ବରୁ ଉଲ୍ଲେଖ କରିଛି । ଆମ୍ଭେମାନେ ପରସ୍ପରର ଅତି ଘନିଷ୍ଟ ବନ୍ଧୁ ହୋଇଥିଲୁ । ଥରେ ଗୋଟିଏ ଛୁଟିରେ ଭୁବନାନନ୍ଦ ଦାସ ବ୍ରିଷ୍ଟଲ୍‍କୁ ଆମକୁ ନିମନ୍ତ୍ରଣ କରିଥିଲେ । ଶ୍ରୀ ଦାସ ୱାଟଫୋର୍ଡ଼ ପରିବାରରେ ରହୁଥିଲେ । ଶ୍ରୀ ସଚ୍ଚିଦାନନ୍ଦ ରାୟ ମଜିଦ୍‍ ଓ ମୁଁ ଛୁଟିର କିଛିସମୟ ଶ୍ରୀ ବି. ଦାସଙ୍କ ସହିତ କଟାଇଥିଲୁ । ସେଠାରେ ମିସ୍‍ ୱାଟଫୋର୍ଡ଼୍‌ ସହିତ ମଜିଦ୍‍ଙ୍କର ସାକ୍ଷାତ ହେଲାପରେ ଉଭୟ ପରସ୍ପର ସହିତ ବିବାହ ସୂତ୍ରରେ ଆବଦ୍ଧ ହେଲେ ।

 

ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟର କୁଳପତି ଓ କ୍ରାଇଷ୍ଟ’ସ କଲେଜର ଜଣେ ପୂର୍ବତନ ଛାତ୍ର ସାର୍‍ ରାମୁନ୍ନି ମେନନ୍‍ଙ୍କ ଭାଇ ଶ୍ରୀକୃଷ୍ଣ ମେନନ୍‍ ମୋ’ଠାରୁ ଗୋଟିଏ ବର୍ଷ ସିନିଅର୍‍ ଥିଲେ । ସେ ଭାରି ସରଳ ନିରାଡ଼ମ୍ବର ଲୋକ ଥିଲେ ଓ ମୋ’ର ଯେତେଦୂର ମନେପଡ଼ୁଛି ଇତିହାସ ଅଧ୍ୟୟନ କରୁଥିଲେ । ମୁଁ ଆସିବାର ବହୁ ପୂର୍ବରୁ ସେ ଭାରତକୁ ଫେରି ଆସିଥିଲେ ଓ ମାନ୍ଦ୍ରାଜର ଶିକ୍ଷାବିଭାଗରେ ଯୋଗଦେଇ ଇନ୍‍ସପେକ୍ଟର୍‍ ଅଫ୍‍ ସ୍କୁଲ୍‌ସ୍‌ ଓ ପରେ ପାଲଘାଟର ଏକ କଲେଜରେ ପ୍ରିନ୍‌ସିପାଲ ହୋଇଥିଲେ । ଏଇ କେତେ ବର୍ଷ ତଳେ ତାଙ୍କର ମୃତ୍ୟୁ ହେଲା ।

 

ବରୋଦାର ଗାଇକ୍‍ୱାଡ଼୍‍ ପରିବାରର ଭଦ୍ର ସିଂ ଗାଇକ୍‍ୱାଡ଼୍‍ ମୋ’ଠାରୁ ଜୁନିଅର୍‍ ଥିଲେ । ସେ ଜଣେ ଖେଳୱାଡ଼୍‍ ଓ ଭାରି ମେଳାପୀ ଲୋକଥିଲେ । ବରୋଦାକୁ ଫେରିଆସିବା ପରେ ସେ ଶାସନ କ୍ଷେତ୍ରରେ କାର୍ଯ୍ୟକରି ଶେଷକୁ ବରୋଦାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଭାରତକୁ ଫେରିଆସି ବିଜ୍ଞାନ କଂଗ୍ରେସ ଅଧିବେଶନରେ ଯୋଗ ଦେବାପାଇଁ ମୁଁ ବରୋଦା ଯାଇଥିଲି । ସେତେବେଳେ ଶ୍ରୀ ଭଦ୍ର ସିଂ ଗାଇକ୍‍ୱାଡ଼୍‍ ଶିକ୍ଷାମନ୍ତ୍ରୀ ଥିଲେ ଓ ତାଙ୍କ ସହିତ ମୋ’ର ପୂର୍ବ ସଂପର୍କ ଦୃଢ଼ୀଭୂତ କରିବାର ସୁଯୋଗ ମୁଁ ପାଇଥିଲି । ମୋ’ପରେ ବହୁ ଭାରତୀୟ ଛାତ୍ର କ୍ରାଇଷ୍ଟ’ସ୍‍ କଲେଜରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଚିଟାଗଙ୍ଗର ଶ୍ରୀ ଅନୱାରୁଲ୍‍ ଅଜିମ୍‍-। କଲେଜର ଶୃଙ୍ଖଳା ଓ ନିୟମାବଳୀ ସଂପର୍କରେ ଚର୍ଚ୍ଚା କଲାବେଳେ ମୁଁ ତାଙ୍କ କଥା ଲେଖିଥିଲି-। ସବୁଦିନ ରାତି ଦଶଟାପୂର୍ବରୁ ସେ କଲେଜକୁ ଫେରି ଆସୁଥିଲେ ଓ କେବେହେଲେ ବିଳମ୍ବ ଜନିତ ଜରିମାନା ଦେଇ ନଥିଲେ । ଥରେ ଡିନ୍‍ ତାଙ୍କୁ ଡାକି ପଚାରିଲେ—ତାଙ୍କର କ’ଣ କେମ୍ବ୍ରିଜରେ କେହି ବନ୍ଧୁ ନାହାନ୍ତି ? ସେ ତ କେବେ ହେଲେ ଦଶଟା ପରେ ବାହାରେ ରହୁନାହାନ୍ତି ।

 

ଅଳ୍ପ କେତେମାସ ତଳେ କ୍ରାଇଷ୍ଟ’ସ୍‍ କଲେଜର ସିନିଅର୍‍ ଟ୍ୟୁଟର୍‍ ଅଜିମ୍‍ଙ୍କ ସମ୍ପର୍କରେ ଜାଣିବାପାଇଁ ମୋ’ପାଖକୁ ଲେଖିଥିଲେ । ବହୁଦିନ ଧରି ଅଜିମ୍‍ଙ୍କ ଖବର ମୁଁ ରଖି ନଥିଲେ ମଧ୍ୟ କଲିକତାରେ ଥିବା ପାକିସ୍ତାନର କନସଲ୍‍ ଜେନେରାଲ୍‍ଙ୍କ ପାଖକୁ ମୁଁ ଜାଣିବା ପାଇଁ ଲେଖିଲି । ସେଠାରୁ ଉତ୍ତର ଆସିଲା ବାରିଷ୍ଟର ଅନୱାରୁଲ୍‍ ଅଜିମ୍‍ଙ୍କର ଅଳ୍ପ କେତେ ବର୍ଷତଳେ ପରଲୋକ ହୋଇଯାଇଛି ।

 

ମାନ୍ଦ୍ରାଜର ଡକ୍ଟର ଏଚ୍‍. ପରମେଶ୍ୱରନ୍‍ (ସେ ନିଜକୁ ଏଚ୍‍. ପି. ୱାରନ୍‍ ବୋଲି କହୁଥିଲେ) ପଦାର୍ଥ ବିଜ୍ଞାନରେ ଏକ ଗବେଷକ ଛାତ୍ରଭାବରେ ଯୋଗ ଦେଇଥିଲେ । କାଚ ନିର୍ମାଣରେ ସେ ଜଣେ ବିଶେଷଜ୍ଞ ଥିଲେ ଓ ମୋର ଗବେଷଣା କାଳରେ କାଚର ଯନ୍ତ୍ରପାତି ନିର୍ମାଣରେ ମୁଁ ତାଙ୍କର ସାହାଯ୍ୟ ନେଉଥିଲି । ସେ ଭାରତକୁ ଆସି ମାନ୍ଦ୍ରାଜର ପ୍ରେସିଡେନ୍‌ସି କଲେଜରେ ପଦାର୍ଥବିଜ୍ଞାନ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ପ୍ରେସିଡେନ୍‍ସି କଲେଜର କ୍ଲବ୍‍ ଟାୱାର୍‍ ତାଙ୍କର ସ୍ମୃତି ନିର୍ଦ୍ଦେଶକ । କାରଣ ଏହାର ନିର୍ମାଣପାଇଁ ସେ ଦାୟୀ ଥିଲେ । ଅଳ୍ପଦିନ ତଳେ ତାଙ୍କର ମୃତ୍ୟୁ ହେଲା ।

 

ତାଙ୍କପରି ଆହୁରି ଜଣେ ଗବେଷକ ଛାତ୍ର ଥିଲେ—ପଞ୍ଜାବର ଡକ୍ଟର କେ. ଏଲ୍‍. ମୌଡ଼୍‍ଗିଲ୍‍ । ଡକ୍ଟର ମୌଡ଼୍‍ଗିଲ୍‍ ରସାୟନଶାସ୍ତ୍ରରେ ଗବେଷଣା କରୁଥିଲେ ଓ ଭାରତକୁ ଫେରିଆସିବା ପରେ ସରକାରୀ ଚାକିରିରେ ଯୋଗଦେଇ ଶେଷକୁ କେରଳ ରାଜ୍ୟରେ ଘରଦ୍ୱାର କରି ରହିଲେ ।

 

ଭାରତୀୟଙ୍କ ବ୍ୟତୀତ ସିଂହଳର ଦୁଇଜଣ ଛାତ୍ର ଥିଲେ । ସେମାନେ ହେଲେ ମୋଠାରୁ ସିନିଅର୍‍ ଥିବା ଶ୍ରୀ ତ୍ୟାଗରାଜ ଏବଂ ଜୁନିଅର୍‍ ଲାୟନେଲ କୋଟଲୱାଲା (ପରେ ସାର୍‍ ହୋଇଥିଲେ) । ଶ୍ରୀ ତ୍ୟାଗରାଜ ବାରିଷ୍ଟରୀ ପାସ୍‍ କରିବା ପରେ ସିଂହଳକୁ ଫେରିଆସି ପାର୍ଲିଆମେଣ୍ଟ ସଭ୍ୟ ହୋଇଥିଲେ । ଏବେ ମଧ୍ୟ ସେ ଓକିଲାତି କରୁଛନ୍ତି । ସାର ଲାୟନେଲ୍‍ କୋଟଲାୱାଲା ଜଣେ ଖେଳୱାଡ଼୍‍ ଥିଲେ । ମୋର କେମ୍ବ୍ରିଜ ଛାଡ଼ିବାବେଳକୁ ସେ ସେଠାରେ ରହିଥିଲେ ।

 

କ୍ରାଇଷ୍ଟ’ସ୍‍ କଲେଜ ଏକ ବିଶ୍ୱଜନୀନ ଶିକ୍ଷାନୁଷ୍ଠାନ ଥିଲା । ପୃଥିବୀର ସବୁ ଅଞ୍ଚଳରୁ ଛାତ୍ର ଏଠାକୁ ପଢ଼ିବାକୁ ଆସୁଥିଲେ । ଆଫ୍ରିକାର ସ୍ୱର୍ଣ୍ଣର ଉପକୂଳରୁ ଶ୍ରୀ ଏଡ଼୍‍ଓ୍ୱାଡ଼୍‍ ଟାଗୋ ମୁଁ ଯେଉଁ ବର୍ଷ ଯାଇଥିଲି ସେହି ବର୍ଷ ଆସି ଯୋଗ ଦେଇଥିଲେ । ପରେ ସେ ବାରିଷ୍ଟର ହୋଇ ତାଙ୍କ ଦେଶକୁ ଫେରିଗଲେ । ତାଙ୍କର ବାପା ରପ୍ତାନୀ ବାଣିଜ୍ୟକ୍ଷେତ୍ରରେ ଗୋଟିଏ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଥିଲେ । ମୁଁ ଟରେଣ୍ଟୋଠାରେ ଆଫ୍ରିକାର ଜଣେ ଭଦ୍ରଲୋକଙ୍କୁ ଭେଟିଥିଲି । ଟାଗୋଙ୍କ ସମ୍ପର୍କରେ ପଚାରିବାରୁ ସେ କହିଲେ ସେ ତାଙ୍କ ବାପାଙ୍କ ବ୍ୟବସାୟ ପ୍ରତିଷ୍ଠାନରେ ଯୋଗ ଦେଇଥିଲେ । ଅଳ୍ପ କେତେବର୍ଷ ତଳେ ତାଙ୍କର ମୃତ୍ୟୁ ହୋଇଛି । ଚୀନ, କୋରିଆ ଓ ସିଙ୍ଗାପୁରରୁ ମଧ୍ୟ ଛାତ୍ରମାନେ ଏଠାକୁ ଆସୁଥିଲେ ।

 

ଅନ୍ୟ କଲେଜ

 

ବର୍ତ୍ତମାନ ମୁଁ ଅନ୍ୟ କଲେଜରେ ଅଧ୍ୟୟନ କରୁଥିବା ବନ୍ଧୁମାନଙ୍କ ସମ୍ପର୍କରେ ଉଲ୍ଲେଖ କରିବି । ପ୍ରଥମେ ହେଉଛି ଏମାନୁଏଲ୍‍ କଲେଜ । କାରଣ ଏହି କଲେଜ କ୍ରାଇଷ୍ଟ’ସ୍‍ କଲେଜର ନିକଟବର୍ତ୍ତୀ ଏବଂ ଏହି କଲେଜର ପ୍ରତିଷ୍ଠାତା କ୍ରାଇଷ୍ଟ’ସ୍‍ କଲେଜର ଜଣେ ପୁରାତନ ଛାତ୍ର । ତାପରେ ପୁଣି ବହୁ ବିଖ୍ୟାତ ଭାରତୀୟ ଛାତ୍ର ଏହି କଲେଜରେ ପଢ଼ୁଥିଲେ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ଶ୍ରୀ ଶ୍ୟାମଚନ୍ଦ୍ର ତ୍ରିପାଠୀ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ନାମ ଉଲ୍ଲେଖଯୋଗ୍ୟ । ସମସ୍ତଙ୍କ ମଧ୍ୟରେ ସିନିଅର୍‍ ଛାତ୍ରଥିଲେ କେରଳର ଜର୍ଜ ମାଥାଇ । ସେ ମୋ’ଠାରୁ ସିନିଅର୍‍ ଥିଲେ ଏବଂ ମୁଁ କଲେଜ କୋଠରୀ ଛାଡ଼ି ବସାଘରେ ରହିବାବେଳେ ସେ ମଧ୍ୟ ସେହି ବସାଘରେ ରହୁଥିଲେ । ସେ ଜଣେ ଖୁବ୍‍ ଭଲଛାତ୍ର ଥିଲେ ଏବଂ ମୋ ମତରେ ସେ ଥିଲେ ଜଣେ ଧର୍ମାନ୍ଧ ଖ୍ରୀଷ୍ଟାନ୍‍ । ଲୋକେ କହନ୍ତି ସେ ତାଙ୍କର ଚିହ୍ନଟ କାର୍ଡ଼ରେ ତାଙ୍କର ଖ୍ରୀଷ୍ଟାନ । କିନ୍ତୁ ଏହା ଠିକ୍‍ ସତ୍ୟ ନୁହେଁ; ସେ ଏପରି ଲେଖିବାର କାରଣ ଏହା ହୋଇପାରେ ଯେ ତାଙ୍କର ଭାଇ ଥିଲେ ଶ୍ରୀ ଜନ୍‍ ମାଥାଇ ଯେ କି ପରେ ଭାରତର ଅର୍ଥମନ୍ତ୍ରୀ ହୋଇଥିଲେ ଓ ସେତେବେଳେ ଅକ୍‌ସଫୋର୍ଡ଼ରେ ଅଧ୍ୟୟନ କରୁଥିଲେ । ତାଙ୍କ ଭାଇଙ୍କଠାରୁ ଯେ ହୁଏତ ବାରି ଦେବାପାଇଁ ଚାହୁଁଥିଲେ । ଆମେ ଦୁହେଁ ଏକାଠି ପ୍ରାତଃଭୋଜନ କରୁଥିଲୁ ଓ ଦୁଇଜଣ ବେଶ୍‍ ବନ୍ଧୁ ଥିଲୁ । ଥରେ ଗୋଟିଏ ଘଟଣାରେ ସେ ଭାରି ବିରକ୍ତ ହୋଇଗଲେ । ଆମ ଉଭୟଙ୍କର ବନ୍ଧୁ ଥିବା ସୋଲନ୍‍ର ଶ୍ରୀ ସି. ଏଲ୍‍. ମାଥର୍‍ କେମ୍ବ୍ରିଜ ଛାଡ଼ି ଯାଉଥିଲେ । ମାଥାଇ ଓ ମୋ’ ସମେତ ଷ୍ଟେସନରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବାପାଇଁ ତାଙ୍କର ବହୁ ବନ୍ଧୁ ଯାଇଥିଲେ । ଗାଡ଼ି ଆସିବାର ଡେରି ହୋଇଗଲା । ମାଥାଇ କହିଲେ ମାଥୁର୍‍ ଟ୍ରେନ୍‍ ପହଞ୍ଚିବାରେ ବିଳମ୍ବ ହେଉଛି କାରଣ ଗାଡ଼ି ତୁମକୁ ନେବାପାଇଁ ସ୍ୱର୍ଗରୁ ଆସୁଛି । ମୁଁ ପାଖରେ ଠିଆ ହୋଇଥିଲି । ଥଟ୍ଟାରେ କହିଲି “କିନ୍ତୁ ଗାଡ଼ିଟା ଅନ୍ୟଆଡ଼େ ଯାଉଛି ଯେ-।” ସମସ୍ତେ ହସିଲେ; କିନ୍ତୁ ମୁଁ ମନେକଲି ମାଥାଇଙ୍କର ଖ୍ରୀଷ୍ଟାନ୍‍ ହୃଦୟରେ ଏହା ହୁଏତ ଆଘାତ ହେଲା । ଆମେ ଏକା ବସାଘରେ ରହୁଥିଲେ ମଧ୍ୟ ସେ ବହୁଦିନ ପର୍ଯ୍ୟନ୍ତ ମୋ ସହିତ କଥାଭାଷା କରିନଥିଲେ । ମାଥାଇ ଭାରତକୁ ଫେରି ଲାହୋରଠାରେ ପଞ୍ଜାବ ବିଶ୍ୱବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପକରୂପେ ଯୋଗ ଦେଇଥିଲେ । ପରେ ଅସୁସ୍ଥ ହୋଇ ସୁଇଜର୍‍ଲାଣ୍ଡ ଗଲେ । ସେଠାରେ ଥିବାବେଳେ ସେ ତାଙ୍କର ନର୍ସକୁ ବିବାହ କରିଥିଲେ ଏବଂ ଶେଷରେ ଆତ୍ମହତ୍ୟା କଲେ-

 

ଫ୍ରାଙ୍କ୍‍ସ୍ମାର୍ଟ ଛାତ୍ରବୃତ୍ତି

 

ସେହି କଲେଜରେ ପରବର୍ତ୍ତୀ ସିନିଅର୍‍ ହେଲେ ଡକ୍ଟର ବୀରବଲ ସାହ୍ନି । ସେ ପଞ୍ଜାବର ଲାହୋର ସରକାରୀ କଲେଜର ଅଧ୍ୟାପକ ରୁଚିରାମ ସାହ୍ନିଙ୍କର ପୁତ୍ର ଥିଲେ । ସାହ୍ନି ଉଦ୍ଭିଦବିଜ୍ଞାନର ଦ୍ୱିତୀୟ ଭାଗରେ ଅଧ୍ୟୟନ କରୁଥିଲେ ଓ ପରେ ସେହି ବିଭାଗରେ ଗବେଷଣା କଲେ । ପରୀକ୍ଷାଗାରରେ ଆମ ଦୁଇଜଣଙ୍କର ସାକ୍ଷାତ୍‍ ହେଉଥିଲା ଓ ଆମେ ଘନିଷ୍ଠ ବନ୍ଧୁ ହୋଇଗଲୁ । ପରେ ମୁଁ ଟ୍ରାଇପସ୍‍ ଦ୍ୱିତୀୟ ଭାଗ ଶେଷ କରିବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଦ୍ଭିଦ ବିଜ୍ଞାନରେ ଗବେଷଣା ପାଇଁ ଦିଆଯାଇଥିବା ଫ୍ରାଙ୍କ୍‍ସ୍ମାର୍ଟ ଛାତ୍ରବୃତ୍ତି ଖାଲି ପଡ଼ିଲା । ଏଥିପାଇଁ ଆବେଦନ କରିବା ନିମନ୍ତେ ସାହ୍ନି ମୋତେ ପରାମର୍ଶ ଦେଲେ । ଜଣେ ଭାରତୀୟକୁ ସେମାନେ ଏ ବୃତ୍ତି ଦେବା ବିଷୟରେ ମୋର ସନ୍ଦେହ ଥିଲା । ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ସାର୍‍ ଆର୍ଥର୍‍ ସିୱାର୍ଡ଼ ଲୁପ୍ତ ହୋଇପଡ଼ିଥିବା ଉଦ୍ଭିଦମାନଙ୍କ ବିଷୟରେ ଜଣେ ବିଶେଷଜ୍ଞ ଥିଲେ । ସାହ୍ନି ତାଙ୍କର ନିର୍ଦ୍ଦେଶରେ ଗବେଷଣା କରୁଥିଲେ । ଅଧ୍ୟାପକ ସିଓ୍ୱାର୍ଡ଼୍ ମୋତେ ପରାମର୍ଶ ଦେଲେ ଯେ ଏହି ଲୁପ୍ତପ୍ରାୟ ଉଦ୍ଭିଦମାନଙ୍କ ବିଷୟରେ ଗବେଷଣା କରିବାପାଇଁ ମୁଁ ଆବେଦନ କରିବି । ମାତ୍ର ମୁଁ ଉଦ୍ଭିଦ ଶରୀରତତ୍ତ୍ୱ ସଂପର୍କରେ ଆଗ୍ରହୀ ଥିବାଯୋଗୁଁ ତାହା ଉଲ୍ଲେଖ ନ କରି ଅନ୍ୟ ଗୋଟିଏ ବିଷୟ ଉଲ୍ଲେଖ କରିବା ଉଚିତ ମନେକଲି ନାହିଁ । ତେଣୁ ସାହ୍ନିଙ୍କର ପରାମର୍ଶ ଗ୍ରହଣ କରି ମୋ ଦରଖାସ୍ତ ଲେଖିଲେ ଯେ ଡକ୍ଟର ଏଫ୍‍. ଏଫ. ବ୍ଳାକ୍‍ମାନ୍‍ଙ୍କ ନିର୍ଦ୍ଦେଶରେ ଉଦ୍ଭିଦ ଶରୀରତତ୍ତ୍ୱ ସଂପର୍କରେ ଗବେଷଣା କରିବି । ଭାଗ୍ୟକୁ ଅଧ୍ୟାପକ ସିୱାର୍ଡ଼୍ ଫ୍ରାଙ୍କ୍‍ସ୍ମାର୍ଟ୍ ଛାତ୍ରବୃତ୍ତି ମୋତେ ପ୍ରଦାନ କଲେ । ଏହି ଛାତ୍ରବୃତ୍ତିର ପଛରେ ବେଶ୍‍ ଗୋଟାଏ ଇତିହାସ ଅଛି । ଫ୍ରାଙ୍କ୍‍ସ୍ମାର୍ଟ୍ ଗନ୍‍ଭିଲେ ଓ କେମ୍ବ୍ରିଜର କାୟସ୍‍ କଲେଜରେ ଉଦ୍ଭିଦବିଜ୍ଞାନ ଛାତ୍ର ଥିଲେ । ଜଣେ ମେଧାବୀ ଓ କୃତୀ ଛାତ୍ର ରୂପେ ସେ ପରିଚିତ ଥିଲେ । ଅଳ୍ପ ବୟସରେ ସେ ମରିଗଲେ । ତାଙ୍କର ପିତା ପୁତ୍ରର ସ୍ମୃତି ରକ୍ଷାପାଇଁ ଦୁଇଟି ଛାତ୍ରବୃତ୍ତି ଦେଇଥିଲେ ଓ ତାହାର ନାମ ଥିଲା ଫ୍ରାଙ୍କ୍‍ସ୍ମାର୍ଟ୍ ଛାତ୍ରବୃତ୍ତି । ତାହାମଧ୍ୟରୁ ଗୋଟିଏ କାୟସ୍‍ କଲେଜ ଓ ଅନ୍ୟଟି ବିଶ୍ୱବିଦ୍ୟାଳୟ ସହିତ ସଂଲଗ୍ନ ଥିଲା । ଏହାବ୍ୟତୀତ ବିଶ୍ୱବିଦ୍ୟାଳୟରେ ସେ ଆହୁରି ଗୋଟିଏ ପ୍ରାଇଜ୍‍ ଖଞ୍ଜି ଥିଲେ । ଉଦ୍ଭିଦ ବିଜ୍ଞାନରେ ଟ୍ରାଇପସ୍‍ ପ୍ରଥମ ଭାଗ ବା ଦ୍ୱିତୀୟ ଭାଗ ହେଉ ଯେ ସବୁଠାରୁ ବେଶି ନମ୍ବର ରଖୁଥିଲେ ତାକୁ ଏହି ପୁରସ୍କାର ମିଳୁଥିଲା । ଯେଉଁ ଭାରତୀୟମାନେ ଏହି ପୁରସ୍କାର ପାଇଥିଲେ ମୋର ସ୍ମରଣରେ ସେମାନେ ହେଉଛନ୍ତି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଆର୍‍. ଏସ୍‍. ଇନାମ୍‍ଦାର୍‍ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ସି.ଡ଼ି ଦେଶମୁଖ ଏବଂ ମୁଁ ।

 

ରବୀନ୍ଦ୍ରନାଥ ବାନାର୍ଜୀ

 

ରବୀନ୍ଦ୍ରନାଥ ବାନାର୍ଜୀଙ୍କୁ ମୁଁ ଆଗରୁ ଭାରତରେ ଜାଣିଥିଲି । ମୁଁ କ୍ରାଇଷ୍ଟ’ସ୍‍ କଲେଜରେ ଯୋଗଦେବାର ଅଳ୍ପକାଳ ପରେ ସେ ଏମାନୁଏଲ୍‍ କଲେଜରେ ଯୋଗ ଦେଲେ । ସେ ଦର୍ଶନଶାସ୍ତ୍ରରେ ଅଧ୍ୟୟନ କରୁଥିଲେ ଓ ଆଇ. ସି. ଏସ୍‍. ପାଇଁ ପ୍ରସ୍ତୁତ ହେଉଥିଲେ । ଆମେ ଘନିଷ୍ଠ ବନ୍ଧୁ ହୋଇଗଲୁ । ସେ ଆଇ. ସି. ଏସ୍‍. ପରୀକ୍ଷାରେ କୃତୀ ହେଲେ । ଘୋଡ଼ା ଚଢ଼ା ଶିଖିବାବେଳେ ଏକ ଦୁର୍ଘଟଣାରେ ତାଙ୍କର ଡାହାଣ ହାତ ଭାଙ୍ଗିଗଲା । ଭାରତକୁ ଫେରିବାପରେ ମଧ୍ୟ ଆମ ଉଭୟଙ୍କର ବନ୍ଧୁତା ପୂର୍ବପରି ଥିଲା । ତାଙ୍କୁ ମଧ୍ୟପ୍ରଦେଶରେ ଯୋଗଦେବାକୁ ହେଲା । ସେ ଭାରତ ସରକାରଙ୍କର ଘରୋଇ ବିଭାଗର ସେକ୍ରେଟେରୀ ହୋଇଥିଲେ ଓ ୟୁନିଅନ୍‍ ପବ୍ଲିକ୍‍ ସର୍ଭିସ୍‍ କମିଶନ୍‍ର ଚେୟାରମାନରୂପେ ଅବସର ଗ୍ରହଣ କଲେ । ତାଙ୍କୁ ସି. ଆଇ. ଇ. ଉପାଧି ମିଳିଥିଲା । ତାଙ୍କର ଅଗାଧ ପାଣ୍ଡିତ୍ୟ ଓ କଠୋର ଶୃଙ୍ଖଳାଜ୍ଞାନ ଯୋଗୁଁ ଶାସନ ବିଭାଗରେ ସେ ସୁନାମ ଅର୍ଜନ କରିଥିଲେ । ସେ ଯେତେବେଳେ ଚେୟାରମାନ୍‍ ଥିଲେ ମୋତେ ୟୁନିଅନ୍‍ ପବ୍ଲିକ ସର୍ଭିସ୍‍ କମିଶନ୍ ସଭ୍ୟ ଭାବରେ ଯୋଗଦେବାପାଇଁ ଡକରା ଆସିଥିଲା । କିନ୍ତୁ ମୁଁ ତାହା ଗ୍ରହଣ କଲି ନାହିଁ । ଶ୍ରୀ ବାନାର୍ଜୀ ଦିଲ୍ଲୀରେ ଅବସ୍ଥାନ କରୁଥିବାବେଳେ ଅନେକ ସମୟରେ ତାଙ୍କ ସହିତ ମୋର ସାକ୍ଷାତ୍‍ ହେଉଥିଲା ଓ ଆମର ଅତୀତର କଥା ଆମେ ଆଲୋଚନା କରୁଥିଲୁ ।

 

ମୋର ବର୍ଷକ ପରେ ଓଡ଼ିଶାର ଦ୍ୱିତୀୟ ସହକାରୀ ବୃତ୍ତିଧାରୀ ଶ୍ରୀ ଶ୍ୟାମଚନ୍ଦ୍ର ତ୍ରିପାଠୀ ଏମାନୁଏଲ୍‍ କଲେଜରେ ଯୋଗଦେଲେ । ଟ୍ରାଇପସ୍‍ ପ୍ରଥମଭାଗ ଗଣିତ ଓ ଦ୍ୱିତୀୟଭାଗ ପଦାର୍ଥବିଜ୍ଞାନ ପାଇଁ ସେ ପ୍ରସ୍ତୁତ ହେଉଥିଲେ । ଭାରତରେ ଶ୍ରୀ ତ୍ରିପାଠୀଙ୍କର ଶିକ୍ଷାଗତ ରେକଡ଼୍‍ ଖୁବ୍‍ ଭଲ ଥିଲା । କଲିକତାର ପ୍ରେସିଡେନ୍‌ସି କଲେଜରେ ସେ ସବୁକ୍ଷେତ୍ରରେ ଶ୍ରେଷ୍ଠ ତଥା କୃତୀଛାତ୍ରରୂପେ ବିବେଚିତ ହୋଇଥିଲେ ଓ ସେଥିପାଇଁ ଏକ ବୃତ୍ତି ଲାଭ କରିଥିଲେ । କେମ୍ବ୍ରିଜରେ ସେ ଟ୍ରାଇପସ୍‍ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗରେ ଦ୍ୱିତୀୟ ଶ୍ରେଣୀ ପାଇଲେ ।

 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେତେକ ମେଧାବୀ ଭାରତୀୟ ଛାତ୍ର କେମ୍ବ୍ରିଜକୁ ଆସି ଭଲ କରିନାହାନ୍ତି । ବୋଧହୁଏ ପରିବାରଠାରୁ ଦୂରରେ ରହିବା କମ୍‍ ବିଶୃଙ୍ଖଳା ଓ ଅଧିକ ସ୍ୱାଧୀନତା ଲାଭକରିବା ତଥା ଭାବପ୍ରବଣ ବୟସରେ ଆର୍ଥିକ ସ୍ୱାଚ୍ଛନ୍ଦ୍ୟ ଉପଭୋଗ କରିବାଦ୍ୱାରା ସେମାନେ ଭଲ କରିପାରନ୍ତି ନାହିଁ । ଶ୍ରୀ ତ୍ରିପାଠୀ ୧୯୧୯ ମସିହାରେ ଭାରତକୁ ଫେରିଯାଇ ଅଳ୍ପକାଳପାଇଁ ରେଭେନ୍‌ସା କଲେଜରେ ସ୍କୁଲର ହେଡ୍‍ମାଷ୍ଟର ହୋଇଥିଲେ ଓ ପରେ ରେଭେନ୍‌ସା କଲେଜରେ ପଦାର୍ଥବିଜ୍ଞାନ ଅଧ୍ୟାପକରୂପେ ଭାରତୀୟ ଏଡୁକେସନାଲ୍‍ ସର୍ଭିସରେ ଯୋଗ ଦେଲେ ।

 

ସୁଭାଷଚନ୍ଦ୍ର ବୋଷ

 

ଏମାନୁଏଲ୍‍ କଲେଜର ଅନ୍ୟ ଜଣେ ବିଖ୍ୟାତ ଭାରତୀୟ ଛାତ୍ର ହେଉଛନ୍ତି ନେତାଜୀ ସୁଭାଷଚନ୍ଦ୍ର ବୋଷ ଯେ କି ୧୯୧୬ ମସିହାରେ କେମ୍ବ୍ରିଜ ଆସିଲେ ।

 

ପ୍ରେସିଡେନ୍‌ସି କଲେଜର ଅଧ୍ୟାପକ ଓଟନ୍‍ (Oaten) ଭାରତୀୟମାନଙ୍କ ସଂପର୍କରେ କେତେକ କୁତ୍ସାପୂର୍ଣ୍ଣ ମନ୍ତବ୍ୟ ପ୍ରକାଶ କରିବାରୁ ଯେଉଁ ଘଟଣା ଘଟିଲା ସେଥିରୁ ମୁଁ ସୁଭାଷଚନ୍ଦ୍ରଙ୍କ ବିଷୟରେ ପୂର୍ବରୁ ଶୁଣିଥିଲି । କିନ୍ତୁ ୧୯୧୭ ମସିହାରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ ଯାଇ ତାଙ୍କ ସହିତ ମୋର ପ୍ରଥମ ସାକ୍ଷାତ୍‍ ହେଲା । ତାଙ୍କର ଦୁଇଜଣ ଭାଇ ସୁଧୀର ଓ ସୁନୀଲ ରେଭେନ୍‌ସା କଲିଜିଏଟ୍‍ ସ୍କୁଲରେ ମୋ’ ସହିତ ଏକା ଶ୍ରେଣୀରେ ପଢ଼ୁଥିଲେ । ୧୯୦୯ ମସିହାରେ ଆମେ ଏକାଠି ଏନ୍‍ଟ୍ରାନ୍‌ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲୁ ।

 

ସୁଭାଷ କେମ୍ବ୍ରିଜ ଯିବାପୂର୍ବରୁ ତାଙ୍କ ଭାଇ ସୁଧୀର ମୋ ପାଖକୁ ଚିଠି ଲେଖିଥିଲେ ଯେ ସେ ପହଞ୍ଚିଲେ ମୁଁ ତାଙ୍କର ତତ୍ତ୍ୱ ନେବି । ସେ କେମ୍ବ୍ରିଜରେ ପହଞ୍ଚିବାବେଳେ ମୁଁ ତାଙ୍କୁ ଭେଟିଲି । ଅନ୍ୟ ସ୍ଥାନ ପାଇବା ପର୍ଯ୍ୟନ୍ତ ସେ ମୋ ବସାଘରେ ରହିବାପାଇଁ ମୁଁ ତାଙ୍କୁ ଅନୁରୋଧ କଲି । ସେ ମୋ ସହିତ ପ୍ରାୟ ଏକ ସପ୍ତାହ ରହିଲେ । ପରେ ଏମାନୁଏଲ୍‍ କଲେଜରେ ଯୋଗଦେଇ ତାଙ୍କ ନିଜ କଲେଜ କୋଠରୀକୁ ଚାଲିଗଲେ । ଏପରି ଗୋଟିଏ ଦିନ ଯାଏ ନାହିଁ ଯେଉଁଦିନ ତାଙ୍କ ସହିତ ମୋର ସାକ୍ଷାତ୍‍ ନହୁଏ । ମୋର ସାମାନ୍ୟ ସାହାଯ୍ୟକୁ ପସନ୍ଦ କରି ବନ୍ଧୁତାର ଚିହ୍ନ ସ୍ୱରୂପ ସେ ମୋତେ ଖଣ୍ଡିଏ ରୂପା ଛାଆଣି ବାଡ଼ି ଉପହାର ଦେଇଥିଲେ । ମୁଁ ବହୁବର୍ଷ ଧରି ତାକୁ ସାଇତି ରଖିଥିଲି ।

 

ସେ ଯେ ଜଣେ ମେଧାବୀ ଛାତ୍ର ଥିଲେ ତାହା ଜଣାଶୁଣା କଥା । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଯୋଗ ଦେବାର ନ’ମାସ ପରେ ସେ ଭାରତୀୟ ସିଭିଲ୍‍ ସର୍ଭିସରେ ଯୋଗଦେଲେ । ଟ୍ରେନିଂ ପାଉଥିବାବେଳେ ସେ ନୈତିକ ବିଜ୍ଞାନରେ ଟାଇପସ୍‍ (ଅନର୍ସ ପରୀକ୍ଷା) ପାସ୍‍ କଲେ । ଦିନେ ସେ ଆସି ମୋତେ କହିଲେ ଆଇ. ସି. ଏସ୍‍. ଶିକ୍ଷାର୍ଥୀମାନଙ୍କୁ ଯେଉଁପରି ଉପଦେଶ ଦିଆଯାଉଛି ସେ ତା’ ବିରୁଦ୍ଧରେ ଆପତ୍ତି କରିଛନ୍ତି । କୌଣସି ଏକ ସ୍ଥାନରେ ଉଲ୍ଲେଖ କରାଯାଇଛି ଯେ ଭାରତରେ ଆଇ. ସି. ଏସ୍‍. କର୍ମଚାରୀଙ୍କର ଘୋଡ଼ାକୁ ବୁଟ ଖାଇବାକୁ ଦିଆଯାଏ-। କର୍ମଚାରୀମାନେ ମନେରଖିବା ଉଚିତ ଯେ ବୁଟ ମଧ୍ୟ ଘୋଡ଼ାସଇସର ଖାଦ୍ୟ । ଏହାର ତାତ୍ପର୍ଯ୍ୟ ହେଉଛି ସଇସ ଘୋଡ଼ାର ଖାଦ୍ୟକୁ ଚୋରି କରିପାରେ । ତେଣୁ କର୍ମଚାରୀମାନଙ୍କର ସାବଧାନ ହେବା ଉଚିତ । ନେତାଜୀ ଏହି ଅପପ୍ରଚାର ବିରୁଦ୍ଧରେ ଆପତ୍ତି ଦର୍ଶାଇଥିଲେ ।

 

ସୁଭାଷ ଭାରତୀୟ ‘ମଜଲିସ୍‍’ରେ ଖୁବ୍‍ ପ୍ରିୟ ହୋଇଉଠିଥିଲେ । ୧୯୧୮ ମସିହାରେ ବିଲାତରେ ଥିବାବେଳେ ଭାରତ ସଂପର୍କୀୟ ମନ୍ତ୍ରୀ ଲର୍ଡ଼ ଲିଟନ୍‍ଙ୍କର ଅଧ୍ୟକ୍ଷତାରେ ଏକ କମିଟି ନିଯୁକ୍ତି କଲେ । ଗ୍ରେଟବ୍ରିଟେନରେ ଥିବା ଭାରତୀୟ ଛାତ୍ରଙ୍କର ବିଭିନ୍ନ ଅଭିଯୋଗର ବିଚାରପାଇଁ କମିଟି ନିଯୁକ୍ତ ହୋଇଥିଲା । ଭାରତୀୟ ‘ମଜିଲିସ୍‍’ ତିନିଜଣ ଛାତ୍ରଙ୍କୁ ଲିଟନ୍‍ କମିଟି ଆଗରେ ସାକ୍ଷ୍ୟ ଦେବାପାଇଁ ମନୋନୀତ କଲେ । ସେମାନେ ହେଲେ—ପୁନାର କେ. ଏମ୍‍. ଖାଡ଼ିଏ ସୁଭାଷଚନ୍ଦ୍ର ବୋଷ ଓ ମୁଁ । ଆମେ ଲିଟନ୍‍ କମିଟିକୁ ଭେଟି ଆମର ମତାମତ ଉପସ୍ଥାପିତ କଲୁ ।

 

ଟ୍ରେନିଂ ଶେଷହେବା ପୂର୍ବରୁ ସୁଭାଷଚନ୍ଦ୍ର ଭାରତୀୟ ସିଭିଲ୍‍ ସର୍ଭିସ୍‍ରୁ ଇସ୍ତଫା ଦେଇଦେଲେ । ଇସ୍ତଫା ଦେବାଦିନ ସନ୍ଧ୍ୟାବେଳେ ସେ ମୋ ପାଖକୁ ଆସି ଏହି ଖବରଟି ଦେଲେ । ମୁଁ ଏଥିରେ ଆଶ୍ଚର୍ଯ୍ୟ ନ ହେଲେ ମଧ୍ୟ ତାଙ୍କର ପିତା ରାୟବାହାଦୂର ଜାନକୀନାଥ ବୋଷଙ୍କୁ ପରାମର୍ଶ କରି ସେ ଏହା କରିଛନ୍ତି କି ବୋଲି ପଚାରିଲି । ସେ କହିଲେ ସେ ତାଙ୍କର ପିତାଙ୍କୁ ଖବର ଦେଇଛନ୍ତି । ଟ୍ରାଇପସ୍‍ ଶେଷ କରିବାପରେ ୧୯୧୯ ମସିହାରେ ସେ କେମ୍ବ୍ରିଜ ଛାଡ଼ିଲେ ।

 

୧୯୨୧ ମସିହାରେ ମୁଁ ଭାରତକୁ ଫେରିଆସିବା ପରେ ଆମ ଉଭୟଙ୍କ ମଧ୍ୟରେ ଚିଠିପତ୍ରର ଆଦାନପ୍ରଦାନ ହେଉଥିଲା । ଯେତେବେଳେ ସେ ଫର୍‍ୱାର୍ଡ଼ ବ୍ଳକ୍‍ ପ୍ରତିଷ୍ଠା କଲେ ସେ ଥରେ କଟକ ଆସିଥିଲେ । ବିଖ୍ୟାତ ଓକିଲ ଶରତ୍‍ ଚନ୍ଦ୍ର ମୁଖାର୍ଜୀଙ୍କର ପୁଅ ସୁଧାଂଶୁ ମୁଖାର୍ଜୀଙ୍କର ସେ ଅତିଥି ହୋଇଥିଲେ । ସେ ଯେତେବେଳେ ହାତୀପିଠିରେ ବସି ଏକ ପଟୁଆରରେ ସୁଧାଂଶୁବାବୁଙ୍କ ଘରେ ଖାଇବାପାଇଁ ତାଙ୍କୁ ନିମନ୍ତ୍ରଣ କଲି ଓ ସେ ମୋର ନିମନ୍ତ୍ରଣ ଗ୍ରହଣ କଲେ । ମୁଁ ମନ୍ତ୍ରୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲି । କିନ୍ତୁ କେବଳ ଶ୍ରୀ ବୋଧରାମ ଦୁବେ ଆସିଲେ । ସେତେବେଳେ ସୁଭାଷଚନ୍ଦ୍ରଙ୍କ ଉପରେ କଂଗ୍ରେସର ସୁଦୃଷ୍ଟି ନଥିଲା । ଜଣେ ସରକାରୀ ଚାକିରିଆ ନେତାଜୀ ସୁଭାଷଚନ୍ଦ୍ରଙ୍କୁ ନିମନ୍ତ୍ରଣ କରିବା ବିଷୟରେ ଚାରିଆଡ଼େ କଥାବାର୍ତ୍ତା ହେଲା । କିନ୍ତୁ ସେଥିପାଇଁ ମୋତେ କୈଫିୟତ୍‍ ଦେବାକୁ ପଡ଼ିନାହିଁ ଯେପରିକି କେତେକ ବର୍ଷ ପରେ ରେଭେନ୍‌ସା କଲେଜର ପୁରାତନ ଛାତ୍ରସଂଘକୁ ରାଜାଜୀଙ୍କୁ ନିମନ୍ତ୍ରଣ କରି ମୋତେ କୈଫିୟତ୍‍ ଦେବାକୁ ପଡ଼ିଥିଲା ।

 

ନେତାଜୀଙ୍କ ସହିତ ସାକ୍ଷାତ୍‍ କରିବା ମୋ ପାଇଁ ଥିଲା ଏହା ଶେଷଥର ।

 

ଏମାନୁଏଲ୍‍ କଲେଜରେ ଅନ୍ୟ ଜଣେ ଭାରତୀୟ ଛାତ୍ର ଥିଲେ ଶ୍ରୀ କେ. ସି. ମହେନ୍ଦ୍ର ଯାହାଙ୍କ ସହିତ ମୋର ଘନିଷ୍ଠତା ଜମିଥିଲା । ତାଙ୍କ ଘର ପଞ୍ଜାବରେ । ଅର୍ଥନୀତିରେ ସେ ଟ୍ରାଇପସ୍‍ ନେଇଥିଲେ ଓ ଭାରତକୁ ଫେରିବାପରେ କଲିକତାରେ ଏକ ବ୍ୟବସାୟ ପ୍ରତିଷ୍ଠାନ ମାର୍ଟିନ୍‍ କମ୍ପାନୀରେ ଯେ ଯୋଗ ଦେଇଥିଲେ । ସେଠାରେ ତାଙ୍କର ଭାଇ ଜଣେ ଅଫିସର ଥିଲେ । ପରେ ସେ ଓ ତାଙ୍କ ଭାଇ ‘ମହେନ୍ଦ୍ର ଏଣ୍ଡ ମହେନ୍ଦ୍ର’ ନାମରେ ଏକ ସ୍ୱାଧୀନ ବ୍ୟବସାୟ ପ୍ରତିଷ୍ଠାନ କଲେ । ଭାରତକୁ ଫେରିବାପରେ କଲିକତା ଓ ଦିଲ୍ଲୀରେ ତାଙ୍କ ସହିତ ମୋର ବହୁବାର ଦେଖା ହୋଇଛି । ଅଳ୍ପକେତେ ବର୍ଷ ତଳେ ତାଙ୍କର ମୃତ୍ୟୁ ହେଲା । ତାଙ୍କ ପରି ଜଣେ ଅମାୟିକ ବ୍ୟକ୍ତିଙ୍କୁ ଭୁଲିବା ସହଜ ନୁହେଁ ।

 

ପରିଶେଷରେ ଶ୍ରୀ ଓ୍ୟାଇ. ଜେ. ତାରାପୋରେବାଲ୍‍ଙ୍କ ନାମ ମୁଁ ଉଲ୍ଲେଖ କରିବି । ତାଙ୍କ କଥା ଶେଷରେ କହୁଅଛି ବୋଲି ଯେ ସେ ମୋର କମ୍‍ ଘନିଷ୍ଠ ବନ୍ଧୁ ତାହା ନୁହେଁ । ସେ ବମ୍ବେର ଜଣେ ପାର୍ଶୀ ଛାତ୍ର ଥିଲେ ଓ ଇତିହାସରେ ଟ୍ରାଇପସ୍‍ ନେଇଥିଲେ । ଆମେ ପରସ୍ପର ଘନିଷ୍ଠ ବନ୍ଧୁ ହୋଇଗଲୁ ଓ ପ୍ରାୟ ପ୍ରତିଦିନ ଏକାଠି ବୁଲିବାକୁ ଯାଉଥିଲୁ । ଭାରତକୁ ଫେରିବାପରେ ସେ କଲିକତା ବିଶ୍ୱବିଦ୍ୟାଳୟରେ ଇତିହାସ ଅଧ୍ୟାପକ ହୋଇଥିଲେ । ତା’ ପରେ ପାଟନା କଲେଜରେ ଇତିହାସ ଅଧ୍ୟାପକ ରୂପେ ଯୋଗଦେଲେ । ତାଙ୍କର ଭାଇ ଡକ୍ଟର ତାରାପୋରେବାଲ୍‍ ଜଣେ ଭାଷାତତ୍ତ୍ୱବିତ୍‍ ଥିଲେ ଓ କଲିକତା ବିଶ୍ୱବିଦ୍ୟାଳୟରେ ଭାଷାତତ୍ତ୍ୱର ଅଧ୍ୟାପକ ଥିଲେ । ମୁଁ ବିଲାତରୁ ଫେରିବା ପରେ ୱାଇ. ଜେ. ତାରାପୋରେବାଲାଙ୍କ ସହିତ ବହୁବାର ଦେଖାହୋଇଛି । ସେ ତାଙ୍କର ଭାଇ ଓ ମା’ଙ୍କ ସହିତ ରହୁଥିଲେ । ମୁଁ ତାଙ୍କ ପରିବାର ମଧ୍ୟରେ ବେଶ୍‍ ପରିଚିତ ଥିଲି । ମୋର ବିଭାଘର ବେଳେ ମୁଁ ନିମନ୍ତ୍ରଣ କରିଥିଲି । ସେ କଲିକତାରୁ ଆସିଥିଲେ । ପିଲାଦିନରୁ ଏକ ବଡ଼ ସହରରେ ବଢ଼ିଥିଲେ ମଧ୍ୟ ଗୋଟିଏ ଗାଆଁକୁ ଯିବାରେ ଓ ତଳେ ଚଟାଣରେ ବସି ଖାଇବାରେ ସେ କୌଣସି କୁଣ୍ଠାବୋଧ କରି ନଥିଲେ । ଆମେ ପରସ୍ପର ସହିତ ବରାବର ସଂପର୍କ ରକ୍ଷା କରିଥିଲୁ । ତାଙ୍କର ବିବାହ ପରେ ମୁଁ ଅନେକ ସମୟରେ ପାଟନା ଯାଇ ତାଙ୍କ ଘରେ ରହୁଥିଲି । ଏବେ ମଧ୍ୟରେ ଚିଠିପତ୍ରର ଆଦାନପ୍ରଦାନ ଅଛି । ତାଙ୍କର ଅମାୟିକତା କର୍ତ୍ତବ୍ୟଜ୍ଞାନ ଓ ସାଧୁତା ଅଧ୍ୟାପନା ସଂସ୍ଥିତିରେ ଆଦର୍ଶ ହେବା ବାଞ୍ଛନୀୟ ।

 

ଅନ୍ୟାନ୍ୟ ବନ୍ଧୁ

 

ଏବେ କେମ୍ବ୍ରିଜଠାରେ ଥିବା ମୋର ଅନ୍ୟ ବନ୍ଧୁମାନଙ୍କ ସମ୍ପର୍କରେ ଉଲ୍ଲେଖ କରୁଛି । ସେମାନେ କେଉଁ କେଉଁ କଲେଜରେ ପଢ଼ୁଥିଲେ ତାହା ମନେ ପକାଇବା ବର୍ତ୍ତମାନ କଷ୍ଟକର । ତେଣୁ ବନ୍ଧୁମାନଙ୍କ ବିଷୟ କଲେଜୱାର ଆଲୋଚନା ନ କରି ମୁଁ ବ୍ୟକ୍ତିଗତ ଭାବରେ ସେମାନଙ୍କର ସଂପର୍କରେ ମୋର ଅଭିଜ୍ଞତା ଉଲ୍ଲେଖ କରିବି । ପ୍ରଥମତଃ ଆମ ପୁରୁଣା ପ୍ରଦେଶ ବିହାର-ଓଡ଼ିଶାର ଛାତ୍ରମାନଙ୍କ ସମ୍ପର୍କରେ କହିରଖୁଛି । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ବିହାର-ଓଡ଼ିଶାର ପ୍ରଥମ ବୃତ୍ତିଧାରୀ ଛାତ୍ରମାନେ ହେଲେ ସର୍ବଶ୍ରୀ ଏ. ଏସ୍‍. ଖାଁ ଏସ୍‍. ଆର. ୟୁ. ଜମାନ୍‍ ଓ ମୁଁ । ପରବର୍ତ୍ତୀ ବୃତ୍ତିଧାରୀମାନେ ହେଲେ ଶ୍ରୀ କାମତାପ୍ରସାଦ ଶ୍ରୀ ଏସ୍‍. ସି. ତ୍ରିପାଠୀ ଏବଂ ଶ୍ରୀ ଏ. ସି. ବାନାର୍ଜୀ । ଶ୍ରୀ ତ୍ରିପାଠୀଙ୍କ କଥା ମୁଁ ପୂର୍ବରୁ ଆଲୋଚନା କରିଛି ଏବଂ ପରେ ମଧ୍ୟ ତାଙ୍କ କଥା ପଡ଼ିବ । ଶ୍ରୀ କାମତାପ୍ରସାଦଙ୍କର ଶିକ୍ଷାଗତ ରେକର୍ଡ଼ ଖୁବ୍‍ ଭଲ ଥିଲା । କଲିକତା ବିଶ୍ୱବିଦ୍ୟାଳୟର ସୁପାରିଶ କ୍ରମେ ସେ ଜଣେ ଡେପୁଟି କଲେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ । ବିହାର-ଓଡ଼ିଶା ସରକାର ତାଙ୍କୁ ବିଲାତ ଯିବାପାଇଁ ବୃତ୍ତି ଦେବା ସ୍ଥିର କଲେ । ସେ ଚାକିରିରୁ ଇସ୍ତଫା ଦେଇ କେମ୍ବ୍ରିଜ ଗଲେ । ସେଠାରେ ପଦାର୍ଥ ବିଜ୍ଞାନରେ ଟ୍ରାଇପସ୍‍ ନେଲେ ଓ ଦ୍ୱିତୀୟ ଭାଗରେ ପ୍ରଥମଶ୍ରେଣୀ ପାଇଲେ । ବିଲାତରେ ଏକ ସରକାରୀ ଅନୁଷ୍ଠାନରେ ସେ ଜଣେ ରିସର୍ଚ୍ଚ ଅଫିସର୍‍ରୂପେ ବର୍ଷେ ହେବ ନିଯୁକ୍ତି ପାଇଥିଲେ । ତା’ପରେ ପାଟନା କଲେଜର ପଦାର୍ଥବିଜ୍ଞାନ ଅଧ୍ୟାପକରୂପେ ଭାରତୀୟ ଏଡ଼ୁକେସନ୍‍ ସର୍ଭିସ୍‍ର ଯୋଗ ଦେଲେ । ଶେଷରେ ପାଟନା କଲେଜର ପ୍ରିନ୍‌ସିପାଲ୍‍ ଓ ବିହାର ପବ୍ଲିକ ସର୍ଭିସ୍‍ କମିଶନ୍‍ର ଯେ ଚେୟାରମାନ ହୋଇଥିଲେ । ଶ୍ରୀ ଆଫକଲ୍‍ ହୁସେନ୍‍ଙ୍କ ପରେ ଶ୍ରୀ ପ୍ରସାଦ ମଧ୍ୟ ଜଣେ ପ୍ରୌଢ଼ ଛାତ୍ର ଥିଲେ ।

 

ଅନ୍ୟ ବୃତ୍ତିଧାରୀ ଶ୍ରୀ ଅମୀୟ ଚନ୍ଦ୍ର ବାନାର୍ଜୀ ଗଣିତରେ ଟ୍ରାଇପସ୍‍ ନେଇ ରାଙ୍ଗଲର୍‍ (Wrangler) ହୋଇଥିଲେ । ଯେଉଁମାନେ ଟ୍ରାଇପସ୍‍ ଦ୍ୱିତୀୟ ପରୀକ୍ଷାରେ ଗଣିତରେ ପ୍ରଥମଶ୍ରେଣୀ ପାଆନ୍ତି ସେମାନଙ୍କୁ ରାଙ୍ଗଲର୍‍ କହନ୍ତି । ଏ ପଦବୀଟି ପୁରାତନ କାଳରୁ ଚଳି ଆସୁଅଛି । କିନ୍ତୁ ଯେଉଁ ପ୍ରଥାଯୋଗୁଁ ନାମକରଣ ହୋଇଥିଲା ସେ ପ୍ରଥା ଆଜି ଆଉ ନାହିଁ । ପୁରାକାଳରେ ପରୀକ୍ଷାର୍ଥୀମାନେ ପରୀକ୍ଷକଙ୍କ ସଙ୍ଗେ ଗୋଟିଏ ସମସ୍ୟା ଉପରେ “ରାଙ୍ଗ୍‍ଲ୍‌ ବା ତର୍କବିତର୍କ କରି ବିଶେଷ କୃତିତ୍ୱ ଲାଭକଲେ “ରାଙ୍ଗ୍‌ଲର୍‍” ପଦ ପାଉଥିଲେ । ପରୀକ୍ଷକ ତିନିଗୋଡ଼ିଆ ଟୁଲ (ଟ୍ରାଇପସ୍‍) ଉପରେ ବସୁଥିଲେ ବୋଲି ପରୀକ୍ଷାର ନାମ ‘ଟ୍ରାଇପସ୍‍’ ହୋଇଅଛି । ୧୯୦୬ ମସିହା ପର୍ଯ୍ୟନ୍ତ ରାଙ୍ଗ୍‌ଲ୍‌ର୍‍ମାନଙ୍କ ନାମ ଯୋଗ୍ୟତା ଅନୁସାରେ ରଖାଯାଉଥିଲା । ଯେ ପ୍ରଥମ ହେଉଥିଲେ ତାଙ୍କୁ କୁହାଯାଉଥିଲା “ସିନିଅର୍‍ ରାଙ୍ଗ୍‌ଲ୍‍ର ।” ୧୯୦୬ ମସିହା ପରେ ନାମ ସବୁ ବର୍ଣ୍ଣମାଳା କ୍ରମରେ ପ୍ରକାଶ ପାଇଲା । କିନ୍ତୁ ରାଙ୍ଗ୍‌ଲ୍‍ର ନାମଟି ସେହିପରି ରହିଲା । ଯେଉଁମାନେ ଦ୍ୱିତୀୟ ବିଭାଗରେ ଦ୍ୱିତୀୟଶ୍ରେଣୀ ପାଉଥିଲେ ସେମାନଙ୍କୁ କୁହାଯାଉଥିଲା “ସିନିଅର୍‍ ଅପ୍‌ଟାଇମ୍‍ସ୍‍” । ଏସବୁ ଲାଟିନ୍‍ ଶବ୍ଦ ଯାହାର ଅର୍ଥ ହେଉଛି ଦ୍ୱିତୀୟ ଉତ୍କୃଷ୍ଟତମ ଓ ତୃତୀୟ ଉତ୍କୃଷ୍ଟତମ ।

 

ଶ୍ରୀ ବାନାର୍ଜୀ ଜଣେ ରାଙ୍ଗ୍‌ଲର୍‍ ହୋଇଥିଲେ । ସେ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଅତି ପ୍ରିୟ ଥିଲେ । ସିନିଅର୍‍ ଛାତ୍ରମାନଙ୍କ ପ୍ରତି ତାଙ୍କର ବ୍ୟବହାର ଯୋଗୁଁ ଛାତ୍ରମାନେ ତାଙ୍କୁ ଫାଦର ବାନାର୍ଜୀ ବୋଲି ଡାକୁଥିଲେ । ବିହାର-ଓଡ଼ିଶାର ବୃତ୍ତିଧାରୀ ଛାତ୍ର ଭାବରେ ବିହାର-ଓଡ଼ିଶାରେ ଚାକିରି କରିବାପାଇଁ ସେ ଚୁକ୍ତିବଦ୍ଧ ହୋଇଥିଲେ । କିନ୍ତୁ ସେ ଫେରିବାବେଳକୁ ବିହାର-ଓଡ଼ିଶାରେ ତାଙ୍କ ଉପଯୋଗୀ ଚାକିରି ନଥିଲା । ଉତ୍ତରପ୍ରଦେଶରେ ଭାରତୀୟ ଏଡୁକେସନ୍‍ ସର୍ଭିସରେ ସ୍ଥାନ ଖାଲି ଥିଲା । ସେଠାରୁ ଡକରା ଆସିବାରୁ ସେ ଅନୁମତି ନେଇ ଏଲାହାବାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକରୂପେ ଯୋଗଦେଲେ । ୧୯୬୯ ମସିହାପାଇଁ ସେ ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତିରୂପେ ନିର୍ବାଚିତ ହୋଇଥିଲେ । କିନ୍ତୁ ଦାୟିତ୍ୱଗ୍ରହଣ ପୂର୍ବରୁ ତାଙ୍କର ପରଲୋକ ହୋଇଗଲା । ଏଠାରେ ମୁଁ ଉଲ୍ଲେଖ କରିପାରେ ଯେ ଉତ୍ତରପ୍ରଦେଶକୁ ଯିବା ପାଇଁ ମୋତେ ମଧ୍ୟ ଡାକରା ଆସିଥିଲା । କିନ୍ତୁ ଆମ ସରକାର ମୋତେ ଛାଡ଼ିଲେ ନାହିଁ । ବିହାର-ଓଡ଼ିଶାର ମୋ ସମୟର ଅନ୍ୟ ତିନି ଜଣ ଛାତ୍ର ହେଲେ—ଶ୍ରୀ ଶିବପାର୍ବତୀ ପ୍ରସାଦ ଶ୍ରୀ ଏସ୍‍. ଏନ୍‍. ମଜୁମ୍‍ଦାର୍‍ (ବିହାର) ଓ ଶ୍ରୀ ନୀଳମଣି ସେନାପତି (ଓଡ଼ିଶା) ।

 

ଶିବପାର୍ବତୀ ପ୍ରସାଦ (‘ଏସ୍‍. ପି.’ ନାମରେ ସେ ପରିଚିତ ଥିଲେ ।) ମୁଁ ଯେଉଁ ସମୟରେ କେମ୍ବ୍ରିଜ ଯାଇଥିଲି ପ୍ରାୟ ସେହି ସମୟରେ ବିହାରର ଏକ ସାଧାରଣ ଟ୍ରଷ୍ଟପକ୍ଷରୁ ବୃତ୍ତି ଲାଭକରି ସେ ଯାଇଥିଲେ । ସେଠାରେ ସେ ପଦାର୍ଥବିଜ୍ଞାନ ଅଧ୍ୟୟନ କଲେ । ତାଙ୍କ ଅମାୟିକ ସ୍ୱଭାବ ଓ ରହସ୍ୟମୟ କଥାଭାଷାଯୋଗୁଁ ସେ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଖୁବ୍‍ ପ୍ରିୟ ହୋଇପାରିଥିଲେ-। କେମ୍ବ୍ରିଜରେ ଥିବାବେଳେ ଏକ ଶୋଚନୀୟ ଦୁର୍ଘଟଣାରେ ସେ ତାଙ୍କର ଗୋଟିଏ ଚକ୍ଷୁ ହରାଇ ଥିଲେ । ଉତ୍ତରପ୍ରଦେଶର ମୋର ଜଣେ ବନ୍ଧୁ ଶ୍ରୀ ଜଗତବଲ୍ଲଭ ସେଠୀ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରୁଥିଲେ । ସେଠ ଦିନେ ଦେଖିଲେ ଯେ ତାପମାନ ଯନ୍ତ୍ରର ପାରଦସ୍ତମ୍ଭଟି ଦୁଇଭାଗ ହୋଇଯାଇଛି-। ସେ ଯନ୍ତ୍ରର ବଲ୍‍ବ୍‍କୁ ତତାଇ ପାରଦସ୍ତମ୍ଭର ଦୁଇଭାଗକୁ ଏକାଠି କରିବାର ଚେଷ୍ଟା କରୁଥିଲେ-। ସେଠଙ୍କ ପାଖରେ ଠିଆ ହୋଇ ଏସ୍‍. ପି. ଏହା ଦେଖୁଥିଲେ । ବୋଧହୁଏ ବଲ୍‍ବ୍‍ଟି ଅତିଶୟ ଉତ୍ତପ୍ତ ହୋଇଯିବାରୁ ଫାଟିଗଲା ଓ ସେଥିରୁ ଖଣ୍ଡେ କାଚର ଛିଟିକା ଆସି ତାଙ୍କ ଆଖିର ଡୋଳାକୁ ଆଘାତ କଲା । ଯାହା ଫଳରେ କି ତାଙ୍କ ଆଖି ଡୋଳାଟିକୁ ବାହାର କରାଯାଇ ତା’ ସ୍ଥାନରେ ଏକ କାଚର ନକଲି ଡୋଳା ଲଗାଇବାକୁ ପଡ଼ିଥିଲା । ଏହା ଅତିଶୟ ଦୁଃଖଦାୟକ । ମୋର ଏହା ଲେଖିବାର ଉଦ୍ଦେଶ୍ୟ ହେଉଛି ଶ୍ରୀ ପ୍ରସାଦ କିପରି ଅବିଚଳିତ ଭାବରେ ଧୈର୍ଯ୍ୟର ସହିତ ଦୁଃଖ ବହନ କରିଥିଲେ । ଏତଦ୍ଦ୍ୱାରା ତାଙ୍କର ପ୍ରଶଂସନୀୟ ଅବିଚଳିତ ମନୋଭାବ ପ୍ରମାଣିତ ହୋଇଥିଲା-। ସେ ଆଗ୍ରା କଲେଜରେ ପଦାର୍ଥବିଜ୍ଞାନ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଓ କେତେକ ବର୍ଷପରେ ପାଟନା କଲେଜକୁ ପଦାର୍ଥବିଦ୍ୟା ବିଭାଗର ଅଧ୍ୟାପକ ଭାବରେ ଆସିଥିଲେ-। ଆମେ ପରସ୍ପର ଘନିଷ୍ଠ ବନ୍ଧୁ ଥିଲୁ । ଏଠାକୁ ଫେରିଆସି ଆମର ସେ ବନ୍ଧୁତା ଏପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଛି ଯଦିଓ ଅବସର ଗ୍ରହଣ ପରେ ଉଭୟଙ୍କ ମଧ୍ୟରେ ସାକ୍ଷାତ୍‍ର ସୁଯୋଗ ଘଟି ନାହିଁ ।

 

୧୯୧୭ ମସିହାରେ ଶ୍ରୀ ନୀଳମଣି ସେନାପତି (ସୁପରିଚିତ ସେନାପତି ସାହେବ) ଆସିଲେ ଏବଂ ସିଡ୍‍ନି ସସେକ୍‍ସ କଲେଜରେ ଯୋଗଦେଇ ଅଙ୍କଶାସ୍ତ୍ର ଅଧ୍ୟୟନ କଲେ । ବର୍ଷେ ଖଣ୍ଡେ ଭିତରେ ଭାରତୀୟ ସିଭିଲ୍‍ ସର୍ଭିସ୍‍ ପାଇଁ ତାଙ୍କୁ ବଛାଗଲା । ଏହି ସର୍ଭିସରେ ଭାରତୀୟମାନଙ୍କ ସଂଖ୍ୟା ବଢ଼ାଇବା ନିମନ୍ତେ ମଣ୍ଟେଗୁ ଯୋଜନା ଅନୁଯାୟୀ ତାଙ୍କୁ ନିଆଯାଇଥିଲା-। ବିହାର ଓ ଓଡ଼ିଶାର ଅନ୍ୟ ଯେଉଁ ଦୁଇ ଜଣ ଯାଇଥିଲେ ସେମାନେ ହେଲେ ଶ୍ରୀ ଏସ୍‍. ଆର. ୟୁ. ଜମାନ୍‍ ସେ କି ବିହାର ଓ ଓଡ଼ିଶାର ବୃତ୍ତିଧାରୀ ଛାତ୍ର ଭାବରେ ମୋ ସହିତ କେମ୍ବ୍ରିଜ ଆସିଥିଲେ ଏବଂ ଶ୍ରୀ ସୁଧେନ୍ଦ୍ର ନାଥ ମଜୁମ୍‍ଦାର । ଶ୍ରୀ ମଜୁମ୍‍ଦାର ତାଙ୍କର ତାଲିମକାଳ ମଧ୍ୟରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇଥିଲେ । ଏମାନେ ସମସ୍ତେ ନିଜ ନିଜର ଚାକିରି କାର୍ଯ୍ୟକାଳ ମଧ୍ୟରେ ଉଚ୍ଚ ସମ୍ମାନର ଅଧିକାରୀ ହୋଇଥିଲେ । ଜମାନ୍‍ ଅଳ୍ପ ବୟସରେ ମରିଗଲେ-। ଚାକିରି କାର୍ଯ୍ୟକାଳରେ ଯଥେଷ୍ଟ ଖ୍ୟାତି ଅର୍ଜନ କରି ସେନାପତି ସାହେବ ରେଭିନ୍ୟୁ ବୋର୍ଡ଼ ଚେୟାରମ୍ୟାନ ଥାଇ ଅବସର ଗ୍ରହଣ କଲେ । ଅବସର ସମୟରେ ମଧ୍ୟ ସେ ବହୁ ସାଧାରଣ ପ୍ରତିଷ୍ଠାନ ସହିତ ସକ୍ରିୟ ସଂପୃକ୍ତ ଅଛନ୍ତି ।

 

ମଜୁମ୍‍ଦାର ସାହେବ ରାଉରକେଲା ଇସ୍ପାତ୍‍ କାରଖାନାର ଜେନେରାଲ ମ୍ୟାନେଜର ହୋଇ ଅବସର ଗ୍ରହଣ କରିଛନ୍ତି ଏବଂ ସେ ଦିଲ୍ଲୀରେ ଅବସ୍ଥାନ କରୁଛନ୍ତି । ତାଙ୍କର ଚାକିରି କାର୍ଯ୍ୟକାଳର ପ୍ରଥମ ଅବସ୍ଥାରେ ସେ ଖୋର୍ଦ୍ଧାର ଏସ୍‍. ଡ଼ି. ଓ ଥିଲେ ଓ ଆମ ମଧ୍ୟରେ ବହୁ ସମୟରେ ଦେଖାସାକ୍ଷାତ୍‍ ହେଉଥିଲା । ତାଙ୍କ ବିଷୟରେ ମୋର ଗୋଟିଏ କଥା ମନେପଡ଼ୁଛି । ସେ ଖୋର୍ଦ୍ଧାର ସବ୍‍ଡିଭିଜନାଲ୍‍ ଅଫିସର୍‍ ଥିଲାବେଳେ କୌଣସି ଗୋଟିଏ ସ୍କୁଲର (ମୋର ମନେହେଉଛି ଗୋଟିଏ ମଧ୍ୟ ଇଂରାଜୀ ସ୍କୁଲ) ପୁରସ୍କାର ବିତରଣୀ ସଭାରେ ସଭାପତିତ୍ୱ କରୁଥିଲା-। ସେ ଆବୃତ୍ତି କଲା ଯେ ସେ ବଡ଼ହେଲେ ଜଣେ ପୋଲିସ ହେବା  । ମଜୁମ୍‍ଦାର ସାହେବ ତାଙ୍କର ଶେଷ ଭାଷଣରେ କହିଲେ ପିଲାମାନେ ପୋଲିସ ହେବା ଅପେକ୍ଷା ଅନ୍ୟ ଉଚ୍ଚତର ଆର୍ଦଶରେ ଅନୁପ୍ରାଣିତ ହେବାପାଇଁ ଶିକ୍ଷା ପାଇବା ଆବଶ୍ୟକ । ତାଙ୍କର ଏ ମନ୍ତବ୍ୟ ଚାରିଆଡ଼େ ଆଲୋଚିତ ହେଲା । କର୍ତ୍ତୃପକ୍ଷ ଏ ବିଷୟରେ କ’ଣ କଲେ ମୁଁ ଜାଣେ ନାହଁ । କିନ୍ତୁ ଗୋଟିଏ ଘୋଡ଼ା ରଖିବାପାଇଁ ତାଙ୍କୁ ପରାମର୍ଶ ଦେଲେ । କାରଣ ସେ ତାଙ୍କ ଆସନର ମର୍ଯ୍ୟାଦା ବଜାୟ ରଖିବା ଉଚିତ । ଖୋର୍ଦ୍ଧାରେ ଥିବାବେଳେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସହିତ ତାଙ୍କର ମତଭେଦ ହୋଇଥିଲା । ମୁଁ ଏ କଥାଟି ଜାଣେ କାହିଁକି ନା ଥରେ ପଣ୍ଡିତ ଗୋଦାବରୀଶ ମିଶ୍ର ମୋର ଅତିଥି ହୋଇଥିବାବେଳେ ମଜୁମ୍‍ଦାର ସାହେବ ଓ ତାଙ୍କର ସ୍ତ୍ରୀ ଆସି ପହଞ୍ଚିଗଲେ-। ପଣ୍ଡିତ ଗୋଦାବରୀଶ ମିଶ୍ର ମୋ ସହିତ ରହୁଥିବାର ଶୁଣିପାରି ସେମାନେ ଟିକିଏ ଅସ୍ୱସ୍ତ ଅନୁଭବ କରିବାର ମୁଁ ଦେଖିଲି । ସେତେବେଳେ ରାଜନୀତିଜ୍ଞ ଓ ଶାସନ ବିଭାଗର କର୍ମଚାରୀଙ୍କ ମଧ୍ୟରେ ମତଭେଦ ଆଦୌ ଅସ୍ୱାଭାବିକ ନ ଥିଲା ।

 

ଡଃ ମିସ୍‍ ଘୋଷ ଲଣ୍ଡନରେ ଡାକ୍ତରୀ ପଢ଼ି ଏମ୍‍. ଆର୍‍. ସି ପି. ହେବାପରେ ମଜୁମ୍‍ଦାର ସାହେବ ତାଙ୍କୁ ବିବାହ କରିଥିଲେ । ଭାରତକୁ ଫେରିଆସିବା ପରେ ସେମାନେ ବହୁବର୍ଷ ଏକାଠି ରହିଲେ । କିନ୍ତୁ ଶ୍ରୀମତୀ ମଜୁମ୍‍ଦାର ଭାରତ ଭିତରେ ଡାକ୍ତରୀ କ୍ଷେତ୍ରରେ କେତେକ ନିଯୁକ୍ତି ପାଇ ତାହା ଗ୍ରହଣ କରିଯିବାରୁ ସେମାନଙ୍କୁ ଅଲଗା ଅଲଗା ରହିବାକୁ ପଡ଼ିଲା ।

 

ଆନ୍ଧ୍ରପ୍ରଦେଶରୁ ଆସିଥିବା ଭାରତୀୟ ଛାତ୍ର ସି. ଭି. ହନୁମନ୍ତରାଓଙ୍କୁ ମୁଁ ଭଲ ଭାବରେ ଜାଣିଥିଲି । ସେ ମୋ ସିନିଅର୍‌ ଥିଲେ ଓ ଜଣେ ରାଙ୍ଗଲର୍‍ ଥିଲେ । ସେ ଟ୍ରିନିଟି କଲେଜରେ ପଢ଼ୁଥିଲେ । ଇଂଲଣ୍ଡର ଦକ୍ଷିଣାଞ୍ଚଳର ବୋର୍ଣ୍ଣମାଉଥ୍‍ଠାରେ ଆମେ ଦୁହେଁ ଏକତ୍ର ଗୋଟିଏ ଛୁଟି କଟାଇଥିଲୁ । ସେ ଖୁବ୍‍ ଧୀରସ୍ଥିର ସ୍ୱଭାବର ବ୍ୟକ୍ତି ଥିଲେ । କିନ୍ତୁ ତାଙ୍କର କଳ୍ପନା ଶକ୍ତି ଅତି ପ୍ରବଳ ଥିଲା । ଯେ କୌଣସି ବ୍ୟକ୍ତିଙ୍କ ବିଷୟରେ ସେ ଏପରି ଗୋଟିଏ କାହାଣୀ ଗଢ଼ିଦେବେ ଯେ ତାହା ସତ୍ୟ ପରି ମନେହେବ । ତାଙ୍କ ସଂପର୍କରେ ମୁଁ ଗୋଟିଏ ଘଟଣା ଜାଣେ; ଯେଉଁଥିରୁ ତାଙ୍କର ସରସତାର ପ୍ରମାଣ ମିଳିବ । ଥରେ ଏକ ଗ୍ରୀଷ୍ମ ଋତୁରେ ଇଂଲଣ୍ଡର ବିଭିନ୍ନ ବିଶ୍ୱବିଦ୍ୟାଳୟର ଭାରତୀୟ ଛାତ୍ରମାନେ ଉତ୍ତର ଇଂଲଣ୍ଡର ଏକ ଛୋଟ ସହରରେ ଗୋଟିଏ ଗ୍ରୀଷ୍ମ ଶିବିର ସଂଗଠନ କରିଥିଲେ । ଶ୍ରୀମତୀ ମଜୁମ୍‍ଦାର (ସେତେବେଳେ ସେ ମିସ୍‍ ଘୋଷ ନାମରେ ପରିଚିତ ।) ବିଭିନ୍ନ ବିଶ୍ୱବିଦ୍ୟାଳୟର ବହୁ ମହିଳାଙ୍କ ସହିତ ଏହି ଶିବିରରେ ଯୋଗ ଦେଇଥିଲେ । ମହିଳାମାନେ କୌଣସି ଏକ ସମାଜମଙ୍ଗଳ କାର୍ଯ୍ୟରେ ଚାହା ସଂଗ୍ରହ କରୁଥାନ୍ତି । ମିସ୍‍ ଘୋଷ ଓ ଅନ୍ୟ କେତେଜଣ ଯୁବତୀ ଭିକ୍ଷା ଥାଳ ଧରି ସମସ୍ତଙ୍କ ପାଖକୁ ଯାଉଥାନ୍ତି । ସେମାନେ ହନୁମନ୍ତରାଓଙ୍କ ପାଖରେ ପହଞ୍ଚିବାରୁ ସେ କିଛି ଦେଇପାରିବେ ନାହିଁ ବୋଲି କହି ମନା କରିଦେଲେ । ମହିଳାମାନେ ବୁଲି ବୁଲି ପୁଣି ଥରେ ଶ୍ରୀ ହନୁମନ୍ତରାଓଙ୍କ ପାଖକୁ ଆସିଲେ । ସେମାନେ ତାଙ୍କ ପାଖକୁ ପୂର୍ବରୁ ଆସିଥିଲେ ଏକଥା ସେମାନଙ୍କର ମନେ ନ ଥିଲା । ଶ୍ରୀ ରାଓ କହିଲେ ଥରେ ସେ ଦେଇପାରିବେ ନାହିଁ ବୋଲି ମନା କରି ଦେଇଛନ୍ତି ସେମାନେ ପୁଣି କାହିଁକି ଆସୁଛନ୍ତି । ମହିଳାମାନେ ତାଙ୍କର ନାମ କ’ଣ ବୋଲି ପଚାରିଲେ ଏବଂ କହିଲେ ତାଙ୍କର ନାମ ଲେଖି ରଖିଲେ ଆଉ ସେମାନେ ତାଙ୍କୁ ବ୍ୟସ୍ତ କରିବେ ନାହିଁ । ଶ୍ରୀ ହନୁମନ୍ତରାଓ ଟିକିଏ ବିରକ୍ତ ହୋଇପଡ଼ିଥିଲେ । ମହିଳାମାନଙ୍କୁ ଚେତାଇବାପାଇଁ ସେ ଭାବିଲେ । ତେଣୁ ତାଙ୍କର ନାମକୁ ସେ ଏହିପରି ଭାବରେ ଉଚ୍ଚାରଣ କରି କହିଲେ—‘ରାଜ୍ୟମାନ୍ୟ ରାଜଶ୍ରୀ ଚିନ୍ତାଖେଣ୍ଡି ଭେଙ୍କଟ ହନୁମନ୍ତରାଓ ପାନ୍ତୁଲୁ ଗାରୁ’ ଯେପରିକି ତେଲୁଗୁମାନଙ୍କର ନାମ ହୋଇଥାଏ । ଏଥିରେ ନାମ ଲେଖିବେ କ’ଣ ମହିଳାମାନେ ଶୀଘ୍ର ତାଙ୍କୁ ଛାଡ଼ି ଚାଲିଗଲେ । ଶ୍ରୀ ହନୁମନ୍ତରାଓ ଭାରତକୁ ଫେରି ଆସି ଲାହୋରଠାରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ଅଙ୍କଶାସ୍ତ୍ର ଅଧ୍ୟାପକରୂପେ ଯୋଗଦେଲେ । ଭାରତୀୟ ବିଜ୍ଞାନ କଂଗ୍ରେସର ଲାହୋର ଅଧିବେଶନବେଳେ ତାଙ୍କ ସହିତ ମୋର ପୁଣିଥରେ ଦେଖା ହୋଇଥିଲା । ଜୀବନର ପରବର୍ତ୍ତୀକାଳରେ ସେ ଗୂଢ଼ତତ୍ତ୍ୱବାଦ (ମିଷ୍ଟିସିଜମ୍‍) ପ୍ରତି ଆକୃଷ୍ଟ ହେଲେ । ତାଙ୍କୁ ତାଙ୍କର ଗୁରୁ ପରାମର୍ଶ ଦେଲେ ଯେ ସେ ଯଦି କୋଣାର୍କ ଆସି ମାଘ ଶୁକ୍ଳ ସପ୍ତମୀଦିନ ସୂର୍ଯ୍ୟୋଦୟ ଦେଖନ୍ତି ତା’ହେଲେ ସେ ଯାହା ଦେଖିବେ ତଦ୍ଦ୍ୱାରା ତାଙ୍କର ଆଧ୍ୟାତ୍ମିକ ଉନ୍ନତିରେ ସାହାଯ୍ୟ ମିଳିବ । ତାଙ୍କ କୋଣାର୍କ ପରିଦର୍ଶନପାଇଁ ମୁଁ କିଛି ବ୍ୟବସ୍ଥା କରିପାରିବି କି ବୋଲି ସେ ମୋ ପାଖକୁ ଲେଖିଲେ । ମୁଁ ତାଙ୍କର ସମସ୍ତ ବ୍ୟବସ୍ଥା କଲି । ସେ ଆସି ଆମ ଘରେ ରହିଲେ ଓ କୋଣାର୍କ ଗଲେ । ସେ ସମୟରେ କୋଣାର୍କ ଯାତ୍ରା ଆଦୌ ସହଜ ନ ଥିଲା । ସେ ଗୋଟିଏ ଜିପରେ ଯାଇ ମାଘସପ୍ତମୀ ଦିନ ସୂର୍ଯ୍ୟୋଦୟ ଦେଖି ଖୁବ୍‍ ଖୁସିହୋଇ ଫେରିଆସିଲେ । ସେ ମୋତେ କହିଲେ ସେ ଯାହା ଦେଖିଲେ ତଦ୍ଦ୍ୱାରା ତାଙ୍କ ଗୁରୁଙ୍କର କହିବା କଥା ପ୍ରମାଣିତ ହେଲା । ସେ ମୋତେ ଆଉ କିଛି କହିଲେ ନାହିଁ । ତା’ର ଅଳ୍ପ କେତେବର୍ଷ ପରେ ତାଙ୍କର ମୃତ୍ୟୁହେଲା ।

 

ଆଉ ଜଣେ ଅଙ୍କଶାସ୍ତ୍ରର ଛାତ୍ର ଯାହାଙ୍କ ସହିତ ମୋର ଘନିଷ୍ଠତା ବଢ଼ିଥିଲା ସେ କର୍ଣ୍ଣାଟକରୁ ଆସିଥିଲେ । ତାଙ୍କ ନାମ ଶ୍ରୀ ପି. ଏସ୍‍ କାଟ୍ଟ । ସେ ଏବଂ ମୁଁ ଥରେ କେମ୍ବ୍ରିଜଠାରୁ ୧୬ ମାଇଲ ଦୂରବର୍ତ୍ତୀ ଇଲି ନାମକ ସ୍ଥାନକୁ ଚାଲିକରି ଯିବାପାଇଁ ସ୍ଥିର କଲୁ । ଇଲିଠାରୁ ଏକ ବିଖ୍ୟାତ ଘୋଡ଼ାଦୌଡ଼ ପଡ଼ିଆ ଓ ଖ୍ରୀଷ୍ଟାନ ଧର୍ମ ମନ୍ଦିର ଥିଲା । ଦିନେ କେମ୍ବ୍ରିଜରୁ ଆମେ ସକାଳ ସାତଟାବେଳେ ବାହାରି ଇଲି ଅଭିମୁଖରେ ଚାଲିଲୁ । ବାଟରେ ବହୁ ଗ୍ରାମ ପଡ଼ିଲା । ଆମେ ଭାରତୀୟ ହୋଇଥିବାଯୋଗୁଁ ଏବଂ ଖୁବ୍‍ ଜୋର୍‌ରେ ଚାଲୁଥିବା ଯୋଗୁଁ ଗ୍ରାମବାସୀମାନେ ଭାବିଲେ ଆମେ ଏକ ଚାଲିବା ପ୍ରତିଯୋଗିତାରେ ଯୋଗ ଦେଇଛୁ । ଦିନ ୧୧ଟା ବେଳେ ଆମେ ଇଲିରେ ପହଞ୍ଚିଲୁ । ସେତେବେଳେ ସେଠାର ଧର୍ମମନ୍ଦିରରେ ଏକ ପ୍ରାର୍ଥନା ଚାଲିଥାଏ । ଆମେ ଯାଇ ସେଥିରେ ଯୋଗଦେଲୁ । ଆମମାନଙ୍କୁ ସେଠାରେ ଦେଖି ଧର୍ମପ୍ରଚାରକ ତାଙ୍କର ଭାଷଣରେ ଭାରତର କଥା କହିଲେ । ମଧ୍ୟାହ୍ନ ଭୋଜନ ଶେଷକରି ଗୋଟାଏ ୧୫ ମିନିଟରେ ଆମେ ଇଲି ଛାଡ଼ି କେମ୍ବ୍ରିଜ ଅଭିମୁଖରେ ଫେରିଆସିଲୁ ଯେପରିକି କଲେଜର ରାତ୍ରି-ଭୋଜନବେଳେ ଆମେ ପହଞ୍ଚିଯାଇଥିବୁ । କାଟ୍ଟି ଖୁବ୍‍ ଜୋର୍‌ରେ ଚାଲି ପାରୁଥିଲେ ମଧ୍ୟ ମୁଁ ତାଙ୍କ ସହିତ ଚାଲିପାରିଲି ନାହିଁ-। ତେଣୁ ଆମେ ଗତି ଟିକିଏ ମନ୍ଥର କରି ଛ’ଟା ପନ୍ଦର ମିନିଟ୍‌ରେ କେମ୍ବ୍ରିଜରେ ପହଞ୍ଚିଲୁ-। ଫେରିବାବେଳକୁ ଚାରି ଘଣ୍ଟା ପରିବର୍ତ୍ତେ ଆମକୁ ପାଞ୍ଚଘଣ୍ଟା ଲାଗିଲା । ଫେରିବା ବାଟରେ ଯେଉଁ ସବୁ ଗାଁ ପଡ଼ିଲା ଆମେ ଦେଖିଲୁ ମା’ ମାନେ ତାଙ୍କର ପିଲାମାନଙ୍କୁ ଦୁଆରରେ ଠିଆ କରାଇଛନ୍ତି ଦୁଇଜଣ ଭାରତୀୟ କଳା ଲୋକଙ୍କର ଚାଲିବା ପ୍ରତିଯୋଗିତା ଦେଖିବାପାଇଁ ।

 

ଶ୍ରୀ କାଟ୍ଟି ଜଣେ ରାଙ୍ଗ୍‌ଲର୍‍ ହୋଇ ଇଂଲଣ୍ଡରେ ଗୋଟିଏ ସ୍କୁଲରେ ପଢ଼ାଇଲେ । କିଛିକାଳ ଅସୁସ୍ଥ ହୋଇପଡ଼ି ସେ ଏକ ଡାକ୍ତରଖାନା କିମ୍ବା ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ । ସେହି ସମୟରେ ଜଣେ ନର୍ସଙ୍କୁ ଭଲପାଇବାରୁ ତାଙ୍କୁ ସେ ବିବାହ କରିଥିଲେ । ଭାରତକୁ ଫେରିଆସି ବମ୍ବେରେ ଅଙ୍କଶାସ୍ତ୍ରର ଅଧ୍ୟାପକ ରୂପେ ସେ ଯୋଗଦେଇଥିଲେ ଓ ପରେ ଟିଚର୍ସ ଟ୍ରେନିଂ କଲେଜର ପ୍ରିନ୍‍ସିପାଲ୍‍ ହେଲେ । ତାଙ୍କର ବିବାହ ସୁଖକର ହୋଇ ନଥିଲା । ଥରେ ମୁଁ ବମ୍ବେ ଯାଇଥିବାବେଳେ କାଟ୍ଟି ମୋତେ ଭୋଜନକୁ ନିମନ୍ତ୍ରଣ କରିଥିଲେ । ସେ ଗୋଟିଏ ଫ୍ଲାଟ୍‌ରେ ରହୁଥିଲେ । ଶ୍ରୀମତୀ କାଟ୍ଟି ସେଠାରେ ଥିଲେ ମଧ୍ୟ ଆମ ସହିତ ସାନ୍ଧ୍ୟା ଭୋଜନରେ ଯୋଗଦେଲେ ନାହିଁ । ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହେଲା । ମୋର ମନେହେଉଛି ଶ୍ରୀ କାଟ୍ଟି ବର୍ତ୍ତମାନ କର୍ଣ୍ଣାଟକରେ କେଉଁଠି ଅବସର ଜୀବନଯାପନ କରୁଛନ୍ତି ଓ ତାଙ୍କର ସ୍ତ୍ରୀ ଇଂଲଣ୍ଡରେ ଅଛନ୍ତି । ତାଙ୍କର ଏହିପରି କଥା ଉଲ୍ଲେଖ କରିବାର କାରଣ ହେଉଛି ଆନ୍ତର୍ଜାତିକ ବିବାହ । ବିଶେଷତଃ ଭାରତୀୟ ପୁରୁଷ ଓ ଇଂରେଜ ମହିଳାଙ୍କ ସହ ବିବାହ ଅନେକ କ୍ଷେତ୍ରରେ ସୁଖକର ହୁଏ ନାହିଁ । ଏହା ପୂର୍ବରୁ ମୋର ସ୍ୱର୍ଗୀୟ ବନ୍ଧୁ ଜେ. ବି. ସେଠ ଓ ଜଣେ ଇଂରେଜ ମହିଳାଙ୍କ ବିବାହ କଥା ମୁଁ ଉଲ୍ଲେଖ କରିଥିଲି । ଏବେ ଶ୍ରୀ କାଟ୍ଟିଙ୍କ ବିଷୟ ଉଲ୍ଲେଖ କଲି-। ଏହିପରି ବହୁ ବିବାହର କଥା ମୁଁ ଜାଣେ । ଦୁଇଟି ସମାଜର ଚାଲିଚଳନ ଓ ଦୃଷ୍ଟିକୋଣରେ ଏତେ ପ୍ରଭେଦ ଦେଖାଯାଏ ଯେ ବିବାହିତ ବ୍ୟକ୍ତିମାନଙ୍କ ମଧ୍ୟରେ ବିଶେଷତଃ ସେମାନେ ବୟସ୍କ ହୋଇଥିଲେ ପରସ୍ପର ସହିତ ଖାପଖୁଆଇ ଚଳିବା କଷ୍ଟକର ହୋଇପଡ଼େ । ଇଂଲଣ୍ଡ ଓ ଭାରତର ପୃଥକ୍‍ ପୃଥକ୍‍ ସାମାଜିକ ବ୍ୟବସ୍ଥାକୁ ଛାଡ଼ି ଦିଆଯାଉ; ଗୋଟିଏ ସମାଜ ମଧ୍ୟରେ ବୟସ୍କମାନଙ୍କ ମଧ୍ୟରେ ବିବାହ ମଧ୍ୟ ଅନେକ ସମୟରେ ସୁଖକର ହୋଇ ନଥାଏ । କାରଣ ବିବାହିତ ବ୍ୟକ୍ତିଙ୍କର ମାନସିକ ଅବସ୍ଥା ପୂର୍ବରୁ ଗଠିତ ହୋଇସାରିଥାଏ ଓ ପରସ୍ପର ସହିତ ଖାପଖୁଆଇ ଚଳାଇବା ଅବସ୍ଥାରେ ଏହା ନଥାଏ ।

 

କେମ୍ବ୍ରିଜରେ ମୋର ସମସାମୟିକ ବ୍ୟକ୍ତିମାନଙ୍କ ମଧ୍ୟରେ ଅନେକ ବୟୋଜୋଷ୍ଠ ବ୍ୟକ୍ତି ଥିଲେ ଯେଉଁମାନେ କି ଭାରତରେ ଶିକ୍ଷାଗତ ଅଭିଜ୍ଞତା ଅର୍ଜନ କରି ଅଧିକ ଜ୍ଞାନର୍ଜ୍ଜନ ପାଇଁ କେମ୍ବ୍ରିଜ ଆସିଥିଲେ । ଏମାନଙ୍କ ମଧ୍ୟରୁ ମୁଁ ଯେଉଁମାନଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲି ସେମାନେ ହେଲେ ଅଧ୍ୟାପକ କେ. ଏମ୍‍. ଖାଡ଼ିଏ ଅଧ୍ୟାପକ ପି. ଏକାମ୍ବରମ୍‍ ଅଧ୍ୟାପକ କେ. ସି. ମେହେଟ୍ଟା ଓ ଅଧ୍ୟାପକ ଏସ୍‍. କେ. ସିଦ୍ଧାନ୍ତ ।

 

ଅଧ୍ୟାପକ ଖାଡ଼ିଏ ପୁନା ଫର୍ଗୁସନ କଲେଜରେ ଇଂରାଜୀ ଅଧ୍ୟାପକ ଥିଲେ ଓ ଅଧିକ ଅଧ୍ୟୟନ ପାଇଁ କେମ୍ବ୍ରିଜ ଆସିଥିଲେ । ସେ ଟ୍ରାଇପସ୍‍ ଦ୍ୱିତୀୟ ଭାଗ ନେଇଥିଲେ । ଆମ ପରସ୍ପରଙ୍କ ମଧ୍ୟରେ ବେଶ୍‍ ବନ୍ଧୁତା ଥିଲା । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ସେ ସୁଭାଷ ବୋଷ ଓ ମୁଁ ଲିଟନ୍‍ କମିଟି ଆଗରେ ଭାରତୀୟ ଛାତ୍ରମାନଙ୍କର ପ୍ରତିନିଧିତ୍ୱ କରିଥିଲୁ । ଏହି କମିଟି ବିଟ୍ରିଶ ବିଶ୍ୱବିଦ୍ୟାଳୟମାନଙ୍କରେ ଭାରତୀୟ ଛାତ୍ରମାନଙ୍କର ସମସ୍ୟା ଅନୁଧ୍ୟାନ କରୁଥିଲେ । ଅଧ୍ୟାପକ ଖାଡ଼ିଏ ଭାରତକୁ ଫେରିବା ପରେ ଫର୍ଗୁସନ କଲେଜରେ ତାଙ୍କ ପୁରୁଣା ପଦରେ ଯୋଗ ଦେଇଥିଲେ । ପରେ ସେ ପୁନାରେ ନୂଆ ହୋଇ ହୋଇଥିବା ୱାଡ଼ିଆ କଲେଜର ପ୍ରିନ୍‌ସିପାଲ୍‍ ହେଲେ । ତା’ପରେ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ରୂପେ ସେ ଆନାମାଲାଇ ବିଶ୍ୱବିଦ୍ୟାଳୟରେ ଯୋଗଦେଲେ ।

 

ଭାରତୀୟ ‘ମଜିଲିସ୍‍’ କଥା ମୁଁ ପୂର୍ବରୁ ଉଲ୍ଲେଖ କରିଛି । ଏହାବ୍ୟତୀତ ଭାରତୀୟ ସମସ୍ୟାମାନଙ୍କର ଗଭୀର ଆଲୋଚନାପାଇଁ ‘ୟୁନିଟ ଲିଗ୍‍’ ନାମରେ ଅନ୍ୟ ଏକ ସଂସ୍ଥା ଥିଲା । ନେତାଜୀ ସୁଭାଷ ଖାଡ଼ିଏ ଓ ଆହୁରି ଅନେକ ଏହାର ସଭ୍ୟ ଥିଲେ । ଗୋଟିଏ ବର୍ଷ ମୁଁ ଏହାର ସଭାପତି ଥିଲି । ଅନ୍ୟ ଗୋଟିଏ ବର୍ଷ ଅଧ୍ୟାପକ ଖାଡ଼ିଏ ଥିଲେ । ଭାରତୀୟ ଏକତା ସମ୍ପର୍କୀୟ ବିଭିନ୍ନ ସମସ୍ୟାର ଆଲୋଚନା ଏଥିରେ ହେଉଥିଲା । ଥରେ ଗୋଟିଏ ଘଟଣାରେ ମୋର ମନେପଡ଼ୁଛି ଏସ୍‍. ଗୋବିନ୍ଦରାଜୁଲୁ ଅବିଭକ୍ତ ମାନ୍ଦ୍ରାଜ ପ୍ରଦେଶରେ ସାମ୍ପ୍ରଦାୟିକ ଭାବ ସମ୍ପର୍କରେ ଏକ ପ୍ରବନ୍ଧ ପାଠ କରିଥିଲେ । ଗୋବିନ୍ଦରାଜୁଲୁ ପରେ ମାନ୍ଦ୍ରାଜ ଓ ଆନ୍ଧ୍ରପ୍ରଦେଶର ଡି. ପି. ଆର ଭେଙ୍କଟେଶ୍ୱର ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ । ତାଙ୍କର ଏହି ପ୍ରଥିତ ପ୍ରବନ୍ଧରେ ସେ ବ୍ରାହ୍ମଣ ଓ ବ୍ରାହ୍ମଣେତରଙ୍କ ସମସ୍ୟାର ଏକ ସୁନ୍ଦର ବିଶ୍ଳେଷଣ କରିଥିଲେ । ଅଧ୍ୟାପକ ଖାଡ଼ିଏ ‘ୟୁନିଟ୍‍ ଲିଗ୍‍’ର କାର୍ଯ୍ୟରେ ପ୍ରଧାନ ଭାଗ ନେଉଥିଲେ । ଭାରତକୁ ଆସିଲାପରେ ବହୁ ଘଟଣାରେ ଅଧ୍ୟାପକ ଖାଡ଼ିଏଙ୍କ ସହିତ ମୋର ଦେଖାସାକ୍ଷାତ୍‍ ହୋଇଛି । ଥରେ ପୁନାରେ ତାଙ୍କ ଘରେ ମୁଁ ସପରିବାର ରହିଥିଲି । ତାହା ୧୯୨୭/୨୮ ମସିହାର କଥା । ସେତେବେଳେ ଆମେ ଦକ୍ଷିଣ ଭାରତ ଭ୍ରମଣରେ ଯାଇଥିଲୁ ।

☆☆☆

 

Unknown

ବୀରବଲ ସାହ୍ନି

 

ବର୍ତ୍ତମାନ ଡକ୍ଟର ବୀରବଲ୍‍ ସାହ୍ନିଙ୍କ ବିଷୟ ମୁଁ ପୁଣି ଉଲ୍ଲେଖ କରିବି । ଭାରତକୁ ଫେରିବାପରେ ସେ ବନାରସ ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ଅଧ୍ୟାପକ ହୋଇଥିଲେ । ପରେ ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ସେହି ବିଭାଗ ଅଧ୍ୟାପକ ରୂପେ ଯୋଗ ଦେଇଥିଲେ । ସେ ବୀରବଲ୍‍ ସାହ୍ନି ଇନ୍‍ଷ୍ଟିଚ୍ୟୁଟ ନାମକ ପେଲିଓବଟାନି (ନିଖାତକ ଉଦ୍ଭିଦବିଦ୍ୟା) ଅନୁଷ୍ଠାନ ପ୍ରତିଷ୍ଠା କରି ତା’ର ସ୍ଥାପକ ଡିରେକ୍ଟର ହେଲେ ଓ ଲକ୍ଷ୍ନୌଠାରେ ହିଁ ତାଙ୍କର ମୃତ୍ୟୁ ହେଲା । ତାଙ୍କର ମୃତ୍ୟୁପର୍ଯ୍ୟନ୍ତ ଆମେ ଦୁହେଁ ପରମ ବନ୍ଧୁ ଥିଲୁ । ମୁଁ ବୀରବଲ୍‍ ସାହ୍ନି ଇନ୍‍ଷ୍ଟିଚ୍ୟୁଟ୍‍ ସହିତ ଏ ପର୍ଯ୍ୟନ୍ତ ସଂପୃକ୍ତ । ବର୍ତ୍ତମାନ ତାଙ୍କର ସହଧର୍ମିଣୀ ଶ୍ରୀମତୀ ସାବିତ୍ରୀ ସାହ୍ନି ହେଉଛନ୍ତି ଏହାର ଡିରେକ୍ଟର । ୧୯୬୬ ମସିହାରେ ତାଙ୍କର ଶ୍ରାଦ୍ଧ ଦିବସରେ ମୁଁ ଯାହା ଲେଖିଥିଲି ଏଠାରେ ତାହା ପ୍ରକାଶ କରିବା ଉଚିତ ମନେକରୁଛି । ପ୍ରବନ୍ଧର ଶିରୋନାମା ଥିଲା “ବୀରବଲ୍‍ ସାହ୍ନିଙ୍କ ମାନବତା ।”

 

ସାହ୍ନିଙ୍କ ମାନବିକତା

 

ଜଣେ ଉଚ୍ଚକୋଟୀର ମାନବଙ୍କର ପବିତ୍ରସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଜ୍ଞାପନ କରିବା ପରମ ସୁଯୋଗ ବୋଲି ମୁଁ ମନେ କରୁଛି । ପଚାଶବର୍ଷରୁ ଅଧିକ ହେବ ଠିକ୍‌ କହିଲେ ବାଉନବର୍ଷ ତଳେ ମୁଁ କେମ୍ବ୍ରିଜ ଯାଇଥିଲି । ସେ ମୋ ଠାରୁ ବର୍ଷେ କିମ୍ବା ଦୁଇବର୍ଷ ସିନିଅର୍‌ ଥିଲେ । କେମ୍ବ୍ରିଜରେ ନିଜର ସହପାଠୀମାନଙ୍କୁ ବିଶେଷତଃ ଭାରତୀୟ ଛାତ୍ରମାନଙ୍କୁ ଭେଟିବାର ବହୁ ସୁଯୋଗ ମିଳେ । ମୋର ମନେପଡ଼ୁଛି ଆର୍‌. ପି. ପାରେଞ୍ଜପେ ଥରେ କହିଥିଲେ କେମ୍ବ୍ରିଜ କିମ୍ବା ଅକ୍‌ସ୍‌ଫୋଡକୁ ଆସିଲେ ତୁମେ ଭାରତବର୍ଷକୁ ଅଧିକ ଭଲଭାବରେ ଜାଣିପାରିବ । ଅନେକାଂଶରେ ଏହା ସତ୍ୟ କାରଣ ଭାରତର ସବୁ ଅଞ୍ଚଳରୁ ଆସିଥିବା ଛାତ୍ରମାନଙ୍କ ସଂପର୍କରେ ଆସିବାର ସୁଯୋଗ ମିଳେ । ଚା’ ଭୋଜିରେ ସଭାସମିତିରେ ନଈକୂଳରେ ଗବେଷଣାଗାରରେ—ସର୍ବତ୍ର ସାକ୍ଷାତ୍‌ର ସୁଯୋଗ ଘଟେ । ଯାହାହେଉ ସାହ୍ନି ଓ ମୁଁ ପରସ୍ପରକୁ ଚିହ୍ନି ବନ୍ଧୁ ହୋଇଗଲୁ ।

 

ସରଳ ବ୍ୟକ୍ତିତ୍ୱ

 

ତାଙ୍କର ସରଳ ଶାନ୍ତ ବ୍ୟକ୍ତିତ୍ୱ ବୀକ୍ଷଣ କରି ମୁଁ ତାଙ୍କଆଡ଼କୁ ଟାଣି ହୋଇଗଲି । ଘନିଷ୍ଠତା ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କର ବିଚାରଯୁକ୍ତ ଦୃଷ୍ଟିକୋଣ ମୋତେ ଆକର୍ଷିତ କଲା । ତାଙ୍କର ପିତା ବ୍ରାହ୍ମ ସମାଜର ଜଣେ ସଭ୍ୟ ଥିବାଯୋଗୁଁ ସେ ଏକ ବିଚାରୀ ବାତାବରଣ ମଧ୍ୟରେ ବଢ଼ି ଆସିଥିଲେ-। ଅନ୍ୟପକ୍ଷରେ ମୁଁ ରକ୍ଷଣଶୀଳ ବାତାବରଣ ମଧ୍ୟରେ ବଢ଼ି ଆସିଥିଲେ ମଧ୍ୟ କେମ୍ବ୍ରିଜକୁ ଆସିବାବେଳକୁ ମୋର ଜୀବନ ଅଧିକରୁ ଅଧିକ ବିଚାରବାଦୀ ହୋଇଥିଲା । ସାହ୍ନିଙ୍କର ସରଳ ଓ ନିରାଡ଼ମ୍ବର ବ୍ୟକ୍ତିତ୍ୱ ଏବଂ ବିଚାରୀ ଦୃଷ୍ଟିକୋଣ ଏ ଦୁଇଟି ଆମକୁ ପରସ୍ପର ପ୍ରତି ଆକୃଷ୍ଟ କରିଥିଲା-। ପରେ ଯେବେ ମୁଁ ଉଦ୍ଭିଦବିଜ୍ଞାନରେ ଆଗ୍ରହ ପ୍ରକାଶ କଲି ତାହା ଆମର ବନ୍ଧୁତାକୁ ଆହୁରି ଦୃଢ଼ କରିବାରେ ସାହାଯ୍ୟ କଲା । ଏପରି ଗୋଟିଏ ଦିନ ଯାଏ ନାହିଁ ଯେଉଁଦିନ ଆମେ ପରସ୍ପରକୁ ନ ଭେଟୁ । ଆମେ ଉଭୟ କେମ୍ବ୍ରିଜଠାରେ ବହୁଦିନ ଧରି ରହିଥିଲୁ ସେ ନଅ ବର୍ଷ ଥିଲେ ଏବଂ ମୁଁ ସାତ ବର୍ଷ ଥିଲି । ଆମର ସେତେବେଳର ବହୁ ବନ୍ଧୁ ଓ ସମସାମୟିକ ବ୍ୟକ୍ତି ସେମାନଙ୍କ ନିଜ ନିଜ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିଲେ । ଅଳ୍ପ କେତେଜଣଙ୍କ ନାମ ଉଲ୍ଲେଖ କରାଯାଇପାରେ-। ସେମାନେ ହେଲେ—ପି. ସି.ମହଲାନବିସ୍‍ ମହମ୍ମଦ ଆଫଜଲ୍‍ ହୁସେନ୍‍ (ବର୍ତ୍ତମାନ ପାକିସ୍ତାନରେ) ଦେୱାନ ଆନନ୍ଦ କୁମାର କେ. ସି. ମହେନ୍ଦ୍ର ସି. ଡି. ଦେଶମୁଖ ଏନ୍‍. ଆର୍‍. ପିଲେ ଏସ୍‍. ଏନ୍‍. ମଜୁମଦାର ସି. ଭି. ହନୁମନ୍ତରାଓ ଡାକ୍ତର ଜର୍ଜ ମାଥାଇ ସୁବିଖ୍ୟାତ ଗଣିତଜ୍ଞ ରାମାନୁଜନ୍‍ ଓ ଆର୍‍. ଏସ୍‍. ଇନାମ୍‍ଦାର୍‍ । ଏମାନେ ଆମ ଉଭୟଙ୍କର ବନ୍ଧୁ ଥିଲେ । ସେଥିଯୋଗୁଁ ଆମକୁ ଏକାଠି ହେବାର ଅଧିକ ସୁଯୋଗ ମିଳୁଥିଲା ।

 

ଜାତୀୟ ଭାବନା ଆମ ମନକୁ ଅଭିଭୂତ କରି ରଖିଥିଲା । ସାହ୍ନି ଏବଂ ମୁଁ ଏହାର ବ୍ୟତିକ୍ରମ ନ ଥିଲୁ । କିନ୍ତୁ ସେଥିପାଇଁ ଅଧ୍ୟୟନ ପ୍ରତି ଆମର ଅବହେଳା ଦେଖା ଯାଇନଥିଲା । ବରଂ ଏହାଦ୍ୱାରା ଆମେ ଉତ୍ସାହିତ ହୋଇ ଲାଗିପଡ଼ିଲୁ ଯେପରିକି ଆମର କାର୍ଯ୍ୟଦ୍ୱାରା ଆମେ ଦେଶର ଗୌରବ ବଢ଼ାଇପାରିବୁ ।

 

ସେ ପଢ଼ାପଢ଼ିରେ ଖୁବ୍‍ ବ୍ୟସ୍ତ ରହୁଥିଲେ ମଧ୍ୟ କମ୍‍ ରହସ୍ୟପ୍ରିୟ ନଥିଲେ । ବହୁ ରହସ୍ୟମୟ କାହାଣୀ କହି ସେ ଆମକୁ ହସାଉଥିଲେ ଏବଂ ଛାତ୍ରମାନେ ପରସ୍ପର ପ୍ରତି ଯେଉଁ ଥଟ୍ଟା ପରିହାସ କରନ୍ତି ସେଥିରେ ସେ ବେଶ୍‍ ଆନନ୍ଦ ପାଉଥିଲେ ।

 

ମୋ ଆଗରୁ ସେ କେମ୍ବ୍ରିଜ ଛାଡ଼ିଲେ । ମୁଁ ଭାରତକୁ ଫେରିଆସିବା ପରେ ଆମେ ପରୀକ୍ଷକ ଭାବରେ ଓ କେତେକ କମିଟିର ସଭ୍ୟ ଭାବରେ ଅନେକ ସମୟରେ ସାକ୍ଷାତ୍‍ କରୁଥିଲୁ । ଲାହୋର ବିଜ୍ଞାନ କଂଗ୍ରେସବେଳେ ଲାହୋରଠାରେ ତାଙ୍କଘରେ ମୁଁ ଅତିଥି ହୋଇଥିଲି ଏବଂ ତାଙ୍କ ପରିବାରର ସମସ୍ତଙ୍କ ସହିତ ପରିଚିତ ହୋଇଗଲି । ଭାରତୀୟ ବିଜ୍ଞାନ କଂଗ୍ରେସର ମାନ୍ଦ୍ରାଜ ଅଧିବେଶନରେ ସେ ସାଧାରଣ ସଭାପତି ନିର୍ବାଚିତ ହୋଇଥିବାବେଳେ ମୁଁ ସାଧାରଣ ସଂପାଦକ ହୋଇଥିଲି । ସେ କିପରି ସ୍ୱାଧୀନଚେତା ଥିଲେ ତା’ର ଗୋଟିଏ ଦୃଷ୍ଟାନ୍ତ ଉଲ୍ଲେଖ କରୁଛି । ତାଙ୍କୁ ରାଜଭବନର ଅତିଥି ହେବାପାଇଁ ନିମନ୍ତ୍ରଣ ଆସିଥିଲା । କିନ୍ତୁ ସେ ତାହା ପ୍ରତ୍ୟାଖ୍ୟାନ କରି ଏମ୍‍. ଓ. ପି. ଆୟାଙ୍ଗାରଙ୍କର ଅତିଥି ହୋଇଥିଲେ ।

 

ସୁବକ୍ତା

 

ସେ ଜଣେ ଭଲ ବକ୍ତା ଥିଲେ ଏବଂ ଇଂରେଜୀ ଭାଷା ଉପରେ ତାଙ୍କର ଅସାମାନ୍ୟ ଦକ୍ଷତା ଥିଲା । ଥରେ ମୁଁ ତାଙ୍କୁ ବକ୍ତୃତା ଦେବାପାଇଁ ରେଭେନ୍‌ସା କଲେଜକୁ ନିମନ୍ତ୍ରଣ କରିଥିଲି । ସେ କଣ୍ଟିନେଣ୍ଟାଲ ଡ୍ରିଫ୍‌ଟ (ମହାଦେଶ ବିଖଣ୍ଡଳ) ଓ ପାଷାଣୀଭୂତା ଉଦ୍ଭିଦ  ସମ୍ପର୍କରେ ଭାଷଣ ଦେଇଥିଲେ । ସେ ତାଙ୍କର ବିଷୟକୁ ଏପରି ସୁନ୍ଦର ଭାବରେ ବ୍ୟାଖ୍ୟା କରିଥିଲେ ଯେ ଓଡ଼ିଆ ଭାଷାରେ ପ୍ରବଚନ ଉଦ୍ଧାର କରି ମୁଁ ତାଙ୍କୁ ଧନ୍ୟବାଦ ଦେଇଥିଲି । ଏହି ପ୍ରବଚନଟି ହେଉଛି—

 

“ସ୍ୱର୍ଗରୁ ଆସିଲା କେଉଁ ବିନ୍ଧାଣୀ

ଶୁଖିଲା କାଠରୁ ବ୍ୱାହିଲା ପାଣି ।”

 

ସେ ସମୟରେ ଛାତ୍ରମାନେ ଏବେ ମଧ୍ୟ ମୋର ସେ ଉଦାହରଣ କଥା ମୋତେ ସ୍ମରଣ କରାଇ ଦିଅନ୍ତି ।

 

ଅସୀମ ଧୈର୍ଯ୍ୟର ସହିତ ସେ ଅସୁବିଧା ସହିପାରନ୍ତି । ଗୋଟିଏ ଘଟଣା ମନେପଡ଼ୁଛି । ନାଗପୁର ବିଜ୍ଞାନ କଂଗ୍ରେସ ସମୟରେ ସେ ଓ ମୁଁ ମୋହଗାଓଁ କଲାଣ ନାମକ ଏକ ଗ୍ରାମକୁ ଏକତ୍ର ଯାତ୍ରା କରିଥିଲୁ । ତାଙ୍କର ଉଦ୍ଦେଶ୍ୟ ହେଲା ପାଷାଣୀଭୂତା ଉଦ୍ଭିଦ ସଂଗ୍ରହ ଓ ମୋର ଉଦ୍ଦେଶ୍ୟ ଥିଲା ଏକ ନୂତନ ସ୍ଥାନ ପରିଦର୍ଶନ । ଆମେ ଗୋଟିଏ ଗାଁର ପ୍ରାଥମିକ ବିଦ୍ୟାଳୟରେ ଚଟାଣ ଉପରେ ଶୋଇଯାଇ ରାତ୍ରିଯାପନ କଲୁ । ସେଠାରେ କୌଣସି ଆଧୁନିକ ପାଇଖାନା ନଥିଲା । ମୋ ପକ୍ଷରେ ଏ ଅନୁଭୂତି ନୂଆ ନଥିଲା । କାରଣ ମୋର ବାଲ୍ୟଜୀବନ ଗୋଟିଏ ଗାଁରେ କଟିଥିଲା । ଏପରି କି ସହର ଜୀବନ ମଧ୍ୟ ସେପରି ଉତ୍କୃଷ୍ଟ ନଥିଲା । କିନ୍ତୁ ଗୋଟିଏ ବଡ଼ ସହରରେ ଏକ ଆଧୁନିକ ପରିବାରରେ ବଢ଼ି ସାହ୍ନି କିପରି ଅସୁବିଧା ସହିପାରନ୍ତି ଦେଖି ସେଥିରେ ମୁଁ ଅବାକ୍‍ ହୋଇଯାଇଥିଲି ।

 

ଆମେ ପାଷାଣୀଭୂତା ଉଦ୍ଭିଦ ଖୋଜିବାରେ ଲାଗିଲୁ । ବିଚିତ୍ର ଦେଖା ଯାଉଥିବା ଏହିପରି ଗୋଟିଏ ଉଦ୍ଭିଦ ମୁଁ ହୁଏତ ପ୍ରଥମେ ପାଇ ତାଙ୍କୁ ଦେଲି । ପରେ ଏହି ଧରଣର ଆହୁରି ଗୁଡ଼ିଏ ଉଦ୍ଭିଦ ଆମେ ସଂଗ୍ରହ କଲୁ । ଲକ୍ଷ୍ନୌ ଫେରିଆସିବା ପରେ ସାହ୍ନି ପରୀକ୍ଷା କରିବା ପରେ ଏହାକୁ ଗୋଟିଏ ଫଳ ବୋଲି ଆବିଷ୍କାର କଲେ । ମୋର ନାମକୁ ଏହି ଆବିଷ୍କାର ସହିତ ଜଡ଼ିତ କରିବାପାଇଁ ସେ ଏହାର ନାମକରଣ କଲେ ‘ଏନିଗ୍‍ମୋକାରପନ୍‍ ପରିଜାଇ (Enigmocarpon parijai) ଏହି ଫଳ ଆଉ ଏକ ବିଚିତ୍ର ବା ଅଦ୍ଭୁତ ଫଳ ହୋଇନାହିଁ । ଏହାର ଫୁଲ ଏବଂ ମଞ୍ଜି ମଧ୍ୟ ମିଳିଲାଣି ଏବଂ ଏହି ପାଷାଣୀଭୂତା ଉଦ୍ଭିଦର ନୂତନ ନାମକରଣ ହୋଇଛି ‘ସାହ୍ନିଆନ୍‌ଥସ୍‍ ପରିଜାଇ’ (Sahnianthus parijai) ଏହିପରି ଭାବରେ ଆମର ଦୀର୍ଘକାଳର ବନ୍ଧୁତାର ସ୍ମାରକରୂପେ ଆମ ଉଭୟଙ୍କର ନାମ ଚିରଦିନ ପାଇଁ ଗ୍ରଥିତ ହୋଇଯାଇଛି ।

 

ସାହ୍ନି ଏହିପରି ଜଣେ ବ୍ୟକ୍ତିଥିଲେ ଏବଂ ଆମ ଉଭୟଙ୍କର ବନ୍ଧୁତା ଏହିପରି ଥିଲା ।

☆☆☆

 

କେମ୍ବ୍ରିଜରେ କେତେଜଣ ବିଶିଷ୍ଟ ଭାରତୀୟ

 

ଆଉ ଜଣେ ବନ୍ଧୁ ହେଲେ ଅଧ୍ୟାପକ ଟି. ଏକାମ୍ବରମ୍‍ ଯେ ମାନ୍ଦ୍ରାଜ ପ୍ରେସିଡେନ୍‌ସ କଲେଜରୁ ଆସିଥିଲେ ଓ ଉଦ୍ଭିଦ ଶରୀର-ତତ୍ତ୍ୱ ସଂପର୍କରେ ଡକ୍ଟର ଏଫ୍‍. ଏଫ୍‍. ବ୍ଳାକମ୍ୟାନ୍‍ଙ୍କ ନିର୍ଦ୍ଦେଶରେ ଗବେଷଣା କରୁଥିଲେ । ଆମେ ଉଭୟ ଏକା ଗୃହରେ ଏକା ଅଧ୍ୟାପକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲୁ । ତେଣୁ ଆମେ ପରସ୍ପର ସଂପର୍କରେ ଆସି ବନ୍ଧୁ ହୋଇଗଲୁ । ସେ ପିଏଚ୍‍. ଡ଼ି କରି ଭାରତ ଫେରିଆସିଲେ ଓ କିଛିକାଳ ପାଇଁ ଉଦ୍ଭିଦ ବିଦ୍ୟାର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ହେଲେ-। ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଆମେ ପରସ୍ପର ବନ୍ଧୁ ରହିଥିଲୁ ।

 

ଅଧ୍ୟାପକ କେ.ସି ମେହେଟ୍ଟା ଆଗ୍ରା କଲେଜରୁ ଉଦ୍ଭିଦବିଦ୍ୟା ସଂପର୍କରେ ଅଧିକ ଜ୍ଞାନ ଲାଭ କରିବାପାଇଁ କେମ୍ବ୍ରିଜ ଆସିଥିଲେ । ତାଙ୍କର ବିଷୟ ଥିଲା ପ୍ଲାଣ୍ଟ ପାଥୋଲୋଜି(ଉଦ୍ଭିଦ ରୋଗ ବିଦ୍ୟା) । ଆମେ ଏକା ଗବେଷଣାଗାରରେ କାର୍ଯ୍ୟ କରୁଥିବା ଯୋଗୁଁ ପରସ୍ପର ସଂପର୍କରେ ଆସି ବନ୍ଧୁ ହୋଇଗଲୁ । ଅଧ୍ୟାପକ ମେହେଟ୍ଟା ପିଏଚ୍‍. ଡି କରି ଆଗ୍ରା ଫେରିଗଲେ ଓ ସେଠାରେ ଉଦ୍ଭିଦ ବିଦ୍ୟାର ବିଶ୍ୱବିଦ୍ୟାଳୟ ଅଧ୍ୟାପକ ହେଲେ । ଆମେ ଅନେକ ସମୟରେ ଭାରତୀୟ ବିଜ୍ଞାନ କଂଗ୍ରେସରେ ଓ ପରୀକ୍ଷକ ଭାବରେ ଏକାଠି ହେଉଥିଲୁ । ତାଙ୍କର କେତେକ ଛାତ୍ର ଉଦାହରଣ ସ୍ୱରୂପ ଡକ୍ଟର ପି. ମାହେଶ୍ୱରୀ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ବୈଜ୍ଞାନିକ ହୋଇଥିଲେ ।

 

ଉଚ୍ଚ ଗବେଷଣାପାଇଁ ଆସିଥିବା ଆଉ ଜଣେ ଛାତ୍ର ଥିଲେ ଲାହୋରର ମିଆଁ ମହମ୍ମଦ୍‍ ସାପି । ସେ ପର୍ସିଆନ ଭାଷାରେ ଜଣେ ପଣ୍ଡିତ ଥିଲେ ଓ ଲାହୋରରେ ଅଧ୍ୟାପକ ହୋଇଥିଲେ । ଭାଷାତତ୍ତ୍ୱରେ ଗବେଷଣା କରିବାପାଇଁ ସେ କେମ୍ବ୍ରିଜ ଆସିଥିଲେ । ଆମେ ଅନେକ ସମୟରେ ଏକତ୍ର ଭାରତର ବିଭିନ୍ନ ସମସ୍ୟା ଆଲୋଚନା କରୁଥିଲୁ । ସେ ଭାରତ ଫେରିଯାଇ ଲାହୋରର ଗୋଟିଏ କଲେଜରେ ପ୍ରିନ୍‌ସିପାଲ ହୋଇଥିଲେ । ଏବେ ଅନୁସନ୍ଧାନରୁ ମୁଁ ଜାଣିପାରିଛି ଯେ ଅଳ୍ପ କେତେବର୍ଷ ହେବ ସେ ମରିଗଲେଣି । କେମ୍ବ୍ରିଜରେ ମୋର ଦୀର୍ଘ ଅବସ୍ଥାନ କାଳ ମଧ୍ୟରେ ବହୁ ଭାରତୀୟ ଛାତ୍ର ଯେଉଁମାନେ କି ନିଜ ନିଜ କ୍ଷେତ୍ରରେ ଉଚ୍ଚସମ୍ମାନ ଲାଭ କରିଛନ୍ତି ସେମାନେ ସେଠାରେ ଅଧ୍ୟୟନ କରୁଥିଲେ । ମୁଁ ଶ୍ରୀ ଚିନ୍ତାମଣି ଦେଶମୁଖ୍‍ ଓ ଜଷ୍ଟିସ ରାଜାଧ୍ୟକ୍ଷଙ୍କ ସଂପର୍କରେ ଉଲ୍ଲେଖ କରିଛି । ଅନ୍ୟମାନଙ୍କ ମଧ୍ୟରୁ ବହୁ ବ୍ୟକ୍ତିଙ୍କର ନାମ ମୋର ମନେପଡ଼ୁଛି । ମୁଁ କେମ୍ବ୍ରିଜଠାରେ ସେମାନଙ୍କ ସାନ୍ନିଧ୍ୟରେ ଆସିଥିଲି ଓ ଭାରତକୁ ଫେରି ସେମାନଙ୍କ ସହିତ ସଂପର୍କ ରଖିଥିଲି । ଯେଉଁ ପ୍ରଥମ ନାମଟି ମନେପଡ଼ୁଛି ସେ ହେଲେ ଜଷ୍ଟିସ୍‍ ଜୀବନଲାଲ କପୁର । ସେ ତତ୍କାଳୀନ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶରୁ ଆସିଥିଲେ । ସେ ଆଇନ୍‍ ଶାସ୍ତ୍ର ଅଧ୍ୟୟନକରି ବାରିଷ୍ଟର-ଆଟ୍‍-ଲ ହୋଇଥିଲେ । କେମ୍ବ୍ରିଜରେ ଥିବାବେଳେ ସେ କୁମାରୀ ମେହେଟ୍ଟାଙ୍କୁ ବିବାହ କରିଥିଲେ । କୁମାରୀ ମେହେଟ୍ଟା ବୋଧହୁଏ ପଞ୍ଜାବରୁ ଆସି ସ୍ଥାନୀୟ ଏକ ମହିଳା କଲେଜର ଛାତ୍ରୀ ଥିଲେ । ଜଷ୍ଟିସ୍‍ କପୁର ଜଣେ ଖାଣ୍ଟି ଲୋକ ଥିଲେ ଯେ କି ନିଜ ମନର କଥା ରୋକଠୋକ୍‍ କହିଦେବା ପାଇଁ ଡରୁ ନ ଥିଲେ । ସେ ଭାରତକୁ ଫେରି ପେସାୱାରଠାରେ ଓକିଲାତି କଲେ । ଭାରତ ଭାଗଭାଗ ହୋଇଯିବାପରେ ସେ ଭାରତକୁ ଚାଲିଆସି ପଞ୍ଜାବ ହାଇକୋର୍ଟର ଜଣେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ଓ ସୁପ୍ରିମକୋର୍ଟ ବିଚାରପତି ଭାବରେ ଅବସର ନେଲେ-। ଭାରତ ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଭିନ୍ନ ତଦନ୍ତ କମିଶନରେ ସେ ଏବେ ମଧ୍ୟ ରହୁଛନ୍ତି-। ବର୍ତ୍ତମାନ ମହାତ୍ମାଗାନ୍ଧୀଙ୍କ ହତ୍ୟା ସଂପର୍କରେ ଯେଉଁ କମିଶନ୍‍ ଗଢ଼ାଯାଇଛି ସେଥିରେ ସେ ଅଛନ୍ତି-। ମଝିରେ ମଝିରେ ଆମେ ଦୁହେଁ ସାମାଜିକ ମିଳନରେ ଏକତ୍ର ହେଉ । ଗତବର୍ଷ ଦିଲ୍ଲୀଠାରେ କେମ୍ବ୍ରିଜର ପୁରାତନ ଛାତ୍ରମାନଙ୍କର ଏକ ମିଳନରେ ଆମେ ଏକତ୍ର ହୋଇଥିଲୁ । ଜଷ୍ଟିସ୍‍ କପୁର ଓ ଶ୍ରୀମତୀ କପୁର କେମ୍ବ୍ରିଜରେ ତାଙ୍କର ପୁରୁଣା ଦିନଗୁଡ଼ିକର ସଂପର୍କରେ ବହୁକଥା କହିଥିଲେ-

 

ପୁରୁଷୋତ୍ତମ ଦାସ ତ୍ରିକ୍‌ମ ଦାସ ମରଚ୍ୟାଣ୍ଟ ନାମକ ଜଣେ ଭଦ୍ରବ୍ୟକ୍ତିଙ୍କ ସହିତ ମୋର କେତେକ ସ୍ମୃତି ମନେପଡ଼ୁଛି । ସେ ଶ୍ରୀମତୀ ମରଚ୍ୟାଣ୍ଟ ଓ ଶ୍ରୀ ଡି. ଆର. ଗାଡ଼ଗିଲଙ୍କ ସହିତ ଏକ ସମୟରେ କେମ୍ବ୍ରିଜ ଆସିଥିଲେ । ଶ୍ରୀ ଡି. ଆର. ଗଡ଼ଗିଲ୍‍ ଯେ କି ବର୍ତ୍ତମାନ ଯୋଜନା କମିଶନ୍‍ର ଉପାଧ୍ୟକ୍ଷ ଅଛନ୍ତି ଶ୍ରୀ ବିକ୍ରମ ଦାସଙ୍କର ଜଣେ ଘନିଷ୍ଠ ବନ୍ଧୁଥିଲେ । ଅନେକ ସମୟରେ ଆମର ଦେଖା ହେଉଥିଲା; କାରଣ ଶ୍ରୀ ଓ ଶ୍ରୀମତୀ ମରଚ୍ୟାଣ୍ଟ ଭାରି ମେଳାପି ଲୋକ ଥିଲେ ଓ ବହୁ ଚା’ ଭୋଜି ଦେଉଥିଲେ । ଶ୍ରୀ ମରଚ୍ୟାଣ୍ଟ ଟ୍ରାଇପସ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଓକିଲାତି ପଢ଼ିଲେ । ସେ ବମ୍ବେ ଫେରି ସେଠାରେ ଓକିଲାତି କଲେ । ମୁଁ ଭାରତକୁ ଫେରିଆସି କୌଣସି ଏକ ଶିକ୍ଷା ସଂପର୍କୀୟ ବ୍ୟାପାରରେ ଯେତେବେଳେ ବମ୍ବେ ଯାଇଥିଲି ତାଙ୍କ ଘରେ ରହିଥିଲି । ସେତେବେଳେ ସେ ତାଙ୍କର ମରଚ୍ୟାଣ୍ଟ ସାଙ୍ଗିଆକୁ ଉଠାଇ ଦେଇଥିଲେ । ଏବେ ସେ ଟି. ପୁରୁଷୋତ୍ତମ ଦାସ ନାମରେ ପରିଚିତ ଓ ଦିଲ୍ଲୀଠାରେ ଓକିଲାତି କରୁଛନ୍ତି । ସେ ବମ୍ବେରେ ଥିବାବେଳେ ପ୍ରଥମ ରହଣିର ଆଉ କେତେବର୍ଷ ପରେ ମୁଁ ପୁଣି ତାଙ୍କ ସହିତ ସାକ୍ଷାତ୍‍ କରିବାକୁ ଯାଇଥିଲି । ମୁଁ ପ୍ରଥମ ଶ୍ରୀମତୀ ପୁରୁଷୋତ୍ତମ ଦାସଙ୍କୁ ସେଠାରେ ଦେଖିଲି ନାହିଁ । ବୋଧହୁଏ ସେ ସେତେବେଳେକୁ ଦ୍ୱିତୀୟଥର ବିବାହ କରିଗଲେଣି । ସେ ଦିନଠାରୁ ଆମ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ୍‍ ହୋଇନାହିଁ । ଅବଶ୍ୟ ମୁଁ ତାଙ୍କର ରାଜନୈତିକ କାର୍ଯ୍ୟକଳାପର ଖବର ରଖେ ।

 

ଡକ୍ଟର ଡି. ଆର. ଗଡ଼ଗିଲ୍‍ଙ୍କର ଘର ନାଗପୁରରେ । ଭାରତୀୟ ମଜ୍‍ଲିସରେ ସେ ସକ୍ରିୟ ଭାଗ ନେଉଥିଲେ ଏବଂ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ଥିଲେ । ଭାରତକୁ ଫେରିଆସି ସେ କୌଣସି ଚାକିରି କରି ନଥିଲେ । ତାଙ୍କର ଶ୍ୱଶୁର ଅର୍ଥନୀତି ସଂପର୍କୀୟ ଅଧ୍ୟୟନ ଓ ଗବେଷଣାପାଇଁ ଏକ ଅନୁଷ୍ଠାନ ଗଢ଼ିଥିଲେ । ଡକ୍ଟର ଗଡ଼ଗିଲ୍‍ ସେହି ଅନୁଷ୍ଠାନରେ ଯୋଗ ଦେଇ ତା’ର ଡିରେକ୍ଟର ହୋଇଥିଲେ । ସେ ଜଣେ ପ୍ରମୁଖ ଅର୍ଥନୀତିଜ୍ଞ ଓ ବର୍ତ୍ତମାନ ଯୋଜନା କମିଶନ୍‍ର ଉପାଧ୍ୟକ୍ଷ । ମୁଁ ଯେତେବେଳେ ପୁନାଯାଏ ତାଙ୍କୁ ସାକ୍ଷାତ୍‍ କରେ । ଦିଲ୍ଲୀଠାରେ ମଧ୍ୟ ଆମର ଦେଖାସାକ୍ଷାତ୍‍ ହୁଏ ।

 

କନିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରେ ଅନେକଙ୍କ ନାମ ମୋର ମନେପଡ଼ୁଛି ଓ ତାହା ଯେତେଦୂର ସମ୍ଭବ ଉଲ୍ଲେଖ କରିବା ଉଚିତ ମନେକରୁଛି । ଶ୍ରୀ ସି. ସି. ଦେଶାଇ ଉଦ୍ଭିଦ ବିଜ୍ଞାନ ସମେତ ପ୍ରକୃତି ବିଜ୍ଞାନରେ ଟ୍ରାଇପସ୍‍ ଲାଭ କରିଥିଲେ । ତାଙ୍କର ଟ୍ରାଇପସ୍‍ ପ୍ରଥମ ଭାଗ ପରେ ଆଇ. ସି. ଏସ୍‍. ପରୀକ୍ଷାପାଇଁ ତାଙ୍କର ଯଥେଷ୍ଟ ବୟସ ଥିଲା । ତେଣୁ ଭାରତ ଅଫିସକୁ ଆମେ ଏକ ଦରଖାସ୍ତ କଲୁ ଯେ କୃଷି ସଂପର୍କରେ ଅଧ୍ୟୟନ କରିବାପାଇଁ ତାଙ୍କୁ ଷ୍ଟାଇପେଣ୍ଡ ମିଳୁ । ସେ ଷ୍ଟାଇପେଣ୍ଡ ପାଇଁ କୃଷି ବିଷୟ ଅଧ୍ୟୟନ କଲେ । ଶେଷରେ ସେ ଆଇ. ସି. ଏସ୍‍. ହୋଇଥିଲେ । ସିଂହଳରେ ଭାରତର ହାଇକମିଶନର୍‍ ଥିଲେ ଓ ତାଙ୍କର ଚାକିରି ସମୟ ଖୁବ୍‍ କୃତିତ୍ତ୍ୱପୂର୍ଣ୍ଣ ଥିଲା । ଅବସର ଗ୍ରହଣ ପରେ ସେ କେତେଗୁଡ଼ିଏ ବ୍ୟବସାୟ ପ୍ରତିଷ୍ଠାନରେ ଯୋଗ ଦେଇ ସଫଳ ହୋଇଥିଲେ । ବର୍ତ୍ତମାନ ସେ ପାର୍ଲାମେଣ୍ଟରେ ସ୍ୱତନ୍ତ୍ର ଦଳପକ୍ଷରୁ ସଭ୍ୟ ଅଛନ୍ତି । ଆମର ଅନେକ ସମୟରେ ଦିଲ୍ଲୀରେ ଦେଖାହୁଏ ।

 

ଇନ୍ଦୋରରୁ ଆସିଥିବା ଅନ୍ୟ ଜଣେ ଯୁବକ ହେଲେ ଶ୍ରୀ ଏନ୍‍. ଏମ୍‍. ଦେଶମୁଖ । ସେ କିଛି କାଳପାଇଁ ମୋର ବସାଘରେ ରହିଥିଲେ । ସେ ଭାରତର ମାଟ୍ରିକ୍ୟୁଲେସନ୍‍ ପରୀକ୍ଷା ସହିତ ସମାନ ପ୍ରିଭିୟସ୍‍ ପରୀକ୍ଷା ଦେଇଥିଲେ । ସେ ଜଣେ ବିଚକ୍ଷଣ କ୍ରିକେଟର୍‍ ଥିଲେ । ସେଠାରୁ ଡିଗ୍ରୀ ଲାଭ କରି ସେ ଓକିଲାତି ପଢ଼ିଲେ ଓ ଭାରତକୁ ଫେରି ନାଗପୁରରେ ଓକିଲାତି କଲେ । ନାଗପୁରରେ ରହି ସେ ନାନା ପରିସରରେ ସାଧାରଣ କାର୍ଯ୍ୟରେ ମୁଖ୍ୟ ଭାଗ ଗ୍ରହଣ କରିଥିଲେ । ସେ ଏବେ ମଧ୍ୟ ସେଦିଗରେ କର୍ମଠ ଅଛନ୍ତି ।

 

ମୁଧୋଲକର

 

ତା’ପରେ ଜଷ୍ଟିସ୍‍ ଜେ. ଆର୍‍. ମୁଧୋଲକରଙ୍କ ନାମ ମନେପଡ଼ୁଛି । ନିକଟରେ ଓଡ଼ିଶା ସମ୍ବାଦରେ ତାଙ୍କ ନାମ ଉଠିଚି । ଖୁବ୍‍ କମ୍‍ ବୟସରେ ସେ କେମ୍ବ୍ରିଜ ଆସିଥିଲେ । ତାଙ୍କର ଜନ୍ମ ବେରାର୍‍ର ଏକ ଜଣାଶୁଣା ପରିବାରରେ । ତାଙ୍କର ପିତା ଜଣେ ରାଜନୈତିକ ନେତା ଥିଲେ । ମୋର ମନେପଡ଼ୁଛି ମୁଁ ସ୍କୁଲରେ କିମ୍ବା କଲେଜରେ ପଢ଼ୁଥିବାବେଳେ ପୁରୀରେ ତାଙ୍କର ଭାଷଣ ଶୁଣିଛି । ଜେ. ଆର୍‍. ମୁଧୋଲକର ଓ ମୁଁ କେମ୍ବ୍ରିଜବେଳରୁ ପରସ୍ପରର ବନ୍ଧୁ ହୋଇ ରହିଆସିଛୁ । ମୁଁ ୧୯୨୧ ମସିହାରେ ଭାରତକୁ ଫେରିଆସିବାବେଳେ ସେ କେମ୍ବ୍ରିଜରେ ଥିଲେ । ଭାରତକୁ ଫେରିଆସି ସେ ନାଗପୁରରେ ଓକିଲାତି କଲେ । ପ୍ରଥମେ ନାଗପୁର ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟର ବିଚାରପତି ରୂପରେ ସେ ନିଯୁକ୍ତ ହୋଇଥିଲେ । ଯେତେବେଳେ ସୁବିଧା ମିଳେ ଆମେ ପରସ୍ପର ସହିତ ସାକ୍ଷାତ୍‍ କରୁ । ୧୯୬୮ ମସିହାରେ ସେ ଓଡ଼ିଶା ଆସିଥିବାବେଳେ ମୋ ପାଖକୁ ଆସିଥିଲେ ଓ ଅଧଘଣ୍ଟା ପର୍ଯ୍ୟନ୍ତ ଆମେ ସେହି ପୁରୁଣାଦିନର ଏବଂ ପୁରୁଣା ବନ୍ଧୁମାନଙ୍କ ସଂପର୍କରେ ମଧୁର ଆଳାପ କରିଥିଲୁ ।

 

ଅନ୍ୟାନ୍ୟ ବନ୍ଧୁଙ୍କ ନାମ ମୋର ମନେପଡ଼ୁଛି । କିନ୍ତୁ ସମସ୍ତଙ୍କ ବିଷୟରେ ଲେଖିବାକୁ ଯାଇ ହିଁ ଲେଖାଟିକୁ ମୁଁ ଭାରାକ୍ରାନ୍ତ କରିବାକୁ ଚାହେଁ ନାହିଁ । ଭାରତୀୟ ସିଭିଲ୍‍ ସର୍ଭିସ୍‍ର ଜଣେ ବିଶିଷ୍ଟ ସଭ୍ୟ ଶ୍ରୀ ଏ. ଏନ୍‍ ସାହାଙ୍କର ସଂପର୍କରେ ଅବଶ୍ୟ କିଛି ଆଲୋଚନା ନ କରି ମୁଁ ରହି ପାରୁନାହିଁ । ମୁଁ ଭାରତକୁ ଫେରି ଯେତେବେଳେ ବିଜ୍ଞାନ କଂଗ୍ରେସ ଅଧିବେଶନରେ ଯୋଗଦେବାପାଇଁ ନାଗପୁର ଗଲି; ଶ୍ରୀ ସାହାବେରାର୍‍ର ଅମରାବତୀଠାରେ କାମ କରୁଥିଲେ । ମୁଁ ତାଙ୍କୁ ସାକ୍ଷାତ୍‍ କରିବାପାଇଁ ଅମରାବତୀ ଗଲି । ସେ ତାଙ୍କ ଗାଡ଼ିରେ ମୋତେ ୱାର୍ଦ୍ଧା ନେଇଗଲେ ସେଠାରେ ଆଶ୍ରମ ପରିଦର୍ଶନ କରିବାପାଇଁ । ପରେ ଆମେ ବିଭିନ୍ନ ସ୍ଥାନରେ ଦେଖା ସାକ୍ଷାତ୍‍ ସୁଯୋଗ ପାଇଛୁ । ତାଙ୍କର କୌଣସି ସାମାଜିକ ରକ୍ଷଣଶୀଳତା ନଥିଲା । କାରଣ ତାହା ଥିଲେ ସେ ତାଙ୍କର କନ୍ୟାକୁ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ୍‍ ହିଦାୟତୁଲ୍ଲାଙ୍କ ସହିତ ବିବାହ ଦେଇ ନଥାନ୍ତେ । ସମୟ ସମୟରେ ଦିଲ୍ଲୀରେ ଆମର ସାକ୍ଷାତ୍‍ ହୁଏ । ୧୯୬୭ ମସିହରେ ମୁଁ ବମ୍ବେ ଯାଇଥିବାବେଳେ ସେଠାରେ ତାଙ୍କ ସହିତ ମୋର ଶେଷଥରପାଇଁ ଦେଖା ହୋଇଥିଲା । ସେଠାରେ ସେ କେତେକ ପୁରାତନ ବନ୍ଧୁଙ୍କୁ ନିମନ୍ତ୍ରଣ କରିଥିଲେ । ଏମାନେ ହେଲେ—ସର୍ବଶ୍ରୀ ଏମ୍‍. ଡି. ଭଟ୍ଟ ଆଇ. ସି. ଏସ୍‍. ବମ୍ବେର ଅବସରପ୍ରାପ୍ତ ଚିଫ୍‍ ସେକ୍ରେଟେରୀ ଜେ. ଭି. ଯୋଶ୍ନୀ ରିଜର୍ଭବ୍ୟାଙ୍କର ଅବସରପ୍ରାପ୍ତ ଡେପୁଟି ଗଭର୍ଣ୍ଣର କେ. ଆର. ଗୁଞ୍ଜିକର ବମ୍ବେ ଏଲ୍‍ ଫିନ୍‍ଷ୍ଟୋନ୍‍ କଲେଜର ଅବସରପ୍ରାପ୍ତ ପ୍ରିନ୍‌ସିପାଲ କେ. ସି. ମେହେଟ୍ଟା ଆସାମର ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ଜେନେରାଲ ଏବଂ ଆଉ କେତେଜଣ କେମ୍ବ୍ରିଜବନ୍ଧୁ । ସମସ୍ତଙ୍କୁ ସେ ନୈଶ୍ୟଭୋଜନକୁ ଡାକିଥିଲେ-

 

ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ କେମ୍ବ୍ରିଜରେ ମୋର ରହଣିକାଳ ମଧ୍ୟରେ ଭାରତର ବହୁ ବିଶିଷ୍ଟ ଜନସେବୀଙ୍କ ସହିତ ମିଶିଛି । ସେମାନଙ୍କ ବ୍ୟତୀତ ବହୁ ବିଶିଷ୍ଟ ଭାରତୀୟ ବୈଜ୍ଞାନିକ କେମ୍ବ୍ରିଜ ଆସିଥିବାବେଳେ ତାଙ୍କ ସହିତ ଆମର ସାକ୍ଷାତ୍‍ ହୋଇଛି । ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର ଓ ଆଚାର୍ଯ୍ୟ ପ୍ରଫୁଲ୍ଲଚନ୍ଦ୍ରଙ୍କ ସଂପର୍କରେ ମୁଁ ପୂର୍ବରୁ ଉଲ୍ଲେଖ କରିଛି । ଆଉ ଦୁଇଜଣ ବିଶିଷ୍ଟ ଭାରତୀୟ ଡକ୍ଟର ଡି. ଏମ୍‍. ବୋଷ ଓ ଡକ୍ଟର ଏସ୍‍. ପି. ଅଘରକରଙ୍କ ସହିତ ମଧ୍ୟ ମୋର ସାକ୍ଷାତ୍‍ ହୋଇଥିଲା-। ସେମାନେ ଜର୍ମାନୀରେ ସେମାନଙ୍କ ପଢ଼ା ଶେଷ କରି ସାରିଥିଲେ । ଡକ୍ଟର ଡି. ଏମ୍‍. ବୋଷ ପଦାର୍ଥବିଜ୍ଞାନ କ୍ଷେତ୍ରରେ ଜଣେ ସ୍ୱନାମଧନ୍ୟ ବୈଜ୍ଞାନିକ । ଭାରତକୁ ଫେରି ସେ ବୋଷ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟରେ ଯୋଗ ଦେଇ ଶେଷରେ ତା’ର ଡିରେକ୍ଟର ଭାବରେ ଅବସର ଗ୍ରହଣ କରିଅଛନ୍ତି-। ସେ ଆଚାର୍ଯ୍ୟ ଜଗଦୀଶଚନ୍ଦ୍ରଙ୍କର ପୁତୁରା । ଭାରତୀୟ ବିଜ୍ଞାନ କଂଗ୍ରେସର ଥରେ ସେ ସାଧାରଣ ସଭାପତି ହୋଇଥିଲେ । ଜଣେ ବନ୍ଧୁଙ୍କ ଗୃହରେ କେମ୍ବ୍ରିଜଠାରେ ଆମର ସାକ୍ଷାତ୍‍ ସମୟରେ ଭାରତୀୟ ସମସ୍ୟା ସଂପର୍କରେ ଆମେ ଆଲୋଚନା କରିଥିଲୁ । ସେତେବେଳେ ରାଜନୈତିକ ଚିନ୍ତା ଦୃଷ୍ଟିରୁ ମୋତେ ଜଣେ ଚରମପନ୍ଥୀ ବୋଲି ମନେ କରାଯାଉଥିଲା । ଏବେ ଦେଖାହେଲେ ମଧ୍ୟ ଡକ୍ଟର ବୋଷ ସେ’କଥା କହନ୍ତି । ମୁଁ ଭାରତକୁ ଫେରିଆସିଲା ପରେ ଆମର ବହୁବାର ଦେଖାସାକ୍ଷାତ୍‍ ହୋଇଛି । ବିଶେଷତଃ ମୁଁ କଲିକତାର ବୋଷ ରିସର୍ଚ୍ଚ ଇନ୍‍ଷ୍ଟିଚ୍ୟୁଟ୍‍ର କାଉନସିଲର ସଭ୍ୟଭାବରେ ମନୋନୀତ ହେବାପରେ । ଡକ୍ଟର ଏସ୍‍. ପି. ଅଘରକର ଜଣେ ଉଦ୍ଭିଦତତ୍ତ୍ୱବିତ୍‍ ଥିଲେ । ଜର୍ମାନୀ ଯିବା ପୂର୍ବରୁ ସାର୍‍ ଆଶୁତୋଷ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରୂପେ ବାଛିଥିଲେ । ଜଣେ ବନ୍ଧୁଙ୍କ ଗୃହରେ କେମ୍ବ୍ରିଜଠାରେ ଆମର ସାକ୍ଷାତ୍‍ ହୋଇଥିଲା ଓ ତାଙ୍କର ମୃତ୍ୟୁପର୍ଯ୍ୟନ୍ତ ତାଙ୍କ ସହିତ ବନ୍ଧୁତା ରହିଥିଲା । ଆମ ଉଭୟଙ୍କର ଉଦ୍ଭିଦ ବିଜ୍ଞାନରେ ଆଗ୍ରହ ଥିବାଯୋଗୁଁ ବହୁ ଘଟଣାରେ ଆମେ ଏକତ୍ର ହୋଇଛୁ । ବହୁ ବର୍ଷ ଧରି ସେ ବିଜ୍ଞାନ କଂଗ୍ରେସର ସାଧାରଣ ସଂପାଦକ ଥିଲେ । କଲିକତା ବିଶ୍ୱବିଦ୍ୟାଳୟରୁ ଅବସର ଗ୍ରହଣକରି ପୁନାଠାରେ ସେ ଏକ ଗବେଷଣାଗାର ପ୍ରତିଷ୍ଠା କରିଥିଲେ । ତାଙ୍କ ମୃତ୍ୟୁପରେ ତାଙ୍କ ନାମାନୁସାରେ ଏହାର ନାମକରଣ କରାଯାଇଛି ।

☆☆☆

 

କେମ୍ବ୍ରିଜ ଓ ରେଭେନ୍‍ସା କଲେଜ

 

ଏବେ ପୁଣି କେମ୍ବ୍ରିଜରେ ମୋର ଛାତ୍ରଜୀବନ କଥା କହେଁ । ଟ୍ରାଇପସ୍‍ ପରୀକ୍ଷାର କଥା ମୁଁ ପୂର୍ବରୁ ଉଲ୍ଲେଖ କରିଛି ଓ ସେଥିସହିତ ଉଦ୍ଭିଦ ଶରୀରତତ୍ତ୍ୱ ବିଷୟରେ ଗବେଷଣା କରିବାପାଇଁ ଫ୍ରାଙ୍କ ସ୍ମାର୍ଟ ଛାତ୍ରବୃତ୍ତି ମୋତେ ମିଳିଥିବା କଥା ମଧ୍ୟ କହିଅଛି । ବିଖ୍ୟାତ ଉଦ୍ଭିଦ ଶରୀରତତ୍ତ୍ୱବିଦ୍‍ ଡକ୍ଟର ଏଫ୍‍. ଏଫ୍‍. ବ୍ଳାକ୍‍ମ୍ୟାନ୍‍ଙ୍କ ତତ୍ତ୍ୱାବଧାନରେ ମୁଁ ଗବେଷଣା ଆରମ୍ଭ କଲି । ବିଶଦ୍ଧ ଅମ୍ଳଜାନଠାରୁ ଆରମ୍ଭ କରି ଅମ୍ଳଜାନ ଆସ୍ତେ ଆସ୍ତେ କମାଇ ବିନା ଅମ୍ଳଜାନରେ ମଧ୍ୟ ଚେରୀଲରେଲ ନାମକ ଏକ ଜାତୀୟ ପତ୍ର ଶ୍ୱାସକ୍ରିୟା ଥିଲା ମୋର ବିଶେଷ ଅଧ୍ୟୟନର ବିଷୟ । ଏଥିରୁ କେତେକ ଉପାଦେୟ ତଥ୍ୟ ବାହାରିଲା । ୧୯୨୬ ମସିହାରେ ମୁଁ ଯେତେବେଳେ ଦ୍ୱିତୀୟଥର କେମ୍ବ୍ରିଜ ଆସିଲି ସେ ବିଷୟ ବର୍ଣ୍ଣନା କରିବାକୁ ଯିବାବେଳେ ପୁଣି ମୁଁ ଏ ସଂପର୍କରେ ଆଲୋଚନା କରିବି । ଫ୍ରାଙ୍କ୍‍ ସ୍ମାର୍ଟ ଛାତ୍ରବୃତ୍ତିର ସମୟ ଶେଷ ହୋଇଯିବା ପରେ ପତ୍ରମାନଙ୍କର ଶ୍ୱାସପ୍ରକ୍ରିୟା ସଂପର୍କୀୟ ମୋର ଅଧ୍ୟୟନ ଲବ୍‌ଧ ତଥ୍ୟକୁ ବିଚାରକୁ ନେଇ ଡକ୍ଟର ବ୍ଳାକ୍‍ମ୍ୟାନ୍‍ ମୋତେ ଆଉ କିଛି ସମୟ କେମ୍ବ୍ରିଜରେ ରହିବାପାଇଁ ଅନୁରୋଧ କଲେ ଓ ସେଉଫଳକୁ ସାଇତି ରଖିଲେ ତା’ର ଶ୍ୱାସକ୍ରିୟା କ’ଣ ହେବ ସେ ସଂପର୍କରେ ଅଧ୍ୟୟନ କରିବାପାଇଁ କହିଲେ ।

 

ପ୍ରଥମ ମହାଯୁଦ୍ଧ ସମୟରେ ଜର୍ମାନୀର ଅବରୋଧ ଯୋଗୁ ଗ୍ରେଟ୍‍ବ୍ରିଟେନରେ ଖାଦ୍ୟଭାବ ଘଟିଥାଏ । ସେଥିପାଇଁ ସରକାର ଏକ ଖାଦ୍ୟାନୁସନ୍ଧାନ ବୋର୍ଡ ଗଠନ କରିଥାନ୍ତି । ଉଦ୍ଦେଶ୍ୟ ହେଲା ଖାଦ୍ୟ ଉତ୍ପାଦନ ହେବାର ଉପାୟ ଚିନ୍ତା କରିବା ଓ ଯାହା ଖାଦ୍ୟ ଉତ୍ପନ୍ନ ହୋଇଛି ତାହାକୁ ଭଲଭାବରେ ସଞ୍ଚୟ କରିବାର ବାଟ ବାହାର କରିବା ।

 

ଏହି ଖାଦ୍ୟାନୁସନ୍ଧାନ ବୋର୍ଡର ମାର୍ଫତରେ ଓ ଡକ୍‌ଟର ବ୍ଳାକ୍‍ମ୍ୟାନ୍‍ଙ୍କ ତତ୍ତ୍ୱାବଧାନରେ ସେଉ ସବୁ କିପରି ସଞ୍ଚିତ ହୋଇ ରହିବ ସେ ସଂପର୍କରେ ଗୁଡ଼ିଏ ଗବେଷକ ନିଯୁକ୍ତ ଥାଆନ୍ତି । ଏମାନେ ହେଲେ ଡକ୍ଟର ଫ୍ରାଙ୍କ୍‍ଲିନ୍‍ କିଡ୍‍ ଡକ୍ଟର ୱେଷ୍ଟ ଓ ଶ୍ରୀ ବ୍ରିଗ୍‌ସ । ଏହି ଦଳରେ ଯୋଗ ଦେବାପାଇଁ ମୋତେ ଅନୁରୋଧ କରାଗଲା । ଏହାର କାମ ଥିଲା ଅମ୍ଳଜାନର ବିଭିନ୍ନ ଅନୁପାତରେ ସେଉର ଶ୍ୱାସପ୍ରକ୍ରିୟା ଅଧ୍ୟୟନ କରିବା ଯେପରିକି ଅମ୍ଳଜାନ ନିର୍ଦ୍ଦିଷ୍ଟ ଆନୁପାତିକ ପରିମାଣ ବାହାର କରାଯାଇ ସେଉକୁ ଭଲ ଅବସ୍ଥାରେ ବହୁଦିନ ଧରି ସାଇତି ରଖା ଯାଇପାରିବ । ମୁଁ ବିହାର-ଓଡ଼ିଶାର ସରକାରୀ ଛାତ୍ରବୃତ୍ତିଧାରୀ ହୋଇଥିବାଯୋଗୁଁ ଫ୍ରାଙ୍କ୍‍ସ୍ମାର୍ଟ ବୃତ୍ତିଧାରୀ ଭାବରେ ରହିବାକୁ ହେଲେ ଏମାନଙ୍କର ଅନୁମତି ଲୋଡ଼ା ହୋଇଥିଲା । ଗ୍ରେଟ୍‍ବ୍ରିଟେନ୍‍ ସରକାରଙ୍କର ଖାଦ୍ୟାନୁସନ୍ଧାନ ବୋର୍ଡର ଜଣେ ଗବେଷକ ଭାବରେ ମୁଁ ନିଯୁକ୍ତ ହେଉଥିବାଯୋଗୁଁ ମୋତେ ବିହାର-ଓଡ଼ିଶା ସରକାରଙ୍କର ଅନୁମତି ମଧ୍ୟ ଆଣିବାକୁ ପଡ଼ିଥିଲା । ବିହାର-ଓଡ଼ିଶା ସରକାରଙ୍କର ଅନୁମତି ପାଇବାରେ ବିଳମ୍ବ ହେଲାନାହିଁ । ଇଂରେଜ ଗବେଷକମାନଙ୍କୁ ବର୍ଷକୁ ୨୦୦ ପାଉଣ୍ଡ ମିଳୁଥିବାବେଳେ ମୋତେ ୩୦୦ ପାଉଣ୍ଡ ମିଳିଲା । ତା’ର କାରଣ ହେଉଛି ଇଂରେଜମାନେ ଭାରତରେ ଯେପରି ସମୁଦ୍ରପାରି ଭତ୍ତା ନିୟମ ଅନୁଯାୟୀ ଅଧିକ ଦରମା ପାଉଥିଲେ ମୁଁ ମଧ୍ୟ ସେଠାରେ ସେହି ନିୟମ ଅନୁସାରେ ଅଧିକ ଭତ୍ତା ପାଇଲି । ମୁଁ ବର୍ଷେ କାମ କରି ଦେଖିଲି ଯେ ସେଉ ଫଳକୁ ବେଶିଦିନ ଭଲ ଅବସ୍ଥାରେ ରଖିବାକୁ ହେଲେ ପାଞ୍ଚଭାଗ ଅମ୍ଳଜାନ ସମାହାର ଆବଶ୍ୟକ । ଯେତେବେଳେ ମୋର ବର୍ଷକର କାର୍ଯ୍ୟକାଳ ପୂରିଗଲା ମୋତେ ଆହୁରି ବର୍ଷେ ରହିବାପାଇଁ ଡକ୍ଟର ବ୍ଳାକ୍‍ମ୍ୟାନ୍‍ ଏଥିରେ ସମ୍ମତ ହେଲେ । ମୁଁ ୧୯୨୧ ଜୁଲାଇ ମାସରେ କେମ୍ବ୍ରିଜ ଛାଡ଼ିଲି ଓ ଇଂଲିଶ ଚ୍ୟାନେଲ ପାରିହୋଇ ପ୍ୟାରିସ୍‍ ଅଭିମୁଖେ ଯାତ୍ରା କଲି । ଶ୍ରୀ ଓ ଶ୍ରୀମତୀ ପୁରୁଷୋତ୍ତମ ଦାସ (ସେତେବେଳେ ତାଙ୍କର ସାଙ୍ଗିଆ ମରଚ୍ୟାଣ୍ଟ ଥିଲା) ଓ ଡକ୍ଟର ଡି. ଆର୍‍. ଗଡ଼ଗିଲ୍‍ ପ୍ୟାରିସରେ ତାଙ୍କର ଛୁଟି ସମୟ କଟାଉଥିଲେ । ମୁଁ କିଛିଦିନ ସେମାନଙ୍କ ସହିତ ରହିଲି ଓ ତା’ପରେ ମାରସେଲେସ୍‍ ଯାଇ ପି ଆଣ୍ଡ୍‍ ଓ କମ୍ପାନୀର ମାଲୱା ନାମକ ଜାହାଜ ଚଢ଼ି ବମ୍ବେ ଅଭିମୁଖେ ଯାତ୍ରା କଲି । ଇତ୍ୟବସରରେ ସେକ୍ରେଟେରୀ ଅଫ୍‍ ଷ୍ଟେଟ୍‍ ଫର୍‍ ଇଣ୍ଡିଆଙ୍କ ପକ୍ଷରୁ ଇଣ୍ଡିଆନ୍‍ ଏଡ଼ୁକେସନ ସର୍ଭିସରେ ମୁଁ ନିଯୁକ୍ତି ପାଇ ସର୍ଭିସ୍‍ ଚୁକ୍ତିନାମରେ ଦସ୍ତଖତ କରି ସାରିଥିଲି । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ଆଇ. ଇ. ଏସ୍‍ ରେ ଉତ୍ତର ପ୍ରଦେଶରେ ଯୋଗ ଦେବାପାଇଁ ମୋତେ ଡକରା ଆସିଥିଲା । କିନ୍ତୁ ବିହାର-ଓଡ଼ିଶା ସରକାରଙ୍କ ସହିତ ବିହାର-ଓଡ଼ିଶାରେ ପାଞ୍ଚବର୍ଷ ଚାକିରି କରିବାପାଇଁ ମୋର ପୂର୍ବରୁ ଚୁକ୍ତି ହୋଇଥିବାଯୋଗୁଁ ବିହାର-ଓଡ଼ିଶା ସରକାର ୟୁ. ପି ଯିବାପାଇଁ ମୋତେ ଅନୁମତି ଦେଲେ ନାହିଁ ।

 

ଜୁଲାଇ ମାସ ଶେଷଆଡ଼କୁ ମୁଁ ବମ୍ବେରେ ପହଞ୍ଚିଲି । ସେତେବେଳେ ଶ୍ରୀ ଭୁବନାନନ୍ଦ ଦାସ ବମ୍ବେରେ ରହୁଥିଲେ । ମୁଁ ତାଙ୍କ ସହିତ କିଛିଦିନ କଟାଇଲି । ସେଠାରେ ଡକ୍ଟର ହରେକୃଷ୍ଣ ମହତାବ ଓ ମୋର ପୂର୍ବତନ ସ୍କୁଲ ସମୟର ବନ୍ଧୁ ଭାଗୀରଥୀ ମହାପାତ୍ରଙ୍କ ସହିତ ଦେଖା ହେଲା । ବମ୍ବେରେ ଦିନେ ଦୁଇଦିନ ରହିବା ପରେ ମୁଁ କଟକ ଅଭିମୁଖେ ଯାତ୍ରା କଲି । ଗାଡ଼ି ମହାନଦୀ ପୋଲ ପାଖରେ ପହଞ୍ଚିବାବେଳେ ମୁଁ ହଠାତ୍‍ ବିଚଳିତ ହୋଇ କାନ୍ଦିବାକୁ ଆରମ୍ଭ କଲି । କାରଣ କହିବା କଷ୍ଟକର । ମୋର ପିତାମାତା ଓ ଭଉଣୀ ସେତେବେଳେକୁ କେହି ନ ଥିଲେ । ସଂପର୍କୀୟ ବୋଲି ଯେଉଁମାନେ ଥିଲେ ସେମାନେ ମୋ ବାପାଙ୍କର ଦାଦିପୁଅ ଭାଇ ଥିଲେ । ତେଣୁ ମୋର ପରିବାରକୁ ଫେରିଆସୁଥିବା ଯୋଗୁଁ ଯେ ମୁଁ ଏପରି ବିଚଳିତ ହେଲି ତାହା କେବେ କାରଣ ହୋଇ ନ ପାରେ । କାରଣ ହେଉଛି ମୁଁ ମୋର ଜନ୍ମଭୂମିକୁ ଫେରିଆସିଛି ।

 

କଟକରେ ଅଳ୍ପ ସମୟ ରହି ମୁଁ ମୋର ଗାଁକୁ ଗଲି । ମୁଁ ବିଲାତରେ ଥିବାବେଳେ ମୋର ବାଲ୍ୟକାଳ ଯେଉଁ ଗୃହରେ କଟିଥିଲା ତାହା ପୋଡ଼ି ଯାଇଥିଲା । ମୁଁ ଯାଇ ମୋ ବାପାଙ୍କର ଖୁଡ଼ୁତାପୁଅ ଭାଇମାନଙ୍କ ଘରେ ରହିଲି । ସେମାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଯାଇ ମୋତେ କେତେକ ବିଧିବିଧାନ ମାନିବାକୁ ହୋଇଥିଲା । ମୁଁ ଦେଶାନ୍ତରରେ ଥିବାଯୋଗୁଁ ଅପବିତ୍ର ହୋଇଯାଇଛି ତେଣୁ ଏ ସବୁ ବିଧିବିଧାନ । ସେତେବେଳେ ଏସବୁ ଧାରଣା ଏକ ସାଧାରଣ ବିଷୟ ଥିଲା କିନ୍ତୁ ଅଳ୍ପ କାଳପରେ ତାହା ଆଉ ରହିଲା ନାହିଁ । ୧୯୨୬ ମସିହାରେ ମୁଁ ଯେତେବେଳେ ଦ୍ୱିତୀୟବାର ଇଂଲଣ୍ଡ ଗଲି କେହି ଆଉ ଏପରି ଆପତ୍ତି ଉଠାଇଲେ ନାହିଁ ।

 

୧୯୨୧ ମସିହା ଅଗଷ୍ଟ ୪ ତାରିଖ ଦିନ ମୁଁ ସର୍ଭିସରେ ଯୋଗ ଦେଲି । କିଛିଦିନ ମୁଁ ସ୍ୱାମୀଜୀ (ଶ୍ରୀ ଭୁବନାନନ୍ଦ ଦାସ)ଙ୍କ ସହିତ ରହିଲି । ତା’ପରେ ମୁଁ କଲେଜକୁ ଚାଲିଆସି ଶ୍ରୀ ଶ୍ୟାମଚନ୍ଦ୍ର ତ୍ରିପାଠୀଙ୍କ ସଙ୍ଗରେ ରହିଲି । ରେଭେନ୍‌ସା କଲେଜ ରାଣୀହାଟ ନିକଟବର୍ତ୍ତୀ ଚିତ୍ର ପଡ଼ିଆ (ପୁରୁଣା ଘୋଡ଼ାଦୌଡ଼ ପଡ଼ିଆ)ରେ ହୋଇଥିବା ନୂଆ କୋଠାଘରକୁ ଚାଲି ଯାଇଥିଲା । ସେତେବେଳେ କଲେଜ କୋଠାଘରେ ଗୋଟିକିଆ ହୋଇ ରହିଥିଲା । କାରଣ ତା’ ପାଖରେ କୌଣସି ବଜାର ନ ଥିଲା କିମ୍ବା ଲୋକେ ବେଶି ରହୁ ନଥିଲେ । କେବଳ ରେଳଷ୍ଟେସନ ନିକଟରେ ଥିଲା ।

 

କଲେଜରେ ଇଣ୍ଡିଆନ୍‍ ଏଡ଼ୁକେସନ୍‍ ସର୍ଭିସ୍‍ର ବହୁ ବ୍ୟକ୍ତି ଥିଲେ । ଶ୍ରୀ ଏଚ୍‍. ଲାମ୍ବର୍ଟ ପ୍ରିନ୍‌ସିପାଲ୍‍ ଥିଲେ ଶ୍ରୀ ଉଷ୍ଟନ୍‍ ସ୍ମିଥ୍‍ ଇତିହାସ ଅଧ୍ୟାପକ ଓ ଶ୍ରୀ ହୁଇଟ୍‍ଲକ୍‍ ଇଂରେଜୀ ବିଭାଗର ଅଧ୍ୟକ୍ଷ ଥିଲେ । ଡକ୍ଟର ବାବା କର୍ତ୍ତାର ସିଂ ପାଟନାରୁ ବଦଳି ହୋଇ ଆସି ରସାୟନ ବିଭାଗର ଅଧ୍ୟାପକ ହୋଇଥିଲେ । ଶ୍ରୀ ତ୍ରିପାଠୀ ଓ ମୁଁ ଇଣ୍ଡିଆନ୍‍ ଏଡ଼ୁକେସନ୍‍ ସର୍ଭିସ୍‍ର ଦୁଇଜଣ ସ୍ଥାନୀୟ ବ୍ୟକ୍ତି ହୋଇଥିବାଯୋଗୁଁ ଆମେ ଦୁଇ ହେଷ୍ଟେଲର ଓ୍ୱାର୍ଡ଼େନ ନିଯୁକ୍ତ ହୋଇଥିଲୁ । ଶ୍ରୀ ତ୍ରିପାଠୀ ଇଷ୍ଟ୍‍ ହଷ୍ଟେଲ ଓ ମୁଁ ୱେଷ୍ଟ ହଷ୍ଟେଲ୍‍ର ୱାର୍ଡ଼େନ ହୋଇଥିଲୁ । ୱେଷ୍ଟ ହଷ୍ଟେଲ୍‍ ନିର୍ମାଣ ଶେଷ ହେବାପରେ ମୁଁ ଓ୍ୱାର୍ଡ଼େନ କ୍ୱାଟର୍ସକୁ ଚାଲି ଆସିଲି ।

 

ସେତେବେଳର ପ୍ରଚଳିତ ରୀତି ଥିଲା ଯେ ଅଖିଳ ଭାରତୀୟ ସର୍ଭିସରେ କେହି ନୂଆହୋଇ ପ୍ରବେଶ କଲେ ସେହି ସର୍ଭିସ୍‍ର ଅନ୍ୟ ପୁରାତନ ସଭ୍ୟମାନଙ୍କୁ ସେମାନଙ୍କ ଗୃହରେ ସାକ୍ଷାତ କରିବାର କଥା । ଜାତୀୟ ଚେତନାରେ ଅନୁପ୍ରାଣିତ ହୋଇ ମୁଁ ଅଫିସର୍‍ମାନଙ୍କୁ ଘରେ ଯାଇ ସାକ୍ଷାତ୍‍ କରିବାର ବିରୋଧୀ ଥିଲି । କିନ୍ତୁ ଶ୍ରୀ ତ୍ରିପାଠୀ ମୋତେ ପ୍ରବର୍ତ୍ତାଇବାରୁ ମୁଁ ତାଙ୍କ ସହିତ କାଣ୍ଟନମେଣ୍ଟ ରୋଡ଼କୁ ଗଲି । ପାଞ୍ଚ ନମ୍ବର କାଣ୍ଟନମେଣ୍ଟ ରୋଡ଼ରେ ସେତେବେଳେ ଜଣେ ଅଫିସର୍‍ ରହୁଥିଲେ । ଆମେ ତାଙ୍କ ହତାରେ ପଶିଲାକ୍ଷଣି ଦେଖିଲୁ ଯେ ଅଫିସର୍‍ ଜଣକ ବାରଣ୍ଡାରେ ବସିଛନ୍ତି କିନ୍ତୁ ବେହେରା ଆସି ଆମକୁ କହିଲା ସାହେବ ଦେଖା କରିପାରିବେ ନାହିଁ । ଆମେ ଚାଲି ଆସିଲୁ । କିନ୍ତୁ ଏହି ଗୋଟିକ ଘଟଣା ମୋ ପକ୍ଷରେ ଯଥେଷ୍ଟ ହୋଇଗଲା । ଏଣିକି ମୁଁ ଅଫିସର୍‍ମାନଙ୍କ ଘରେ ଯାଇ ଦେଖା କରିବା ବନ୍ଦ କରିଦେଲି । ଅଫିସରେ ଶ୍ରୀ ଲାମ୍ବର୍ଟଙ୍କ ସହିତ ମୁଁ ସାକ୍ଷାତ୍‍ କଲେ ମଧ୍ୟ ସାମାଜିକ ଆଦବକାୟଦା ଦୃଷ୍ଟିରୁ ତାଙ୍କୁ ବଙ୍ଗଳାରେ ଯାଇ ସାକ୍ଷାତ୍‍ କରି ନଥିଲି । ଅବଶ୍ୟ ସେ ମୋତେ ପରେ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ । ଏସବୁ ବିଷୟରେ ମୋର ମତ ଶ୍ରୀ ତ୍ରିପାଠୀଙ୍କଠାରୁ ଭିନ୍ନ ଥିଲା । ବାସ୍ତବିକ ୱେଷ୍ଟ ହେଷ୍ଟେଲ୍‍ ଓ୍ୱାର୍ଡ଼େନ କ୍ୱାଟର୍ସରେ ମୁଁ ଯେବେ ଯାଇ ରହିଲି ସେତେବେଳେ ସେଠାରେ ଭାରତୀୟ ବ୍ୟବସ୍ଥା ପ୍ରବର୍ତ୍ତନ କଲି ଓ ଭାରତୀୟ ଖାଦ୍ୟ ଖାଇଲି । ମୁଁ ଘରେ ଧୋତି ପିନ୍ଧୁଥିଲି ଓ ଶ୍ରୀ ଗୋପବନ୍ଧୁ ଚୌଧୁରୀ କିମ୍ବା ସ୍ୱାମୀ ବିଚିତ୍ରାନନ୍ଦ ଦାସଙ୍କ ପରି ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ୍‍ କରିବାକୁ ଯିବାବେଳେ ଧୋତି ଓ ପଞ୍ଜାବି ପିନ୍ଧି ଯାଉଥିଲି । ଯେତେବେଳେ ଶ୍ରୀ ଏସ୍‍. ଆର. ୟୁ. ଜମାନ୍‍ ଆଇ. ସି. ଏସ୍‍ କଟକରେ ମୁକରିର ହେଲେ ସେ ଆସି ମୋ ସହିତ ରହିଲେ । କାରଣ ୧୯୧୦ ମସିହାରେ ଆମେ ଦୁଇଜଣଯାକ ବିହାର-ଓଡ଼ିଶା ବୃତ୍ତିଧାରୀ ଭାବରେ ଏକାଠି ବିଲାତ ଯାଇଥିଲୁ । ବିଲାତରେ ଦୀର୍ଘକାଳ ରହିବା ପରେ ଭାରତୀୟ ଢଙ୍ଗରେ ଚଳିବାଯୋଗୁଁ ମୁଁ ଛାତ୍ର ଓ ଭାରତୀୟ ସହକର୍ମୀମାନଙ୍କ ମଧ୍ୟରେ ଖୁବ୍‍ ପ୍ରିୟ ହୋଇପାରିଥିଲି । କିନ୍ତୁ ୟୁରୋପୀୟ ଢାଞ୍ଚାରେ ଚଳୁଥିବା ମୋର ସହକର୍ମୀମାନଙ୍କଠାରୁ ନିଶ୍ଚୟ ଦୂରେଇ ଯାଇଛି ଯଦିଓ ୟୁରୋପୀୟ ଜୀବନର ଉପୁରିଆ ଢାଞ୍ଚାକୁ (ବାହ୍ୟାଡ଼ମ୍ବର) ମୁଁ ତ୍ୟାଗ କରିଥିଲି । ଇଂରେଜମାନଙ୍କର କେତେକ ପ୍ରଶଂସନୀୟ ଗୁଣ ମୁଁ କାର୍ଯ୍ୟରେ ଅନୁସରଣ କରିଥିଲି । ଉଦାହରଣସ୍ୱରୂପ ସେମାନଙ୍କର ସମୟାନୁବର୍ତ୍ତିତା (puncunality) କର୍ତ୍ତବ୍ୟନିଷ୍ଠା ଓ ଶ୍ରମପ୍ରତି ସମ୍ମାନ । ଶେଷୋକ୍ତ ବିଷୟରେ କହିବାକୁ ଗଲେ କୌଣସି ଜଣେ ଲାବୋରେଟରୀ ଆସିଷ୍ଟାଣ୍ଟଙ୍କର ଟେବୁଲ ସଜାଡ଼ିବାର ଥିଲେ ବା ଆଲମାରିକୁ ଘୁଞ୍ଚାଇବାର ଥିଲେ ମୁଁ ତାଙ୍କୁ ଯାଇ ସେଥିରେ ସାହାଯ୍ୟ କରୁଥିଲି । ମୋର ଯେତେକ ବ୍ୟକ୍ତିଗତ କାର୍ଯ୍ୟ ବିନା ଚାକର ସାହାଯ୍ୟରେ ହୋଇପାରିବ ମୁଁ ତାକୁ ନିଜେ କରୁଥିଲି । ଏହା ମଧ୍ୟରେ ଲୁଗାସଫା ଘରସଫା ବାସନ ଧୁଆ ଅନ୍ତର୍ଭୁକ୍ତ ।

 

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଜଣେ ଶିକ୍ଷକପକ୍ଷରେ ଭାରତୀୟ ଢଙ୍ଗରେ ଚଳିବା ଭଲ ବୋଲି ମନେ କରାଯାଇଥିଲେ ମଧ୍ୟ ଅନ୍ୟ କ୍ଷେତ୍ରରେ ଏପରି ପରିବର୍ତ୍ତନ କେବେହେଲେ ଭଲ ଫଳ ଦିଏ ନାହିଁ । ମୋ ଯୁକ୍ତିର ସମର୍ଥନରେ ଏଠାରେ ମୁଁ ଏକ ଉଦାହରଣ ଦେଇପାରେ । ଶ୍ରୀ ସାରଙ୍ଗଧର ଦାସ ଚିନି ତିଆରି କରିବା ବିଷୟରେ ବିଶେଷ ଜ୍ଞାନ ଲାଭ କରି ଆମେରିକାରୁ ଫେରିଥାନ୍ତି । ସେ ଜଣେ ଆମେରିକାନ୍‍ ମହିଳାଙ୍କୁ ବିବାହ କରିଥାନ୍ତି ଓ ସେ ମହିଳା ମଧ୍ୟ ତାଙ୍କ ସହିତ କଟକ ଆସିଥାନ୍ତି । ଆମେ ଶୁଣିଥିଲୁ ଯେ ଏହି ମହିଳା ଶ୍ରୀ ଦାସଙ୍କୁ ଭାରତ ଫେରି ଆସି ତାଙ୍କର ଜ୍ଞାନକୁ ଦେଶର ଉପକାରପାଇଁ ବିନିଯୋଗ କରିବା ନିମନ୍ତେ ପ୍ରବର୍ତ୍ତାଇ ଥିଲେ-। ଶ୍ରୀ ଦାସ ଗୋଟିଏ ଆଖୁଚାଷ ଫାର୍ମ ଓ ଚିନି କାରଖାନା ସ୍ଥାପନ କରିବାପାଇଁ ଚେଷ୍ଟା କରିଥିଲେ-। କିନ୍ତୁ ଏଥିପାଇଁ ଆବଶ୍ୟକ ପୁଞ୍ଜି ସେ ଯୋଗାଡ଼ କରିପାରି  ନଥିଲେ । ମୋର ମନେହୁଏ ତାଙ୍କର ଏହି ବିଫଳତାର ଏକ କାରଣ ହେଉଛି ସାହେବ ଢଙ୍ଗରୁ ଆସି ଭାରତୀୟ ଢଙ୍ଗରେ ଚଳିବା-। କାରଣ ସେତେବେଳେ ଧନିକମାନେ ପାଶ୍ଚାତ୍ୟ ବେଶଭୂଷା ଓ ଚାକଚକ୍ୟର ପକ୍ଷପାତୀ ଥିଲେ-। ସେମାନେ ଭାବିଲେ ଶ୍ରୀ ଦାସ ବୋଧହୁଏ ଆମେରିକାରେ ତାଙ୍କ ଶିକ୍ଷାରେ କୃତକାର୍ଯ୍ୟ ହୋଇ ନପାରି ଭାରତକୁ ଫେରିଆସିଛନ୍ତି ଓ ଭାରତୀୟ ଜୀବନ ସହିତ ନିଜକୁ ଅଭ୍ୟସ୍ତ କରିବାପାଇଁ ଲାଗିଛନ୍ତି ।

 

ଶ୍ରୀ ଦାସ ଏଥିରେ ନିରୁତ୍ସାହିତ ନହୋଇ ନିଜ ବାଟରେ ଦେଶମାତୃକାର ସେବା କରିଥିଲେ ଓ ତାଙ୍କର ସମଗ୍ର ଜୀବନ ଦେଶ ସେବାରେ ନିୟୋଜିତ କରିଥିଲେ ।

☆☆☆

 

ରେଭେନ୍‌ସା କଲେଜରେ କେତେକ ନୂଆ ପରୀକ୍ଷା

 

ଏବେ ପୁଣି ରେଭେନ୍‌ସା କଲେଜ କଥା କହୁଛି । ହଷ୍ଟେଲ ଓ୍ୱାର୍ଡ଼େନ ଭାବରେ ମୁଁ ଛାତ୍ରମାନଙ୍କୁ ଜାଣିବାପାଇଁ ଓ ସେମାନଙ୍କ ଚାହିଦା ସହିତ ନିଜକୁ ପରିଚିତ କରିବାପାଇଁ ଉଦ୍ୟମ କଲି । ଏହି ଲକ୍ଷ୍ୟରେ ପ୍ରତି ରବିବାର ସନ୍ଧ୍ୟାରେ ମୋ ଘରକୁ ସବୁ ଛାତ୍ରଙ୍କୁ ସାଧାରଣ ଭାବରେ ନିମନ୍ତ୍ରଣ କରୁଥିଲି । କେତେଥର ସେମାନଙ୍କର ଆସିବା କମିଗଲା ଓ ଏହି ସନ୍ଧ୍ୟା ବୈଠକ ଆଉ ହୋଇପାରିଲା ନାହିଁ ।

 

ଯେତେବେଳେ ଶ୍ରୀ ତ୍ରିପାଠୀ ଓ ମୁଁ ଦୁଇ ହଷ୍ଟେଲର ଓ୍ୱାର୍ଡ଼େନରୂପେ ଦାୟିତ୍ୱ ନେଲୁ ହଷ୍ଟେଲର ମେସ୍‍ ଛାତ୍ରମାନଙ୍କ ପରିଚାଳନାରେ ଥିଲା ଅର୍ଥାତ୍‍ ପ୍ରତ୍ୟେକ ହଷ୍ଟେଲରେ ଗୁଡ଼ିଏ ମେସ୍‍ ଥିଲା ଓ ପ୍ରତ୍ୟେକ ମେସ୍‌ ସଭ୍ୟମାନେ ସେମାନଙ୍କ ଭିତରୁ ଜଣଙ୍କୁ ପରିଚାଳକରୂପେ ବାଛୁଥିଲେ । କେତେଜଣ ସଭ୍ୟ ଠିକ୍‍ ସମୟରେ ସେମାନଙ୍କର ଦେୟ ଦେଇପାରୁ ନଥିବା କାରଣରୁ ମାସ ଶେଷକୁ ମେସ୍‍ଗୁଡ଼ିକର ଖାଦ୍ୟ ବ୍ୟବସ୍ଥା ଅର୍ଥାଭାବ ଯୋଗୁଁ ଖରାପ ହୋଇପଡ଼ୁଥିଲା ଓ ହଷ୍ଟେଲ ଛାତ୍ରମାନେ ଠିକ୍‍ ସମୟରେ ଖାଇବାପାଇଁ ଅସୁବିଧା ଭୋଗୁଥିଲେ । ଏ ସବୁ ଅସୁବିଧା ଦୂର କରିବାପାଇଁ ଆମେ ସାଧାରଣ ମେସ୍‍ ବ୍ୟବସ୍ଥା ପ୍ରଚଳନ କଲୁ । ପ୍ରତ୍ୟେକ ହଷ୍ଟେଲପାଇଁ ଜଣେ ଜଣେ ପରିଚାଳକ ନିଯୁକ୍ତ ହେଲେ । ପ୍ରତ୍ୟେକ ମାସ ୧୫ ତାରିଖ ସୁଦ୍ଧା ଛାତ୍ରାବାସର ଛାତ୍ରମାନଙ୍କୁ ତାଙ୍କ ମେସ୍ ଦେୟ ଦେବାକୁ ହେଉଥିଲା ଯାହାଫଳରେ ଅର୍ଥାଭାବଜନିତ ଅସୁବିଧା ଆଉ ଦେଖାଦେଲା ନାହିଁ । ପ୍ରଥମରୁ ଗୋଟିଏ ରୋଷେଇ ବ୍ୟବସ୍ଥା ଚଳିଲା । କିନ୍ତୁ ପରେ ଦେଖାଗଲା ଯେ ଛାତ୍ରାବାସର ସବୁ ଛାତ୍ରଙ୍କପାଇଁ ଏହାର ପରିଚାଳନା ସୁବିଧାଜନକ ନୁହେଁ । ତେଣୁ ଆମେ ଗୋଟିଏ ରୋଷେଇ ନ କରି କେତେଗୁଡ଼ିଏ ମେସରେ ବିଭକ୍ତ କରିଦେଲୁ । ଅର୍ଥାତ୍‍ ୧୫ ।୨୦ ଜଣ ଛାତ୍ରଙ୍କୁ ନେଇ ଗୋଟିଏ ଗୋଟିଏ ମେସ୍‍ ସୃଷ୍ଟି ହେଲା । ସର୍ବୋପରି ପରିଚାଳନା ଦାୟିତ୍ୱ ରହିଲା ହଷ୍ଟେଲ କର୍ତ୍ତୃପକ୍ଷଙ୍କର । ତାଙ୍କୁ ଏଥିରେ ସାହାଯ୍ୟ କଲେ ପ୍ରତି ମେସ୍‌ ଜଣେ ଜଣେ ଛାତ୍ର ପ୍ରତିନିଧି । ମେସ୍‍ ଦେୟପୂର୍ବରୁ ଯେପରି ଆଦାୟ କରାଯାଉଥିଲା ବର୍ତ୍ତମାନ ସେହିପରି ହେଲା । ଏ ବ୍ୟବସ୍ଥା ଖୁବ୍‍ ସନ୍ତୋଷଜନକ ପ୍ରମାଣିତ ହେଲା ଏବଂ ଏବେ ମଧ୍ୟ ଏହା ସନ୍ତୋଷଜନକ ଭାବରେ ଚାଲିଛି ।

 

ଅନ୍ୟ ଏକ ସଂସ୍ଥା ମୁଁ ସଫଳତା ସହିତ ଚଳାଇବାପାଇଁ ଉଦ୍ୟମ କଲି । ତା’ ହେଉଛି ଅଭାବଗ୍ରସ୍ତ ଛାତ୍ରମାନେ ନିଜର ପରିଶ୍ରମଦ୍ୱାରା କିପରି କିଛି ଉପାର୍ଜନ କରିପାରିବେ । ଏଥିପୂର୍ବରୁ କୌଣସି ଏକ ସଭାରେ ଯୋଗଦେବାପାଇଁ ମୁଁ ବାଙ୍ଗାଲୋର ଯାଇଥିଲି । ଆମେ ଯେଉଁ ହୋଟେଲରେ ରହୁଥିଲୁ ସେଠାରେ କେତେକ ଛାତ୍ର ଅତିଥିମାନଙ୍କୁ ଖାଇବାକୁ ଦେବାରେ ସାହାଯ୍ୟ କରି ସାମୟିକ କର୍ମୀଭାବରେ କିଛି ରୋଜଗାର କରୁଥିଲେ । ଏଥିରେ ପ୍ରଭାବିତ ହୋଇ ଓ ଆମେରିକାରେ ଛାତ୍ରମାନେ କିପରି ସାମୟିକ କାର୍ଯ୍ୟକରି ଅର୍ଥ ଉପାର୍ଜନ କରନ୍ତି ତାହା ଅଧ୍ୟୟନ କରି ମୁଁ ଭାବିଲି ଯେ ଆମର ହଷ୍ଟେଲମାନଙ୍କରେ ଦରିଦ୍ର ଛାତ୍ରମାନଙ୍କୁ ସାହାଯ୍ୟ କରିବାପାଇଁ କୌଣସି ବ୍ୟବସ୍ଥା ପ୍ରଚଳନ କରାଯାଇପାରେ । ବାଙ୍ଗାଲୋରରୁ ଫେରି ମୁଁ ପ୍ରିନ୍‌ସିପାଲଙ୍କୁ ଏ ପ୍ରସ୍ତାବ ଦେଲି । ପ୍ରସ୍ତାବଟି ହେଲା ଛାତ୍ରାବାସର ଯେଉଁ ଛାତ୍ରମାନେ ଇଚ୍ଛା କରିବେ କଲେଜର ବ୍ଲାଙ୍କ ପରୀକ୍ଷା ଖାତା ସିଲାଇ କରିପାରିବେ । ସେତେବେଳେ ଏ ଧରଣର ପରୀକ୍ଷାଖାତାର ସଂଖ୍ୟା ଥିଲା ବେଶି । ଲାମ୍ବର୍ଟ ସାହେବ ପ୍ରିନ୍‌ସିପାଲ୍‍ ଥିଲେ । ସେ ଏ ପ୍ରସ୍ତାବକୁ ଗ୍ରହଣ କରି ସେଥିପାଇଁ କିଛି ପ୍ରାଥମିକ ଖର୍ଚ୍ଚ ମଧ୍ୟ ମଞ୍ଜୁର କଲେ । ଗରିବ ଛାତ୍ରମାନେ ଏ କାର୍ଯ୍ୟ କରିବାଦ୍ୱାରା ସେମାନଙ୍କର ଦାରିଦ୍ର୍ୟ ପ୍ରଚାରିତ ହେବାଭୟରେ ଏଥିପାଇଁ ଆଗଭର ହେଲେ ନାହିଁ । ତେଣୁ ଯେଉଁ ଛାତ୍ରମାନେ ଧନୀ ପରିବାରରୁ ଆସିଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କୁ ଏ କାର୍ଯ୍ୟ କରିବାପାଇଁ ମୁଁ ପ୍ରବର୍ତ୍ତାଇଲି; ଏଥିପାଇଁ ସ୍ୱେଚ୍ଛା ପ୍ରଣୋଦିତ ଭାବରେ ଆସିଥିବା କେତେଜଣଙ୍କର ନାମ ମୁଁ ଏଠରେ ଉଲ୍ଲେଖ କରୁଛି । ସେମାନେ ହେଲେ ଡେପୁଟି ମାଜିଷ୍ଟ୍ରେଟ୍‍ ଶ୍ରୀ ଅଭୟ ପ୍ରସାଦ ଦାସଙ୍କ ପୁତ୍ର ଶ୍ରୀ ଅଜିତ ପ୍ରସାଦ ଦାସ କଟକ ଜିଲ୍ଲାର ଏକ ଧନୀ ପରିବାରରୁ ଆସିଥିବା ଓ ପରେ ଡାକ ତାର ବିଭାଗର ଡେପୁଟି ଡିରେକ୍‌ଟର ଜେନେରାଲ୍‍ ହୋଇଥିବା ଶ୍ରୀ ନିମାଇ ଚରଣ ଦାସ ଓ ସୁଖ୍ୟାତ ଡେପୁଟି ମାଜିଷ୍ଟ୍ରେଟ ଶ୍ରୀ ରାଜକିଶୋର ଦାସଙ୍କ ପୁତ୍ର ଶ୍ରୀ ନିକୁଞ୍ଜ କିଶୋର ଦାସ । ଏମାନେ କାଯ୍ୟ କରିବାର ଦେଖି ଅନ୍ୟ ଯେଉଁମାନେ ଆର୍ଥିକ ଦିଗରୁ ସ୍ୱଚ୍ଛଳ ନ ଥିଲେ ଏହି କାମ କରିବାପାଇଁ ବାହାରି ପଡ଼ିଲେ । ଖୁବ୍‍ ସଫଳତାର ସହିତ ବର୍ଷ ବର୍ଷ ଧରି ଏହା ଚାଲିଲା । ପରେ ଯେତେବେଳେ ଏହା ବନ୍ଦ ହୋଇଗଲା ତା’ର କାରଣ ହେଲା କେତେଗୁଡ଼ିଏ ବ୍ଲାଙ୍କ ପରୀକ୍ଷା ଖାତା ଚୋରି ହୋଇଯାଇ ପରୀକ୍ଷାବେଳେ ଅସଦ୍‍ ଉଦ୍ଦେଶ୍ୟରେ ବ୍ୟବହୃତ ହେଲା । ଏହା ଏକ ଦୁର୍ଭାଗ୍ୟର ବିଷୟ । ଭାରତର ଏହା ଏକ ସାଧାରଣ ବିଷୟ ହୋଇଗଲାଣି ଯେ କିପରିଭାବରେ ଅସଦାଚରଣର ପ୍ରତିକାର ହୋଇପାରିବ ତାହା ଚିନ୍ତା ନ କରି ଆମେ କୌଣସି ଭଲ ବ୍ୟବସ୍ଥାକୁ ଚଳାଇ ରଖିପାରୁନାହୁଁ । ଏହିପରି ଭାବରେ ଦରିଦ୍ର ଛାତ୍ରଗଣ ଶାରୀରିକ ଶ୍ରମଦ୍ୱାରା ଯେଉଁ ଉପାର୍ଜନର ଉଦ୍ୟମ କରୁଥିଲେ ତାହା ଚିରଦିନପାଇଁ ବନ୍ଦ ହୋଇଗଲା ।

 

ଦରିଦ୍ର ଛାତ୍ରମାନଙ୍କୁ ସାହାଯ୍ୟ କରିବାପାଇଁ ମୁଁ ମୋର ହଷ୍ଟେଲରେ ଲେଣ୍ଡିଂ ଲାଇବ୍ରେରୀ ବ୍ୟବସ୍ଥା ପ୍ରଚଳନ କଲି । ମୁଁ ଦେଖିଲି ଯେ ଅଭାବଗ୍ରସ୍ତ ଛାତ୍ରମାନେ ମୂଲ୍ୟବାନ ବା ସାଧାରଣ ମୂଲ୍ୟର ପୁସ୍ତକ କିଣିପାରୁ ନାହାନ୍ତି । ଲେଣ୍ଡିଂ ଲାଇବ୍ରେରୀ ପ୍ରଚଳନର ଉଦ୍ଦେଶ୍ୟ ହେଲା ବିଭିନ୍ନ ପଢ଼ାବହିରୁ କେତେଗୁଡ଼ିଏ କିଣି ରଖିବା ଓ ବର୍ଷକର ବ୍ୟବହାରପାଇଁ ସାମାନ୍ୟ ଅର୍ଥରେ ଛାତ୍ରମାନଙ୍କୁ ତାହା ଧାର ସ୍ୱରୂପ ଦେବା । ବହିର ମୂଲ୍ୟ ଅନୁଯାୟୀ କେତେଟଙ୍କା ଦେବାକୁ ହେବ ତାହା ସ୍ଥିର କରାଯାଉଥିଲା । କିନ୍ତୁ ତାହା ଛାତ୍ରମାନଙ୍କର ଶକ୍ତିର ବହିର୍ଭୂତ ହେଉ ନଥିଲା । ବର୍ଷ ଶେଷକୁ ବହି ଫେରାଇବାକୁ ହେଉଥିଲା ଓ ବାର୍ଷିକ ଦେୟ ହେଲେ ଆଉ ଗୋଟିଏ ବର୍ଷ ପାଇଁ ଦିଆଯାଉଥିଲା । ପାଞ୍ଚ ଦଶ ବର୍ଷ ଭିତରେ ଯେପରି ବହିର ମୂଲ୍ୟଟି ମିଳିପାରିବ ସେହି ଲକ୍ଷ୍ୟରେ ଏହି ଦେୟ ସ୍ଥିର କରାଯାଉଥିଲା । ପ୍ରଥମେ ପ୍ରିନ୍‌ସିପାଲ ଦୁଇଶହ ଟଙ୍କା ମଞ୍ଜୁର କଲେ ଓ ଏହି ବ୍ୟବସ୍ଥାର ପ୍ରଚଳନ ହେଲା । କ୍ରମେ ଏହା ଲୋକପ୍ରିୟ ହୋଇ ଓଡ଼ିଶାର ବିଭିନ୍ନ କଲେଜକୁ ବ୍ୟାପିଥିବା ଆନନ୍ଦର ବିଷୟ । ପରେ ଯେତେବେଳେ ମୁଁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଉପକୁଳପତି ଭାବରେ ଯୋଗ ଦେଲି ସେଠାରେ ମଧ୍ୟ ମୁଁ ଏହି ବ୍ୟବସ୍ଥା ପ୍ରଚଳନ କଲି । କେତେକ କ୍ଷେତ୍ରରେ ଯେ ଏହାର ଅସଦ୍‍ ବ୍ୟବହାର ନ ହୋଇଛ ତାହା ନୁହେଁ । କେତେକ ଛାତ୍ର ଧାର ସୂତ୍ରରେ ବହି ନେଇ ଫେରନ୍ତି ନାହିଁ । ଏପରି ଅସଦାଚରଣ ବନ୍ଦ କରିବାପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଗଲା ।

 

ମୋର ହଷ୍ଟେଲରେ ରହିବା ସମୟ ମଧ୍ୟରେ ଏକ ଆମୋଦକର ଘଟଣାର ଉଲ୍ଲେଖ କରୁଛି । ଉଦ୍ଭିଦବିଜ୍ଞାନର ଅଧ୍ୟାପକ ଭାବରେ ମୁଁ କଲେଜ ହତା ଦାୟିତ୍ୱରେ ଥିଲି । ଆମ ସମୟ ପର୍ଯ୍ୟନ୍ତ କଲେଜର ବେହେରାମାନେ ହତା ଭିତରେ ଗାଈ ରଖି ଛାତ୍ର ଓ ଅଧ୍ୟାପକମାନଙ୍କୁ ଦୁଧ ବିକ୍ରି କରୁଥିଲେ । ସେତେବେଳେ ଡିଉକ୍‍ ସାହେବ ପ୍ରିନ୍‌ସିପାଲ୍‍ ଥାଆନ୍ତି । ମୁଁ ତାଙ୍କୁ ପ୍ରସ୍ତାବ ଦେଲି ଯେ କଲେଜରେ ବେହେରାମାନଙ୍କର ଗାଈ ରଖିବାପାଇଁ ଗୋଟିଏ ଗୁହାଳ କରି ଦିଆଯାଉ । ଡିଉକ୍‍ ସାହେବ ଏହାର ଘୋର ବିରୋଧ କଲେ ଏପରିକି କଲେଜ ବେଢ଼ା ମଧ୍ୟରେ ଆଉ କେହି ଗାଈ ବାନ୍ଧି ପାରିବେ ନାହିଁ ବୋଲି ମଧ୍ୟ କହିଲେ । ମୁଁ ଯୁକ୍ତି କଲି ଯେ କଲେଜ ଭିତରେ ଯେଉଁମାନେ ରହୁଛନ୍ତି ସେମାନଙ୍କର ଦୁଧ କିଣିବା ଦରକାର । ଗଉଡ଼ମାନଙ୍କର ଏକ ସାଧାରଣ କାର୍ଯ୍ୟ ହେଲା ଦୁଧରେ ପାଣି ମିଶାଇବା । ବାହାରୁ ଯେଉଁ ଗଉଡ଼ମାନେ ଦୁଧ ନେଇ ଆସିବେ ସେ ଯେ କୌଣସି ସ୍ଥାନର ପାଣି ଦୁଧରେ ମିଶାଇଦେବେ । ଆମେ ଯଦି କଲେଜ ବେହେରାମାନଙ୍କୁ ଗାଈ ରଖିବାପାଇଁ ଅନୁମତି ଦେଉ ସେମାନେ ପାଣି ମିଶାନ୍ତୁ ପଛକେ କଲେଜ ପାଣିକଳରେ ଆସୁଥିବା ପାଣି ମିଶାଇବେ । ତେଣୁ ଏଥିରେ ରୋଗଜୀବାଣୁ ସଂକ୍ରମଣର କମ୍‍ ଆଶଙ୍କା ରହିବ । ଏଥିରେ ଡିଉକ୍‍ ସାହେବ ମନ ବୁଝିଗଲା ଓ କଲେଜ ବେଢ଼ାରେ ଗୋଟିଏ ଗୁହାଳ ତିଆରି ହୋଇଗଲା ।

 

ଆହୁରି ଏକ ବିଷୟ ଯାହା କି ମୋ ଉଦ୍ୟମରେ ହୋଇପାରିଥିଲା ତାହା ହେଉଛି କଲେଜ ସୋସାଇଟିର ସଂବିଧାନ ବଦଳି ଏକ ନୂଆ ସଂବିଧାନ ପ୍ରଚଳିତ ହେବା । କେମ୍ବ୍ରିଜ ଓ  ଅକ୍‍ସଫୋର୍ଡର ଛାତ୍ର ସମିତିମାନଙ୍କ ପରି ରେଭେନ୍‍ସା କଲେଜ ଛାତ୍ର ସମିତର ନାମ ପରିବର୍ତ୍ତିତ ହୋଇ ଛାତ୍ର ୟୁନିୟନ୍‍ ରଖାଗଲା । ଏହାର ସଭାପତି ଛାତ୍ର ଓ ପରାମର୍ଶଦାତା ଜଣେ ଅଧ୍ୟାପକ ରହିଲେ । କାର୍ଯ୍ୟକାରୀ କମିଟି ବିଭିନ୍ନ ଶ୍ରେଣୀର ଛାତ୍ର ପ୍ରତିନିଧିମାନଙ୍କୁ ନେଇ ଗଠିତ ହେଲା । ଭାରତ ସରକାର ଏକ ଗଣତାନ୍ତ୍ରିକ ସଂସ୍ଥା ଚଳାଇବାପାଇଁ ଅଗ୍ରସର ହେଉଥିବାଯୋଗୁଁ ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ସମାଜର ନେତା ଛାତ୍ରୀମାନେ ଗଣତାନ୍ତ୍ରିକ ପନ୍ଥାରେ ତାଲିମ ପାଇବା ଆବଶ୍ୟକ । ଏହି ନିର୍ବାଚିତ ପଦ୍ଧତି ସବୁ କଲେଜରେ ପ୍ରଚଳିତ ହୋଇଛି । ଛାତ୍ରମାନଙ୍କୁ ଗଣତାନ୍ତ୍ରିକ ପନ୍ଥାରେ ତାଲିମ କରିବା ଉଦ୍ଦେଶ୍ୟ ରଖି ଏହି ବ୍ୟବସ୍ଥା ପ୍ରଚଳନ କଲାବେଳେ ସାଧାରଣ ଭାରତୀୟ ମନୋବୃତ୍ତି ଯାହା ସେଥିରୁ ଏହାର ଅସଦ୍‍ବ୍ୟବହାର ହୋଇପାରେ ଏ ଧାରଣା କରାଯାଇ ନଥିଲା । ସାଧାରଣ ଭାରତୀୟ ମନୋବୃତ୍ତି ହେଉଛି କୌଣସି ଏକ ପ୍ରଣାଳୀର ଖୋଳପାଟିକୁ ଗ୍ରହଣ କରି ଶସତକ ଛାଡ଼ିଦେବା ଏହି ମନୋବୃତ୍ତି ଯୋଗୁଁ ଭାରତର ଗଣତାନ୍ତ୍ରିକ ପଦ୍ଧତିରେ ଅଧୋଗତି ଘଟି ବର୍ତ୍ତମାନ ମବୋକ୍ରେସି ବା ସ୍ୱୈରାଚାର ଚାଲିଛି । ଏଠାରେ ଆହୁରି ଏକ ଦୃଷ୍ଟାନ୍ତ ଦିଆଯାଇପାରେ । ଦେଶରେ ଏକ ସାଧାରଣ ଶ୍ରମିକ ମଧ୍ୟ ଏବେ ହାତଘଣ୍ଟା ବ୍ୟବହାର କଲେଣି । କିନ୍ତୁ ଘଣ୍ଟା ବ୍ୟବହାର କରିବାର ଯେଉଁ ମୌଳିକ ତତ୍ତ୍ୱ ହେଲା ସମୟାନୁବର୍ତ୍ତିତା ତାହା କ୍ୱଚିତ୍‍ ଦେଖାଯାଉଛି । ଏହି ମନୋବୃତ୍ତିଯୋଗୁଁ ଛାତ୍ର ୟୁନିୟନ୍‍ମାନଙ୍କର ପ୍ରକୃତ ସାରତତ୍ତ୍ୱ କୁଆଡ଼େ ଯାଇ ତାହା ସବୁ ଶ୍ରମିକ ୟୁନିୟନ୍‍ ରୂପେ ବ୍ୟବହୃତ ହେଲାଣି ।

 

ଛାତ୍ର-ଶିକ୍ଷକ ସଂପର୍କ ଆଲୋଚନା କଲାବେଳେ ଆଉ କେତେକ କାର୍ଯ୍ୟକ୍ରମର ଉଲ୍ଲେଖ ଏଠାରେ କରିବା ଉଚିତ ହେବ । ଯେତେବେଳେ ଡକ୍ଟର ବାବା କର୍ତ୍ତାର ସିଂ ରେଭେନ୍‌ସା କଲେଜର ପ୍ରିନ୍‌ସିପାଲ୍‍ ଥିଲେ ସେତେବେଳେ ଛାତ୍ର ଶିକ୍ଷକଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ପ୍ରତିଷ୍ଠାପାଇଁ ଆମେ ଏକ କାର୍ଯ୍ୟକ୍ରମର ଚିନ୍ତା କଲୁ ଆମେ ଛାତ୍ରମାନଙ୍କୁ କେତେଗୁଡ଼ିଏ ଗୋଷ୍ଠୀରେ ବିଭକ୍ତ କରିଦେଲୁ । ପ୍ରତ୍ୟେକ ଗୋଷ୍ଠୀରେ ପ୍ରଥମବାର୍ଷିକ ଛାତ୍ରମାନଙ୍କଠାରୁ ସ୍ନାତକୋତ୍ତର ଛାତ୍ରଙ୍କ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଛାତ୍ର ଥିଲେ ଓ ତାକୁ ଜଣେ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ରଖା ଯାଉଥିଲା । ଏହି ଶିକ୍ଷକଙ୍କୁ କେମ୍ବ୍ରିଜ ପ୍ରଣାଳୀର ଅନୁକରଣରେ ଟିଉଟର୍‍ କୁହାଯାଉଥିଲା । ଟିଉଟର୍‍ ତାଙ୍କର ବିଭାଗର ଛାତ୍ରଙ୍କ ସହିତ ସପ୍ତାହରେ ଥରେ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବେ । ପିଲାମାନେ ଯେଉଁ ମେସରେ ବା ବସାଘରେ ଥିବେ ସେଠାକୁ ସେ ଯାଇ ତାଙ୍କୁ ସାହାଯ୍ୟ କରିବେ । ୧୯୪୫ ମସିହାରେ ମୁଁ ରେଭେନ୍‌ସା କଲେଜ ଛାଡ଼ିବା ପର୍ଯ୍ୟନ୍ତ ଏହି ପ୍ରଣାଳୀ ଚଳୁଥିଲା । ଏବେ ଆଉ ଚଳୁଛି କି ନାହିଁ ମୁଁ ଜାଣେ ନାହିଁ ।

 

ଆହୁରି ଏକ ପ୍ରଥା ମୁଁ ଚଳାଇବାର ଉଦ୍ୟମ କରିଥିଲି । ତାହା ହେଉଛି ପ୍ରଥମ ବାର୍ଷିକ ଶ୍ରେଣୀରେ ଯୋଗ ଦେଇଥିବା ନୂଆ ପିଲାମାନଙ୍କୁ ମାସକପାଇଁ କଲେଜ ଜୀବନ ସହିତ ଅଭ୍ୟସ୍ତ ହେବା ନିମନ୍ତେ ତାଲିମ ଦେବା । କଳା ବିଜ୍ଞାନ ଓ ଅନ୍ୟାନ୍ୟ ବିଭାଗରେ ବକ୍ତୃତା ଦିଆଯାଉଥିଲା ଓ ଛାତ୍ରମାନଙ୍କୁ ଏହି ସବୁ ବକ୍ତୃତା ଶୁଣିବାପାଇଁ ସ୍ୱାଧୀନତା ଦିଆଯାଇଥିଲା । ଏହି ସବୁ ବକ୍ତୃତା ଶୁଣିବା ପରେ କେଉଁ ବିଷୟ ପ୍ରତି ତାଙ୍କର ଆଗ୍ରହ ଅଛି ଓ କେଉଁ ବିଷୟଟି ନେଲେ ତାଙ୍କର ଭଲହେବ ତାହା ପ୍ରତ୍ୟେକ ଛାତ୍ର ସ୍ଥିର କରିପାରୁଥିଲେ । ଏହି ପ୍ରଣାଳୀ କେତେକ ଉଚ୍ଚପଦସ୍ଥ ଶାସନ ବିଭାଗୀୟ କର୍ମଚାରୀଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । ଡି. ଇ. ରୁବେନ୍‍ ଆଇ. ସି. ଏସ୍‍. ଏହପରି କେତେକ ବକ୍ତୃତା ଶୁଣିବାପାଇଁ ଆସିଥିଲେ । ବର୍ତ୍ତମାନ ବୋଧହୁଏ ଏ ବ୍ୟବସ୍ଥାଟି ବନ୍ଦ ହୋଇଗଲାଣି ।

Image